ମେହୁଲ ଚୋକ୍ସୀଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସି ଅର୍ଥାତ୍ ସିବିଆଇ ଏବଂ ଇଡିର ଅନୁରୋଧ କ୍ରମେ ବେଲଜିୟମରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ମେହୁଲ ଚୋକ୍ସୀ ଭାରତର ମୋଷ୍ଟୱାଣ୍ଟେଡ ଏବଂ ଫେରାର ହୀରା ବ୍ୟବସାୟୀ ଅଟନ୍ତି। ତାଙ୍କ ଉପରେ ପିଏନବିରୁ ୧୩,୮୫୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଜଣାପଡ଼ିଛି ଯେ ମେହୁଲ ଚୋକ୍ସୀଙ୍କୁ ୧୨ ଏପ୍ରିଲରେ ବେଲଜିୟମର ଏକ ହସ୍ପିଟାଲରୁ ଗିରଫ କରାଯାଇଛି। ତାଙ୍କୁ ବର୍ତ୍ତମାନ ବେଲଜିୟମ ଡିଟେନସନ ସେଣ୍ଟରରେ ରଖାଯାଇଛି। ଏହି ସମୟରେ ଭାରତ ତାଙ୍କର ପ୍ରତ୍ୟର୍ପଣ ପାଇଁ ଅନୁରୋଧ ମଧ୍ୟ କରିଛି। ଯଦି ସବୁକିଛି ଠିକ୍ ରହେ, ତେବେ ଖୁବ୍ ଶୀଘ୍ର ଫେରାର ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ଭାରତର ମାଟିରେ ପହଞ୍ଚିବେ। ଏବେ ପ୍ରଶ୍ନ ଉଠୁଛି ଯେ ମେହୁଲ ଚୋକ୍ସୀ ହଠାତ୍ କିପରି ଗିରଫ ହେଲେ? ଏହା ପଛରେ ମଧ୍ୟ ଏକ କାହାଣୀ ରହିଛି। ପରଦା ପଛରେ ଥିବା ସେହି କାହାଣୀ, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି ଇଡି ଏବଂ ସିବିଆଇ ସମସ୍ତେ ଲାଗିଥିଲେ।
ହଁ, ମେହୁଲ ଚୋକ୍ସୀଙ୍କର ବେଲଜିୟମରୁ ଏବେ ବେଡିଂ-ବିସ୍ତର ପ୍ୟାକ ହୋଇଗଲାଣି। ତାଙ୍କୁ ଖୁବ୍ ଶୀଘ୍ର ଭାରତ ଆଣିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାର ପ୍ରସ୍ତୁତି ଭାରତୀୟ ଏଜେନ୍ସିମାନେ ଆରମ୍ଭ କରିଦେଇଛନ୍ତି। ତାଙ୍କର ଗିରଫଦାରୀ ଏହି ଦିଗରେ ପ୍ରଥମ ବଡ଼ ପଦକ୍ଷେପ ଅଟେ। ବେଲଜିୟମରୁ ମେହୁଲ ଚୋକ୍ସୀଙ୍କ ଗିରଫଦାରୀ ଏମିତି ହଠାତ୍ ହୋଇନାହିଁ। ଏହା ପଛରେ ସେତେବେଳୁ ଯୋଜନା ଚାଲିଥିଲା, ଯେତେବେଳୁ ଖବର ଆସିଥିଲା ଯେ ସେ ବେଲଜିୟମରେ ଲୁଚିଛନ୍ତି। ଏହାଥିଲା ମାର୍ଚ୍ଚ ମାସ ଶେଷବେଳର କଥା। ହଠାତ୍ ଦିନେ ଖବର ଆସିଲା ଯେ ମେହୁଲ ଚୋକ୍ସୀ ବେଲଜିୟମ ଚାଲିଗଲେଣି। ସେ ନକଲି ଡକ୍ୟୁମେଣ୍ଟ ଜରିଆରେ ସେଠାରେ ‘ ରେସିଡେନ୍ସି କାର୍ଡ’ ହାସଲ କରିଥିଲେ। ମେହୁଲ ଚୋକ୍ସୀ ବେଲଜିୟମର ଆଣ୍ଟୱାର୍ପରେ ତାଙ୍କ ପତ୍ନୀ ପ୍ରୀତି ଚୋକ୍ସୀଙ୍କ ସହ ରହୁଥିଲେ। ମେହୁଲଙ୍କ ପତ୍ନୀ ପ୍ରୀତି ଚୋକ୍ସୀ ବେଲଜିୟମର ନାଗରିକ ଅଟନ୍ତି।
ମୋଦୀଙ୍କ ଏକ ଫୋନ୍ କଲ
ଏହାପରେ ଦୁଇପାଖରୁ ମେହୁଲ ଚୋକ୍ସୀଙ୍କୁ ଘେରିବା ପାଇଁ ପ୍ରସ୍ତୁତି ହେଲା। ଏକପାଖରେ ସିବିଆଇ ଓ ଇଡି ବେଲଜିୟମ ସହ ଯୋଗାଯୋଗ କଲେ। ଅନ୍ୟପାଖରେ ପ୍ରଧାନମନ୍ତ୍ରୀ ମୋଦୀ ବେଲଜିୟମକୁ ଫୋନ କଲେ। ହଁ, ମେହୁଲ ଚୋକ୍ସୀଙ୍କ ଖବର ସାମ୍ନାକୁ ଆସିବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବେଲଜିୟମର ରାଜାଙ୍କ ମଧ୍ୟରେ କଥାବାର୍ତ୍ତା ହେଲା। ପ୍ରଧାନମନ୍ତ୍ରୀ ମୋଦୀ ଫୋନରେ ବେଲଜିୟମର ରାଜା ଫିଲିପଙ୍କ ସହ କଥା ହୋଇଥଲେ। ଔପଚାରିକ ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଓ ବେଲଜିୟମର ରାଜା ଫିଲିପଙ୍କ ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର କରିବା, ବାଣିଜ୍ୟ ଓ ନିବେଶକୁ ପ୍ରୋତ୍ସାହନ ଦେବା ବିଷୟରେ ଆଲୋଚନା ହେଲା। ଯଦିଓ ସୂତ୍ର କହୁଛନ୍ତି ଯେ ସେହି କଥାବାର୍ତ୍ତାରେ ମେହୁଲ ଚୋକ୍ସୀଙ୍କ ବିଷୟ ମଧ୍ୟ ଉଠିଥିଲା। ଏବଂ ସେହି ଆଲୋଚନା ହିଁ ମେହୁଲ ଚୋକ୍ସୀଙ୍କ ଗିରଫଦାରୀର ଚିତ୍ରନାଟ୍ୟ ଲେଖିଥିଲା।
ଇଡି-ସିବିଆଇର ଖେଳ
ଅନ୍ୟପକ୍ଷେ ସିବିଆଇ ଓ ଇଡି ମଧ୍ୟ ଲଗାତାର ବେଲଜିୟମ ସହ ଯୋଗାଯୋଗରେ ଥିଲେ। ଭାରତୀୟ ଏଜେନ୍ସିମାନେ ମେହୁଲ ଚୋକ୍ସୀଙ୍କ ବିରୁଦ୍ଧରେ ଥିବା ମାମଲାଗୁଡ଼ିକ ବିଷୟରେ ବେଲଜିୟମକୁ ଅବଗତ କରାଇଥିଲେ। ଭାରତ, ଫେରାର ବ୍ୟବସାୟୀ ମେହୁଲ ଚୋକ୍ସୀଙ୍କ ବିରୁଦ୍ଧରେ ମୁମ୍ବାଇ କୋର୍ଟ ଦ୍ୱାରା ଜାରି ହୋଇଥିବା ଦୁଇଟି ଓପନ ଏଣ୍ଡେଡ ଗିରଫ ଓ୍ଵାରେଣ୍ଟର ଉଲ୍ଲେଖ କରିଥିଲା। ଏହାର ଆଧାରରେ ହିଁ ବେଲଜିୟମ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମେହୁଲ ଚୋକ୍ସୀଙ୍କୁ ହେଫାଜତକୁ ନେଇଥିଲେ। ମେହୁଲ ଚୋକ୍ସୀଙ୍କ ବିରୁଦ୍ଧରେ ଏହି ଓ୍ଵାରେଣ୍ଟ ୨୩ ମେ ୨୦୧୮ ଏବଂ ୧୫ ଜୁନ ୨୦୨୧ରେ ଜାରି ହୋଇଥିଲା। ସୂତ୍ର କହୁଛନ୍ତି ଯେ ସେ ବେଲଜିୟମରୁ ମଧ୍ୟ ପଳାଇବାର ଯୋଜନା କରୁଥିଲେ। ମେହୁଲ ଚୋକ୍ସୀଙ୍କୁ କର୍କଟ ରୋଗ ରହିଛି ଏବଂ ସେ ତାଙ୍କ ପତ୍ନୀଙ୍କ ସହ ରହୁଥିଲେ।
ମେହୁଲଙ୍କ ଉପରେ କ’ଣ ଅଭିଯୋଗ?
ମେହୁଲ ଚୋକ୍ସୀ ଏବଂ ତାଙ୍କ ପୁତୁରା ନୀରବ ମୋଦୀଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ଉଭୟେ ପିଏନବିରୁ ୧୩,୮୫୦ କୋଟି ଟଙ୍କାର ଠକେଇ କରିଛନ୍ତି। ଏହି ମାମଲାରେ ସିବିଆଇ ଏବଂ ଇଡି ଉଭୟେ ତାଙ୍କୁ ଓ୍ଵାଣ୍ଟେଡ ଘୋଷଣା କରିଥିଲେ। ମେହୁଲ ଚୋକ୍ସୀ ମୁମ୍ବାଇରେ ବ୍ୟାଙ୍କର ବ୍ରାଡି ହାଉସ ଶାଖାର ଅଧିକାରୀମାନଙ୍କୁ ଲାଞ୍ଚ ଦେଇ ଲେଟର ଅଫ ଆଣ୍ଡରଟେକିଙ୍ଗ (ଏଲଓୟୁ) ଏବଂ ବୈଦେଶିକ କ୍ରେଡିଟ ଲେଟର (ଏଫଏଲସି)ର ଦୁରୁପଯୋଗ କରିଥିଲେ। ପିଏନବିରେ ଘୋଟାଲା ସାମ୍ନାକୁ ଆସିବାର କିଛି ସପ୍ତାହ ପୂର୍ବରୁ ମେହୁଲ ଚୋକ୍ସୀ ଭାରତରୁ ପଳାଇଥିଲେ। ମେହୁଲ ଚୋକ୍ସୀ ଗୀତାଞ୍ଜଳି ଜେମ୍ସର ପ୍ରତିଷ୍ଠାତା ଥିଲେ। ଅନ୍ୟପକ୍ଷେ, ନୀରବ ମୋଦୀ ବ୍ରିଟେନର ଜେଲରେ ଅଛନ୍ତି ଏବଂ ଭାରତୀୟ ଅଧିକାରୀମାନଙ୍କର ପ୍ରତ୍ୟର୍ପଣ ଅନୁରୋଧର ବିରୋଧ କରୁଛନ୍ତି