ଟ୍ରମ୍ପଙ୍କ ଟାରିଫ୍ ୱାର୍,ଭାରତ ପାଇଁ ସାବ୍ୟସ୍ତ ହୋଇପାରେ ‘ଆପଦରେ ଅବସର’ !

trump tariff

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ, କାନାଡା, ମେକ୍ସିକୋ, ଭିଏତନାମ, ତାଇୱାନ, ଥାଇଲ୍ୟାଣ୍ଡ ଏବଂ ବାଂଲାଦେଶ ସମେତ ଅନେକ ଏସୀୟ ଦେଶ ଉପରେ ‘ରେସିପ୍ରୋକାଲ ଟାରିଫ୍’ ଲଗାଇବା ଦ୍ୱାରା ଭାରତ ପାଇଁ ବୈଶ୍ୱିକ ବ୍ୟାପାର ଏବଂ ଉତ୍ପାଦନ କ୍ଷେତ୍ରରେ ନିଜର ସ୍ଥିତିକୁ ମଜବୁତ କରିବାର ଏକ ସୁଯୋଗ ମିଳିଛି। ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ଭାରତ ପାଇଁ ଅନେକ ସୁଯୋଗ ସୃଷ୍ଟି କରିପାରେ।

ଭାରତର ରପ୍ତାନି ପାଇଁ ଆମେରିକା ହେଉଛି ପ୍ରମୁଖ ଗନ୍ତବ୍ୟ ବଜାର। ଭାରତର ମୋଟ ରପ୍ତାନି ହେଉଥିବା ସାମଗ୍ରୀର ୧୮ ପ୍ରତିଶତ ଆମେରିକାକୁ ଯାଇଥାଏ। ମୋବାଇଲ୍ ଫୋନ୍ ସମେତ ଇଲେକ୍ଟ୍ରିକ୍ ମେସିନାରୀ ଏବଂ ଉପକରଣ ସାମଗ୍ରୀ ଭାରତରୁ ରପ୍ତାନି ହେଉଥିବା ମୁଖ୍ୟ ଜିନିଷ। ଏହା ପରେ ରତ୍ନ ଓ ଅଳଙ୍କାର, ଔଷଧ ଉତ୍ପାଦ, ପରମାଣୁ ରିଆକ୍ଟର ଏବଂ ଉପକରଣ, ଏବଂ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକର ସ୍ଥାନ ରହିଛି।

ଚୀନର ବିକଳ୍ପ ହୋଇପାରେ
ଟ୍ରମ୍ପ ଚୀନ ଉପରେ ୩୪ ପ୍ରତିଶତ ଟାରିଫ୍ ଲଗାଇଛନ୍ତି। ଏହା ଦ୍ୱାରା ଆମେରିକୀୟ କମ୍ପାନୀଗୁଡ଼ିକ ଚୀନରୁ ଆମଦାନୀ କମାଇବାକୁ ବାଧ୍ୟ ହେବେ ଏବଂ ବିକଳ୍ପ ଯୋଗାଣକାରୀଙ୍କୁ ଖୋଜିବେ। ଭାରତ, ଯିଏ ପୂର୍ବରୁ ଉତ୍ପାଦନ ଏବଂ ରପ୍ତାନିରେ ନିଜର କ୍ଷମତା ବଢ଼ାଉଛି, ଏହି ସୁଯୋଗର ଲାଭ ଉଠାଇପାରେ। ବିଶେଷ କରି ଇଲେକ୍ଟ୍ରୋନିକ୍ସ, ଟେକ୍ସଟାଇଲ୍, ଏବଂ ଫାର୍ମାସ୍ୟୁଟିକାଲ୍ସ ଭଳି କ୍ଷେତ୍ରରେ ଭାରତ ଆମେରିକୀୟ ବଜାରରେ ଶସ୍ତା ଏବଂ ଚୀନର ବିଶ୍ୱସନୀୟ ବିକଳ୍ପ ହୋଇପାରେ। ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଏହି ସୁଯୋଗକୁ ହାତେଇବାରେ ଆହୁରି ସାହାଯ୍ୟ କରିପାରେ।

ବିଦେଶୀ ନିବେଶରେ ବୃଦ୍ଧି
ଟ୍ରମ୍ପଙ୍କ ଟାରିଫ୍‌ରୁ ପ୍ରଭାବିତ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ (ଯେପରିକି ଆପଲ୍, ଟେସ୍ଲା) ନିଜର ଯୋଗାଣ ଶୃଙ୍ଖଳାକୁ ନୂଆ ରୂପ ଦେବା ପାଇଁ ଭାରତ ଆଡ଼କୁ ମୁହାଁଇପାରନ୍ତି। ଏହି କମ୍ପାନୀଗୁଡ଼ିକ ବର୍ତ୍ତମାନ ନିଜର ଉତ୍ପାଦନ ଚୀନରେ କରୁଛନ୍ତି। ଭାରତର ଶସ୍ତା ଶ୍ରମଶକ୍ତି, ବଢ଼ୁଥିବା ଟେକ୍ନୋଲୋଜି ଆଧାର, ଏବଂ ସରକାରଙ୍କ ନିବେଶ-ଅନୁକୂଳ ନୀତି (ଯେପରିକି ପିଏଲ୍‌ଆଇ ଯୋଜନା) ଏଥିରେ ଚମକ ଯୋଗ କରିପାରେ। ଏହା ଦ୍ୱାରା କେବଳ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫ୍‌ଡିଆଇ) ବଢ଼ିବ ନାହିଁ, ବରଂ ରୋଜଗାର ସୃଷ୍ଟି ଏବଂ ଟେକ୍ନୋଲୋଜି ହସ୍ତାନ୍ତର ମଧ୍ୟ ହେବ।

ରପ୍ତାନି ବଢ଼ାଇବାର ସୁଯୋଗ
କାନାଡା ଏବଂ ମେକ୍ସିକୋ ଭଳି ଦେଶଗୁଡ଼ିକ ଉପରେ ଏବେ ୨୫ ପ୍ରତିଶତ ଟାରିଫ୍ ଲାଗିବ, ତେଣୁ ଆମେରିକାକୁ ନିଜର ପଡ଼ୋଶୀ ଦେଶଗୁଡ଼ିକ ଅପେକ୍ଷା ଆମଦାନୀ ସାମଗ୍ରୀ ପାଇଁ ନୂଆ ପଥ ଖୋଜିବାକୁ ପଡ଼ିବ। ଭାରତ ଅଟୋମୋବାଇଲ୍ ପାର୍ଟସ୍, କୃଷି ଉତ୍ପାଦ (ଯେପରିକି ମସଲା ଏବଂ ଚା), ଏବଂ ସୂଚନା ପ୍ରଯୁକ୍ତି ଉପକରଣଗୁଡ଼ିକର ରପ୍ତାନି ବଢ଼ାଇପାରେ। ଟ୍ରମ୍ପଙ୍କ ନୀତି ଦ୍ୱାରା ସୃଷ୍ଟ ବ୍ୟାପାରିକ ଅନ୍ତରକୁ ପୂରଣ କରିବା ପାଇଁ ଭାରତ ନିଜର ଉତ୍ପାଦନ କ୍ଷମତାର ଉପଯୋଗ କରି ଆମେରିକୀୟ ଉପଭୋକ୍ତାଙ୍କ ଚାହିଦା ପୂରଣ କରିପାରେ।

ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ
ଟ୍ରମ୍ପଙ୍କ ନୀତି ଦ୍ୱାରା ଆମେରିକା ନିଜର ସହଯୋଗୀମାନଙ୍କ ସହ ରଣନୀତିକ ସମ୍ପର୍କକୁ ମଜବୁତ କରିବାକୁ ଚାହିଁବ, ଖାସ୍ କରି ଚୀନ ବିରୋଧରେ। ଭାରତ, ଯିଏ ପୂର୍ବରୁ ଆମେରିକା ସହ କ୍ୱାଡ୍ ଏବଂ ପ୍ରତିରକ୍ଷା ଚୁକ୍ତିରେ ସାମିଲ ଅଛି, ଏହି ସ୍ଥିତିର ଲାଭ ଉଠାଇପାରେ। ଟାରିଫ୍‌ରୁ ପ୍ରଭାବିତ ଶକ୍ତି ଆମଦାନୀକୁ କମାଇବା ପାଇଁ ଆମେରିକା ଭାରତରୁ ନବୀକରଣୀୟ ଶକ୍ତି ପ୍ରଯୁକ୍ତି କିମ୍ବା ପ୍ରତିରକ୍ଷା ଉପକରଣ କିଣିପାରେ। କାରଣ ବର୍ତ୍ତମାନ ଆମେରିକା କାନାଡାରୁ ତେଲ କିଣୁଛି। ଏହା ଦ୍ୱାରା ଭାରତର ପ୍ରତିରକ୍ଷା ଏବଂ ଶକ୍ତି କମ୍ପାନୀଗୁଡ଼ିକୁ ନୂଆ ବଜାର ମିଳିବ।

ସେବା କ୍ଷେତ୍ରରେ ବୃଦ୍ଧି
ନୂଆ ଲାଗୁ ହୋଇଥିବା ଟାରିଫ୍ ଯୋଜନା ଏବଂ ଟ୍ରେଡ୍ ୱାର୍‌ରୁ ଆମେରିକୀୟ ଅର୍ଥନୀତିରେ ଅନିଶ୍ଚିତତା ବଢ଼ିପାରେ। ଯାହା କାରଣରୁ ସେଠାକାର କମ୍ପାନୀଗୁଡ଼ିକ ଖର୍ଚ୍ଚ କମାଇବା ପାଇଁ ଆଉଟସୋର୍ସିଂ ଉପରେ ଧ୍ୟାନ ଦେବେ। ଭାରତର ଆଇଟି ଏବଂ ବିପିଓ (ବିଜନେସ୍ ପ୍ରୋସେସ୍ ଆଉଟସୋର୍ସିଂ) କ୍ଷେତ୍ର ପୂର୍ବରୁ ଆମେରିକା ଉପରେ ନିର୍ଭରଶୀଳ। ଟ୍ରମ୍ପଙ୍କ ନୀତି ଯୋଗୁଁ ଯଦି ଆମେରିକୀୟ ଫାର୍ମଗୁଡ଼ିକୁ ଘରୋଇ ଉତ୍ପାଦନ ବଢ଼ାଇବାରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼େ, ତେବେ ସେମାନେ ଭାରତର ସଫ୍ଟୱେୟାର, ଗ୍ରାହକ ସେବା ଏବଂ ଡିଜିଟାଲ୍ ସମାଧାନଗୁଡ଼ିକର ସାହାଯ୍ୟ ନେଇପାରନ୍ତି।

Leave a Reply

Your email address will not be published. Required fields are marked *