ଜମ୍ମୁ-କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ କେନ୍ଦ୍ର ସରକାର କଡା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି। ପାକିସ୍ତାନ ବିରୁଦ୍ଧରେ କେତେକ କଡା ନିଷ୍ପତ୍ତି ନେବା ପରେ ଏବେ ଏହି ଆତଙ୍କବାଦୀ ଆକ୍ରମଣର ତଦନ୍ତ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (ଏନଆଇଏ)କୁ ହସ୍ତାନ୍ତର କରାଯାଇଛି। ଆସନ୍ତୁ ଜାଣିବା ଏନଆଇଏ କିପରି କାମ କରେ ଏବଂ ଏହାର କେତେ କ୍ଷମତା ଓ ସୁବିଧା ରହିଛି।
ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (ଏନଆଇଏ) କ’ଣ?
ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି ବା ଏନଆଇଏ ହେଉଛି ଦେଶରେ ଆତଙ୍କବାଦର ମୁକାବିଲା ପାଇଁ ଗଠିତ ଏକ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି, ଯାହା ଭାରତ ସରକାରଙ୍କ ଦ୍ୱାରା ଏନଆଇଏ ଆଇନ-୨୦୦୮ ଅନୁଯାୟୀ ଗଠିତ ହୋଇଛି। ୨୦୦୮ ମସିହା ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ଆତଙ୍କବାଦର ମୁକାବିଲା ପାଇଁ ଏହି କେନ୍ଦ୍ରୀୟ ଏଜେନ୍ସି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଏଜେନ୍ସି ସିଧାସଳଖ ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ।
କେଉଁ ଅପରାଧର ତଦନ୍ତ କରିବାର ଅଧିକାର?
ଏନଆଇଏକୁ , ତସ୍କରି, ଜାଲ ମୁଦ୍ରା ଓ ବ୍ୟାଙ୍କ ନୋଟ ସମ୍ବନ୍ଧୀୟ ଅପରାଧ, ସାଇବର ଆତଙ୍କବାଦ, ବିସ୍ଫୋରକ ପଦାର୍ଥ ସମ୍ବନ୍ଧୀୟ ଅପରାଧ, ନିଷିଦ୍ଧ ଅସ୍ତ୍ରଶସ୍ତ୍ରର ଉତ୍ପାଦନ ଓ ବିକ୍ରୟ ଆଦି ଅପରାଧର ତଦନ୍ତ କରିବାର ଅଧିକାର ରହିଛି। ଏହାଛଡା ଏନଆଇଏ ଅଧିକାରୀମାନଙ୍କୁ ଏହି ସମସ୍ତ ଅପରାଧର ତଦନ୍ତ ପାଇଁ ପୁଲିସ ଅଧିକାରୀଙ୍କ ସମାନ କ୍ଷମତା ମିଳିଛି।
ଏନଆଇଏକୁ ବିଦେଶରେ ହେଉଥିବା ଅପରାଧର ତଦନ୍ତ କରିବାର ମଧ୍ୟ ଅଧିକାର ରହିଛି, ଯାହା ଅନ୍ତର୍ଜାତୀୟ ଚୁକ୍ତି ଓ ଅନ୍ୟ ଦେଶର ଆଭ୍ୟନ୍ତରୀଣ ଆଇନ ଅନୁଯାୟୀ ଆସେ। କେନ୍ଦ୍ର ସରକାରଙ୍କୁ ଭାରତରେ ଘଟୁଥିବା ସମସ୍ତ ସୂଚୀବଦ୍ଧ ଅପରାଧର ତଦନ୍ତ ପାଇଁ ଏନଆଇଏକୁ ସିଧାସଳଖ ନିର୍ଦ୍ଦେଶ ଦେବାର ଅଧିକାର ରହିଛି। ଅନ୍ତର୍ଜାତୀୟ ଚୁକ୍ତି, ସମ୍ମେଳନ ଓ ଜାତିସଂଘର ପ୍ରସ୍ତାବ ତଥା ଅନ୍ୟ ଅନ୍ତର୍ଜାତୀୟ ସଂଗଠନଙ୍କ ଚୁକ୍ତିକୁ କାର୍ଯ୍ୟକାରୀ କରିବା ମଧ୍ୟ ଏନଆଇଏର ଦାୟିତ୍ୱ।
କେଉଁ ଆଇନ ଅନୁଯାୟୀ ଦିଆଯାଇଛି ଅଧିକାର?
ସରକାର ଏନଆଇଏ (ସଂଶୋଧନ) ଆଇନ-୨୦୧୯ ମାଧ୍ୟମରେ ଭାରତ ବାହାରେ ହେଉଥିବା ଏଭଳି ସୂଚୀବଦ୍ଧ ଅପରାଧର ତଦନ୍ତ କରିବାର ଅଧିକାର ଦେଇଛନ୍ତି, ଯେଉଁଥିରେ ଭାରତୀୟ ନାଗରିକ ସାମିଲ ଥାଆନ୍ତି ବା ଯାହା ଭାରତ ସହ ଜଡିତ। ସେହିପରି ବିସ୍ଫୋରକ ପଦାର୍ଥ ଆଇନ-୧୯୦୮, ମାନବ ପାଚାର, ସାଇବର ଆତଙ୍କବାଦ ଓ ଅସ୍ତ୍ରଶସ୍ତ୍ର ଆଇନ-୧୯୫୯ ମାଧ୍ୟମରେ ଏନଆଇଏକୁ ଅଧିକାର ପ୍ରଦାନ କରାଯାଇଛି।
ବିଭିନ୍ନ ସୁରକ୍ଷା ବାହିନୀରୁ ଗଠିତ ହୁଏ ଏନଆଇଏ
ଏନଆଇଏ ଅଧିକାରୀଙ୍କ ପାଇଁ କୌଣସି ପୃଥକ ନିଯୁକ୍ତି ପ୍ରକ୍ରିୟା ନାହିଁ। ଏହି ଅଧିକାରୀମାନଙ୍କୁ ଭାରତୀୟ ପୁଲିସ ସେବା (ଆଇପିଏସ), ଭାରତୀୟ ରାଜସ୍ୱ ସେବା (ଆଇଆରଏସ), ରାଜ୍ୟ ପୁଲିସ, ଆୟକର ବିଭାଗ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଯଥା ସିଆରପିଏଫ, ଆଇଟିବିପି ଓ ବିଏସଏଫରୁ ଚୟନ କରାଯାଏ। ଏନଆଇଏରେ କର୍ମଚାରୀ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ହୁଏ।
ଦିଲ୍ଲୀରେ ଅବସ୍ଥିତ ଏନଆଇଏର ମୁଖ୍ୟାଳୟ
୨୦୨୪ ଡିସେମ୍ବରରେ କେନ୍ଦ୍ରୀୟ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ଏନଆଇଏର ମୁଖ୍ୟାଳୟ ଦିଲ୍ଲୀରେ ଅବସ୍ଥିତ। ଏହାର ଦୁଇଟି ଜୋନାଲ କାର୍ଯ୍ୟାଳୟ ଗୁଆହାଟୀ ଓ ଜମ୍ମୁରେ ରହିଛି। ଏହାଛଡା ଦେଶବ୍ୟାପୀ ୨୧ଟି ଶାଖା କାର୍ଯ୍ୟାଳୟ ରହିଛି। ଏନଆଇଏ ପାଇଁ ମୋଟ ୧୯୦୧ଟି ପଦ ସୃଷ୍ଟି କରାଯାଇଛି, ଯେଉଁଥିରୁ ୬୬୪ଟି ପଦ ଗତ ପାଞ୍ଚ ବର୍ଷରେ ସୃଷ୍ଟି ହୋଇଛି। ଆରମ୍ଭରେ ୨୦୦୯-୧୦ ମସିହାରେ ସରକାର ଏନଆଇଏ ପାଇଁ ୧୨.୦୯ କୋଟି ଟଙ୍କା ବରାଦ କରିଥିଲେ। ୨୦୧୪-୧୫ରେ ଏହାକୁ ବୃଦ୍ଧି କରି ୯୧.୩୨ କୋଟି କରାଯାଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ଏହାକୁ ଆହୁରି ବୃଦ୍ଧି କରାଯାଇ ୩୯୪.୬୬ କୋଟି କରାଯାଇଛି।
ଦେଶବ୍ୟାପୀ ୫୧ଟି ଏନଆଇଏ ସ୍ପେଶାଲ କୋର୍ଟ
ସରକାର ଦେଶବ୍ୟାପୀ ୫୧ଟି ଏନଆଇଏ ସ୍ପେଶାଲ କୋର୍ଟ ସ୍ଥାପନ କରିଛନ୍ତି, ଯେଉଁଥିରୁ ରାଞ୍ଚୀ ଓ ଜମ୍ମୁରେ ଥିବା ଦୁଇଟି କୋର୍ଟ ଖାସ କରି ଏନଆଇଏ ତଦନ୍ତ ଅଧୀନରେ ଆସୁଥିବା ସୂଚୀବଦ୍ଧ ମାମଲାର ଶୁଣାଣି ପାଇଁ ସ୍ଥାପିତ ହୋଇଛି। ଏହି କୋର୍ଟ ମାଧ୍ୟମରେ ମାମଲାର ଶୁଣାଣି ତୁରନ୍ତ ହୁଏ ଓ ନିଷ୍ପତ୍ତି ଶୀଘ୍ର ଆସେ। ଏନଆଇଏ ନିଜର ଗଠନ ପରେ ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ୬୪୦ଟି ମାମଲା ରୁଜୁ କରିଛି, ଯେଉଁଥିରୁ ୧୪୭ଟି ମାମଲାରେ ନିଷ୍ପତ୍ତି ହୋଇଛି। ଏଥିରେ ଦଣ୍ଡ ହାର ୯୫.୨୩ ପ୍ରତିଶତ ରହିଛି।

ଏନଆଇଏର କ୍ଷମତା ବୃଦ୍ଧି ପାଇଁ ଉପାୟ
ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ମାମଲାରୁ ରକ୍ଷା, ତଦନ୍ତ ଓ ଦଣ୍ଡ ପାଇଁ ସରକାର ଏନଆଇଏର କ୍ଷମତା ବୃଦ୍ଧି କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି। ଡାଟା ବିଶ୍ଳେଷଣ ପାଇଁ ସୁବିଧା ଯୋଗାଇବା ନିମନ୍ତେ ନ୍ୟାସନାଲ ଟେରର ଡାଟା ଫ୍ୟୁଜନ ଆଣ୍ଡ ଆନାଲିସିସ ସେନ୍ଟର ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ତଦନ୍ତ ପ୍ରକ୍ରିୟାରେ ଡାଟାର ସ୍ୱୟଂଚାଳିତ ଓ ଡିଜିଟାଇଜେସନରୁ ସହାୟତା ମିଳେ।
୨୦୧୮ ଜାନୁଆରୀରେ ସରକାର ଏନଆଇଏରେ ଆଇଏସଆଇଏସ ଇନଭେଷ୍ଟିଗେସନ ରିସର୍ଚ ସେଲ ସ୍ଥାପନ କରିଥିଲେ, ଯାହାର କାର୍ଯ୍ୟକ୍ଷେତ୍ରକୁ ବୃଦ୍ଧି କରି ଅନ୍ୟ ଆତଙ୍କବାଦୀ ବିପଦରୁ ମୁକାବିଲା ପାଇଁ ଏହାର ନାମ କାଉଣ୍ଟର ଟେରରିଜମ ରିସର୍ଚ ସେଲ ରଖାଯାଇଛି। ଏନଆଇଏରେ ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ଡିଭିଜନ, ଆଣ୍ଟି ସାଇବର ଟେରରିଜମ ଡିଭିଜନ ଓ ଲିଗାଲ ଏକ୍ସପର୍ଟ ଡିଭିଜନ ମଧ୍ୟ ଗଠନ କରାଯାଇଛି।
ଆତଙ୍କୀ ଅର୍ଥସହାୟତା ଓ ଜାଲ ମୁଦ୍ରା ମାମଲାରେ ଏନଆଇଏ
ଆତଙ୍କୀ ଅର୍ଥସହାୟତା ଓ ଜାଲ ଭାରତୀୟ ନୋଟ ସମ୍ବନ୍ଧୀୟ ମାମଲାର ତଦନ୍ତ ପାଇଁ କେନ୍ଦ୍ରୀୟ ସ୍ତରରେ ଏନଆଇଏ ହିଁ ନୋଡାଲ ଏଜେନ୍ସି। ଏହି ତଦନ୍ତ ପାଇଁ ଏନଆଇଏରେ ଏକ ଟେରର ଫଣ୍ଡିଂ ଆଣ୍ଡ ଫେକ କରେନ୍ସି ସେଲ ମଧ୍ୟ ଗଠନ କରାଯାଇଛି।