
ରାଜସ୍ଥାନର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ହେମନ୍ତ ପାରିକଙ୍କ ପରିବାର ଅତ୍ୟନ୍ତ ଗରିବ ଥିଲା। ବାପା ପୂଜା କରୁଥିଲେ, ଯେଉଁଥିରୁ ବହୁତ କମ୍ ରୋଜଗାର ହେଉଥିଲା। ମା’ ମନରେଗାରେ ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିଲେ। ବାପା ଓ ଭଉଣୀ ପ୍ରାୟତଃ ଅସୁସ୍ଥ ରହୁଥିଲେ। ତେଣୁ ଘରର ସମସ୍ତ ଦାୟିତ୍ୱ ମା’ଙ୍କ କାନ୍ଧରେ ପଡ଼ିଥିଲା। ହେମନ୍ତ ନିଜେ ଭିନ୍ନକ୍ଷମ ଥିଲେ, ତାଙ୍କ ଗୋଟିଏ ହାତ ଠିକ୍ ଭାବେ କାମ କରୁନଥିଲା।
ପରିବାରର ଅସୁବିଧା ବଢିବାରୁ ସେମାନେ ହରିୟାଣା ଚାଲି ଯାଇଥିଲେ। ହରିୟାଣାରେ ମଧ୍ୟ ମା’ ଦିନରେ ମନରେଗାରେ କାମ କରୁଥିଲେ ଏବଂ ସନ୍ଧ୍ୟାରେ କ୍ଷେତରେ କାମ କରୁଥିଲେ। କୌଣସି ପ୍ରକାରେ ଘର ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡ଼ିଥିଲା।
ମା’ଙ୍କ ମଜୁରି ମାରିନେଲା ଠିକାଦାର
ହେମନ୍ତଙ୍କ ମା’ ଯେଉଁ ଠିକାଦାର ପାଇଁ କାମ କରୁଥିଲେ ,ସେହି ଠିକାଦାର ଜଣକ ତାଙ୍କ ମଜୁରୀ ବାବଦରେ ୨୨୦ ଟଙ୍କା ତାଙ୍କୁ ଦେଇନଥିଲେ ।ମା’ଙ୍କ ଟଙ୍କା ଆଣିବାକୁ ଯାଇଥିବା ହେମନ୍ତଙ୍କୁ ଠିକାଦାର ଛିଗୁଲାଇ କହିଥିଲା, ତୁ କ’ଣ କଲେକ୍ଟର ହେବୁ ? କିନ୍ତୁ ସିଏ ଜାଣିନଥିଲା ଦିନେ ତା’ କଥା ସତ ହେବାକୁ ଯାଉଛି ।
କଲେଜରେ ସିନିୟର ବି ଚିଡ଼ାଉଥିଲେ.. କଲେକ୍ଟର
କଲେଜର ବରିଷ୍ଠ ମାନେ ମଧ୍ୟ ହେମନ୍ତଙ୍କୁ ଉପହାସ କରି କହୁଥିଲେ, ‘ତୁ ଆଇଏଏସ୍ ହେବୁ । କିନ୍ତୁ ଏହା ମଧ୍ୟ ହେମନ୍ତଙ୍କ ପାଇଁ ପ୍ରେରଣା ପାଲଟିଥିଲା ଏବଂ ସେ ଦିନେ ପ୍ରକୃତରେ ଏହାକୁ ସତ ପ୍ରମାଣିତ କରିଥିଲେ ।
ଇଂଲିଶରେ ଦୁର୍ବଳ,ମନୋବଳ ଦୃଢ଼
ହେମନ୍ତଙ୍କ ପାଖରେ ନା ପଇସା ଥିଲା ନା ଭଲ ଶିକ୍ଷା । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସେ ଇଂରାଜୀରେ ଦୁର୍ବଳ ଥିଲେ । ତାଙ୍କ ଶିକ୍ଷକ ତାଙ୍କୁ ଇଂରାଜୀ ପାସ୍ କରିବା ପାଇଁ ବହୁତ ଉତ୍ସାହିତ କରିଥିଲେ । ସବୁ ପ୍ରତିବନ୍ଧକ ସତ୍ତ୍ୱେ ହେମନ୍ତ କୌଣସି ପ୍ରକାରେ ପାଠପଢ଼ା ଶେଷ କରିବାରେ ସଫଳ ହୋଇଥିଲେ। ଏହାପରେ ସେ କୃଷିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।
ହେମନ୍ତଙ୍କୁ ସ୍କଲାରସିପ୍ ମିଳିବ ବୋଲି ଆଶା କରାଯାଉଥିଲା, କିନ୍ତୁ ତାହା ମଧ୍ୟ ବନ୍ଦ ହୋଇଯାଇଥିଲା। ଅର୍ଥ ଅଭାବରୁ ରବିବାର କଲେଜ ମେସ୍ ବନ୍ଦ ଥିବା ବେଳେ ହେମନ୍ତ ଖାଇ ପାରୁନଥିଲେ। ତଥାପି ମା’ଙ୍କ ସମର୍ଥନ ଓ ସାହସ ବଳରେ ସେ ହାର ମାନିନଥିଲେ।
କଲେଜ ଶେଷ କରିବା ପରେ ହେମନ୍ତ ବର୍ଷକ ପାଇଁ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ପ୍ରତ୍ୟେକ ଦିନ ର ପ୍ରସ୍ତୁତି ତାଙ୍କ ପାଇଁ ଏକ ଯୁଗ ପରି ଥିଲା । ଅନେକ ସମୟରେ ସେ ବଞ୍ଚିବାର ଇଚ୍ଛା ମଧ୍ୟ ଛାଡି ଦେଇଥିଲେ । ଏଭଳି କଠିନ ସମୟରେ ତାଙ୍କ ସାଙ୍ଗମାନେ ତାଙ୍କୁ ବହୁତ ସହଯୋଗ କରିଥିଲେ। ୨୦୨୩ରେ ସେ ସର୍ବଭାରତୀୟ ରାଙ୍କ ୮୮୪ ହାସଲ କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।