ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଯାଉଛି। ଆମେରିକୀୟ ଖବରକାଗଜ ‘ଦ ନ୍ୟୁୟର୍କ ଟାଇମ୍ସ’ ଚାରିଜଣ କୂଟନୀତିଜ୍ଞଙ୍କ ଉଦ୍ଧୃତ କରି ଏପରି ଦାବି କରିଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୨୨ ଏପ୍ରିଲରେ କଶ୍ମୀରରେ ହୋଇଥିବା ଭୟଙ୍କର ଓ ନିର୍ମମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଡଜନେରୁ ଅଧିକ ନେତାଙ୍କ ସହ କଥାବାର୍ତ୍ତା କରିସାରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଭାରତର ରାଜଧାନୀରେ ୧୦୦ ମିଶନର ରାଜନୀତିଜ୍ଞଙ୍କୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ବ୍ରିଫିଂ ପାଇଁ ଡକାଇଥିଲା। ନ୍ୟୁୟର୍କ ଟାଇମ୍ସ ଇଣ୍ଟରନ୍ୟାସନାଲର ରିପୋର୍ଟରେ ଦାବି କରାଯାଇଛି ଯେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ନେତାଙ୍କୁ ଟେଲିଫୋନ ମାଧ୍ୟମରେ ସାହାଯ୍ୟ ମାଗିବା ପାଇଁ ନୁହେଁ, ବରଂ ପାକିସ୍ତାନ ବିରୁଦ୍ଧରେ ଭାରତ କେଉଁ ପଦକ୍ଷେପ ନେବାକୁ ଯାଉଛି ତାହା ଜଣାଇବା ପାଇଁ ଫୋନ୍ କରିଥିଲେ।”
ଭାରତ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ ବୋଲି ଅଭିଯୋଗ କରିଛି। ଏହା ଅନୁମାନ କରାଯାଉଛି ଯେ ପାକିସ୍ତାନୀ ସେନାର ମୁଖ୍ୟ ଜେନେରାଲ ଅସିମ ମୁନିରଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ, କାରଣ ସେ ପାକିସ୍ତାନରେ କ୍ଷମତା ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। ନ୍ୟୁୟର୍କ ଟାଇମ୍ସ ଇଣ୍ଟରନ୍ୟାସନାଲର ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତ ସହ ଆଲୋଚନାରେ ଅବଗତ ଚାରି କୂଟନୈତିକ ଅଧିକାରୀ କହିଛନ୍ତି ଯେ, “ନୂଆଦିଲ୍ଲୀ ତା’ର ପଡ଼ୋଶୀ ଓ କଟ୍ଟର ଶତ୍ରୁ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲା ପ୍ରସ୍ତୁତ କରୁଛି। ମୋଦୀ ଏପରି ଶାସ୍ତିର ପ୍ରତିଶ୍ରୁତି ଦେଇଛନ୍ତି, ଯାହାର ସେମାନେ କଳ୍ପନା ମଧ୍ୟ କରିପାରିବେ ନାହିଁ।”
ପାକିସ୍ତାନ ଉପରେ ଆକ୍ରମଣ କରିବ ଭାରତ!
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏପର୍ଯ୍ୟନ୍ତ ଆଧିକାରିକ ଭାବେ ଆତଙ୍କବାଦୀଙ୍କ ପରିଚୟ ପ୍ରକାଶ କରିନାହିଁ ଏବଂ ଏଥର ଭାରତ ସାର୍ବଜନୀନ ଭାବେ ପ୍ରମାଣ ମଧ୍ୟ ଦେଇନାହିଁ। ଭାରତ ସ୍ପଷ୍ଟ ଶବ୍ଦରେ କହିଛି ଯେ ଏହି ଆକ୍ରମଣରେ ପାକିସ୍ତାନର ହାତ ଅଛି। ଅପରପକ୍ଷେ, ପାକିସ୍ତାନ ସରକାର ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟରେ ବିଦେଶୀ ମିଶନର କୂଟନିତିଜ୍ଞଙ୍କୁ ବ୍ରିଫିଂ ଦିଆଯାଇଥିବା ସମୟରେ ଭାରତୀୟ ଅଧିକାରୀମାନେ ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ପାଇଁ ପାକିସ୍ତାନର ପୂର୍ବ ସମର୍ଥନର ପ୍ରକାର ବିଷୟରେ ସୂଚନା ଦେଇଥିଲେ। କୂଟନିତିଜ୍ଞମାନେ ଏହା ପ୍ରକାଶ କରିଛନ୍ତି। ଭାରତୀୟ ଅଧିକାରୀମାନେ କହିଛନ୍ତି ଯେ ସେମାନଙ୍କର ତଦନ୍ତ ଜାରି ରହିଛି। ଏହା ବ୍ୟତୀତ, ଭାରତ କୂଟନିତିଜ୍ଞଙ୍କୁ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ଥିବା କିଛି ଗୁପ୍ତଚର ସୂଚନା ଦେଇଛି। ଭାରତ ଯେଉଁ ସୂଚନା ଦେଇଛି, ତାହା ମଧ୍ୟରେ ଅପରାଧୀଙ୍କ ପରିଚୟ ଦେଉଥିବା ଡାଟା ଅନ୍ତର୍ଭୁକ୍ତ, ଯେଉଁମାନଙ୍କ ବିଷୟରେ ସେମାନେ କହୁଛନ୍ତି ଯେ ସେମାନେ ପାକିସ୍ତାନ ସହ ଜଡ଼ିତ।
ଆମେରିକୀୟ ଖବରକାଗଜ କହିଛି ଯେ ବିଶେଷଜ୍ଞ ଓ ରାଜନୀତିଜ୍ଞଙ୍କ ସହ ଆଲୋଚନା ଆଧାରରେ ଦୁଇଟି ସମ୍ଭାବନା ସୃଷ୍ଟି ହେଉଛି। ପ୍ରଥମତଃ, ଏହା ଇଙ୍ଗିତ ଦେଉଛି ଯେ “ପାକିସ୍ତାନ ଉପରେ ଆକ୍ରମଣ କରିବା ପୂର୍ବରୁ ଭାରତକୁ ଆତଙ୍କବାଦୀ ଆକ୍ରମଣ ବିଷୟରେ ଅଧିକ ସୂଚନା ସଂଗ୍ରହ କରିବା ପାଇଁ ସମୟ ଦରକାର”, କିମ୍ବା ଦ୍ୱିତୀୟତଃ, “ବିଶ୍ୱ ମଞ୍ଚରେ ଏବେ ଯେତେବେଳେ ଅନେକ ଯୁଦ୍ଧ ଯୋଗୁଁ ଅରାଜକତା ଚାଲିଛି, ସେତେବେଳେ ଭାରତକୁ ନିଜର କାର୍ଯ୍ୟକୁ ନ୍ୟାୟସଙ୍ଗତ କରିବା ପାଇଁ ବହୁତ କମ ଆବଶ୍ୟକତା ଅନୁଭବ ହେଉଛି।”
ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି ଯେ ଭାରତ ଓ ପାକିସ୍ତାନ ଉଭୟ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଚ୍ର, ତେଣୁ ଯଦି ଆକ୍ରମଣ ହୁଏ ତେବେ ତାହାକୁ ନିୟନ୍ତ୍ରଣ କରିବା ବେଶ କଷ୍ଟକର ହେବ। ନ୍ୟୁୟର୍କ ଟାଇମ୍ସ ଇଣ୍ଟରନ୍ୟାସନାଲ କହିଛି ଯେ, ଏହା ସତ୍ତ୍ୱେ ଏପରି ଲାଗୁଛି ଯେ “ଭାରତ ଉପରେ ନିଜର ପ୍ରତିକ୍ରିୟାକୁ ସୀମିତ ରଖିବା ପାଇଁ କୌଣସି ବିଶ୍ୱ ଚାପର କୌଣସି ପ୍ରଭାବ ପଡ଼ିନାହିଁ ଏବଂ ସାମ୍ପ୍ରତିକ ବର୍ଷଗୁଡ଼ିକରେ ନିଜର କୂଟନୈତିକ ଓ ଅର୍ଥନୈତିକ ଶକ୍ତି ବୃଦ୍ଧି ପରେ ଭାରତ ନିଜର ଶକ୍ତି ପ୍ରଦର୍ଶନରେ ମଧ୍ୟ ତୀବ୍ର ହୋଇଛି।” ଇରାନ ଓ ସାଉଦି ଆରବ ସରକାର ଉଭୟ ପକ୍ଷ ସହ କଥାବାର୍ତ୍ତା କରିଛନ୍ତି, ଏବଂ ଇରାନର ବୈଦେଶିକ ମନ୍ତ୍ରୀ ସାର୍ବଜନୀନ ଭାବେ ମଧ୍ୟସ୍ଥତାର ପ୍ରସ୍ତାବ ଦେଇଛନ୍ତି। ସଂଯୁକ୍ତ ରାଷ୍ଟ୍ର ଓ ଇଉରୋପୀୟ ସଂଘ ସଂଯମ ଓ ଆଲୋଚନାର ଆହ୍ୱାନ ଦେଇଛନ୍ତି। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ସମେତ ପ୍ରମୁଖ ଶକ୍ତିଗୁଡ଼ିକଠାରୁ ଭାରତକୁ ସମର୍ଥନ ମିଳିଛି। ଏପରି ପରିସ୍ଥିତିରେ, ବିଶ୍ଳେଷକମାନେ କହୁଛନ୍ତି ଯେ, ଭାରତ ନ୍ୟାୟ ଅନୁସନ୍ଧାନ ପାଇଁ ଅନେକ ଦେଶର ସମର୍ଥନକୁ ସବୁଜ ସଙ୍କେତ ଭାବେ ଗ୍ରହଣ କରୁଛି।

ଭାରତର ଯୁଦ୍ଧରେ ସାମିଲ ହେବ ଆମେରିକା?
ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ବେଶ ଦୃଢ଼ତାର ସହ ଭାରତକୁ ସମର୍ଥନ କରିବା କଥା କହିଛି। କିନ୍ତୁ ବର୍ତ୍ତମାନ ପାଇଁ ଏହା କହିହେବ ନାହିଁ ଯେ ଆମେରିକା ଭାରତର ଯୁଦ୍ଧରେ ସାମିଲ ହେବ କି ନାହିଁ। ତଥାପି, ଯଦି ଆମେରିକା ସାମିଲ ନହୁଏ, ତେବେ ମଧ୍ୟ ଦକ୍ଷିଣ ଏସିଆର ଦେଶମାନେ ଯଦି ଯୁଦ୍ଧରେ ସାମିଲ ହୁଅନ୍ତି, ତେବେ ଆମେରିକାର ପ୍ରଭାବ ରହିବ। ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଆଡଭାନ୍ସଡ ଇଣ୍ଟରନ୍ୟାସନାଲ ଷ୍ଟଡିଜର ଜଣେ ବରିଷ୍ଠ ଫେଲୋ ଡାନିଏଲ ମାର୍କୀ କହିଛନ୍ତି ଯେ, ୨୦୧୯ରେ ଟ୍ରମ୍ପ ପ୍ରଶାସନ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସମୟରେ ଯେଉଁ ଅବସ୍ଥାନ ଗ୍ରହଣ କରିଥିଲା, ସେହି ଅବସ୍ଥାନକୁ ଏଥର ମଧ୍ୟ ଗ୍ରହଣ କରିଛି। ସେତେବେଳେ, ଟ୍ରମ୍ପ ପ୍ରଶାସନ ଭାରତ ପାଇଁ ସମର୍ଥନର ସଙ୍କେତ ଦେଇଥିଲା। କିନ୍ତୁ ଟ୍ରମ୍ପ ପ୍ରଶାସନ ସଂଯମ ଅବଲମ୍ବନ କରିବା ପାଇଁ ନିଜର କୂଟନୈତିକ ଚାପକୁ ସେତେବେଳେ ବୃଦ୍ଧି କରିଥିଲା, ଯେତେବେଳେ ଭାରତ ସୀମା ପାର କରି ପାକିସ୍ତାନ ଉପରେ ବାୟୁ ଆକ୍ରମଣ କରିଥିଲା।
ଅନ୍ୟପକ୍ଷରେ, ଭାରତର ପୂର୍ବତନ ଜାତୀୟ ସୁରକ୍ଷା ଉପଦେଷ୍ଟା ଶିବ ଶଙ୍କର ମେନନ କହିଛନ୍ତି ଯେ, କଶ୍ମୀରରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ପରେ ୨୦୧୬ ଓ ୨୦୧୯ରେ ପାକିସ୍ତାନ ବିରୁଦ୍ଧରେ ଆକ୍ରମଣ ପରେ ମୋଦୀଙ୍କ ପାଖରେ ସାମରିକ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ବାକି ନାହିଁ। କିନ୍ତୁ ମେନନ କହିଛନ୍ତି ଯେ, ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ପ୍ରତିଶୋଧ ନିୟନ୍ତ୍ରଣରୁ ବାହାରି ଯିବାର ସମ୍ଭାବନା ନାହିଁ। ସେ କହିଛନ୍ତି, “ମୁଁ ବହୁତ ଚିନ୍ତିତ ନୁହେଁ, କାରଣ ଉଭୟ ଦେଶ ଏକ ନିୟନ୍ତ୍ରିତ ଶତ୍ରୁତାରୁ ଆଗକୁ ବଢ଼ିବେ ନାହିଁ।”