୬୬ ପ୍ରତିଶତ ମୁସଲିମ୍ ବହୁଳ ମୁର୍ଶିଦାବାଦ ହିଂସା ପଛରେ କିଏ ?

ପଶ୍ଚିମବଙ୍ଗର ମୁସଲମାନ ବହୁଳ ମୁର୍ଶିଦାବାଦ ଜିଲ୍ଲାରେ ୱାକଫ (ସଂଶୋଧନ) ଅଧିନିୟମ ୨୦୨୫ ବିରୋଧରେ ହୋଇଥିବା ବିକ୍ଷୋଭ ସମୟରେ ସଂଘଟିତ ହିଂସା ଘଟଣାରେ ପ୍ରଶାସନ ଏପର୍ଯ୍ୟନ୍ତ ୧୦୦ ଜଣଙ୍କୁ ଗିରଫ କରିଛି। ଏହି ହିଂସା ମଙ୍ଗଳବାର ଜଙ୍ଗୀପୁର ଅଞ୍ଚଳରେ ଆରମ୍ଭ ହୋଇଥିଲା, ଯେତେବେଳେ ହଜାର ହଜାର ଲୋକ ବିବାଦୀୟ ୱାକଫ ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରି ରାସ୍ତାରେ ଓହ୍ଲାଇଥିଲେ। ଏହାପରେ ଶୁକ୍ରବାର ଜୁମା ନମାଜ ସମୟରେ ଏଠାରେ ପୁନର୍ବାର ହିଂସା ସୃଷ୍ଟି ହୋଇଥିଲା ଏବଂ ଏଥିରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଶୁକ୍ରବାର ଏହି ଅଞ୍ଚଳରେ ପଥରବାଜି ଓ ଅଗ୍ନିସଂଯୋଗର ଘଟଣା ପୁନରାବୃତ୍ତି ହୋଇଥିଲା। ଏହାପରେ ହିଂସା ପ୍ରଭାବିତ ଅଞ୍ଚଳମାନଙ୍କରେ ବିଏସଏଫ (ଭାରତୀୟ ସୀମା ସୁରକ୍ଷା ବାହିନୀ) ମୁତୟନ କରାଯାଇଛି। ଶୁକ୍ରବାର ସୂତୀ ଏବଂ ଶମଶେରଗଞ୍ଜରେ ହିଂସା ଘଟିଥିଲା।

ମୁର୍ଶିଦାବାଦ ଏକ ମୁସଲମାନ ବହୁଳ ଜିଲ୍ଲା। ଏଠାକାର ମୋଟ ଜନସଂଖ୍ୟାର ୬୬.୨୭ ପ୍ରତିଶତ ମୁସଲମାନ ସମ୍ପ୍ରଦାୟର ଲୋକ। ଜିଲ୍ଲାର ଜଙ୍ଗୀପୁର ଅଞ୍ଚଳ ମଧ୍ୟ ମୁସଲମାନ ବହୁଳ। କିନ୍ତୁ, ବର୍ତ୍ତମାନ ପରିସ୍ଥିତି ସାଧାରଣ ହୋଇଛି। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରଚୁର ପୁଲିସ ବଳ ମୁତୟନ କରାଯାଇଛି। ଜଙ୍ଗୀପୁରରେ ଏବେ ମଧ୍ୟ ଇଣ୍ଟରନେଟ ସେବା ବନ୍ଦ ରହିଛି। ରେଳ ସେବା ଉପରେ କୌଣସି ବାଧା ନାହିଁ।

ବିଜେପି ଆକ୍ରମଣାତ୍ମକ

ଏହା ମଧ୍ୟରେ ବଙ୍ଗଳ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ମୁର୍ଶିଦାବାଦ ଜିଲ୍ଲାର ଜଲଙ୍ଗୀ ବିଡିଓ କାର୍ଯ୍ୟାଳୟରେ ହୋଇଥିବା ତୋଡ଼ଫୋଡ଼ ଘଟଣାରୁ ସେ ବହୁତ କ୍ରୋଧିତ ଓ ଦୁଃଖୀ। ସେ ଏହାର ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଏହି ତୋଡ଼ଫୋଡ଼ କଥିତ ରୂପେ ୱାକଫ ବିରୋଧୀ ଆଇନ ବିରୁଦ୍ଧରେ ବିକ୍ଷୋଭ କରୁଥିବା ଲୋକମାନେ କରିଥିଲେ, କିନ୍ତୁ ଏମାନେ ବିକ୍ଷୋଭକାରୀ ନୁହନ୍ତି, ବରଂ କଟ୍ଟରପନ୍ଥୀ ଶକ୍ତି ଥିଲେ। ସେ ଆହୁରି କହିଛନ୍ତି, ଏହା କୌଣସି ବିରୋଧ ନଥିଲା, ବରଂ ଏକ ଯୋଜନାବଦ୍ଧ ହିଂସା ଥିଲା। ଏହା ଲୋକତନ୍ତ୍ର ଓ ଶାସନ ଉପରେ ଆକ୍ରମଣ ଥିଲା। କିଛି ଜିହାଦୀ ଶକ୍ତି ଅରାଜକତା ସୃଷ୍ଟି କରି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ଏବଂ ସମାଜର ଅନ୍ୟ ସମ୍ପ୍ରଦାୟମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ସରକାରୀ ସମ୍ପତ୍ତିରେ କ୍ଷତି ଘଟାଯାଇଛି, ସରକାରୀ ଅଧିକାରୀମାନଙ୍କୁ ଧମକ ଦିଆଯାଇଛି ଏବଂ ଭୟର ବାତାବରଣ ସୃଷ୍ଟି କରାଯାଇଛି। ଏସବୁ ବିରୋଧ ନାମରେ କରାଯାଇଛି, ଯାହା ସମ୍ପୂର୍ଣ୍ଣ ଭୁଲ। ମମତା ବାନାର୍ଜୀଙ୍କ ସରକାରର ନୀରବତା ଆଶ୍ଚର୍ଯ୍ୟଜନକ। ସେ ଏପରି ଅରାଜକତାକୁ କାହିଁକି ସହ୍ୟ କରୁଛନ୍ତି? ଏହି ଆତଙ୍କବାଦୀ କାର୍ଯ୍ୟର ନିନ୍ଦାରେ ରାଜ୍ୟ ସରକାର ପକ୍ଷରୁ କାହିଁକି କୌଣସି ସ୍ପଷ୍ଟ ବୟାନ ଆସିଲା ନାହିଁ? କ’ଣ ଭୋଟ ବ୍ୟାଙ୍କ ରାଜନୀତି ପଶ୍ଚିମବଙ୍ଗର ଲୋକଙ୍କ ଏବଂ ପ୍ରତିଷ୍ଠାନମାନଙ୍କ ସୁରକ୍ଷାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ?

ପରିସ୍ଥିତି ନିୟନ୍ତ୍ରଣରେ

ପୁଲିସ ଅନୁସାରେ, ବିକ୍ଷୋଭ ପ୍ରାରମ୍ଭରେ ଶାନ୍ତିପୂର୍ଣ୍ଣ ଥିଲା, କିନ୍ତୁ ଶୀଘ୍ର ଏହା ଉଗ୍ର ହୋଇ ଉଠିଥିଲା। ବିକ୍ଷୋଭକାରୀମାନେ ଜାତୀୟ ରାଜପଥ-୧୨କୁ ଅବରୋଧ କରିଥିଲେ ଏବଂ ପୁଲିସ ଏହି ମାମଲାରେ ୧ଶହରୁ ଅଧିକ ଲୋକଙ୍କୁ ଗିରଫ କରିଛି । ଅଶାନ୍ତ ଅଂଚଳରେ ୧୬୩ ଧାରା ଲାଗୁ କରାଯାଇଛି ।

Leave a Reply

Your email address will not be published. Required fields are marked *