ଷ୍ଟାଚ୍ୟୁ ଅଫ୍ ଲିବର୍ଟି କେବଳ ଏକ ପ୍ରତିମୂର୍ତ୍ତି ନୁହେଁ, ବରଂ ସ୍ୱାଧୀନତା ଓ ଗଣତନ୍ତ୍ରର ପ୍ରତୀକ। ଆମେରିକାର ନ୍ୟୁୟର୍କରେ ଥିବା ଏହି ଐତିହାସିକ ଐତିହ୍ୟକୁ ଫ୍ରାନ୍ସ ୧୮୮୬ ମସିହାରେ ଆମେରିକାକୁ ଉପହାର ଦେଇଥିଲା । ଏହାର କାରଣ ଥିଲା ଉଭୟ ଦେଶର ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିଶ୍ୱାସ । କିନ୍ତୁ ଏବେ ପ୍ରାୟ ୧୪୦ ବର୍ଷ ପରେ ଫ୍ରାନ୍ସରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ପ୍ରଶ୍ନ ଉଠୁଛି, ଆମେରିକା ଏବେ ବି ଏହି ଉପହାର ପାଇବାକୁ ଯୋଗ୍ୟ କି?
ୟୁରୋପୀୟ ସଂସଦ ସଦସ୍ୟ ତଥା ଫ୍ରାନ୍ସର ବାମପନ୍ଥୀ ଦଳର ସହଅଧ୍ୟକ୍ଷ ରାଫେଲ ଗ୍ଲୁକ୍ସମାନ୍ ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ଆମେରିକାକୁ ଫେରାଇ ଆଣିବାକୁ ଦାବି କରିବା ପରେ ଏହି ବିତର୍କ ତୀବ୍ର ହୋଇଥିଲା। ଆମେରିକା ଆଉ ଏହି ଐତିହାସିକ ଐତିହ୍ୟ ପାଇଁ ଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି।
ଗ୍ଲୁକ୍ସମ୍ୟାନ୍ କାହିଁକି ଫେରସ୍ତ ମାଗୁଛନ୍ତି ଷ୍ଟାଚ୍ୟୁ ଅଫ୍ ଲିବର୍ଟି?
ଗ୍ଲୁକ୍ସମ୍ୟାନ୍ ତାଙ୍କ ସମର୍ଥକମାନଙ୍କୁ କହିଛନ୍ତି, ଆମକୁ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଫେରାଇ ଦିଅ। ଆମେରିକା ଏକଛତ୍ରବାଦୀଙ୍କ ପକ୍ଷ ନେବା ଆରମ୍ଭ କରିଛି। ଗବେଷଣାରେ ସ୍ୱାଧୀନତା ଦାବି କରୁଥିବା ବୈଜ୍ଞାନିକମାନଙ୍କୁ ଚାକିରିରୁ ବହିଷ୍କାର କରାଯାଉଛି। ଆମେ ଏହି ମୂର୍ତ୍ତି ଉପହାର ଦେଇଥିଲୁ କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ସେମାନେ ଏହାର ପ୍ରଶଂସା କରୁନାହାଁନ୍ତି । ଏହା ଆମ ପାଖରେ ସୁରକ୍ଷିତ ଏବଂ ଖୁସି ରହିବ ।

ଗ୍ଲୁକ୍ସମ୍ୟାନଙ୍କ ଏହି ବୟାନକୁ ଫ୍ରାନ୍ସରେ ଥିବା ତାଙ୍କ ସମର୍ଥକମାନେ ଜୋରଦାର ପ୍ରଶଂସା କରିଥିଲେ। ଆମେରିକା ଓ ୟୁରୋପ ମଧ୍ୟରେ ଅନେକ ନୀତିଗତ ପ୍ରସଙ୍ଗ, ବିଶେଷ କରି ୟୁକ୍ରେନକୁ ସାମରିକ ସହାୟତା କୁ ନେଇ ମତଭେଦ ବଢ଼ୁଥିବା ବେଳେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।
ଫ୍ରାନ୍ସ ପ୍ରକୃତରେ ଏହାକୁ ଫେରାଇ ନେଇ ପାରିବ କି?
ଏହି ପ୍ରସଙ୍ଗରେ ଜାତିସଂଘର ସାଂସ୍କୃତିକ ସଂସ୍ଥା ୟୁନେସ୍କୋ ସ୍ପଷ୍ଟ କରିଛି ଯେ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଆମେରିକାର ସମ୍ପତ୍ତି। ବାସ୍ତବରେ ଏହି ପ୍ରତିମୂର୍ତ୍ତିକୁ ଫ୍ରାନ୍ସ ୧୮୮୪ ମସିହାରେ ଆମେରିକାକୁ ଉପହାର ସ୍ୱରୂପ ଦେଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ୧୭୭୬ ମସିହାରେ ଆମେରିକୀୟ ସ୍ୱାଧୀନତାର ୧୦୦ ତମ ବାର୍ଷିକୀ ପାଳନ କରିବା । କିନ୍ତୁ ଫ୍ରାଙ୍କୋ-ପ୍ରୁସିଆନ ଯୁଦ୍ଧ (୧୮୭୦) କାରଣରୁ ଏହାର ନିର୍ମାଣରେ ବିଳମ୍ବ ହୋଇଥିଲା ।
ଏହାର ନିର୍ମାଣ ଖର୍ଚ୍ଚ ଫ୍ରାନ୍ସ ବହନ କରିଥିବା ବେଳେ ଆମେରିକା ମୁର୍ତ୍ତି ବସାଇବା ପାଇଁ ଆବଶ୍ୟକ ପିଣ୍ଡି ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରିଥିଲା। ୩୫୦ ଖଣ୍ଡରେ ପଠାଯାଇଥିବା ଏହି ମୂର୍ତ୍ତି୧୮୮୬ ମସିହା ଅକ୍ଟୋବର ୨୮ ତାରିଖରେ ନ୍ୟୁୟର୍କ ହାର୍ବରରେ ଆନୁଷ୍ଠାନିକ ଭାବେ ସ୍ଥାପନ କରାଯାଇଥିଲା।
ଫ୍ରାନ୍ସ ସରକାରଙ୍କ ଆଭିମୁଖ୍ୟ
ତେବେ ଗ୍ଲୁକ୍ସମ୍ୟାନଙ୍କୁ ଫ୍ରାନ୍ସ ସରକାରଙ୍କ ତରଫରୁ କୌଣସି ସମର୍ଥନ ମିଳିନାହିଁ । ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏହି ପ୍ରସଙ୍ଗରେ ଚୁପ୍ ରହିଛନ୍ତି। ମାକ୍ରୋନ୍ ଏବେ ଆମେରିକାର ନୀତିକୁ ସନ୍ତୁଳିତ କରିବାକୁ ଚେଷ୍ଟା କରୁଛନ୍ତି। ସେ ଟ୍ରମ୍ପ ପ୍ରଶାସନକୁ ସହଯୋଗ କରିବାକୁ ଚାହୁଁଛନ୍ତି କିନ୍ତୁ ଟ୍ରମ୍ପଙ୍କ କେତେକ ନୀତି, ବିଶେଷ କରି ବାଣିଜ୍ୟ ଶୁଳ୍କ ବୃଦ୍ଧିକୁ ବିରୋଧ କରୁଛନ୍ତି।
ହ୍ୱାଇଟ୍ ହାଉସ୍ ର ପ୍ରତିକ୍ରିୟା
ଏହି ବିବାଦ ଉପରେ ହ୍ୱାଇଟ୍ ହାଉସ୍ ର ପ୍ରତିକ୍ରିୟା ପଚାରିବାରୁ ପ୍ରେସ୍ ସେକ୍ରେଟାରୀ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଆମେରିକାର ଐତିହ୍ୟ ଏବଂ ଏହାକୁ ଫେରାଇବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଲେଭିଟ୍ କହିଛନ୍ତି, ଯଦି ଆମେରିକା ନଥାନ୍ତା, ତେବେ ଫ୍ରାନ୍ସ ର ଲୋକମାନେ ଆଜି ଜର୍ମାନ ଭାଷା କହିଥାନ୍ତେ।
ଫ୍ରାନ୍ସ ଭୁଲିବା ଉଚିତ ନୁହେଁ ଯେ ଆମେରିକା ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହାଯ୍ୟ କରିଥିଲା । ଏଥିପାଇଁ ସେମାନେ ସର୍ବଦା କୃତଜ୍ଞ ରହିବା ଉଚିତ। ତେବେ ଆମେରିକାର ସ୍ୱାଧୀନତା ସଂଗ୍ରାମ (୧୭୭୫-୧୭୮୩)ରେ ଫ୍ରାନ୍ସର ଐତିହାସିକ ଭୂମିକାକୁ ଏହି ବିବୃତ୍ତିରେ ଅଣଦେଖା କରାଯାଇଥିଲା।