ଦେହବ୍ୟବସାୟକୁ ବିଶ୍ୱର ସବୁଠାରୁ ପୁରୁଣା ପେଶା ବୋଲି କୁହାଯାଏ। ଏହା ଏପରି ଏକ ପେଶା ଯାହାର ଅନ୍ତ କେବେ ହୋଇପାରିବ ନାହିଁ। ଟଙ୍କା ବଦଳରେ ଶାରୀରିକ ସମ୍ପର୍କ ରଖିବାର ବ୍ୟବସାୟକୁ ଦେହ ବ୍ୟାପାର ବା ବେଶ୍ୟାବୃତ୍ତି କୁହାଯାଏ। ଦେହ ବ୍ୟାପାରକୁ ଅନୈତିକ କାମ ବୋଲି ଗଣାଯାଏ। ଦେହବ୍ୟବସାୟ ପେସା ବାବଦରେ ଅନେକ ସବୁ ନକାରାତ୍ମକ କଥା ଶୁଣିବାକୁ ମିଳେ। କେବେ ବଳପୂର୍ବକ ଦେହବ୍ୟବସାୟ କରିବାର ଖବର ହେଉ କିମ୍ବା ମାଫିଆ ଦ୍ୱାରା ହ୍ୟୁମେନ୍ ଟ୍ରାଫିକିଂ ହେଉ। ଦେହ ବ୍ୟବସାୟରେ ଥିବା ଯୁବତୀ,ମହିଳାଙ୍କୁ ଶାରୀରିକ ଶୋଷଣର ସାମ୍ନା କରିବାକୁ ପଡ଼େ। ସେମାନଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ କାମ କରିବାକୁ ବାଧ୍ୟ କରାଯାଏ।
ଦେହ ବ୍ୟାପାର ସହ ଜଡ଼ିତ ଅପରାଧ ପାଇଁ ଅଧିକାଂଶ ଦେଶର ଆଇନରେ କଡ଼ା ଦଣ୍ଡର ବ୍ୟବସ୍ଥା ରହିଛି। କିଛି ଦେଶରେ ଏହା ବେଆଇନ ଅଟେ, ଆଉ କିଛି ଦେଶରେ ଏହାକୁ ଆଇନଗତ ମାନ୍ୟତା ମିଳିଛି। ଅଧିକାଂଶ ମୁସଲିମ ଦେଶରେ ଦେହ ବ୍ୟାପାର ନେଇ କଡ଼ା ଆଇନ ରହିଛି। କିନ୍ତୁ, ଏମିତି ଏକ ମୁସଲିମ ଦେଶ ଅଛି, ଯେଉଁଠାରେ ଏହି ପେଶା କେବଳ ଆଇନଗତ ନୁହେଁ, ବରଂ ଏଥିପାଇଁ ଲାଇସେନ୍ସ ମଧ୍ୟ ଜାରି କରାଯାଏ। ବିଶ୍ୱର ପ୍ରାୟ ୪୯ଟି ଦେଶରେ ଦେହ ବ୍ୟାବସାୟ ଆଇନଗତ,ଅର୍ଥାତ୍ ବେଆଇନ ନୁହେଁ। ସେହିପରି, କିଛି ଦେଶରେ ଏହି ପେଶାକୁ ଆଇନଗତ ମାନ୍ୟତା ଦିଆଯାଇଛି, କିନ୍ତୁ ସର୍ତ୍ତ ସହିତ।
ରଜିଷ୍ଟ୍ରେସନ୍ ଜରୁରି
ଭାରତରେ ମଧ୍ୟ ଦେହ ବ୍ୟାପାର ହୁଏ, କିନ୍ତୁ ଲୁଚିଛପି। କିନ୍ତୁ ଭାରତରେ ଏପର୍ଯ୍ୟନ୍ତ ଏହାକୁ ଆଇନଗତ ମାନ୍ୟତା ଦିଆଯାଇ ନାହିଁ। ଅନ୍ୟପଟେ, ଭାରତର ପଡ଼ୋଶୀ ମୁସଲିମ ଦେଶ ବାଂଲାଦେଶରେ ଦେହ ବ୍ୟାପାର ଆଇନଗତ ବ୍ୟବସାୟ ଅଟେ। ବାଂଲାଦେଶ ସରକାର ଏହି ପେଶା ସହ ଜଡ଼ିତ ଲୋକଙ୍କ ପାଇଁ କିଛି ନିୟମ-କାନୁନ ପ୍ରଣୟନ କରିଛନ୍ତି। ବାଂଲାଦେଶରେ ଯେ କେହି ଏମିତି ଦେହ ବ୍ୟାପାର ଆରମ୍ଭ କରିପାରିବେ ନାହିଁ। ଏଥିପାଇଁ ପ୍ରଥମେ ରଜିଷ୍ଟ୍ରେସନ୍ କରାଇବାକୁ ପଡ଼େ। ଏହା ସହିତ ଏକ ସତ୍ୟପାଠ ମଧ୍ୟ ଦାଖଲ କରିବାକୁ ହୋଇଥାଏ। ଏହି ପେଶାକୁ ଆସୁଥିବା ମହିଳା ନିଜ ଇଚ୍ଛାରେ ଏହି କାମ ଆରମ୍ଭ କରୁଛନ୍ତି, କାରଣ ତାଙ୍କୁ ଅନ୍ୟ କୌଣସି କାମ ମିଳୁନାହିଁ ବୋଲି ସତ୍ୟପାଠ ଦେବାକୁ ପଡ଼େ।
ଦେହ ବ୍ୟବସାୟରେ ବାଂଲାଦେଶରେ ୨ ଲକ୍ଷ ମହିଳା
ବାଂଲାଦେଶରେ ଦେହ ବ୍ୟାପାର ଉପରେ ସରକାରୀ ନିୟନ୍ତ୍ରଣ ରହିଛି। ଏକ ଅଣସରକାରୀ ସଂଗଠନ (ଏନଜିଓ)ର ରିପୋର୍ଟ ଅନୁସାରେ, ବାଂଲାଦେଶରେ ପ୍ରାୟ ୨ ଲକ୍ଷ ମହିଳା ଦେହ ବ୍ୟାପାର ସହ ଜଡ଼ିତ ଅଛନ୍ତି। ଏଥିରେ କୁହାଯାଇଛି ଯେ ବାଂଲାଦେଶରେ ଦେହ ବ୍ୟାପାରର ସବୁଠାରୁ ବଡ଼ ଅଞ୍ଚଳ ହେଉଛି ଦୌଲତଦିୟା। ଏହି ଅଞ୍ଚଳରେ ପ୍ରାୟ ୧,୩୦୦ ମହିଳା ଏହି ପେଶା ସହ ଜଡ଼ିତ ଅଛନ୍ତି। ବାଂଲାଦେଶରେ ଦେହ ବ୍ୟାପାରକୁ ଆଇନଗତ ମାନ୍ୟତା ମିଳିଥିଲେ ମଧ୍ୟ, ସମ୍ବିଧାନରେ ଜୁଆ ଏବଂ ଦେହ ବ୍ୟାପାରକୁ ରୋକିବା ପାଇଁ ଚେଷ୍ଟା କରିବାର ବ୍ୟବସ୍ଥା ରହିଛି। ବାଂଲାଦେଶର ଆଇନ ଅନୁସାରେ ଶିଶୁ ଦେହ ବ୍ୟାପାର, ଜବରଦସ୍ତୀ ଦେହ ବ୍ୟାପାର ଏବଂ ଲାଇସେନ୍ସ ବିନା ଦେହ ବ୍ୟାପାର ସ୍ଥାନଗୁଡ଼ିକ ଉପରେ ପ୍ରତିବନ୍ଧକ ଲାଗିଛି।
ବଳପୂର୍ବକ ଦେହବ୍ୟବସାୟ ଚିନ୍ତାର କାରଣ
ବାଂଲାଦେଶରେ ଦେହ ବ୍ୟାପାର ୨୦୦୦ମସିହାରୁ ବୈଧ ଅଟେ, କିନ୍ତୁ ଜବରଦସ୍ତୀ ଏହି ଧନ୍ଦାକୁ ଠେଲିବା ଏହି ମୁସଲିମ ଦେଶରେ ଚିନ୍ତାର କାରଣ ହୋଇଛି। ଏଠାରେ ବହୁତ ଛୋଟ ବୟସରେ ଝିଅମାନଙ୍କୁ ଦେହ ବ୍ୟାପାରରେ ଠେଲି ଦିଆଯାଆନ୍ତି। ଗାଁର ଗରିବ ଲୋକ, ଯାହାଙ୍କ ପାଇଁ ନିଜ ପିଲାମାନଙ୍କୁ ପାଳିବା କଷ୍ଟକର, ସେମାନେ ଝିଅମାନଙ୍କୁ ବିକ୍ରି କରିଦିଅନ୍ତି। ଏଥିପାଇଁ ସେମାନଙ୍କୁ କିଛି ହଜାର ଟଙ୍କା ମିଳିଯାଏ। କିଛି ମାମଲାରେ ବିବାହର ପ୍ରଲୋଭନ ଦେଖାଇ ଦଲାଲମାନେ ଝିଅମାନଙ୍କୁ ଫୁସଲାଇ ଆଣି ବେଶ୍ୟାଳୟକୁ ବିକ୍ରି କରିଦିଅନ୍ତି। ଏହି କାରଣରୁ ବାଂଲାଦେଶରେ କମ୍ ବୟସର ଝିଅମାଙ୍କ ଦେହ ବ୍ୟାପାର ଏକ ଗମ୍ଭୀର ସମସ୍ୟା ହୋଇଛି। ଏକ ଅନୁମାନ ଅନୁସାରେ,ଏପରି ୨୯,୦୦୦ ଝିଅ ଏବେ ଏହି ପଙ୍କରେ ଫସି ରହିଛନ୍ତି।
ଏହି ଦେଶରେ ସରକାରଙ୍କୁ ଟ୍ୟାକ୍ସ ଦିଅନ୍ତି ରୂପଜିବୀ
ବାଂଲାଦେଶ ପରି ଯୁରୋପୀୟ ଦେଶ ଅଷ୍ଟ୍ରିଆରେ ମଧ୍ୟ ଦେହ ବ୍ୟାପାର ଆଇନଗତ ଅଟେ। ଏଥି ସହ ଜଡ଼ିତ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ମଧ୍ୟ ସରକାର ଦ୍ୱାରା ନିଆଯାଏ। ଅଷ୍ଟ୍ରିଆରେ ଏହି ପେଶା ସହ ଯୋଡ଼ି ହେଉଥିବା ମହିଳାଙ୍କର ରଜିଷ୍ଟ୍ରେସନ୍ କରାଯାଏ। ତା’ପରେ ସମୟ ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ। ଏଠାରେ ଅତିକମରେ ୧୯ ବର୍ଷର ଝିଅ ହିଁ ଏହି ପେଶାକୁ ଆସି ପାରିବେ। ଏଠାରେ ମହିଳାମାନେ ନିଜ ଆୟ ଉପରେ ସରକାରଙ୍କୁ ଟ୍ୟାକ୍ସ ଦିଅନ୍ତି। ସେହିପରି, ଅଷ୍ଟ୍ରେଲିଆରେ ଦେହ ବ୍ୟାପାର ନେଇ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଆଇନ ରହିଛି। କିଛି ରାଜ୍ୟରେ ଏହାକୁ ଆଇନଗତ ମାନ୍ୟତା ମିଳିଛି ତ କିଛିରେ ଏହା ବେଆଇନ ଅଟେ। ଅଷ୍ଟ୍ରେଲିଆରେ ମଧ୍ୟ ଦେହ ବ୍ୟାପାର ସ୍ଥାନଗୁଡ଼ିକ ପାଇଁ ଲାଇସେନ୍ସ ବ୍ୟବସ୍ଥା ରହିଛି। ବେଲଜିୟମରେ ଦେହ ବ୍ୟାପାର ପାଇଁ ଲାଇସେନ୍ସ ମିଳେ। ଏଠାରେ ଏହି ପେଶାକୁ କଳା ଭାବେ ଗ୍ରହଣ କରାଯାଏ।
ନ୍ୟୁଜିଲ୍ୟାଣ୍ଡ ଦିଏ ପେନସନ୍
ନ୍ୟୁଜିଲ୍ୟାଣ୍ଡରେ ୨୦୦୩ ମସିହାରେ ଦେହ ବ୍ୟାପାରକୁ ଆଇନଗତ ମାନ୍ୟତା ଦିଆଯାଇଛି। ଏଥିପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ରୋଜଗାର କାନୁନ ଅନ୍ତର୍ଗତ ଦେହ ବ୍ୟାପାର ସ୍ଥାନଗୁଡ଼ିକୁ ଲାଇସେନ୍ସ ଜାରି କରାଯାଏ। ଏଠାରେ କାମ କରୁଥିବା ମହିଳାଙ୍କୁ ଅନ୍ୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପରି ସାମାଜିକ ସୁବିଧା ମିଳେ। ଦେହ ବ୍ୟାପାର ମାମଲାରେ ନେଦରଲ୍ୟାଣ୍ଡସର ଆମଷ୍ଟରଡ଼ାମର ‘ରେଡ୍ ଲାଇଟ୍ ଏରିଆ’ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ସ୍ଥାନ ଅଟେ। ସେହିପରି, ଜର୍ମାନୀରେ ଦେହ ବ୍ୟାପାରକୁ ସର୍ବପ୍ରଥମେ ଆଇନଗତ ଅଧିକାର ଦିଆଯାଇଥିଲା। ଏଠାରେ ୧୯୨୭ ମସିହାରୁ ଦେହ ବ୍ୟାପାର ପାଇଁ ଲାଇସେନ୍ସ ବ୍ୟବସ୍ଥା ରହିଛି। ଏହି ପେଶା ସହ ଜଡ଼ିତ ମହିଳାଙ୍କୁ ସ୍ୱାସ୍ଥ୍ୟ ସୁବିଧା ସହ ବୀମା ମଧ୍ୟ ଯୋଗାଇ ଦିଆଯାଏ। ଜର୍ମାନୀରେ ଯୌନକର୍ମୀମାନେ ନିଜ ଆୟ ଉପରେ ଟ୍ୟାକ୍ସ ଦିଅନ୍ତି। ଏତଦ ବ୍ୟତୀତ, ସେମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ମଧ୍ୟ ରହିଛି।