ଅଭିନେତା ସିକନ୍ଦର ଖେର ନିଜର ପ୍ରୋଫେସନାଲ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ କିରଣ ଖେରଙ୍କ ପୁତ୍ର। ଅନୁପମ ଖେର ତାଙ୍କର ସାବତ ପିତା ଅଟନ୍ତି। ନିକଟରେ ସିକନ୍ଦର ଅନୁପମ ଖେରଙ୍କ ସହ ସମ୍ପର୍କ ବିଷୟରେ କଥା ହୋଇଛନ୍ତି।
କାମ କାରଣରୁ ଘରୁ ବାହାରେ ରହୁଥିଲେ ଅନୁପମ ଖେର
Tape A Tale ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ସହ କଥାବାର୍ତ୍ତାରେ ସିକନ୍ଦର କହିଛନ୍ତି ଯେ ତାଙ୍କର ଦୁଇଜଣ ପିତା ଥିଲେ – ଜଣେ ଜୈବିକ ପିତା ଏବଂ ଅନ୍ୟ ଜଣେ ଯିଏ ତାଙ୍କୁ ଦତ୍ତକ ନେଇଥିଲେ। ସିକନ୍ଦର କହିଛନ୍ତି, “ଗୌତମ ମୋର ଜୈବିକ ପିତା ଥିଲେ, ଯାହାଙ୍କର ୧୧ ବର୍ଷ ପୂର୍ବେ ମୃତ୍ୟୁ ହୋଇଛି। ଅନୁପମ ପାପା ମୋର ସବୁଦିନ ପାଇଁ ପିତା ଅଟନ୍ତି। ମୋର ଦୁଇଜଣ ପିତା ଥିଲେ, କିନ୍ତୁ ଦୁହିଁଙ୍କ ମଧ୍ୟରୁ କେହି ମୋ ସହ ଅଧିକ ସମୟ ରହି ନଥିଲେ। କାରଣ ଦୁହେଁ ବ୍ୟସ୍ତ ଥିଲେ। ଯେତେବେଳେ ମୋର ପାପା ଓ ମା’ଙ୍କର ଛାଡ଼ପତ୍ର ହେଲା, ମୁଁ ମା’ ଏବଂ ଅନୁପମ ପାପାଙ୍କ ସହ ରହିବା ଆରମ୍ଭ କଲି। କିନ୍ତୁ ଅନୁପମ ପାପା ଅଭିନେତା ହୋଇଗଲେ ଏବଂ ତାଙ୍କ କ୍ୟାରିଅର ବଢ଼ିବାକୁ ଲାଗିଲା। ତେଣୁ ସେ ଅଧିକାଂଶ ସମୟ ଘରୁ ବାହାରେ ରହୁଥିଲେ। ମୁଁ ଅଧିକାଂଶ ସମୟ ମା’ଙ୍କ ସହ ରହିଲି।”
ଉଲ୍ଲେଖଯୋଗ୍ୟ ଯେ କିରଣ ଖେରଙ୍କ ପ୍ରଥମ ବିବାହ ବ୍ୟବସାୟୀ ଗୌତମ ବେରୀଙ୍କ ସହ ହୋଇଥିଲା। କିନ୍ତୁ ଏହି ବିବାହ ତିଷ୍ଠି ନଥିଲା। କିରଣ ଗୌତମଙ୍କଠାରୁ ଛାଡ଼ପତ୍ର ନେଇଥିଲେ। ଏହାପରେ ସେ ଦ୍ୱିତୀୟ ବିବାହ ଅନୁପମ ଖେରଙ୍କ ସହ କରିଥିଲେ। ଅନୁପମ ଖେର ସିକନ୍ଦରଙ୍କୁ ନିଜର ନାମ ଦେଇଥିଲେ। ଅନୁପମ ଖେର ଓ ସିକନ୍ଦର ଖେରଙ୍କର ନିଜସ୍ୱ କୌଣସି ସନ୍ତାନ ନାହିଁ।
ସିକନ୍ଦର ଅନୁପମ ଖେରଙ୍କଠାରୁ ମିଳିଥିବା ଉପଦେଶ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି, “ଅନୁପମ ପାପା କହିଥିଲେ ଯେ ବର୍ଷାରେ ଭିଜିଥିବା ଲୋକ କେବେ ବି ବର୍ଷାକୁ ଭୟ କରେ ନାହିଁ। ଏଭଳି ଅନେକ ଶାନଦାର କଥା ମୁଁ ତାଙ୍କଠାରୁ ଶିଖିଛି।” କାର୍ଯ୍ୟ କ୍ଷେତ୍ରରେ ସିକନ୍ଦରଙ୍କୁ ଶେଷ ଥର ପାଇଁ ‘ମଙ୍କି ମ୍ୟାନ’ରେ ଦେଖାଯାଇଥିଲା। ସେ ପ୍ରାଇମ ଭିଡିଓର ‘ସିଟାଡେଲ: ହନି ବନି’ରେ ମଧ୍ୟ ନଜର ଆସିଥିଲେ।