ପଛରେ ପଡ଼ିଥିଲେ ମୌଲବି କିନ୍ତୁ ଇସଲାମ ଛାଡ଼ି କାହିଁକି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଆମ୍ବେଦକର ?

ambedkar

ଭାରତୀୟ ସମ୍ବିଧାନର ନିର୍ମାତା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଆଜୀବନ ମାନବତା ପାଇଁ ଲଢ଼ିଥିଲେ। ସମାଜରେ ଥିବା ଭେଦଭାବ ଦୂର କରିବା ଏବଂ ଦୁର୍ବଳ, ଶ୍ରମିକ ଓ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସେ ଦୀର୍ଘ ସଂଘର୍ଷ କରିଥିଲେ। ନିମ୍ନ ଶ୍ରେଣୀର ଲୋକମାନଙ୍କୁ ସମାନତାର ଅଧିକାର ଦେବା ପାଇଁ ସେ ନିଜର ସବୁକିଛି ଉତ୍ସର୍ଗ କରିଥିଲେ। ବାଲ୍ୟକାଳରୁ ଭେଦଭାବର ସାମ୍ନା କରିଥିବା ବାବା ସାହେବ ସମାଜରୁ ବର୍ଣ୍ଣ ଓ ଜାତି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ନିର୍ମୂଳ କରିବାକୁ ଚାହୁଁଥିଲେ। ଏହି କାରଣରୁ ଏପରି ଏକ ସମୟ ଆସିଥିଲା ଯେତେବେଳେ ସେ ଧର୍ମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ।

ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ହିନ୍ଦୁ ଧର୍ମରେ ଜନ୍ମ ନେଇଥିଲେ, କିନ୍ତୁ ସେ କହିଥିଲେ ଯେ ମୁଁ ହିନ୍ଦୁ ଭାବେ ଜନ୍ମ ନେଇଛି କିନ୍ତୁ ହିନ୍ଦୁ ରୂପେ ମରିବି ନାହିଁ। ତେଣୁ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ପ୍ରତିବର୍ଷ ୧୪ ଏପ୍ରିଲରେ ତାଙ୍କ ଜୟନ୍ତୀ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ଜାଣିବା କାହିଁକି ସେ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କଲେ? ସେ ଇସଲାମ କାହିଁକି ଗ୍ରହଣ କଲେ ନାହିଁ?

ମାତାପିତାଙ୍କର ୧୪ତମ ସନ୍ତାନ

ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ୧୪ ଏପ୍ରିଲ ୧୮୯୧ରେ ତାଙ୍କ ମାତାପିତାଙ୍କର ୧୪ତମ ସନ୍ତାନ ରୂପେ ହୋଇଥିଲା। ତାଙ୍କ ପିତା ରାମଜୀ ମାଲୋଜୀ ସାକପାଲ ଇଂରେଜ ସେନାରେ ସୁବେଦାର ଥିଲେ। ସେ ସନ୍ଥ କବୀରଙ୍କ ଅନୁଗାମୀ ମଧ୍ୟ ଥିଲେ। ବାବା ସାହେବ ମାତ୍ର ଦୁଇ ବର୍ଷର ଥିବାବେଳେ ତାଙ୍କ ପିତା ଅବସର ଗ୍ରହଣ କରିଥିଲେ । ସେ ସତାରାରେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବାବେଳେ ତାଙ୍କ ମାତାଙ୍କର ଦେହାନ୍ତ ହୋଇଥିଲା। ସେତେବେଳେ ତାଙ୍କ ବୟସ ମାତ୍ର ଛଅ ବର୍ଷ ଥିଲା। ଏହାପରେ ତାଙ୍କ ମାଉସୀ ତାଙ୍କ ଦେଖାଶୁଣା କରିଥିଲେ। ପରେ ଶିକ୍ଷା ସମାପ୍ତ କରିବା ପାଇଁ ସେ ବମ୍ବେ (ବର୍ତ୍ତମାନ ମୁମ୍ବାଇ) ଚାଲିଯାଇଥିଲେ। ସେଠାରେ ମଧ୍ୟ ଅସ୍ପୃଶ୍ୟତା ଓ ଭେଦଭାବ ତାଙ୍କୁ ଛାଡ଼ିନଥିଲା।

ବିଦେଶ ଫେରନ୍ତା ହୋଇ ବି ଭେଦଭାବର ଶିକାର

ଦେଶ-ବିଦେଶରୁ ଉଚ୍ଚ ଶିକ୍ଷା ପାଇବା ପରେ ବାବା ସାହେବ ଚାକିରି କଲେ, କିନ୍ତୁ ଅସ୍ପୃଶ୍ୟତା ଓ ଭେଦଭାବ ଯୋଗୁଁ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା। ୧୯୨୪ରେ ଦଳିତ ଶ୍ରେଣୀର କଲ୍ୟାଣ ପାଇଁ ବାବା ସାହେବ ଏକ ସଂଘ ଆରମ୍ଭ କରିଥିଲେ। ସାର ଚିମନଲାଲ ସୀତଲବାଡ଼ ଏହାର ସଭାପତି ଥିଲେ ଏବଂ ଡକ୍ଟର ଆମ୍ବେଦକର ନିଜେ ଏହାର ଅଧ୍ୟକ୍ଷ ଥିଲେ। ଏହି ସଂଘର ଉଦ୍ଦେଶ୍ୟ ଥିଲା ଶିକ୍ଷାର ପ୍ରଚାର-ପ୍ରସାର, ଆର୍ଥିକ ଅବସ୍ଥାରେ ଉନ୍ନତି ଏବଂ ଦଳିତମାନଙ୍କ ଅଭିଯୋଗର ନେତୃତ୍ୱ ନେବା। ଏହା ସହିତ, ୧୯୨୭ରେ ଦଳିତମାନଙ୍କ ସମସ୍ୟା ସମାଧାନ ପାଇଁ ‘ବହିଷ୍କୃତ ଭାରତ’ ନାମକ ଖବରକାଗଜ ମଧ୍ୟ ଆରମ୍ଭ ହୋଇଥିଲା।

୧୯୩୫ର ଏହି ଘୋଷଣା  ସମସ୍ତଙ୍କୁ ଚମକାଇ ଦେଲା

ଏହି ସବୁ ମଧ୍ୟରେ ବାବା ସାହେବ ଅସ୍ପୃଶ୍ୟତା, ଭେଦଭାବ ଓ ଜାତି ବ୍ୟବସ୍ଥା ଯୋଗୁଁ ବହୁତ ଦୁଃଖୀ ଥିଲେ। ମହାରାଷ୍ଟ୍ରର ନାସିକ ଜିଲ୍ଲାର ଯେଓଲାଠାରେ ୧୩ ଅକ୍ଟୋବର ୧୯୩୫ରେ ଦଳିତମାନଙ୍କର ଏକ ପ୍ରାଦେଶିକ ସମ୍ମେଳନ ହୋଇଥିଲା। ଏହି ସମ୍ମେଳନରେ ବାବା ସାହେବ ଘୋଷଣା କରିଥିଲେ ଯେ, “ମୁଁ ହିନ୍ଦୁ ଧର୍ମରେ ଜନ୍ମ ନେଇଛି, କିନ୍ତୁ ହିନ୍ଦୁ ରୂପେ ମରିବି ନାହିଁ।” ସେତେବେଳେ ତାଙ୍କର ହଜାର ହଜାର ଅନୁଗାମୀ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ୧୯୩୬ରେ ବମ୍ବେ ପ୍ରେସିଡେନ୍ସି ମହାର ସମ୍ମେଳନରେ ମଧ୍ୟ ବାବା ସାହେବ ହିନ୍ଦୁ ଧର୍ମ ଛାଡ଼ିବାକୁ ଓକାଲତି କରିଥିଲେ।

୧୯୩୬ରେ ଅଗଷ୍ଟ ୧୫ରେ ଦଳିତମାନଙ୍କ ହିତ ରକ୍ଷା ପାଇଁ ବାବା ସାହେବ ‘ସ୍ୱାଧୀନ ଲେବର ପାର୍ଟି’ ଗଠନ କରିଥିଲେ, ଯେଉଁଥିରେ ଅଧିକାଂଶ ଶ୍ରମିକ ସାମିଲ ଥିଲେ। କଂଗ୍ରେସ ୧୯୩୮ରେ ଅସ୍ପୃଶ୍ୟମାନଙ୍କ ନାମ ପରିବର୍ତ୍ତନ ପାଇଁ ଏକ ବିଧେୟକ ଉପସ୍ଥାପନ କରିଥିଲା, ଯାହାର ବାବା ସାହେବ ସମାଲୋଚନା କରିଥିଲେ। ସେ ମନେ କରୁଥିଲେ ଯେ କେବଳ ନାମ ପରିବର୍ତ୍ତନ କରିବା କୌଣସି ସମସ୍ୟାର ସମାଧାନ ନୁହେ। ୧୯୪୨ରେ ବାବା ସାହେବଙ୍କ ଲେଖା ପୁସ୍ତକ ‘ହୁ ଓ୍ଵୟାର ଦ ଶୂଦ୍ର?’ ପ୍ରକାଶିତ ହୋଇଥିଲା।

୧୯୫୬ରେ ବୌଦ୍ଧ ଧର୍ମରେ ଦିକ୍ଷିତ

ଏହା ମଧ୍ୟରେ ସେ କେନ୍ଦ୍ର ସରକାରରେ ମନ୍ତ୍ରୀ ରହିଥିଲେ ଏବଂ ଅନେକ ସମ୍ମାନ ଓ ଉପାଧିରେ ସମ୍ମାନିତ ହୋଇଥିଲେ। କିନ୍ତୁ ବାଲ୍ୟକାଳରୁ ଜାତି ବ୍ୟବସ୍ଥାର ଦଣ୍ଡ ଭୋଗୁଥିବା ବାବା ସାହେବ ୧୪ ଅକ୍ଟୋବର ୧୯୫୬ରେ ତାଙ୍କର ୩.୬୫ ଲକ୍ଷ ଅନୁଗାମୀଙ୍କ ସହ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ବାବା ସାହେବଙ୍କ କହିବା ଥିଲା ଯେ ତାଙ୍କୁ ଏକ ଏପରି ଧର୍ମ ପସନ୍ଦ ଯାହା ସ୍ୱାଧୀନତା, ସମାନତା ଓ ଭାତ୍ରୁତ୍ୱର ଶିକ୍ଷା ଦିଏ। ଜଣେ ବ୍ୟକ୍ତିର ବିକାଶ ପାଇଁ ଯେଉଁ ଜିନିଷ ଆବଶ୍ୟକ ତାହା ହେଉଛି କରୁଣା, ସମାନତା ଓ ସ୍ୱାଧୀନତା। ଧର୍ମ ମଣିଷ ପାଇଁ, ମଣିଷ ଧର୍ମ ପାଇଁ ନୁହେ। ବାବା ସାହେବଙ୍କ ମତ ଥିଲା ଯେ ହିନ୍ଦୁ ଧର୍ମରେ କରୁଣା, ସମାନତା ଓ ସ୍ୱାଧୀନତା ନାହିଁ।

ଏହି କାରଣରୁ ଇସଲାମ ଗ୍ରହଣ କଲେ ନାହିଁ

ବାବା ସାହେବ ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ଇସଲାମ ଓ ଖ୍ରୀଷ୍ଟିଆନ ଧର୍ମର ଗଭୀର ଅଧ୍ୟୟନ କରିଥିଲେ। ଏହାପରେ ସେ ମନେ କରିଥିଲେ ଯେ ଇସଲାମ ମଧ୍ୟ ହିନ୍ଦୁ ଧର୍ମ ପରି ଅଟେ। ଏଥିରେ ମଧ୍ୟ ଅସ୍ପୃଶ୍ୟତା ଏକ ବଡ଼ ସମସ୍ୟା ଥିଲା। ଶଶି ଥରୁର ବାବା ସାହେବଙ୍କ ଜୀବନୀରେ ଲେଖିଛନ୍ତି ଯେ ଡକ୍ଟର ଭୀମରାଓ ଆମ୍ବେଦକର ଇସଲାମକୁ ଗୁରୁତ୍ୱ ଦେଇନଥିଲେ, କାରଣ ଏହା ଏକ ବନ୍ଦ ଧାର୍ମିକ ବ୍ୟବସ୍ଥା ପରି ଥିଲା। ବାବା ସାହେବ ମୁସଲମାନ ଓ ଅଣ-ମୁସଲମାନଙ୍କ ମଧ୍ୟରେ ଭେଦଭାବ କରୁଥିବା ଚିନ୍ତାଧାରାର ବିରୋଧୀ ଥିଲେ। ବାବା ସାହେବଙ୍କ ଏହି ବୁଝାମଣାର ପ୍ରମାଣ ଦେଶବିଭାଜନ ପରେ ମିଳିଥିଲା। ପାକିସ୍ତାନୀ ମୁସଲମାନମାନଙ୍କ ବ୍ୟବହାର ଦ୍ୱାରା ଅନୁସୂଚିତ ଜାତିର ଲୋକମାନେ ବହୁତ ପ୍ରଭାବିତ ହୋଇଥିଲେ। ପାକିସ୍ତାନ ଗଠନ ପରେ ଅନୁସୂଚିତ ଜାତିର ଲୋକଙ୍କ ଉପରେ ଚାପ ପକାଯାଇଥିଲା ଯେ ସେମାନେ ଧର୍ମ ପରିବର୍ତ୍ତନ କରି ଇସଲାମ ଗ୍ରହଣ କରନ୍ତୁ ନଚେତ୍ ଜୀବନ ଦିଅନ୍ତୁ।

ଏହି କାରଣରୁ ବୌଦ୍ଧ ଧର୍ମ ଗ୍ରହଣ କଲେ

ବାବା ସାହେବଙ୍କ ମତ ଥିଲା ଯେ ବୌଦ୍ଧ ଧର୍ମ ପ୍ରଜ୍ଞା, କରୁଣା ଓ ସମତାର ସନ୍ଦେଶ ଦେଇଥାଏ। ଏହି ତିନୋଟି ଗୁଣ ଯୋଗୁଁ ମଣିଷ ଏକ ଉତ୍ତମ ଓ ସମ୍ମାନଜନକ ଜୀବନ ଯାପନ କରିପାରେ। ପ୍ରଜ୍ଞାର ଅର୍ଥ ହେଉଛି ଅନ୍ଧବିଶ୍ୱାସ ଓ ପାରଲୌକିକ ଶକ୍ତି ବିରୁଦ୍ଧରେ ବୁଦ୍ଧିମାନ ହେବା। କରୁଣା ଅର୍ଥାତ୍ ପ୍ରେମ ଏବଂ ଦୁଃଖୀ ଓ ପୀଡ଼ିତଙ୍କ ପ୍ରତି ସମବେଦନା। ସମତାର ଅର୍ଥ ହେଉଛି ଧର୍ମ, ଜାତି, ଲିଙ୍ଗ ଓ ଉଚ୍ଚ-ନୀଚ ବିଚାର ନକରି ମଣିଷ ପାଇଁ ସମାନତାରେ ବିଶ୍ୱାସ କରିବା।

Leave a Reply

Your email address will not be published. Required fields are marked *