୩ ଅପ୍ରେଲ ୨୦୨୫ର ରାତିରେ, ଜାମନଗରରେ ଭାରତୀୟ ବାୟୁସେନା (IAF)ର ଏକ ପୁରୁଣା ଜଗୁଆର ଟ୍ରେନର-ଫାଇଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟନାରେ ୨୮ ବର୍ଷୀୟ ପାଇଲଟ୍ ଫ୍ଲାଇଟ୍ ଲେଫ୍ଟିନାଣ୍ଟ ସିଦ୍ଧାର୍ଥ ଯାଦବଙ୍କର ମୃତ୍ୟୁ ହୋଇଥିଲା। ସେ ଏକ ନିୟମିତ ପ୍ରଶିକ୍ଷଣ ଉଡ଼ାଣରେ ଥିଲେ। ଉଡ଼ାଣ ଆରମ୍ଭ କରିବାର କିଛି ମିନିଟ୍ ପରେ ତାଙ୍କର ଟ୍ୱିନ୍-ସିଟର ଜଗୁଆର ବିମାନ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟନାରେ ଫ୍ଲାଇଟ୍ ଲେଫ୍ଟିନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ଜୀବନ ଚାଲିଯାଇଥିବା ବେଳେ, ତାଙ୍କ ସହ ଥିବା ଅନ୍ୟ ପାଇଲଟ୍ ସମୟ ଥାଉଁ ଇଜେକ୍ଟ କରି ବଞ୍ଚିଯାଇଥିଲେ। ତାଙ୍କର ଜାମନଗରରେ ଚିକିତ୍ସା ଚାଲିଛି। ଏହି ଘଟନା ବାୟୁସେନାର ଲଢୁଆ ବିମାନର ବିଶ୍ୱସନୀୟତା ଓ ରକ୍ଷଣାବେକ୍ଷଣ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
ପ୍ରତିବର୍ଷ ୨୬ ଜାନୁଆରୀରେ, ଗଣତନ୍ତ୍ର ଦିବସରେ ପାଞ୍ଚଟି ଜଗୁଆର ଲଢୁଆ ବିମାନର ଗର୍ଜନ ଆକାଶରେ ପ୍ରତିଧ୍ୱନିତ ହୋଇଥାଏ। ଏହି ବିମାନଗୁଡ଼ିକ ତାଙ୍କର ପ୍ରସିଦ୍ଧ ‘ଏରୋ-ହେଡ୍’ ଫର୍ମେସନ୍ରେ ଉଡ଼ି ରାଷ୍ଟ୍ରକୁ ସଲାମି ଦେଇଥାନ୍ତି। ଷ୍ଟେଲ୍ଥ ଫାଇଟର୍ସ ଓ ଡ୍ରୋନ୍ର ଏହି ହାଇ-ଟେକ୍ ଯୁଗରେ ମଧ୍ୟ, ଭାରତୀୟ ବାୟୁସେନା (IAF) ଏବେ ବି ୧୯୭୦ ଦଶକର ପୁରୁଣା ଜଗୁଆର ଲଢୁଆ ବିମାନ ଉପରେ ନିର୍ଭର କରୁଛି, ଯାହା ତାଙ୍କର ପ୍ରଯୁକ୍ତିଗତ ପଛୁଆପଣା ଓ ଧୀମା ଅପଗ୍ରେଡ୍ ପ୍ରକ୍ରିୟାକୁ ସୂଚାଇଥାଏ। ଆଧୁନିକ ଆବଶ୍ୟକତା ସତ୍ତ୍ୱେ, ଜଗୁଆର ଭଳି ପୁରୁଣା ବିମାନର ନିରନ୍ତର ବ୍ୟବହାର ଦର୍ଶାଉଛି ଯେ ବାୟୁସେନା ସମୟ ସହ ତାଳ ଦେବାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। “ବୟସାଧିକ ସିଷ୍ଟମ୍” କ’ଣ ଏବେ ମଧ୍ୟ ଦେଶର ସୁରକ୍ଷା ପାଇଁ ଯଥେଷ୍ଟ?
୧୯୬୮ରେ ପ୍ରଥମ ଉଡ଼ାଣ
୧୯୬୦ ଦଶକରେ ବ୍ରିଟେନ୍ ଓ ଫ୍ରାନ୍ସ ମିଳିତ ଭାବେ SEPECAT Jaguar ସୁପରସୋନିକ୍ ଜେଟ୍ ତିଆରି କରିଥିଲେ, ଯାହା ଭୂପୃଷ୍ଠ ଆକ୍ରମଣ ପାଇଁ ଡିଜାଇନ୍ କରାଯାଇଥିଲା। ଏହି ବିମାନ ୧୯୬୮ରେ ପ୍ରଥମ ଥର ଉଡ଼ିଥିଲା ଓ ୧୯୭୩-୭୪ରେ ଫ୍ରାନ୍ସ ଓ ବ୍ରିଟେନ୍ର ବାୟୁସେନାରେ ସାମିଲ ହୋଇଥିଲା। ୧୯୮୧ ସୁଦ୍ଧା ୫୭୩ଟି ଜଗୁଆର ନିର୍ମିତ ହୋଇଥିଲା, କିନ୍ତୁ ସମୟ ସହ ଏହି ଦେଶଗୁଡ଼ିକ ଏହାକୁ ଅବସର ଦେଇଥିଲେ।
କେବଳ ଭାରତ ଏହାକୁ ଏବେ ବି ବ୍ୟବହାର କରୁଛି, ଯେତେବେଳେ କି ବିଶ୍ୱର ଅନ୍ୟ ଦେଶମାନେ ଏହି ଶ୍ରେଣୀର ପୁରୁଣା ବିମାନକୁ ଦଶନ୍ଧି ପୂର୍ବେ ହଟାଇ ଆଧୁନିକ ଫାଇଟର ଜେଟ୍ ଗ୍ରହଣ କରିସାରିଛନ୍ତି। ପ୍ରାୟ ୧୨୦ଟି ଜଗୁଆର ଏବେ ମଧ୍ୟ ଭାରତୀୟ ବାୟୁସେନାରେ ରହିଛି। ବାରମ୍ବାର ଅପଗ୍ରେଡ୍ ସତ୍ତ୍ୱେ, ୫୦ ବର୍ଷ ପୁରୁଣା ଏକ ବିମାନ ଆଜି ମଧ୍ୟ ଆମ ବାୟୁଶକ୍ତିର ଅଂଶ ହୋଇ ରହିଛି। ଆମେ କ’ଣ ରକ୍ଷା ପ୍ରଯୁକ୍ତିରେ ସମୟ ସହ ପ୍ରକୃତରେ ଆଗେଇ ପାରୁଛୁ?
ପୁରୁଣା ପ୍ଲାଟଫର୍ମର ଆଧୁନିକୀକରଣର ଚେଷ୍ଟା
ଭାରତୀୟ ବାୟୁସେନା ୧୯୬୬ରେ ତା’ର ପୁରୁଣା English Electric Canberras ଓ Hawker Huntersକୁ ବଦଳାଇବା ପାଇଁ “ଡିପ୍ ପେନିଟ୍ରେସନ୍ ଷ୍ଟ୍ରାଇକ୍ ଏୟାରକ୍ରାଫ୍ଟ (DPSA)” ପ୍ରୋଗ୍ରାମ ଆରମ୍ଭ କରିଥିଲା। କିନ୍ତୁ ୧୨ ବର୍ଷ ଧରି ବିକଳ୍ପଗୁଡ଼ିକ ଉପରେ ବିଚାର କରିବା ପରେ ୧୯୭୮ରେ ଭାରତ ଜଗୁଆରକୁ ବାଛିଥିଲା – “ଯାହା ସେତେବେଳେ ଆଧୁନିକ ଥିଲା, କିନ୍ତୁ ଏବେ ପ୍ରଯୁକ୍ତିଗତ ଭାବେ ବହୁତ ପଛରେ ପଡ଼ିଗଲାଣି।”
୨୦୧୩ରେ ଏହାର ଆୟୁଷ ବଢ଼ାଇବା ପାଇଁ DARIN-III ଅପଗ୍ରେଡ୍ ପ୍ରୋଗ୍ରାମ ଆରମ୍ଭ ହୋଇଥିଲା, ଯେଉଁଥିରେ ପ୍ରାୟ ୧୨୦ଟି ଜଗୁଆରକୁ Targeting Pod, ମଲ୍ଟି-ମୋଡ୍ ପଲ୍ସ ଡପ୍ଲର ରଡାର, ନୂଆ କକ୍ପିଟ୍ ଡିସ୍ପ୍ଲେ, ଡିଜିଟାଲ୍ ରେକର୍ଡର ଓ ଅପଗ୍ରେଡେଡ୍ ଅଟୋପାଇଲଟ୍ ଭଳି ପ୍ରଯୁକ୍ତିରେ ସଜ୍ଜିତ କରାଯାଇଥିଲା। ଏହି ସୁଧାରଗୁଡ଼ିକ ଜେଟ୍ର କ୍ଷମତାକୁ କିଛି ପରିମାଣରେ ବଢ଼ାଇଥିଲେ ମଧ୍ୟ, ସତ୍ୟଟି ହେଉଛି ଆମେ ଏକ ପୁରୁଣା ଓ କ୍ଳାନ୍ତ ଜେଟ୍କୁ ଆଧୁନିକ ଦେଖାଇବାକୁ ଚେଷ୍ଟା କରୁଛୁ, ଯାହା ଦୀର୍ଘ ସମୟ ପାଇଁ ଆମ ବାୟୁ ସୁରକ୍ଷା ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରିପାରିବ ନାହିଁ।
ପୁରୁଣା ପ୍ରଯୁକ୍ତି ଓ ସୀମିତ ମାରକ କ୍ଷମତା
ଜଗୁଆରକୁ ଏକଦା ତୀବ୍ରଗତିରେ ଓ ନିମ୍ନ ଉଚ୍ଚତାରେ ମିଶନ ସମ୍ପାଦନ ପାଇଁ ଡିଜାଇନ୍ କରାଯାଇଥିଲା। କିନ୍ତୁ ୧,୬୯୮ କିମି/ଘଣ୍ଟାର ସର୍ବାଧିକ ଗତି ଓ ୧,୬୦୦ କିମିର ଲଢୁଆ ରେଞ୍ଜ ଆଜିର ଆଧୁନିକ ଷ୍ଟେଲ୍ଥ ଫାଇଟର ଜେଟ୍ର ତୁଳନାରେ ମଳିନ ପଡ଼ିଯାଇଛି। ଏହାର ନିମ୍ନ ଉଡ଼ାଣ କ୍ଷମତା, ଯାହା ଏକଦା ଏହାର ଶକ୍ତି ଥିଲା, ଏବେ ଶତ୍ରୁର ଉନ୍ନତ ରଡାର ପ୍ରଯୁକ୍ତି ଆଗରେ ସେତେଟା ପ୍ରଭାବୀ ନୁହେଁ। ଆଧୁନିକ ଯୁଦ୍ଧର ଆବଶ୍ୟକତା ଓ ଗତିଶୀଳତା ଦୃଷ୍ଟିରୁ ଜଗୁଆର ଏବେ ସୀମିତ ହୋଇପଡ଼ିଛି। ଜଗୁଆରର ପ୍ରଯୁକ୍ତି ପୁରୁଣା ହୋଇଗଲାଣି ଓ ଏହାର କ୍ଷମତା ଭାରତ ଭଳି ଉଭୟମାନ ରକ୍ଷା ଶକ୍ତିର ଭବିଷ୍ୟତ ଆବଶ୍ୟକତା ପୂରଣ କରିପାରୁ ନାହିଁ।

ଏକଦା IAFର ମେରୁଦଣ୍ଡ ଥିଲା ଜଗୁଆର
୧୯୮୭ରୁ ୧୯୯୦ ମଧ୍ୟରେ ଶ୍ରୀଲଙ୍କାରେ ଇଣ୍ଡିଆନ୍ ପିସ୍ କିପିଂ ଫୋର୍ସ ମିଶନ ସମୟରେ ଏହା ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ଓ ନିରୀକ୍ଷଣ ମିଶନ ସମ୍ପାଦନ କରିଥିଲା। ୧୯୯୦ର କାର୍ଗିଲ ଯୁଦ୍ଧରେ ଜଗୁଆର ଉଚ୍ଚ ଓ କଠିନ ଭୂଖଣ୍ଡରେ ସଠିକ୍ ବୋମା ବର୍ଷଣ କରିଥିଲା, ଯେଉଁଠାରେ ସେମାନେ ଅନ୍ଗାଇଡେଡ୍ ଓ ଲେଜର-ଗାଇଡେଡ୍ ବୋମାର ସାହାଯ୍ୟରେ ଶତ୍ରୁର ମଜବୁତ ଚୌକିଗୁଡ଼ିକୁ ନିଶାନା କରିଥିଲେ। ୧୯୯୦ ଦଶକରେ ଯେତେବେଳେ ଭାରତର ପରମାଣୁ ଶକ୍ତି ଆକାର ନେଉଥିଲା, ସେତେବେଳେ ଜଗୁଆରକୁ ମୁଖ୍ୟ ଡେଲିଭରି ପ୍ଲାଟଫର୍ମ ଭାବେ ବାଛାଯାଇଥିଲା। ୨୦୦୩ରେ ପୃଥ୍ୱୀ-II ମିସାଇଲ୍ ଆସିବା ପର୍ଯ୍ୟନ୍ତ ଜଗୁଆର ଭାରତର ନ୍ୟୁକ୍ଲିୟର ଷ୍ଟ୍ରାଇକ୍ ଫୋର୍ସର ମେରୁଦଣ୍ଡ ହୋଇ ରହିଥିଲା।
IAFର ଫାଇଟର ଜେଟ୍ ଶକ୍ତି
ଭାରତୀୟ ବାୟୁସେନା ବିଶ୍ୱର ଚତୁର୍ଥ ସବୁଠାରୁ ଶକ୍ତିଶାଳୀ ବାୟୁସେନା, ଯାହା ପାଖରେ ଏବେ ୬୧୬ଟି ଫାଇଟର ଜେଟ୍ ରହିଛି। ଏଥିରେ ସାମିଲ ଅଛି – ଜଗୁଆର M/S: ୧୨୦ / ମିଗ୍-୨୧: ୩୬ / ମିଗ୍-୨୯: ୬୫ / ମିରାଜ ୨୦୦୦H/I: ୪୪ / ରାଫେଲ DH/EH: ୩୬ / ସୁ-୩୦: ୨୬୫ ଓ ତେଜସ: ୪୦।