ସୁନା ସବୁବେଳେ ଲୋକଙ୍କର ପ୍ରଥମ ପସନ୍ଦ ରହିଆସିଛି। ଗହଣା ହେଉ କିମ୍ବା ନିବେଶ ହେଉ, ସୁନାର ଚମକ କେବେ ମଳିନ ହୋଇନଥାଏ। ସୁନା ଆମ ଦୈନନ୍ଦିନ ଜୀବନରେ ବ୍ୟବହୃତ ସମସ୍ତ ଧାତୁ ମଧ୍ୟରେ ସବୁଠାରୁ ମହଙ୍ଗା, ଦୁର୍ଲଭ ଏବଂ ଦୀର୍ଘସ୍ଥାୟୀ ଅଟେ। ଅନେକ ଗୁଣରେ ପରିପୂର୍ଣ୍ଣ ସୁନା ନବରାତ୍ରିରେ ଲଗାତାର ନୂଆ ରେକର୍ଡ ସୃଷ୍ଟି କରୁଛି। ଚୈତ୍ର ନବରାତ୍ରିର ଚତୁର୍ଥ ଦିନରେ ଦିଲ୍ଲୀରେ ସୁନାର ମୂଲ୍ୟ ଶିଖର ଛୁଇଁଥିଲା। ବୁଧବାର ଦିନ ସୁନା ୯୩,୦୦୦ ଟଙ୍କା ହୋଇ ରେକର୍ଡ଼ ଭାଙ୍ଗିଛି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏ ପର୍ଯ୍ୟନ୍ତ ଦୁନିଆରେ କେତେ ସୁନା ଉତ୍ତୋଳନ ହୋଇଛି ଏବଂ କାହା ପାଖରେ ସବୁଠାରୁ ଅଧିକ ସୁନା ଅଛି? ଆସନ୍ତୁ ଜାଣିବା।
ଏ ପର୍ଯ୍ୟନ୍ତ କେତେ ସୁନା ଉତ୍ତୋଳନ ହୋଇଛି ?
ଦୁନିଆରେ ଏ ପର୍ଯ୍ୟନ୍ତ ପ୍ରାୟ ୨,୧୨,୦୦୦ ଟନ୍ ସୁନା ଉତ୍ତୋଳନ ହୋଇଛି। ଏଥିରୁ ଦୁଇ-ତୃତୀୟାଂଶ ସୁନା ୧୯୫୦ ପରେ ଉତ୍ତୋଳନ ହୋଇଛି। ଯଦି ଏହି ସୁନାକୁ ଏକାଠି କରାଯାଏ, ତେବେ ଏହା ମାତ୍ର ତିନୋଟି ଅଲିମ୍ପିକ୍ ସୁଇମିଂ ପୁଲ୍ରେ ଭର୍ତ୍ତି ହେବ । ବର୍ତ୍ତମାନ ଦୁନିଆର ସବୁଠାରୁ ଅଧିକ ସୁନା ଚୀନ୍, ରୁଷ୍ ଏବଂ ଅଷ୍ଟ୍ରେଲିଆ ଉତ୍ତୋଳନ କରୁଛନ୍ତି। ଚୀନ୍ ପ୍ରତିବର୍ଷ ପ୍ରାୟ ୩୩୦ ଟନ୍ ସୁନା ଉତ୍ତୋଳନ କରେ। ରୁଷ୍ ବର୍ଷକୁ ୩୨୦ ଟନ୍ ଏବଂ ଅଷ୍ଟ୍ରେଲିଆ ପ୍ରାୟ ୩୨୦ ଟନ୍ ସୁନା ଉତ୍ପାଦନ କରେ। ଏହା ବ୍ୟତୀତ କାନାଡା, ଆମେରିକା, ଦକ୍ଷିଣ ଆଫ୍ରିକା ଏବଂ ପେରୁ ମଧ୍ୟ ବଡ଼ ସୁନା ଉତ୍ପାଦକ ଦେଶ ଭାବେ ପରିଚିତ।
ସବୁଠାରୁ ଅଧିକ ସୁନା କାହା ପାଖରେ ?
ଦୁନିଆରେ ସବୁଠାରୁ ଅଧିକ ସୁନାର ଭଣ୍ଡାର ଆମେରିକା ପାଖରେ ଅଛି। ଆମେରିକା ଦୁନିଆର ସବୁଠାରୁ ବଡ଼ ଅର୍ଥନୀତି ତଥା ସବୁଠାରୁ ଅଧିକ ସୁନାର ମାଲିକ। ଆମେରିକା ପାଖରେ ୮,୧୩୩.୫ ଟନ୍ ସୁନା ଅଛି। ଦ୍ୱିତୀୟ ସ୍ଥାନରେ ଜର୍ମାନୀ (୩,୩୫୧ ଟନ୍) ଏବଂ ତୃତୀୟରେ ଇଟାଲୀ (୨,୪୫୨ ଟନ୍) ଅଛନ୍ତି। ଆପଣ ଜାଣିଛନ୍ତି କି ଭାରତର ମନ୍ଦିର ଓ ଘରୋଇ ଲୋକଙ୍କ ପାଖରେ ଆମେରିକୀୟ ସରକାରଙ୍କ ଖଜାନାଠାରୁ ଅଧିକ ସୁନା ରହିଛି। କିନ୍ତୁ ସରକାରୀ ସ୍ତରରେ ଭାରତ ପାଖରେ ୮୭୬ ଟନ୍ରୁ ଅଧିକ ସୁନା ଅଛି। ପଦ୍ମନାଭ ସ୍ୱାମୀ ମନ୍ଦିର, ତିରୁପତି ବାଲାଜୀ ମନ୍ଦିର, ଜଗନ୍ନାଥ ମନ୍ଦିର, ବୈଷ୍ଣୋ ଦେବୀ ମନ୍ଦିର ଆଦିରେ ୪୦୦୦ ଟନ୍ରୁ ଅଧିକ ସୁନା ରହିଛି। ବିଶ୍ୱ ସୁନା ପରିଷଦର ଏକ ରିପୋର୍ଟ ଅନୁସାରେ, ଭାରତୀୟ ମହିଳାଙ୍କ ପାଖରେ ପ୍ରାୟ ୨୪,୦୦୦ ଟନ୍ ସୁନା ଅଛି। ଭାରତୀୟ ମହିଳାମାନେ ଦୁନିଆର ମୋଟ ସୁନା ଭଣ୍ଡାରର ୧୧ ପ୍ରତିଶତ ଗହଣା ରୂପେ ପିନ୍ଧିଥାନ୍ତି।
ସୁନା କେଉଁଠି ବ୍ୟବହାର ହୁଏ ?
ଦୁନିଆରେ ଏହି ମୂଲ୍ୟବାନ ଧାତୁର ମୋଟ ଖର୍ଚ୍ଚର ୫୦ ପ୍ରତିଶତ ଗହଣା ତିଆରିରେ ବ୍ୟବହୃତ ହୁଏ। ୩୦ ପ୍ରତିଶତ ସୁନା ନିବେଶ ପାଇଁ କିଣାଯାଏ। ୧୦-୧୫ ପ୍ରତିଶତ ସୁନା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିଜ ଭଣ୍ଡାର ପାଇଁ ରଖିଥାନ୍ତି। ସେହିପରି ୭-୧୦ ପ୍ରତିଶତ ସୁନା ଇଲେକ୍ଟ୍ରୋନିକ୍ସ ଓ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହୁଏ।
ସୁନା କେତେ ପ୍ରକାରର ହୋଇଥାଏ ?
ସୁନାର ପ୍ରତୀକ Au, ପ୍ରାଚୀନ ଲାଟିନ୍ ଶବ୍ଦ ‘ଔରମ୍’ରୁ ନିଆଯାଇଛି, ଯାହାର ଅର୍ଥ ‘ଚମକିଲା ସକାଳ’ କିମ୍ବା ‘ସୂର୍ଯ୍ୟୋଦୟର ଚମକ’। ଦୁନିଆରେ ରଙ୍ଗ ଓ କ୍ୟାରେଟ୍ ଆଧାରରେ ୧୫ରୁ ଅଧିକ ପ୍ରକାରର ସୁନା ମିଳେ। ଭାରତରେ ମୁଖ୍ୟତଃ ହଳଦିଆ ସୁନା ଚଳଣି ଏବଂ ଏହା ଗହଣା ରୂପେ ପିନ୍ଧାଯାଏ। କିଛି ସମୟ ହେଲା ଭାରତରେ ଧଳା ସୁନା (ହ୍ୱାଇଟ୍ ଗୋଲ୍ଡ) ପ୍ରତି ଆକର୍ଷଣ ବଢ଼ିଛି। କିନ୍ତୁ ଦୁନିଆର ଅନେକ ଦେଶରେ ଧଳା, କଳା, ହଳଦିଆ, ସବୁଜ, ବାଇଗଣୀ ଓ ଗୋଲାପୀ ଆଦି ରଙ୍ଗର ସୁନା ବ୍ୟବହାର ହୁଏ।
କ୍ୟାରେଟ୍ କିପରି ନିର୍ଦ୍ଧାରଣ ହୁଏ ?
କ୍ୟାରେଟ୍ ଅର୍ଥ ସୁନାର ଶୁଦ୍ଧତା। ସୁନା କିଣିବାକୁ ଯାଉଥିବା ଲୋକେ ନିଶ୍ଚିତ ଭାବେ ପଚାରିଥାନ୍ତି ଯେ ଏହା କେତେ କ୍ୟାରେଟ୍ର? କ୍ୟାରେଟ୍ ଅର୍ଥ ସୁନାର ଏକ ଅଂଶର ୨୪ତମ ଅଂଶ। ଏହା ଦ୍ୱାରା ଜଣାପଡ଼େ ଯେ ସେହି ଅଂଶରେ ସୁନା ବ୍ୟତୀତ ଅନ୍ୟ କେଉଁ ଧାତୁ ଓ କେତେ ପରିମାଣରେ ମିଶ୍ରିତ ହୋଇଛି। ଉଦାହରଣ ସ୍ୱରୂପ, ୨୪ କ୍ୟାରେଟ୍ ସୁନା ସବୁଠାରୁ ଶୁଦ୍ଧ ବୋଲି ଗଣାଯାଏ। କିନ୍ତୁ ୨୪ କ୍ୟାରେଟ୍ ସୁନା ଏତେ ନରମ ହୋଇଥାଏ ଯେ ଏଥିରୁ ଗହଣା ତିଆରି କରାଯାଇ ପାରେ ନାହିଁ। ଏହାକୁ ମଜବୁତ କରିବା ପାଇଁ ଅନ୍ୟ ଧାତୁ ମିଶ୍ରଣ କରାଯାଏ। ସୁନାର କ୍ୟାରେଟ୍ ଯେତେ କମ୍ ହୁଏ, ତା’ର ମୂଲ୍ୟ ମଧ୍ୟ ସେତେ କମ୍ ହୋଇଥାଏ। ଅର୍ଥାତ୍ ତା’ରେ ସୁନାର ତୁଳନାରେ ଅନ୍ୟ ଧାତୁର ପରିମାଣ ଅଧିକ ଥାଏ। ଗହଣା ତିଆରି ପାଇଁ ୨୨ କ୍ୟାରେଟ୍ ସୁନା ବ୍ୟବହାର ହୁଏ, ଯେଉଁଥିରେ ୯୧.୭ ପ୍ରତିଶତ ସୁନା ଥାଏ।

ସୁନାର ମୂଲ୍ୟ କିପରି ବଦଳିଚାଲିଛି ?
ଯେତେବେଳେ ଅର୍ଥନୈତିକ ସଙ୍କଟ ଆସେ କିମ୍ବା ମୁଦ୍ରାସ୍ଫୀତି ବଢ଼େ, ସୁନାର ମୂଲ୍ୟ ବଢ଼ିଯାଏ। ଯେମିତି ଏବେ ହୋଇଛି। କିନ୍ତୁ ସୁନାର ମୂଲ୍ୟ ସମୟ ସମୟରେ ବଦଳି ଚାଲିଥାଏ। ୧୯୭୧ରେ ସୁନାର ମୂଲ୍ୟ ପ୍ରାୟ ୧୯୩ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା। ୧୯୮୦ରେ ଏହା ବଢ଼ି ପ୍ରାୟ ୧,୩୩୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଥିଲା। ୨୦୧୧ରେ ସୁନାର ମୂଲ୍ୟ ପ୍ରାୟ ୨୬,୪୦୦ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚିଥିଲା। ୨୦୨୪ରେ ସୁନାର ମୂଲ୍ୟ ପ୍ରାୟ ୭୭,୯୧୩ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା।