ତହବୁର ରାଣାର ପାକିସ୍ତାନରେ ରହୁଥିବ ପରିବାର ବାବାଦରେ ଜାଣନ୍ତୁ ସବୁକିଛି

ମୁମ୍ବାଇ ଆତଙ୍କବାଦୀ ହମଲାର ମୁଖ୍ୟ ମାଷ୍ଟରମାଇଣ୍ଡ ତହବ୍ବୁର ହୁସେନ ରାଣା ଭାରତରେ ପହଞ୍ଚି ସାରିଛି। ଗିରଫତାରୀର ପ୍ରାୟ ୧୬ ବର୍ଷ ପରେ ଆମେରିକାରୁ ତାକୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି। ତାକୁ ଏକ ସ୍ୱତନ୍ତ୍ର ବିମାନରେ ଭାରତ ଆଣାଯାଇଛି। ରାଣା ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାର ସମ୍ଭାବନା ରହିଛି। ସମ୍ଭବତଃ ରାଣାକୁ ଦିଲ୍ଲୀର ତିହାଡ଼ ଜେଲରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯିବ। ତହବ୍ବୁର ରାଣା ପୂର୍ବରୁ ପାକିସ୍ତାନୀ ସେନାରେ ଡାକ୍ତର ଥିଲେ। ପରେ ସେ ସେନା ଚାକିରି ଛାଡ଼ି କାନାଡ଼ାରେ ନାଗରିକତା ଗ୍ରହଣ କରି ଇମିଗ୍ରେସନ ବ୍ୟବସାୟ ଆରମ୍ଭ କରିଥିଲେ। ସେ ୨୬/୧୧ ମୁମ୍ବାଇ ହମଲାର ସହ-ଷଡ଼ଯନ୍ତ୍ରକାରୀ ଥିଲେ ଏବଂ ବର୍ତ୍ତମାନ ଆତଙ୍କବାଦ ସହ ଜଡ଼ିତ ଅଭିଯୋଗର ସାମ୍ନା କରୁଛନ୍ତି।

ତହବ୍ବୁର ରାଣାର ପରିବାର
ତହବ୍ବୁର ରାଣାଙ୍କ ପରିବାର ବିଷୟରେ ସାର୍ବଜନୀନ ଭାବେ ଉପଲବ୍ଧ ସୂଚନା ସୀମିତ। କାରଣ ଏହା ଏକ ସମ୍ବେଦନଶୀଳ ମାମଲା ଏବଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖାଯାଇଛି। ତଥାପି, କିଛି ବିଶ୍ୱସନୀୟ ସ୍ରୋତ ଅନୁସାରେ ମିଳିଥିବା ସୂଚନା ଅନୁଯାୟୀ, ତହବ୍ବୁର ରାଣା ବହୁ ଆଗରୁ ପାକିସ୍ତାନ ଛାଡ଼ି ବିଦେଶ ଚାଲିଯାଇଥିଲେ। ଯଦିଓ ସେ ବିଦେଶରେ କେଉଁ କେଉଁ ସ୍ଥାନରେ ରହିଥିଲେ, ତାହା ବିଷୟରେ ବେଶୀ ସୂଚନା ନାହିଁ। ପରେ ସେ କାନାଡ଼ାର ନାଗରିକ ହୋଇଥିଲେ।

ହସନ ଅବଦାଲ କ୍ୟାଡେଟ କଲେଜରେ ପାଠପଢ଼ା
ତହବ୍ବୁର ହୁସେନ ରାଣାର ଜନ୍ମ ୧୨ ଜାନୁଆରୀ ୧୯୬୧ରେ ପଞ୍ଜାବର ଚିଚାଓ୍ଵାତନୀରେ ହୋଇଥିଲା। ତା’ ସମ୍ପର୍କ ଏକ ଧନୀ ପାକିସ୍ତାନୀ ପରିବାର ସହିତ ରହିଛି। ତା’ର ପିତା ଲାହୋର ନିକଟସ୍ଥ ଏକ ହାଇସ୍କୁଲର ପ୍ରିନ୍ସିପାଲ ଥିଲେ। ତାଙ୍କ ପରିବାର ଉଲ୍ଲେଖନୀୟ ସଫଳତା ପାଇଁ ଜଣାଶୁଣା। ତହବ୍ବୁର ରାଣାଙ୍କ ଭାଇମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ସେନାରେ ମନୋଚିକିତ୍ସକ ତଥା ଲେଖକ, ଆଉ ଜଣେ ଭାଇ କାନାଡ଼ାର ଖବରକାଗଜ ‘ଦ ହିଲ ଟାଇମ୍ସ’ରେ ସାମ୍ବାଦିକ। ସାଧାରଣତଃ ପାକିସ୍ତାନୀ ଆତଙ୍କବାଦକୁ ମଦରସାରୁ ବାହାରିଥିବା ଗରିବ ଜିହାଦୀଙ୍କ ସହିତ ଯୋଡ଼ାଯାଏ, କିନ୍ତୁ ତହବ୍ବୁର ରାଣାଙ୍କ ମାମଲା ଏହାଠାରୁ ଭିନ୍ନ। ତାଙ୍କର ପଢ଼ାଶୁଣା ପାକିସ୍ତାନର ପ୍ରତିଷ୍ଠିତ ହସନ ଅବଦାଲ କ୍ୟାଡେଟ କଲେଜରେ ହୋଇଥିଲା, ଯାହା ଏକ ଆବାସିକ ବିଦ୍ୟାଳୟ। ଏହାର ପୂର୍ବ ଛାତ୍ରମାନଙ୍କ ମଧ୍ୟରେ ଅନେକ ଜେନେରାଲ ଓ ରାଜନୀତିଜ୍ଞ ଅଛନ୍ତି। ରାଣା ମେଡିକାଲରେ କ୍ୟାରିୟର ଗଢ଼ିଥିଲେ ଏବଂ ପାକିସ୍ତାନ ଆର୍ମି ମେଡିକାଲ କୋରରେ କ୍ୟାପଟେନ ଜେନେରାଲ ଡ୍ୟୁଟି ପ୍ରାକ୍ଟିସନର ଭାବେ କାମ କରିଥିଲେ। ସେନା ଛାଡ଼ିବା ପରେ ସେ ୧୯୯୭ରେ ପତ୍ନୀଙ୍କ ସହ କାନାଡ଼ା ଚାଲିଯାଇଥିଲେ। ଉଭୟେ ୨୦୦୧ ଜୁନରେ କାନାଡ଼ାର ନାଗରିକତା ହାସଲ କରିଥିଲେ।

ଶିକାଗୋରେ ପତ୍ନୀ ଓ ପିଲାଙ୍କ ସହ ରହୁଥିଲେ
ଟିଓଆଇର ଏକ ପୁରୁଣା ରିପୋର୍ଟ ଅନୁସାରେ, ତହବ୍ବୁର ରାଣା ତାଙ୍କ ପତ୍ନୀ ସମରାଜ ଅଖ୍ତାର ରାଣା, ଦୁଇ ଝିଅ ଓ ଜଣେ ପୁଅ ସହ ଶିକାଗୋରେ ରହୁଥିଲେ। କୁହାଯାଏ ଯେ ସେଠାରେ ତାଙ୍କର ଅନେକ ବ୍ୟବସାୟ ଥିଲା। ତାଙ୍କର ଏକ ଫାର୍ମ ମଧ୍ୟ ଥିଲା, ଯାହା ଶିକାଗୋର ଦେଶୀ ଏନକ୍ଲେଭ ଡେଭନ ଏଭେନ୍ୟୁରେ ଥିବା ତା‘ର ତେଜରାତି ଦୋକାନକୁ ହଲାଲ ମାଂସ ଯୋଗାଉଥିଲା। ରାଣାଙ୍କର କାନାଡ଼ାର ଓଟାୱା ବାହାରେ ମଧ୍ୟ ଏକ ଘର ଥିଲା, ଯେଉଁଠାରେ ତାଙ୍କ ରୋଗୀ ପିତା ଓ ଛୋଟ ଭାଇ ଅବବାସ ରାଣା ରହୁଥିଲେ। ଏହା ସ୍ପଷ୍ଟ ନୁହେଁ ଯେ ପିତା ଓ ଭାଇ ଏବେ ମଧ୍ୟ ସେହିଠାରେ ଅଛନ୍ତି କି ଅନ୍ୟତ୍ର ଚାଲିଯାଇଛନ୍ତି।

ପତ୍ନୀ ସମରାଜ ରାଣା ମଧ୍ୟ ଡାକ୍ତର
ତହବ୍ବୁର ରାଣାର ପତ୍ନୀ ସମରାଜ ରାଣା ଅଖ୍ତାର ଜଣେ ଡାକ୍ତର। ସମରାଜ ମଧ୍ୟ ପାକିସ୍ତାନରେ ମେଡିକାଲ ପଢ଼ିଥିଲେ। କିନ୍ତୁ ସେ ବର୍ତ୍ତମାନ ଚିକିତ୍ସା କରୁଛନ୍ତି କି ନାହିଁ, ତାହା ସ୍ପଷ୍ଟ ନୁହେଁ। ସେ ୨୦୦୮ରେ ତହବ୍ବୁରଙ୍କ ସହ ଭାରତ ଭ୍ରମଣରେ ଆସିଥିଲେ, ଯେଉଁଥିରେ ମୁମ୍ବାଇ ମଧ୍ୟ ସାମିଲ ଥିଲା, ଯାହା ପରେ ୨୬/୧୧ ହମଲାର ଲକ୍ଷ୍ୟ ହୋଇଥିଲା। ତହବ୍ବୁର ଓ ସମରାଜଙ୍କର ତିନି ପିଲା ଅଛନ୍ତି। ସେମାନଙ୍କ ନାମ ଓ ବୟସ ବିଷୟରେ ସାର୍ବଜନୀନ ଭାବେ ସ୍ପଷ୍ଟ ସୂଚନା ଉପଲବ୍ଧ ନାହିଁ। ଏହା ଅନୁମାନ କରାଯାଏ ଯେ ସେମାନଙ୍କ ପିଲାମାନେ କାନାଡ଼ା କିମ୍ବା ଆମେରିକାରେ ବଢ଼ିଥିବେ, କାରଣ ତହବ୍ବୁର ଏହି ଦେଶମାନଙ୍କରେ ଦୀର୍ଘ ସମୟ ବିତାଇଛନ୍ତି। ପିଲାମାନଙ୍କ ଶିକ୍ଷା କିମ୍ବା ପେଷା ବିଷୟରେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ।

ପାକିସ୍ତାନରେ ସମ୍ପର୍କୀୟଙ୍କ ଠିକଣା ଜଣା ନାହିଁ
ତହବ୍ବୁର ଶିକାଗୋ (ଆମେରିକା) ଓ ଟୋରୋଣ୍ଟୋ (କାନାଡ଼ା)ରେ ତାଙ୍କ ବ୍ୟବସାୟ ‘ଫାର୍ଷ୍ଟ ୱାର୍ଲ୍ଡ ଇମିଗ୍ରେସନ ସର୍ଭିସେଜ’ର କାର୍ଯ୍ୟାଳୟ ସ୍ଥାପନ କରିଥିଲେ, ତେଣୁ ତାଙ୍କ ପରିବାର ଏହି ସହରମାନଙ୍କରୁ କୌଣସି ଏକରେ ରହୁଥାଇପାରେ। ତାଙ୍କର ଅଧିକାଂଶ ନିକଟ ସମ୍ପର୍କୀୟ ମଧ୍ୟ ତାଙ୍କ ସହ କିମ୍ବା ଅନ୍ୟ ଦେଶକୁ ଚାଲିଯାଇଥାଇପାରନ୍ତି। ତଥାପି, ପରିବାରର କିଛି ସଦସ୍ୟ(ଦାଦା,ମାମୁ) ସମ୍ଭବତଃ ଏବେ ମଧ୍ୟ ପାକିସ୍ତାନରେ ରହି ଥାଇପାରନ୍ତି। କିନ୍ତୁ ସେମାନଙ୍କ ବିଷୟରେ କୌଣସି ଆଧିକାରିକ ସୂଚନା ନାହିଁ। ତେଣୁ, ଆଜିର ତାରିଖରେ ତହବ୍ବୁରଙ୍କ କେତେ ସମ୍ପର୍କୀୟ ପାକିସ୍ତାନରେ ରହୁଛନ୍ତି, ତାହା କହିବା କଷ୍ଟକର।

Leave a Reply

Your email address will not be published. Required fields are marked *