ଗୁଲାମ ବଜାରରେ ଦୁଇଥର ବିକ୍ରି ହୋଇଥିବା ବ୍ୟକ୍ତି କେମିତି ହୋଇଥିଲେ ଦିଲ୍ଲୀର ସୁଲତାନ ?

ହିନ୍ଦୁସ୍ତାନରେ ମୁସଲମାନ ଶାସନର ଆରମ୍ଭର ଶ୍ରେୟ ମୋହମ୍ମଦ ଗୋରୀଙ୍କୁ ଦିଆଯାଏ, ଯିଏ ତରାଇର ଦ୍ୱିତୀୟ ଯୁଦ୍ଧରେ ପୃଥ୍ୱୀରାଜ ଚୌହାନଙ୍କୁ ପରାସ୍ତ କରି ବିଭିନ୍ନ ସ୍ଥାନରେ ନିଜର ସୁବେଦାର ନିଯୁକ୍ତ କରିଥିଲେ। ତାଙ୍କର ଗୋଲାମ (ଦାସ) ସେନାପତି କୁତୁବୁଦ୍ଦୀନ ଐବକ ଭାରତରେ ଗୁଲାମ ବା ଦାସ ବଂଶର ଶାସନ ଆରମ୍ଭ କରି ଦିଲ୍ଲୀ ସଲତନାତର ସ୍ଥାପନା କରିଥିଲେ। କିନ୍ତୁ କିଛି ଐତିହାସକାର ମାନନ୍ତି ଯେ ଦିଲ୍ଲୀ ସୁଲତାନାତର ସ୍ଥାପନାର ଶ୍ରେୟ ଇଲ୍ତୁତମିଶଙ୍କୁ ଦିଆଯିବା ଉଚିତ। ଆସନ୍ତୁ ଜାଣିବା କୁତୁବୁଦ୍ଦୀନଙ୍କର ଦାସ ଇଲ୍ତୁତମିଶ କିପରି ଦିଲ୍ଲୀର ବାଦଶାହା ହେଲେ?

ଇଲ୍ତୁତମିଶଙ୍କର ପରିଚୟ
ଇଲ୍ତୁତମିଶଙ୍କର ପୂର୍ଣ୍ଣ ନାମ ଥିଲା ଶମସୁଦ୍ଦୀନ ଇଲ୍ତୁତମିଶ। ଇଲ୍ବାରୀ ତୁର୍କ ଇଲ୍ତୁତମିଶଙ୍କ ପିତା ଇଲାମ ଖାଁ ଏକ ଆଦିବାସୀ ଜନଜାତିର ମୁଖିଆ ଥିଲେ। ଇଲ୍ତୁତମିଶ ଦେଖିବାକୁ ବେଶ୍‌ ସୁନ୍ଦର ଓ ବୁଦ୍ଧିମାନ ଥିଲେ। ତେଣୁ ତାଙ୍କ ପିତା ତାଙ୍କୁ ବହୁତ ସ୍ନେହ କରୁଥିଲେ ଓ ସ୍ନେହ ଯୋଗୁଁ ତାଙ୍କୁ ଘରୁ ବାହାରକୁ ଯିବାକୁ ଦେଉନଥିଲେ। ଏହା ଦେଖି ତାଙ୍କର ନିଜ ଭାଇମାନେ ତାଙ୍କୁ ଈର୍ଷା କରିବାକୁ ଲାଗିଲେ। ଗୋଟିଏ ଦିନ ସୁଯୋଗ ପାଇ ସେମାନେ ଇଲ୍ତୁତମିଶଙ୍କୁ ମେଳା ଦେଖାଇବାର ବାହାନାରେ ନେଇ ଧୋକାରେ ଗୁଲାମ ବ୍ୟବସାୟୀଙ୍କୁ ବିକ୍ରି କରିଦେଲେ।

ଗୁଲାମରୁ ଗୁଲାମ
ଏହାପରେ ଇଲ୍ତୁତମିଶଙ୍କୁ ଦୁଇଥର ବିକ୍ରି କରାଗଲା। ଶେଷରେ ଜଲାଲୁଦ୍ଦୀନ ମୁହମ୍ମଦ ନାମକ ଜଣେ ଗୁଲାମ ବ୍ୟବସାୟୀ ତାଙ୍କୁ ଗଜନୀକୁ ବିକ୍ରି ପାଇଁ ନେଇଗଲା। ସେଠାରେ ଶାସକ ମୋହମ୍ମଦ ଗୋରୀ ଇଲ୍ତୁତମିଶଙ୍କୁ କିଣିବାକୁ ଚାହିଁଥିଲେ, କିନ୍ତୁ ମନମୁତାବକ ଦାମ ନ ମିଳିବାରୁ ଜଲାଲୁଦ୍ଦୀନ ତାଙ୍କୁ ବିକ୍ରି କରିବାକୁ ମନା କରିଦେଲେ। ଏହାପରେ ଗୋରୀ ଗଜନୀରେ ଇଲ୍ତୁତମିଶଙ୍କୁ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଦେଲେ। ତେଣୁ ଇଲ୍ତୁତମିଶଙ୍କୁ ଦିଲ୍ଲୀ ଆଣିଗଲା। ସେଠାରେ ଗୋରୀଙ୍କ ଗୁଲାମ ସେନାପତି କୁତୁବୁଦ୍ଦୀନ ଐବକ ତାଙ୍କୁ କିଣିନେଲେ।

ଗୁଲାମର ଗୁଲାମରୁ ମୁକ୍ତି
କୁତୁବୁଦ୍ଦୀନ ଐବକ ଇଲ୍ତୁତମିଶଙ୍କୁ କିଣିଥିଲେ, ତେଣୁ ସେ ଗୋଟିଏ ଗୁଲାମର ଗୁଲାମ ଥିଲେ। କିନ୍ତୁ ୧୨୦୬ ଖ୍ରୀଷ୍ଟାବ୍ଦରେ ଖୋକ୍ଖର ବିଦ୍ରୋହୀଙ୍କ ଦମନ ସମୟରେ ଇଲ୍ତୁତମିଶ କୁତୁବୁଦ୍ଦୀନଙ୍କ ସାଙ୍ଗରେ ଥିଲେ। ଏହି ଯୁଦ୍ଧ ସମୟରେ ଇଲ୍ତୁତମିଶ ଏତେ ସାହସ ଓ କୌଶଳ ଦେଖାଇଥିଲେ ଯେ ମୋହମ୍ମଦ ଗୋରୀ ପ୍ରଭାବିତ ହୋଇ ତାଙ୍କୁ ଗୁଲାମୀରୁ ମୁକ୍ତ କରିଦେଲେ। ଅନ୍ୟପକ୍ଷରେ, ଐବକ ଇଲ୍ତୁତମିଶଙ୍କ ସାହସ ଓ ଯୋଗ୍ୟତା ଦେଖି ତାଙ୍କୁ ପ୍ରଥମେ ଅଙ୍ଗରକ୍ଷୀମାନଙ୍କ ମୁଖିଆ (ସର-ଏ-ଜାନ୍ଦାର) ନିଯୁକ୍ତ କଲେ। ପରେ ଇଲ୍ତୁତମିଶଙ୍କୁ ଅମୀର-ଏ-ଶିକାର ନିଯୁକ୍ତ କରାଗଲା, ଯାହା ରାଜଦରବାରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ ଥିଲା ଏବଂ ସୁଲତାନଙ୍କ ପାଇଁ ଶିକାରର ବ୍ୟବସ୍ଥା କରିବା ତାଙ୍କର ଦାୟିତ୍ୱ ଥିଲା।

ଗ୍ୱାଲିୟରର କିଲ୍ଲାଦାର
ଐବକ ଗ୍ୱାଲିୟର ଜୟ କରିବା ପରେ ଇଲ୍ତୁତମିଶଙ୍କୁ ସେଠାକାର କିଲ୍ଲାର ଦୁର୍ଗପତି ନିଯୁକ୍ତ କଲେ। ପରେ ତାଙ୍କୁ ବୁଲନ୍ଦଶହରର ଇକ୍ତେଦାର କରାଗଲା। ଏହାପରେ ଇଲ୍ତୁତମିଶଙ୍କୁ ଦିଲ୍ଲୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୁବାଗୁଡ଼ିକ ମଧ୍ୟରୁ ବଦାୟୁଁର ସୁବେଦାର ଭାବେ ନିଯୁକ୍ତି ମିଳିଲା। ଏହା ସହିତ କୁତୁବୁଦ୍ଦୀନ ନିଜର ଗୋଟିଏ ଝିଅର ବିବାହ ମଧ୍ୟ ଇଲ୍ତୁତମିଶଙ୍କ ସହ କରାଇଦେଲେ। ୧୨୧୦ ଖ୍ରୀଷ୍ଟାବ୍ଦରେ କୁତୁବୁଦ୍ଦୀନ ଐବକଙ୍କର ମୃତ୍ୟୁ ହେଲା ତେବେ ଇଲ୍ତୁତମିଶ ବଦାୟୁଁର ସୁବେଦାର ଥିଲେ।

ଶାଳକଙ୍କୁ ହଟାଇ ସୁଲତାନ
ଐବକଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଆରାମ ଶାହ ସିଂହାସନ ଗ୍ରହଣ କଲେ। କିନ୍ତୁ ସେ ଜଣେ ଦକ୍ଷ ଶାସକ ନଥିଲେ। ତେଣୁ ତୁର୍କୀ ସେନା ଓ ଐବକଙ୍କ ସେନାପତିମାନେ ତାଙ୍କର ବିରୋଧ ଆରମ୍ଭ କଲେ। ଦିଲ୍ଲୀରେ କୁତୁବୁଦ୍ଦୀନଙ୍କ ସେନାପତି ଅମୀର ଅଲୀ ଇସ୍ମାଇଲ ଓ ତୁର୍କୀ ସରଦାରମାନେ ଇଲ୍ତୁତମିଶଙ୍କ ଯୋଗ୍ୟତା ଦେଖି ତାଙ୍କୁ ବଦାୟୁଁରୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କଲେ। ଇଲ୍ତୁତମିଶ ଦିଲ୍ଲୀ ପହଞ୍ଚି ନିଜକୁ ସୁଲତାନ ଘୋଷଣା କଲେ। ଏହିପରି ଆରାମ ଶାହଙ୍କ ଶାସନ ଦିଲ୍ଲୀରେ ମାତ୍ର ଆଠ ମାସ ରହିଲା। ୧୨୧୧ ଖ୍ରୀଷ୍ଟାବ୍ଦରେ ଇଲ୍ତୁତମିଶ ନିଜ ଶାଳକ ଆରାମ ଶାହଙ୍କୁ ଯୁଦ୍ଧରେ ପରାସ୍ତ କରି ତାଙ୍କୁ ହତ୍ୟା କଲେ ଓ ପୂର୍ଣ୍ଣରୂପେ ଦିଲ୍ଲୀ ସୁଲତାନାତର ସୁଲତାନ ହେଲେ।

ବାଗଦାଦର ଖଲିଫାଙ୍କଠାରୁ ପଦବୀ
କୁତୁବୁଦ୍ଦୀନ ଐବକ ଗୋର (ମୋହମ୍ମଦ ଗୋରୀ ମଧ୍ୟ ଆଫଗାନିସ୍ତାନର ଏହି ପ୍ରାନ୍ତର ଶାସକ ଥିଲେ) ଶାସନରୁ ସମ୍ପର୍କ ଅଲଗା ହୋଇ ହିନ୍ଦୁସ୍ତାନରେ ନିଜର ସ୍ୱାଧୀନ ଶାସନ ଆରମ୍ଭ କରିଥିଲେ। ସେ ଲାହୋରକୁ ନିଜର ରାଜଧାନୀ କରିଥିଲେ। କିନ୍ତୁ ଇଲ୍ତୁତମିଶ ସୁଲତାନ ପଦର ସ୍ୱୀକୃତି ସିଧାସଳଖ ବାଗଦାଦର ଅବ୍ବାସୀ ଖଲିଫା ଅଲ ମୁସ୍ତନସିର ବିଲ୍ଲାହ ମନସୁରଙ୍କଠାରୁ ପାଇଥିଲେ। ଖଲିଫା ତାଙ୍କୁ ହିନ୍ଦୁସ୍ତାନର ସୁଲତାନ ଓ ନାସିର ଅମୀର-ଉଲ-ମୌମନୀନ ଉପାଧି ପ୍ରଦାନ କରିଥିଲେ। ମିନହାଜୁଦ୍ଦୀନ ସିରାଜ ତାଙ୍କ ରଚନା ‘ତବକାତେ ନାସିରୀ’ରେ ଏହା ବିଷୟରେ ଲେଖିଛନ୍ତି। ତେଣୁ ଇଲ୍ତୁତମିଶ ପ୍ରକୃତରେ ଦିଲ୍ଲୀ ସୁଲତାନାତର ପ୍ରଥମ ଆଇନଗତ ଓ ସାର୍ବଭୌମ ସୁଲତାନ ଥିଲେ। ସେ ଲାହୋର ବଦଳରେ ଦିଲ୍ଲୀକୁ ନିଜର ରାଜଧାନୀ କରିଥିଲେ।

ଗୁଲାମମାନଙ୍କ ମାଧ୍ୟମରେ ଶାସନ ନିୟନ୍ତ୍ରଣ
ଇଲ୍ତୁତମିଶ ଦିଲ୍ଲୀର ସୁଲତାନ ହେବା ପରେ ମୋହମ୍ମଦ ଗୋରୀଙ୍କ ସମୟରେ ନିଯୁକ୍ତ କୁତୁବୀ ଓ ମୁଇଜ୍ଜୀ ସରଦାରମାନେ ବିଦ୍ରୋହ କରିଥିଲେ। ଇଲ୍ତୁତମିଶ ଏହି ବିଦ୍ରୋହକୁ ଦମନ କରିଥିଲେ, କିନ୍ତୁ ଏହାପରେ ସେ ସରଦାରମାନଙ୍କ ଉପରେ ଆଉ ଭରସା କଲେ ନାହିଁ। ତେଣୁ ସୁଲତାନ ଇଲ୍ତୁତମିଶ ନିଜେ କିଣିଥିବା ୪୦ ଜଣ ବିଶ୍ୱସ୍ତ ଗୁଲାମଙ୍କର ଏକ ସମୂହ ଗଠନ କରି ସେମାନଙ୍କୁ ଉଚ୍ଚ ପଦବୀ ଦେଇ ଶାସନ ନିୟନ୍ତ୍ରଣ କରିଥିଲେ। ପ୍ରଥମ ମୁସଲମାନ ଇତିହାସକାର ଜିୟାଉଦ୍ଦୀନ ବରନୀ ଇଲ୍ତୁତମିଶଙ୍କ ଏହି ଗୁଲାମ ସମୂହକୁ ‘ତୁର୍କାନ-ଏ-ଚିହାଲଗାନୀ’ ନାମ ଦେଇଛନ୍ତି।

ମୃତ୍ୟୁ
୧୨୩୬ ଖ୍ରୀଷ୍ଟାବ୍ଦରେ ଇଲ୍ତୁତମିଶ ବନିୟାନ ବିଜୟ ଅଭିୟାନରେ ବାହାରିଥିଲେ, କିନ୍ତୁ ରାସ୍ତାରେ ସେ ଅସୁସ୍ଥ ହୋଇପଡ଼ିଲେ। ତେଣୁ ୨୦ ଏପ୍ରିଲରେ ତାଙ୍କୁ ଦିଲ୍ଲୀ ଫେରିବାକୁ ପଡ଼ିଲା। ୩୦ ଏପ୍ରିଲ ୧୨୩୬ରେ ଦିଲ୍ଲୀରେ ତାଙ୍କର ମୃତ୍ୟୁ ହେଲା। ତାଙ୍କୁ ଦିଲ୍ଲୀର ମେହରୌଲୀସ୍ଥିତ କୁତୁବ ପରିସରରେ ସମାଧି ଦିଆଗଲା। ଏହି ସ୍ଥାନରେ କୁତୁବୁଦ୍ଦୀନ ଐବକ କୁତୁବ ମିନାରର ନିର୍ମାଣ ଆରମ୍ଭ କରିଥିଲେ ଏବଂ ତାଙ୍କ ମୃତ୍ୟୁ ପୂର୍ବରୁ ଏହାର ପ୍ରଥମ ମହଲା ମାତ୍ର ନିର୍ମାଣ କରି ପାରିଥିଲେ। ଇଲ୍ତୁତମିଶ କୁତୁବ ମିନାରର ନିର୍ମାଣ ସମ୍ପୂର୍ଣ୍ଣ କରାଇଥିଲେ।

Leave a Reply

Your email address will not be published. Required fields are marked *