
ଭାରତରେ ନଦୀ କେବଳ ପାଣିର ଧାରା ନୁହେଁ । ନଦୀ ଏଠାରେ ମା’ର ମାନ୍ଯତା ପାଇଛି । ଜୀବନଦାୟିନୀ ନଦୀଙ୍କ ବର୍ଣ୍ଣନା ବେଦରୁ ପୁରାଣ ସବୁଥିରେ ଅଛି । ଗଙ୍ଗା ଯଦି ଭାରତର ଆତ୍ମା ତେବେ ଏମିତି ଅନେକ ଛୋଟବଡ଼ ପାଖାପାଖି ୨ଶହ ନଦୀଙ୍କୁ ନେଇ ଭାରତ ନଦୀ ମାତୃକାର ଦେଶ । ଆପଣ ଅନେକ ନଦୀର ନାମ ଶୁଣିଥିବେ,କିଛି ଦେଖିଥିବେ ମଧ୍ଯ କିନ୍ତୁ ଏମିଚି ଗୋଟିଏ ନଦୀ ଅଛି ଯାହାର ନାଁ ସମସ୍ତେ ଶୁଣିଛନ୍ତି କିନ୍ତୁ କେହି ଦେଖିନାହାନ୍ତି । କାରଣ ସେ ନଦୀ ଆଉ ନାହିଁ । ସେ ନଦୀର ଅସ୍ତିତ୍ୱକୁ ଖୋଜା ଚାଲିଛି କିନ୍ତୁ ସେ ଅଛି କେବଳ ପୁରାଣରେ,କଥାକାହାଣୀରେ ଓ କିମ୍ବଦନ୍ତିରେ । ଆସନ୍ତୁ ଆଜି ଜାଣିବା ସେଇ ନଦୀ ବାବାଦରେ ଯାହା ଦିନେ ଥିଲା,ଆଜି ନାହିଁ ।
ଏଠାରେ ଆମେ ସରସ୍ୱତୀ ନଦୀ କଥା କହୁଛେ । ଯାହାର ବର୍ଣ୍ଣନା ବେଦରେ ରହିଛି । ବୈଦିକ କାଳରେ ଏହା ଏକ ବିଶାଳ ନଦୀ ଥିଲା । ଋଗବେଦରେ ଏହାର ବର୍ଣ୍ଣନା ରହିଛି । ସରସ୍ୱତୀ ନଦୀକୂଳରେ ହିଁ ବେଦର ରଚନା ହୋଇଥିଲା । ହିମାଚଳର ସିରମୌର ପାର୍ବତ୍ଯାଂଚଳରୁ ବାହାରି ସରସ୍ୱତୀ ଅମ୍ବାଲା,କୁରୁକ୍ଷେତ୍ର ଓ ପଟିଆଲା ଦେଇ ସିରସାରେ ଦୁଷଦ୍ୱତି ନଦୀ ସହି ମିଳିଥିଲା । ପୁରାଣରେ ବର୍ଣ୍ଣିତ ଏହି ନଦୀ ଏବେ କିନ୍ତୁ ଲୁପ୍ତ । ପୁରାଣ ଅନୁସାରେ ଅଭିଶାପ କାରଣରୁ ସରସ୍ୱତୀ ଶୁଖିଯାଇଥିଲା । ଏହି ନଦୀକୁ କାଳ୍ପନିକ ଭାବେ ଅନେକ ଗ୍ରହଣ କରୁଥିଲେ । କିନ୍ତୁ ଇସ୍ରୋ ଅନୁସାରେ ଯେଉଁ ଅଚଂଳ ଦେଇ ସରସ୍ୱତୀ ପ୍ରବାହିତ ହେଉଥିଲା ବୋଲି କୁହାଯାଉଛି ସେଠାରେ ହଜାର ହଜାର ବର୍ଷ ତଳେ ଏକ ନଦୀ ଥିବାର ପ୍ରମାଣ ମିଳିଛି । ଏପରିକି ସେହି ଅଂଚଳରେ ମାଟିତଳେ ଏବେ ମଧ୍ଯ ସରସ୍ୱତୀ ପ୍ରବାହିତ ବୋଲି ଇସ୍ରୋ କୁହେ । ସରସ୍ୱତୀକୁ ନେଇ ଆଉ ଏକ କାହାଣୀ ମଧ୍ଯ ପ୍ରଚଳିତ । କାହାଣୀ ଅନୁସାରେ ପ୍ରୟାଗରେ ଗଙ୍ଗା,ଯମୁନା ଓ ସରସ୍ୱତୀଙ୍କ ମିଳନରୁ ସଂଗମ କ୍ଷେତ୍ର ସୃଷ୍ଟି । କିନ୍ତୁ ସେଠାରେ ମାତ୍ର ଦୁଇଟି ନଦୀ ହିଁ ମିଶିଛନ୍ତି । ତେବେ ଲୋକକଥା ଅନୁସାରେ ସରସ୍ୱତୀ ମାଟିତଳେ ପ୍ରବାହିତ ହୋଇ ପ୍ରୟାଗର ସଂଗମର ଦୁଇ ନଦୀଙ୍କ ସହିତ ମିଶିଛି । ଇସ୍ରୋ ମଧ୍ଯ ଦାବୀ କରେ ଯେ,ସରସ୍ୱତୀ ଏବେବି ମାଟି ତଳେ ପ୍ରବାହିତ ହେଉଛି ।
ବୈଦିକ ସଭ୍ୟତାରେ ସରସ୍ୱତୀ ସବୁଠାରୁ ବଡ଼ ନଦୀ ଥିଲା । ଇସ୍ରୋର ଅନୁସଂଧାନ ଅନୁସାରେ ଏବେବି ସରସ୍ୱତୀ ହରିଆନା,ପଂଜାବ ଓ ରାଜସ୍ଥାନ ଦେଇ ଭୂଗର୍ଭରେ ପ୍ରବାହିତ ହେଉଛି । ମହାଭାରତ ଯୁଗ ବେଳକୁ ସରସ୍ୱତୀ ଅନେକାଂଶରେ ସୁଖି ଯାଇଥିଲା ବୋଲି ଗବେଶକ କୁହନ୍ତି । ବୈଜ୍ଞାନିକଙ୍କ ଅନୁସାରେ ହଜାର ହଜାର ବର୍ଷ ତଳେ ଉତ୍ତର ଭାରତରେ ବଡ଼ ଧରଣର ଭୂକମ୍ପ ଆସିଥିଲା । ଯେଉଁଥିପାଇଁ ଭୂଗର୍ଭରେ ଥିବା ପାହାଡ଼ ସବୁ ମାଟି ଉପରକୁ ଚାଲି ଆସିଥିଲେ କିନ୍ତୁ ସରସ୍ୱତୀର ପାଣି ପଛକୁ ଚାଲିଯାଇଥିଲା । ପରେ ସରସ୍ୱତୀ ଯମୁନା ସହିତ ମିଶିଯାଇଥିଲା ଓ ପ୍ରବାହିତ ହେବାକୁ ଲାଗିଲା । ଅର୍ଥାତ ଏବେ ମଧ୍ଯ ଯମୁନାରେ ବହି ଚାଲିଛି ସରସ୍ୱତୀର ପାଣି । ଯମୁନା ମଧ୍ଯ ଦେଇ ପ୍ରବାହିତ ହୋଇ ସରସ୍ୱତୀ ନଦୀର ଜଳ ସଂଗମରେ ତ୍ରିବେଣୀ ତିଆରି କରେ । ପ୍ରୟାଗକୁ ତିନି ନଦୀର ସଂଗମ ଭାବେ ଗ୍ରହଣ କରାଯାଏ କିନ୍ତୁ ଅସଲରେ ସେଠାରେ ତିନି ନଦୀ ବଦଳରେ ଦୁଇଟି ଗଙ୍ଗ ଓ ଯମୁନାଙ୍କୁ ଦେଖିବାକୁ ମିଳେ । କିନ୍ତୁ ବିଶ୍ୱାସ ଯେ, ସରସ୍ୱତୀ ଭୂଗର୍ଭରେ ପ୍ରବାହିତ ହୋଇ ସଂଗମରେ ଦୁଇ ନଦୀଙ୍କ ସହିତ ମିଶିଛି । ତେବେ ଇଏ ଥିଲା ସେହି ନଦୀର କାହାଣୀ ଯାହା ବାବଦରେ ଆମେ ଶୁଣିଛେ କିନ୍ତୁ ଯାହାକୁ ଦେଖିନାହେଁ । ଏବାବଦରେ ଆପଣଙ୍କ ମତ କ’ଣ ? କମେଣ୍ଟ କରି ଆମକୁ ନିଜ ମତ ଜଣାନ୍ତୁ ।