ରାଣା ସାଙ୍ଗା ମୋଗଲ ବାଦଶାହ ବାବରଙ୍କୁ ଭାରତକୁ ଡାକିଥିଲେ? ବିଜେପି-ସପା ମଧ୍ୟରେ ବାକ୍‌ଯୁଦ୍ଧ ମଧ୍ୟରେ ଜାଣନ୍ତୁ ସତ୍ୟ 

ଉତ୍ତର ପ୍ରଦେଶର ସପା ରାଜ୍ୟସଭା ସାଂସଦ ରାମଜୀ ଲାଲ ସୁମନ ସଦନରେ କହିଛନ୍ତି ଯେ ବାବରଙ୍କୁ ରାଣା ସାଙ୍ଗା ଇବ୍ରାହିମ ଲୋଦୀଙ୍କ ବିରୋଧରେ ଯୁଦ୍ଧ ପାଇଁ ଡାକିଥିଲେ। ଏହି ପରିପ୍ରେକ୍ଷୀରେ ଯଦି ମୁସଲମାନମାନେ ବାବରଙ୍କ ଔରସରୁ ଜାତ, ତେବେ ହିନ୍ଦୁମାନେ ମଧ୍ୟ ବିଶ୍ୱାସଘାତକ ରାଣା ସାଙ୍ଗାଙ୍କ ଔରସରୁ ଜାତ। ଏହି ବୟାନ ଉପରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଭାଜପା ଏହାର କଡ଼ା ନିନ୍ଦା କରି ଏହି ବୟାନକୁ ତୁଷ୍ଟୀକରଣ ରାଜନୀତି ବୋଲି ଅଭିହିତ କରିଛି। ଭାଜପା ସପା ସାଂସଦଙ୍କୁ ଏହି ବୟାନ ପାଇଁ କ୍ଷମା ମାଗିବାକୁ ଦାବି କରିଛି। ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ଏହାର ସମାଲୋଚନା କରିଛି। ଆସନ୍ତୁ ଜାଣିବା ରାଣା ସାଙ୍ଗା କିଏ ଥିଲେ? ସେ କି ବାବରଙ୍କୁ ହିନ୍ଦୁସ୍ତାନ ଆଣିଥିଲେ? 

୧୫୨୬ ଖ୍ରୀଷ୍ଟାବ୍ଦରେ ପାନିପତର ପ୍ରଥମ ଯୁଦ୍ଧରେ ବାବର ଇବ୍ରାହିମ ଲୋଦୀଙ୍କୁ ପରାସ୍ତ କରିଥିଲେ। ଏହା ପରେ ଭାରତରେ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପଡ଼ିଥିଲା। ତେବେ ପାନିପତର ପ୍ରଥମ ଯୁଦ୍ଧରୁ ବହୁ ପୂର୍ବରୁ ବାବର ଭାରତ ଆଡ଼େ ଯାତ୍ରା ଆରମ୍ଭ କରିଥିଲେ, କାରଣ ତୈମୂର ଲଙ୍ଗ ଓ ଚଙ୍ଗେଜ ଖାନଙ୍କ ବଂଶଧର ବାବରଙ୍କୁ ତାଙ୍କ ମାତୃଭୂମି ଫରଗାନାରୁ ତଡ଼ି ଦିଆଯାଇଥିଲା। 

ତେବେ ସେ ନିଜର ସାମ୍ରାଜ୍ୟର ସ୍ୱପ୍ନ ଦେଖୁଥିଲେ। ସେଥିପାଇଁ ସେ କାବୁଲର ଜଙ୍ଗଲୀ ଅଞ୍ଚଳରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇଥିଲେ। ତଥାପି ଫରଗାନା ଓ ସମରକନ୍ଦରେ ଥିବା ତାଙ୍କ ପୈତୃକ ଭୂମିକୁ ଫେରି ପାଇନଥିଲେ। ତେଣୁ ଭାରତର ସମୃଦ୍ଧି ତାଙ୍କୁ ଆକର୍ଷିତ କରିଥିଲା ଓ ଏଠାରେ ଶାସନ କରିବାର ସ୍ୱପ୍ନ ନେଇ ସେ ଆସିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ। 

ମେବାଡ଼ର ଶାସକ ଥିଲେ ମହାରାଣା ସଙ୍ଗ୍ରାମ ସିଂହ 

ରାଣା ସାଙ୍ଗାଙ୍କ ପୂରା ନାମ ଥିଲା ମହାରାଣା ସଙ୍ଗ୍ରାମ ସିଂହ। ଉଦୟପୁରରେ ସିସୋଦିଆ ରାଜପୂତ ରାଜବଂଶରେ ରାଣା ସାଙ୍ଗାଙ୍କ ଜନ୍ମ ୧୪୮୨ ମସିହା ଏପ୍ରିଲ ୧୨ରେ ହୋଇଥିଲା। ସେ ରାଣା ରାୟମଲଙ୍କ ସାନ ପୁଅ ଥିଲେ। ୧୫୦୯ ଖ୍ରୀଷ୍ଟାବ୍ଦରେ ପିତା ମହାରାଣା ରାୟମଲଙ୍କ ମୃତ୍ୟୁ ପରେ ମହାରାଣା ସାଙ୍ଗା ମେବାଡ଼ର ଶାସକ ହୋଇଥିଲେ। ତାଙ୍କୁ ମେବାଡ଼ର ମହାରାଣାମାନଙ୍କ ମଧ୍ୟରେ ସବୁଠାରୁ ପ୍ରତାପୀ ଯୋଦ୍ଧା ବୋଲି ଗଣାଯାଏ। ଯେତେବେଳେ ବାବର ପାନିପତ ଯୁଦ୍ଧରେ ଜିତିଥିଲେ, ସେତେବେଳୁ ତାଙ୍କର ମୁକାବିଲା ମହାରାଣା ସାଙ୍ଗାଙ୍କ ସହିତ ଆରମ୍ଭ ହୋଇଥିଲା। ଇବ୍ରାହିମ ଲୋଦୀଙ୍କୁ ହରାଇବା ପରେ ବାବର ସମଗ୍ର ଭାରତ ଉପରେ ନିଜର ଆଧିପତ୍ୟ ଜାହିର କରିବାକୁ ଚାହୁଁଥିଲେ, କିନ୍ତୁ ରାଣା ସାଙ୍ଗାଙ୍କୁ ପରାସ୍ତ ନକରି ଏହା କୌଣସିମତେ ସମ୍ଭବ ନଥିଲା। 

ପାନିପତ ଯୁଦ୍ଧ ପରେ ଆଫଗାନମାନେ ଶରଣ ନେଇଥିଲେ 

ଅନ୍ୟପଟେ, ପାନିପଥ ଯୁଦ୍ଧ ପରେ ଆଫଗାନ ନେତାମାନେ ପଳାୟନ କରି ମହାରାଣା ସାଙ୍ଗାଙ୍କ ଶରଣରେ ପହଞ୍ଚିଥିଲେ। ଏହି ପରିପ୍ରେକ୍ଷୀରେ ରାଜପୂତ ଓ ଆଫଗାନମାନଙ୍କ ମେଣ୍ଟ ବାବର ପାଇଁ ଭୟର କାରଣ ହୋଇପଡ଼ିଥିଲା। ମହାରାଣା ସାଙ୍ଗା ୧୫୨୭ ମସିହା ଫେବୃଆରୀରେ ହୋଇଥିବା ଯୁଦ୍ଧରେ ବୟାନା ଉପରେ ବିଜୟ ହାସଲ କରିଥିଲେ। ଏହା ବାବର ବିରୋଧରେ ମହାରାଣା ସାଙ୍ଗାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ଥିଲା। ସେହିପରି ରାଜପୂତମାନଙ୍କ ବୀରତ୍ୱର କାହାଣୀ ଶୁଣି ବାବରଙ୍କ ସୈନ୍ୟମାନଙ୍କର ମନୋବଳ ମଧ୍ୟ ଭାଙ୍ଗିବାକୁ ଲାଗିଥିଲା। 

ଖାନୱା ଯୁଦ୍ଧ ମୋଗଲ ସାମ୍ରାଜ୍ୟ ସ୍ଥାପନାର କାରଣ ହେଲା 

ଏହା ୧୫୨୭ ମସିହା ମାର୍ଚ୍ଚ ୧୬ର କଥା। ସକାଳୁ ଭରତପୁରର ଖାନୱାରେ ମହାରାଣା ସାଙ୍ଗା ଓ ବାବରଙ୍କ ସୈନ୍ୟ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ପ୍ରଥମ ଯୁଦ୍ଧରେ ରାଜପୂତମାନେ ଜିତିଥିଲେ, କିନ୍ତୁ ହଠାତ୍ ଏକ ତୀର ରାଣା ସାଙ୍ଗାଙ୍କ ଆଖିରେ ବାଜିଥିଲା। ଏହା ଯୋଗୁଁ ତାଙ୍କୁ ଯୁଦ୍ଧଭୂମିରୁ ଦୂରକୁ ଯିବାକୁ ପଡ଼ିଥିଲା। ଏହି କାରଣରୁ ରାଜପୂତମାନେ ଏହି ଯୁଦ୍ଧରେ ହାରିଥିଲେ। ଏହି ପରାଜୟ ଭାରତରେ ମୋଗଲ ସାମ୍ରାଜ୍ୟର ସ୍ଥାପନାର କାରଣ ହୋଇଥିଲା। ପରେ ତାଙ୍କ ସହଯୋଗୀ ସରଦାରମାନେ ରାଣା ସାଙ୍ଗାଙ୍କୁ ବିଷ ଦେଇ ହତ୍ୟା କରିଥଇଲେ। ୧୫୨୮ ମସିହା ଜାନୁଆରୀ ୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା। 

ବାବର ନିଜେ ରାଣା ସାଙ୍ଗାଙ୍କଠାରୁ ସାହାଯ୍ୟ ମାଗିଥିଲେ 

ଅନେକ ସମୟରେ କୁହାଯାଏ ଯେ ବାବରଙ୍କ ଭାରତ ଆଡ଼େ ଆସିବାର କାରଣ ମେବାଡ଼ର ମହାରାଣାଙ୍କ ନିମନ୍ତ୍ରଣ ଥିଲା। ଆସଲରେ ଏହି ପତ୍ର ବାବର ନିଜେ ରାଣା ସାଙ୍ଗାଙ୍କୁ ପଠାଇଥିଲେ। ଦିଲ୍ଲୀର ଶାସକ ଇବ୍ରାହିମ ଲୋଦୀଙ୍କୁ ହରାଇବା ପାଇଁ ସେ ନିଜେ ମହାରାଣାଙ୍କୁ ନିମନ୍ତ୍ରଣ ପଠାଇଥିଲେ, କାରଣ ରାଣା ସାଙ୍ଗା ଇବ୍ରାହିମ ଲୋଦୀଙ୍କୁ ୧୮ ଥର ହରାଇ ସାରିଥିଲେ। 

ମିଡ଼ିଆ ରିପୋର୍ଟରେ ଇତିହାସବିତ୍ ଜି.ଏନ. ଶର୍ମା ଓ ଗୌରୀଶଙ୍କର ହୀରାଚନ୍ଦ ଓଝାଙ୍କୁ ଉଦ୍ଧୃତ କରି କୁହାଯାଇଛି ଯେ ବାବର ରାଣା ସାଙ୍ଗାଙ୍କୁ ଇବ୍ରାହିମ ଲୋଦୀଙ୍କ ବିରୋଧରେ ଏକ ସାଧାରଣ ଶତ୍ରୁ ଭାବରେ ଦେଖିଥିଲେ ଏବଂ ଦିଲ୍ଲୀର ଶାସକଙ୍କ ବିରୋଧରେ ମେଣ୍ଟ ଆଶାରେ ସେ ନିଜେ ରାଣା ସାଙ୍ଗାଙ୍କ ସହ ଯୋଗାଯୋଗ କରିଥିଲେ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ପ୍ରାରମ୍ଭରେ ରାଣା ସାଙ୍ଗା ଏଥିପାଇଁ ପ୍ରସ୍ତୁତ ଦେଖାଯାଉଥିଲେ, କିନ୍ତୁ ମେବାଡ଼ ଦରବାରରେ ସମ୍ଭବତଃ ତାଙ୍କ ପରାମର୍ଶଦାତାଙ୍କ ବିରୋଧ ଯୋଗୁଁ ରାଣା ସାଙ୍ଗା ଏହି ମେଣ୍ଟରୁ ନିଜକୁ ପଛକୁ ହଟାଇ ନେଇଥିଲେ। ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ରାଣା ସାଙ୍ଗା କେବେ ହେଲେ ବାବରଙ୍କୁ ନିମନ୍ତ୍ରଣ ପଠାଇ ନଥିଲେ। 

ଦିଲ୍ଲୀ ସଲତାନତ ସହ ଜଡ଼ିତ ଲୋକମାନେ ହିଁ ବାବରଙ୍କୁ ଆମନ୍ତ୍ରଣ କରିଥିଲେ 

ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ ଯେ ଆଖିରି ବାବରଙ୍କୁ ନିମନ୍ତ୍ରଣ କିଏ ପଠାଇଥିଲା। ଏହାର ଉତ୍ତର ଇତିହାସରେ ହିଁ ଲୁଚି ରହିଛି। ଏହା ୧୫୨୩ ମସିହାର କଥା, ଯେତେବେଳେ ଦିଲ୍ଲୀ ସଲତାନତର ପ୍ରମୁଖ ବ୍ୟକ୍ତିମାନଙ୍କଠାରୁ ବାବରଙ୍କୁ ନିମନ୍ତ୍ରଣ ମିଳିଥିଲା। ଏମାନଙ୍କ ମଧ୍ୟରେ ସୁଲତାନ ସିକନ୍ଦର ଲୋଦୀଙ୍କ ଭାଇ ଆଲମ ଖାନ ଲୋଦୀ, ପଞ୍ଜାବର ଗଭର୍ନର ଦୌଲତ ଖାନ ଲୋଦୀ ଓ ଇବ୍ରାହିମ ଲୋଦୀଙ୍କ ମାମା ଆଲାଉଦ୍ଦୀନ ସାମିଲ ଥିଲେ। 

ଏହି ଲୋକମାନେ ଇବ୍ରାହିମ ଲୋଦୀଙ୍କ ଦିଲ୍ଲୀ ଶାସନକୁ ଚ୍ୟାଲେଞ୍ଜ କରିବା ଉଦ୍ଦେଶ୍ୟରେ ବାବରଙ୍କ ସାହାଯ୍ୟ ମାଗିଥିଲେ। ଖାସକରି ଇବ୍ରାହିମ ଲୋଦୀଙ୍କ ଶାସନକାଳରେ ପଞ୍ଜାବର ସୁବେଦାର ଥିବା ଦୌଲତ ଖାନ ବାବରଙ୍କ ସାହାଯ୍ୟରେ ଦିଲ୍ଲୀର ସୁଲତାନଙ୍କୁ ଦୁର୍ବଳ କରି ଦିଲ୍ଲୀକୁ ନିଜ ଶାସନର ଅଂଶ କରିବାକୁ ଚାହୁଁଥିଲେ। 

ଇତିହାସବିତ୍‌ମାନଙ୍କ ମତରେ, ବାବରନାମାରେ ରାଣା ସାଙ୍ଗାଙ୍କ ଏକ ନିମନ୍ତ୍ରଣର ଉଲ୍ଲେଖ ନିଶ୍ଚିତ ଭାବେ କରାଯାଇଛି। ତେବେ ଏହି ନିମନ୍ତ୍ରଣରେ ପାନିପତ ଯୁଦ୍ଧ ପରେ ଘଟଣାର ଉଲ୍ଲେଖ ରହିଛି, ଯେତେବେଳେ ବାବର ନିଜେ ରାଜପୂତ ରାଜା ରାଣା ସାଙ୍ଗାଙ୍କ ବିରୋଧରେ ଯୁଦ୍ଧର ପ୍ରସ୍ତୁତି କରୁଥିଲେ। ଏହି ପରିପ୍ରେକ୍ଷୀରେ ଏହା କହିବା ଯେ ରାଣା ସାଙ୍ଗା ବାବରଙ୍କୁ ଭାରତ ଡାକିଥିଲେ, କୌଣସିମତେ ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *