ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ସର୍ଜିକାଲ ଷ୍ଟ୍ରାଇକ୍ ସମେତ ଅନ୍ୟାନ୍ୟ ସାମରିକ କାର୍ଯ୍ୟାନୁଷ୍ଠାନର ଆଶଙ୍କା ମଧ୍ୟ ତୀବ୍ର ହୋଇଛି। ଏହି ଭୟରେ ଶେୟାର ବଜାର ଶୁକ୍ରବାର ଦିନ ହିଁ ସଙ୍କୁଚିତ ହୋଇଛି। ଏବେ ଦ୍ରୁତ ଗତିରେ ବଦଳୁଥିବା ଘଟଣାକ୍ରମ ମଧ୍ୟରେ ନିବେଶକଙ୍କ ଚିନ୍ତା ଆହୁରି ବଢ଼ିଛି। ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଲଢ଼େଇ ହୁଏ, ତେବେ ଶେୟାର ବଜାର କେତେ ଖସିପାରେ? ଏହାର ଉତ୍ତର ଦେଶର ପ୍ରମୁଖ ବ୍ରୋକରେଜ ହାଉସ ଆନନ୍ଦ ରାଠୀ ରିସର୍ଚ୍ଚ ଦେଇଛି।
ଆନନ୍ଦ ରାଠୀ ରିସର୍ଚ୍ଚର ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ଯଥେଷ୍ଟ ବୃଦ୍ଧି ପାଇଲେ ମଧ୍ୟ ନିଫ୍ଟି ୫୦ରେ ୫-୧୦%ରୁ ଅଧିକ ସଂଶୋଧନ (କରେକ୍ସନ) ହେବାର ସମ୍ଭାବନା ନାହିଁ। ଏହି ବ୍ରୋକରେଜ ଫାର୍ମ ଏହି ନିଷ୍କର୍ଷ ଐତିହାସିକ ଉଦାହରଣ ଏବଂ ବର୍ତ୍ତମାନର ଗ୍ଲୋବାଲ ରିସ୍କ ପ୍ରାଇସିଂ ଆଧାରରେ ପ୍ରକାଶ କରିଛି।
ଏକ ଏନାଲିଟିକ୍ସ ଫାର୍ମର ରିପୋର୍ଟ ‘ଭାରତ-ପାକିସ୍ତାନ ସଂଘର୍ଷ – ଭାରତୀୟ ଇକ୍ୱିଟି ଉପରେ ସମ୍ଭାବିତ ପ୍ରଭାବ’ରେ ମଧ୍ୟ ପ୍ରକାଶ କରାଯାଇଛି ଯେ, ସାମରିକ ସଂଘର୍ଷ ସମୟରେ ଇକ୍ୱିଟି ବଜାରରେ ହେଉଥିବା ସଂଶୋଧନର ହାର ୭% ରହିଛି, ଯେଉଁଥିରେ ହାରାହାରି ସଂଶୋଧନ ୩% ଥିଲା।
ଇତିହାସ କ’ଣ କହୁଛି ?
ଆନନ୍ଦ ରାଠୀ ରିସର୍ଚ୍ଚ ଭାରତୀୟ ଶେୟାର ବଜାର, ବିଶେଷତଃ ନିଫ୍ଟି ୫୦, ଏଭଳି ପରିସ୍ଥିତିରେ କିପରି ପ୍ରତିକ୍ରିୟା ଦେଇଛି ତାହା ବୁଝିବା ପାଇଁ ଏକ ଅଧ୍ୟୟନ କରିଛି। ଏହି ବିଶ୍ଳେଷଣ ଐତିହାସିକ ଉଦାହରଣ ଉପରେ ଆଧାରିତ, ଯେଉଁଥିରେ କାରଗିଲ ଯୁଦ୍ଧ ପରେ ଭାରତ-ପାକିସ୍ତାନ ମଧ୍ୟରେ ଚାରୋଟି ପ୍ରମୁଖ ଟକ୍କର ଏବଂ ଗତ ୨୫ ବର୍ଷ ମଧ୍ୟରେ G20 ଦେଶଗୁଡ଼ିକ ସହିତ ଜଡ଼ିତ ୧୯ଟି ଅନ୍ୟ ଯୁଦ୍ଧ ବା ଯୁଦ୍ଧ ପରି ଘଟଣା ଅନ୍ତର୍ଭୁକ୍ତ।
କାରଗିଲ ଯୁଦ୍ଧରୁ ବାଲାକୋଟ ଏୟାର ଷ୍ଟ୍ରାଇକ୍ ପର୍ଯ୍ୟନ୍ତ
– ଆନନ୍ଦ ରାଠୀ ରିସର୍ଚ୍ଚର ଅଧ୍ୟୟନରେ କୁହାଯାଇଛି, “୨୦୦୧ରେ ସଂସଦ ଉପରେ ଆକ୍ରମଣକୁ ଛାଡ଼ିଦେଲେ, ପାକିସ୍ତାନ ସହିତ ବଡ଼ ଉତ୍ତେଜନା ସମୟରେ ଭାରତୀୟ ଇକ୍ୱିଟି ବଜାରରେ ୨%ରୁ ଅଧିକ ହ୍ରାସ ହୋଇନାହିଁ।”
– ସଂସଦ ଆକ୍ରମଣ ସମୟରେ, ୧୩ ଡିସେମ୍ବର ୨୦୦୧ରୁ ୧ ଅକ୍ଟୋବର ୨୦୦୨ ମଧ୍ୟରେ ଶେୟାର ବଜାରରେ ୧୩.୯% ହ୍ରାସ ଘଟିଥିଲା।
– ୨୦୬ରେ ଉରୀ ଆକ୍ରମଣ ପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା, ଯାହା ଫଳରେ ୧୮ ସେପ୍ଟେମ୍ବରରୁ ୨୯ ସେପ୍ଟେମ୍ବର ୨୦୧୬ ମଧ୍ୟରେ ବଜାରରେ ୨.୧% ହ୍ରାସ ଘଟିଥିଲା।

– ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ, ୧୪ ଫେବୃଆରୀରୁ ୧ ମାର୍ଚ୍ଚ ୨୦୧୯ ମଧ୍ୟରେ ଶେୟାର ବଜାରରେ ୧.୮% ହ୍ରାସ ଘଟିଥିଲା।
– କାରଗିଲ ଯୁଦ୍ଧର ଭାରତୀୟ ବଜାର ଉପରେ ସବୁଠାରୁ କମ୍ ପ୍ରଭାବ ପଡ଼ିଥିଲା, କାରଣ ୩ ମେ ୧୯୯୯ରୁ ୨୬ଜୁଲାଇ ୧୯୯୯ ମଧ୍ୟରେ ମାତ୍ର ୦.୮% ସଂଶୋଧନ ଦେଖାଯାଇଥିଲା।