ବାଂଲାଦେଶର ମୁଖ୍ୟ ନେତା ମୋହମ୍ମଦ ୟୁନୁସଙ୍କ ଚୀନ ଗସ୍ତ ପରେ ଭାରତର ‘ଚିକେନ ନେକ’ ଚର୍ଚ୍ଚାରେ ରହିଛି। ଚୀନରେ ମୋହମ୍ମଦ ୟୁନୁସ ଜିନପିଙ୍ଗ ସରକାରଙ୍କୁ ଭାରତର ସୀମାନ୍ତ ନିକଟସ୍ଥ ଲାଲମୋନିରହାଟ ଜିଲ୍ଲାରେ ଏକ ଏୟାରବେସ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ଭାରତର ସୁରକ୍ଷା ପାଇଁ ଚିନ୍ତା ବୃଦ୍ଧି ପାଇଛି। ରଣନୀତିକ ଦୃଷ୍ଟିକୋଣରୁ ଲାଲମୋନିରହାଟ ଅତ୍ୟନ୍ତ ସମ୍ବେଦନଶୀଳ। ଏହା ଚିକେନ ନେକ କରିଡର ନିକଟରେ ଅବସ୍ଥିତ, ଯାହା ଭାରତର ମୁଖ୍ୟ ଭୂଖଣ୍ଡକୁ ପୂର୍ବୋତ୍ତର ରାଜ୍ୟମାନଙ୍କ ସହ ସଂଯୋଗ କରେ। ସୁରକ୍ଷା ଦୃଷ୍ଟିରୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।
ଚୀନ ଗସ୍ତ ସମୟରେ ମୋହମ୍ମଦ ୟୁନୁସ ଆଉ ଏକ ବୟାନ ଦେଇଥିଲେ, ଯାହା ଭାରତ ସହ ବିବାଦର କାରଣ ହୋଇଛି। ସେ କହିଥିଲେ, ଭାରତର ପୂର୍ବୋତ୍ତରରେ ଥିବା ସାତୋଟି ରାଜ୍ୟ ସମୁଦ୍ରରୁ ବିଚ୍ଛିନ୍ନ। ବିଶ୍ୱ ସହ ସେମାନଙ୍କର ସମ୍ପର୍କ କେବଳ ବାଂଲାଦେଶ ଯୋଗୁଁ ସମ୍ଭବ। ଏହା କହି ସେ ବାଂଲାଦେଶକୁ ଏହି ଅଞ୍ଚଳର ସମୁଦ୍ରର ‘ଅଭିଭାବକ’ ବୋଲି ଘୋଷଣା କରିଥିଲେ।
ଏହାପରେ ଚର୍ଚ୍ଚା ଉଠିଛି ଯେ ବାଂଲାଦେଶ ଓ ଚୀନର ନଜର ଭାରତର ଚିକେନ ନେକ ଉପରେ କାହିଁକି? ଏହି ସୁଯୋଗରେ ଆସନ୍ତୁ ଜାଣିବା ଭାରତ ପାଇଁ ଚିକେନ ନେକ କାହିଁକି ଗୁରୁତ୍ୱପୂର୍ଣ୍ଣ, ଏହାର ସୁରକ୍ଷା କାହିଁକି ଆବଶ୍ୟକ, ଚୀନର ଯୋଜନା କ’ଣ ଏବଂ ଭାରତ ପାଇଁ ଏହା କାହିଁକି ଦ୍ୱିଗୁଣିତ ଚିନ୍ତାର ବିଷୟ?
ଚିକେନ ନେକ କ’ଣ?
ଭାରତର ମାନଚିତ୍ରରେ ଏକ ସଂକୀର୍ଣ୍ଣ ରାସ୍ତା ଭଳି ଦେଖାଯାଉଥିବା ଅଞ୍ଚଳକୁ ଚିକେନ ନେକ କୁହାଯାଏ। ଏହାର ସଂକୀର୍ଣ୍ଣତା ଓ ସମ୍ବେଦନଶୀଳତା ଯୋଗୁଁ ଏହାକୁ ‘ଚିକେନ ନେକ’ ନାମ ଦିଆଯାଇଛି। ଏହା ପଶ୍ଚିମବଙ୍ଗରେ ଅବସ୍ଥିତ ଏବଂ ଏହାକୁ ‘ସିଲିଗୁଡ଼ି କରିଡର’ ମଧ୍ୟ କୁହାଯାଏ। ଏହା ଭାରତର ଆଠଟି ରାଜ୍ୟକୁ ସଂଯୋଗ କରେ, ଯେଉଁମାନେ ହେଲେ: ଅରୁଣାଚଳ ପ୍ରଦେଶ, ଆସାମ, ମିଜୋରାମ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକ୍କିମ ଏବଂ ତ୍ରିପୁରା।
ଚିକେନ ନେକର ସୁରକ୍ଷା କାହିଁକି ଆବଶ୍ୟକ?
ଚିକେନ ନେକ ଭାରତର ଏକ ଏଭଳି ଅଞ୍ଚଳ, ଯେଉଁଠାରେ ଭାରତୀୟ ବାୟୁସେନା, ସ୍ଥଳସେନା ଏବଂ ସୀମା ସୁରକ୍ଷା ବଳ ସର୍ବଦା ଉପସ୍ଥିତ ରହନ୍ତି। ସୁରକ୍ଷା ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଏଠାରେ ମିସାଇଲ, ଉନ୍ନତ ରାଡାର ଏବଂ ପ୍ରତିରକ୍ଷା ସୁରକ୍ଷା ବ୍ୟବସ୍ଥା ମୁତୟନ ରହିଛି। ଆସାମ ରାଇଫଲ୍ସ ଏବଂ ବଙ୍ଗଳ ପୁଲିସ ଏହି ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରନ୍ତି। ଚିକେନ ନେକ ବିଭିନ୍ନ ଦେଶ ଦ୍ୱାରା ଘେରି ହୋଇ ରହିଛି । ଏହାର ଦକ୍ଷିଣରେ ବାଂଲାଦେଶ, ଉତ୍ତରରେ ନେପାଳ, ଭୂଟାନ ଏବଂ ଚୀନ ରହିଛନ୍ତି। ଚିକେନ ନେକ କରିଡର ପ୍ରାୟ ୬୦ କିଲୋମିଟର ଲମ୍ବ ଏବଂ ୨୧ କିଲୋମିଟର ଚଉଡ଼ା। ଏହା ନିକଟରେ ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଉତ୍ତର ବଙ୍ଗଳ ଭଳି ସମ୍ବେଦନଶୀଳ ରାଜ୍ୟ ରହିଛନ୍ତି, ଯେଉଁଠାରେ ଚୀନର ନଜର ପୂର୍ବରୁ ରହିଆସିଛି। ଏପରି ପରିସ୍ଥିତିରେ ମୋହମ୍ମଦ ୟୁନୁସଙ୍କ ବୟାନ ଭାରତର ସୁରକ୍ଷା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
ଚୀନର ଯୋଜନା କ’ଣ?
ସାମ୍ପ୍ରତିକ ଘଟଣାକୁ ନେଇ ପାକିସ୍ତାନର ରାଜନୈତିକ ଟିପ୍ପଣୀକାର କମର ଚୀମା ତାଙ୍କ ବୟାନରେ ଅନେକ କଥା କହିଛନ୍ତି। ମିଡ଼ିଆ ରିପୋର୍ଟ ଅନୁସାରେ, ସେ କହିଛନ୍ତି ଯେ ସାମ୍ପ୍ରତିକ ଘଟଣାବଳୀ ସୂଚାଏ ଯେ ଭାରତ, ଚୀନ ଏବଂ ବାଂଲାଦେଶରେ କିଛି ଘଟୁଛି। ଭାରତୀୟ ଗୁଇନ୍ଦା ସଂସ୍ଥାଙ୍କୁ ମିଳିଥିବା ଖବରରୁ ଜଣାପଡ଼ିଛି ଯେ ଲାଲମୋନିରହାଟରେ ଚୀନ ଏକ ଏୟାରବେସ ନିର୍ମାଣ କରୁଛି। ଯଦି ଏହି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହୁଏ, ତେବେ ଏହାର ସିଧାସଳଖ ଅର୍ଥ ହେଉଛି ଚିକେନ ନେକ ଏବଂ ଭାରତର ସୁରକ୍ଷା ବିପଦରେ ପଡ଼ିପାରେ। ଚୀନୀ ସେନା ଏଠାରେ ପହଞ୍ଚିଲେ ସେମାନେ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ହେବେ, ଅର୍ଥାତ୍ ଭାରତର ଆଖପାଖ ଅଞ୍ଚଳରେ ଚୀନର ଉପସ୍ଥିତି ମଜବୁତ ହେବ। କମର ଆହୁରି କହିଛନ୍ତି, ଶେଖ ହାସିନାଙ୍କ ସମୟରେ ମଧ୍ୟ ଏହି ବିଷୟରେ ଆଲୋଚନା ହୋଇଥାଇପାରେ, କିନ୍ତୁ ସଫଳତା ମିଳିନଥାଇପାରେ। କିନ୍ତୁ ମୋହମ୍ମଦ ୟୁନୁସଙ୍କ ବୟାନ ଅନ୍ୟ କିଛି ସଙ୍କେତ ଦେଉଛି। ବର୍ତ୍ତମାନର ପରିସ୍ଥିତିକୁ ଭାରତ ଉପେକ୍ଷା କରିପାରିବ ନାହିଁ।
ଭାରତର ଚିନ୍ତା କାହିଁକି ଦ୍ୱିଗୁଣିତ?
ଯଦି ଏହା ସତ ହୁଏ, ତେବେ ଭାରତ ପାଇଁ ଚିନ୍ତା ଦ୍ୱିଗୁଣିତ। ପ୍ରଥମ କାରଣ ହେଲା, ଚୀନ ସର୍ବଦା ଭାରତର ପଡ଼ୋଶୀ ଦେଶମାନଙ୍କୁ ସାହାଯ୍ୟର ପ୍ରଲୋଭନ ଦେଖାଇ ନିଜର ମନମୁଖୀ କାର୍ଯ୍ୟ କରିବାକୁ ଚେଷ୍ଟା କରିଆସିଛି। କିନ୍ତୁ ପଡ଼ୋଶୀ ଦେଶମାନେ ଭାରତର ପ୍ରତିଷ୍ଠା ଓ ଶକ୍ତି ବିଷୟରେ ଅବଗତ ଥିବାରୁ ଚୀନ ସମ୍ପୂର୍ଣ୍ଣରୂପେ ସଫଳ ହୋଇପାରି ନାହିଁ। ଦ୍ୱିତୀୟ ଚିନ୍ତା ହେଲା, ବାଂଲାଦେଶରେ ଏବେ ଶେଖ ହାସିନାଙ୍କ ସରକାର ନାହିଁ। ହାସିନାଙ୍କ ନୀତି ଭାରତ ପ୍ରତି ସକାରାତ୍ମକ ଥିଲା, କିନ୍ତୁ ଏବେ ଦେଶର ନେତୃତ୍ୱ ତାଙ୍କ ହାତରେ ନାହିଁ। ମୋହମ୍ମଦ ଇଉନୁସଙ୍କ ମନୋଭାବ ସ୍ପଷ୍ଟ ଭାବେ ଚୀନ ଆଡ଼କୁ ଝୁଙ୍କିଛି। ତାଙ୍କର ବୟାନବାଜୀ ମଧ୍ୟ ଏହାକୁ ସମର୍ଥନ କରୁଛି। ବାଂଲାଦେଶର ଭାରତ ପ୍ରତି ମନୋଭାବ ପୂର୍ବପରି ନ ହେବା ଯୋଗୁଁ ବିପଦ ବୃଦ୍ଧି ପାଇଛି।