ବ୍ୟାଙ୍କକରେ ବିମ୍ସଟେକ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶର ସରକାରର ମୁଖ୍ୟ ପରାମର୍ଶଦାତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ଏବେ ଚର୍ଚ୍ଚାରେ ଅଛି । ଗତ ବର୍ଷ ବାଂଲାଦେଶରେ ହିଂସାତ୍ମକ ପ୍ରଦର୍ଶନ ପରେ ଏହା ଉଭୟ ଦେଶର ଶୀର୍ଷ ନେତାଙ୍କ ପ୍ରଥମ ସାକ୍ଷାତ ଥିଲା। ଅଗଷ୍ଟରେ ହୋଇଥିବା ଏହି ପ୍ରଦର୍ଶନ ଯୋଗୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ କେବଳ ପଦ ନୁହେଁ, ଦେଶ ମଧ୍ୟ ଛାଡିବାକୁ ପଡିଥିଲା। ଏହାପରେ ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଥିଲା, କିନ୍ତୁ ଏହି ସାକ୍ଷାତ ପରେ ସମ୍ପର୍କରେ ସୁଧାର ଆସିବାର ଆଶା କରାଯାଉଛି। ଏହାରି ମଧ୍ୟରେ ଏକ ଚର୍ଚ୍ଚା ଚାଲିଛି ଯେ ଭାରତୀୟ ପକ୍ଷ ଏକ ତୃତୀୟ ଶକ୍ତିର କଥାରେ ଏହି ସାକ୍ଷାତ ପାଇଁ ରାଜି ହୋଇଥିଲା।
ଏହି ଚର୍ଚ୍ଚା ଅନାୟାସ ଭାବେ ହୋଇନାହିଁ। ଗତ ୨୧ ମାର୍ଚ୍ଚରେ ଯେତେବେଳେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲଙ୍କୁ ସମ୍ଭାବ୍ୟ ସାକ୍ଷାତ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ସେମାନଙ୍କ ପାଖରେ ବୈଠକ ବିଷୟରେ ‘ଏହି ସମୟରେ ସେୟାର କରିବା ପାଇଁ କୌଣସି ଅପଡେଟ୍ ନାହିଁ।’ ଏକ ସପ୍ତାହ ପରେ ବ୍ୟାଙ୍କକ ବିମ୍ସଟେକ ଶିଖର ସମ୍ମିଳନୀ ଉପରେ ବୈଦେଶିକ ମନ୍ତ୍ରଣାଳୟର ପ୍ରେସ ବିଜ୍ଞପ୍ତିରେ ମଧ୍ୟ ବୈଠକ ବିଷୟରେ ଗୋଟିଏ ବି ଶବ୍ଦ ଲେଖାଯାଇ ନଥିଲା, ଯାହା ସୂଚାଇଥିଲା ଯେ ଉଭୟଙ୍କ ମଧ୍ୟରେ କୌଣସି ଔପଚାରିକ ବୈଠକ ହେବ ନାହିଁ।
ଭାରତ ପକ୍ଷରୁ କୌଣସି ଅପଡେଟ୍ ଆସିଲା ନାହିଁ
ଯେତେବେଳେ ୩ ଏପ୍ରିଲରେ ବ୍ୟାଙ୍କକରେ ବିମ୍ସଟେକରେ ସଦସ୍ୟ ଦେଶମାନଙ୍କର ନେତାମାନେ ଫଟୋ ସେସନ ପାଇଁ ଏକତ୍ରିତ ହୋଇଥିଲେ, ମୋଦୀ ଓ ୟୁନୁସ ପାଖାପାଖି ଠିଆ ହୋଇଥିଲେ, କିନ୍ତୁ ଉଭୟେ ଗମ୍ଭୀର ରହିଥିଲେ। କିନ୍ତୁ ୪ ଏପ୍ରିଲ ଅପରାହ୍ନରେ ଉଭୟ ନେତାଙ୍କ ସାକ୍ଷାତର ଫଟୋ ମିଡିଆରେ ପ୍ରକାଶ ପାଇଥିଲା। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟର ବୈଠକ ହୋଇଥିଲା, ଯେଉଁଥିରେ ପାରସ୍ପରିକ ଚିନ୍ତାର ବିଷୟଗୁଡିକୁ ଉଠାଯାଇଥିଲା। ଯଦିଓ ବାଂଲାଦେଶ ପକ୍ଷରୁ ବୈଠକ ସମ୍ପର୍କରେ ବିବରଣୀ ଆସୁଥିଲା ଏବଂ ସମ୍ମିଳନୀର ଦୁଇ ଦିନ ପୂର୍ବରୁ ବୈଠକ ନିଶ୍ଚିତ ହୋଇଥିଲା।
ଆମେରିକା କ’ଣ ଚାପ ସୃଷ୍ଟି କରିଥିଲା?
ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି ଯେ ଶେଷ ମୁହୂର୍ତ୍ତରେ ଏମିତି କ’ଣ ବଦଳିଗଲା ଯେ ମୋଦୀ ସରକାର ମହମ୍ମଦ ୟୁନୁସଙ୍କ ମନ୍ତ୍ରଣାଳୟର ସହଯୋଗୀମାନଙ୍କ ଭାରତ ବିରୋଧୀ ବୟାନ ସତ୍ତ୍ୱେ ତାଙ୍କ ସହ ସାକ୍ଷାତ କରିବାକୁ ନିଷ୍ପତ୍ତି ନେଲେ। କିଏ ଭାରତୀୟ ନେତୃତ୍ୱକୁ ୟୁନୁସ ପ୍ରଶାସନ ସହ ଆଲୋଚନା ପାଇଁ ପ୍ରେରିତ କଲା? ଖାସକରି ଯେତେବେଳେ ମହମ୍ମଦ ୟୁନୁସ ନିକଟରେ ଚୀନ ଗସ୍ତ ସମୟରେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକ ବିଷୟରେ ମନ୍ତବ୍ୟ ଦେଇ ଭାରତୀୟମାନଙ୍କ ଭାବନାକୁ ଉସକାଇବାକୁ ଚେଷ୍ଟା କରିଥିଲେ।
ନର୍ଥ ଇଷ୍ଟ ନ୍ୟୁଜ୍ର ରିପୋର୍ଟ ଅନୁସାରେ, ଆଲୋଚନା ପଛରେ ମୁଖ୍ୟତଃ ଆମେରିକୀୟ ଗୁଇନ୍ଦା ଏଜେନ୍ସି ସିଆଇଏ ଓ ସେନା ଥିଲେ, ଯେଉଁମାନେ ମ୍ୟାନମାର- ବିଶେଷକରି ରାଖାଇନ୍-ରେ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ସକ୍ରିୟ ଭୂମିକା ନେବାକୁ ଚାହୁଁଥିଲେ। ଏହି ଦିଗରେ ଏକ ପ୍ରମୁଖ ସହଯୋଗୀ ହେଉଛି ବାଂଲାଦେଶୀ ସେନା। ରିପୋର୍ଟରେ ଦାବି କରାଯାଇଛି ଯେ ଏହି ଦ୍ୱିପାକ୍ଷିକ ବୈଠକ ଆମେରିକୀୟ ଗୁପ୍ତଚର-ସୈନ୍ୟ ପ୍ରତିଷ୍ଠାନର ଏକ ବର୍ଗର ଚାପ ବିନା ସମ୍ଭବ ହୋଇପାରି ନଥାନ୍ତା।