ଶେଖ ହସିନା, ଚିକେନ ନେକ୍ ଓ ଚୀନ ସହ ବନ୍ଧୁତା… ଗତ କିଛିଦିନ ଧରି ଭାରତ-ବାଂଲାଦେଶ ସମ୍ପର୍କରେ ଜମିଥିବା ବରଫ ହଟାଇବାକୁ ଥାଇଲାଣ୍ଡର ବ୍ୟାଙ୍କକରେ ଶୁକ୍ରବାର ଭାରତ ଓ ବାଂଲାଦେଶର ଶୀର୍ଷ ନେତୃତ୍ୱ ସାକ୍ଷାତ କରିଥିଲେ । ତିକ୍ତ ହୋଇପଡ଼ିଥିବା ଭାରତ ଓ ବାଂଲାଦେଶ ସମ୍ପର୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୋହମ୍ମଦ ୟୁନୁସଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମୋହମ୍ମଦ ୟୁନୁସଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ଏହି ସାକ୍ଷାତକୁ ନେଇ ବାଂଲାଦେଶ ବେଶ୍ ଉତ୍ସୁକ ଥିଲା ଏବଂ ଭାରତକୁ ଦ୍ୱିପାକ୍ଷିକ ବୈଠକ ପାଇଁ ଅନୁରୋଧ କରିଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ଓ ମୋହମ୍ମଦ ୟୁନୁସଙ୍କ ସାକ୍ଷାତ ନେଇ ସନ୍ଦେହ ଲାଗି ରହିଥିଲା। ଭାରତ ତରଫରୁ ବାଂଲାଦେଶର ଅନୁରୋଧର କୌଣସି ଉତ୍ତର ଦିଆଯାଇ ନଥିଲା। ତେବେ, ବିମ୍ସଟେକ୍ ସମ୍ମେଳନ ଅବସରରେ ଆଜି ଅର୍ଥାତ୍ ୪ ଏପ୍ରିଲରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୋହମ୍ମଦ ୟୁନୁସଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ବ୍ୟାଙ୍କକରେ ପ୍ରଧାନମନ୍ତ୍ରୀ ମୋଦୀ ମୋହମ୍ମଦ ୟୁନୁସଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ବୈଠକରେ ଭାରତ ତରଫରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସାକ୍ଷାତକାରର ଯେଉଁ ଚିତ୍ରଗୁଡ଼ିକ ସାମ୍ନାକୁ ଆସିଛି, ତାହା ସ୍ପଷ୍ଟ ଦର୍ଶାଉଛି ଯେ ଦୂରତା ଲୋପ ପାଇଁ ପ୍ରୟାସ ହେଉଛି, କିନ୍ତୁ ମନର ଦୂରତା ଏବେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଲୋପ ପାଇ ନାହିଁ। ଚିତ୍ରରେ ମୋହମ୍ମଦ ୟୁନୁସଙ୍କ ଦ୍ୱାରା ସୃଷ୍ଟ ଅବିଶ୍ୱାସର ତାତି ଆଜି ମଧ୍ୟ ଦେଖିବାକୁ ମିଳିଥିଲା ।
ମୋଦୀ-ୟୁନୁସ ଫଟୋ ବହୁତ କିଛି କହୁଛି
ପ୍ରଧାନମନ୍ତ୍ରୀ ମୋଦୀ ଓ ମୋହମ୍ମଦ ୟୁନୁସଙ୍କ ସାକ୍ଷାତକାରର ଏହି ଚିତ୍ରଗୁଡ଼ିକକୁ ନେଇ ଏଥିପାଇଁ ଆଲୋଚନା ହେଉଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ କୌଣସି ରାଷ୍ଟ୍ରପ୍ରମୁଖଙ୍କୁ ଭେଟନ୍ତି, ସେତେବେଳେ ତାଙ୍କଠାରେ ଉଷ୍ମତା ଦେଖାଯାଏ। ସେ ଖୋଲା ହୃଦୟରେ ଆଲିଙ୍ଗନ କରନ୍ତି। କିନ୍ତୁ ଆଜିର ଚିତ୍ରରେ ସେଭଳି କିଛି ଉତ୍ସାହ ଅତିକମରେ ମୋଦିଙ୍କ ପଟୁ ଦେଖିବାକୁ ମିଳିନାହିଁ । ଏହାର କାରଣ ଭାରତ ଓ ବାଂଲାଦେଶ ମଧ୍ୟରେ ତିକ୍ତତା ହିଁ ହୋଇପାରେ।
ୟୁନୁସଙ୍କ ଶତ୍ରୁତା ଓ ଚୀନ ସହ ସମ୍ପର୍କ
ମୋହମ୍ମଦ ୟୁନୁସ ଭାରତ ସହ ଶତ୍ରୁତା ପାଳନ କରିବାର କୌଣସି ସୁଯୋଗ ଛାଡ଼ି ନାହାନ୍ତି। ଶେଖ ହସିନାଙ୍କ ସରକାରର ପତନ ପରେ ବାଂଲାଦେଶ ଚୀନର ଅନୁଗତ ହେବାରେ ଲାଗିଛି। ନିକଟରେ ମୋହମ୍ମଦ ୟୁନୁସ ଚୀନ ଗସ୍ତ କରିଥିଲେ। ବେଜିଂରେ ୟୁନୁସ ବାଂଲାଦେଶକୁ ‘ସମୁଦ୍ରର ରକ୍ଷକ’ ବୋଲି ଅଭିହିତ କରିଥିଲେ ଏବଂ ଉତ୍ତର-ପୂର୍ବ ଭାରତ ସମ୍ପର୍କରେ ବୟାନ ଦେଇ ଭାରତକୁ କ୍ଷୁବ୍ଧ କରିଥିଲେ। ତେବେ, ଜୟଶଙ୍କର ବିମ୍ସଟେକ୍ ମଞ୍ଚରୁ ବାଂଲାଦେଶକୁ ଭଲ ଭାବେ ଭାରତର ପକ୍ଷ ଶୁଣାଇ ଦେଇଛନ୍ତି ।
ଉତ୍ତେଜନା କମାଇବା ପାଇଁ ଆଲୋଚନା
ସୂତ୍ରରୁ ଜଣାପଡ଼ିଛି ଯେ ଭାରତ ଓ ବାଂଲାଦେଶ ମଧ୍ୟରେ ଉତ୍ତେଜନା କମାଇବା ନେଇ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଓ ୟୁନୁସଙ୍କ ମଧ୍ୟରେ ଏହି ବୈଠକ ପ୍ରାୟ ୪୦ ମିନିଟ୍ ଧରି ଚାଲିଥିଲା। ଢାକା ନିଜେ ବିମ୍ସଟେକ୍ ବୈଠକ ଅବସରରେ ନୂଆଦିଲ୍ଲୀ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଅନୁରୋଧ କରିଥିଲା। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ୟୁନୁସ ବ୍ୟାଙ୍କକରେ ବିମ୍ସଟେକ୍ ରାତ୍ରିଭୋଜରେ ଏକାଠି ବସିଥିବା ଦେଖାଯାଇଥିଲେ।