ପାକ୍ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ ଭୟରେ ସୀମାରେ ନୂଆ ବାୟୁସେନା ଘାଟି ତିଆରି କରୁଛି ପାକିସ୍ତାନ

ପାକିସ୍ତାନ ସରକାରଙ୍କୁ ଭାରତର ପାକ୍ ଅଧିକୃତ କାଶ୍ମୀର (ପିଓକେ) ଉପରେ କବଜାର ଭୟ ଚିନ୍ତିତ କଲାଣି । ଯେଉଁଥିପାଇଁ  ପାକିସ୍ତାନ ସରକାର କାଶ୍ମୀର ନିକଟସ୍ଥ ସ୍ୱାତ ଘାଟିରେ ଥିବା ସୈଦୁ ଶରିଫ ବିମାନବନ୍ଦରକୁ ଏକ ସୈନ୍ୟ ଆଡ୍ଡାରେ ପରିଣତ କରିବାରେ ଲାଗିପଡ଼ିଛନ୍ତି। ସାମ୍ପ୍ରତିକ ଉପଗ୍ରହ ଚିତ୍ରରୁ ପ୍ରକାଶ ପାଇଛି ଯେ ପାକିସ୍ତାନ ସେନା ଯୁଦ୍ଧ ବିମାନ (ଫାଇଟର ଜେଟ) ରଖିବା ପାଇଁ ମଜବୁତ ଶେଲ୍ଟର ନିର୍ମାଣ କରୁଛି। ଏହା ସହିତ ରନୱେର ବିସ୍ତାର କରିବାରେ ମଧ୍ୟ ଲାଗିଛି। ଏହା ଫଳରେ ଏହି ଏୟାରବେସ୍ ଟ୍ରାନ୍ସପୋର୍ଟ ପ୍ଲେନ୍‌ରୁ ଆରମ୍ଭ କରି ଫାଇଟର ଜେଟ୍ ପର୍ଯ୍ୟନ୍ତ ସବୁ ପାଇଁ ଉପଯୁକ୍ତ ହୋଇପାରିବ। ବିଶ୍ଳେଷକମାନେ କହୁଛନ୍ତି ଯେ କାଶ୍ମୀରର ଅନ୍ୟ ପାର୍ଶ୍ୱରେ ଅବସ୍ଥିତ ସୈଦୁ ଶରିଫ ଏୟାରବେସ୍ ଉନ୍ନତ ହେବା ପରେ ପାକିସ୍ତାନୀ ବାୟୁସେନା ସହଜରେ ଏଲଓସି (ନିୟନ୍ତ୍ରଣ ରେଖା) ପର୍ଯ୍ୟନ୍ତ ପହଞ୍ଚିପାରିବ ଏବଂ ଆକ୍ରମଣ କରିବାରେ ସକ୍ଷମ ହେବ।

ସାମରିକ ବିଶ୍ଳେଷକମାନେ କହୁଛନ୍ତି ଯେ ସୈଦୁ ଶରିଫ ଏୟାରବେସ୍‌ର ସାହାଯ୍ୟରେ ପାକିସ୍ତାନୀ ବାୟୁସେନା ଭାରତର ସୀମାରେ ଅତି ଶୀଘ୍ର ବିମାନ ଆକ୍ରମଣ କରିପାରିବ ।  ସ୍ୱାତର ସୁନ୍ଦର ଘାଟିରେ ଅବସ୍ଥିତ ଏହି ନାଗରିକ ବିମାନବନ୍ଦର ଏବେ ପାକିସ୍ତାନୀ ବାୟୁସେନାର ନୂଆ ଠିକଣା ହେବାକୁ ଯାଉଛି। ଏହି ବିମାନ ବନ୍ଦରର ଏୟାରଫିଲ୍ଡକୁ ୯୧୦ ମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି। ଏହା ଦ୍ୱାରା ପାକିସ୍ତାନୀ ବାୟୁସେନା ଏଠାରେ ବଡ଼ ପରିମାଣରେ ଯୁଦ୍ଧ ବିମାନ ସହଜରେ ମୁତୟନ କରିପାରିବ। ଏଥିରେ ସି-୧୩୦ ଟ୍ରାନ୍ସପୋର୍ଟ ପ୍ଲେନ୍ ଏବଂ ସମସ୍ତ ପ୍ରକାରର ଫାଇଟର ଜେଟ୍ ସାମିଲ ରହିଛି। ପାକିସ୍ତାନୀ ବାୟୁସେନା ପାଖରେ ଏଫ-୧୬, ଜେଏଫ-୧୭ ଏବଂ ଜେ-୧୦ ସି ଫାଇଟର ଜେଟ୍ ରହିଛି।

ଭାରତ ବିରୁଦ୍ଧରେ ପ୍ରତିଆକ୍ରମଣର ପ୍ରସ୍ତୁତି

ପାକିସ୍ତାନୀ ବାୟୁସେନା ଏଠାରେ ୪ଟି ମଜବୁତ ଶେଲ୍ଟର ନିର୍ମାଣ କରୁଛି ଯାହା ଦ୍ୱାରା ବିମାନଗୁଡ଼ିକୁ ମୁତୟନ କରାଯାଇପାରିବ। ପାକିସ୍ତାନର ଏହି ଏୟାରବେସ୍ ଶ୍ରୀନଗରଠାରୁ ମାତ୍ର ୨୩୦ କିଲୋମିଟର ଦୂରରେ ଅବସ୍ଥିତ। ବିଶ୍ଳେଷକମାନେ କହୁଛନ୍ତି ଯେ ଏହି ଏୟାରବେସ୍ ମାଧ୍ୟମରେ ପାକିସ୍ତାନୀ ବାୟୁସେନା ଭାରତ ବିରୁଦ୍ଧରେ ଏଲଓସିର ଅଗ୍ରଭାଗରେ ନିଜର ଶକ୍ତି ବୃଦ୍ଧି କରୁଛି। ପାକିସ୍ତାନର ସ୍ୱାତ ଘାଟିକୁ ‘ପାକିସ୍ତାନର ସ୍ୱିଟ୍ଜରଲ୍ୟାଣ୍ଡ’ କୁହାଯାଏ। ଏଠାକୁ ପ୍ରତିବର୍ଷ ବିଶ୍ୱର ବିଭିନ୍ନ ସ୍ଥାନରୁ ହଜାର ହଜାର ପର୍ଯ୍ୟଟକ ଆସନ୍ତି। ଏଠାରେ ଥିବା ବିମାନବନ୍ଦର ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିମାନବନ୍ଦରଟି ପ୍ରଥମେ ୧୯୭୮ ମସିହାରେ ନିର୍ମାଣ କରାଯାଇଥିଲା।

ଭାରତର ସୀମା ନିକଟରେ ଅବସ୍ଥିତ ଏହି ଏୟାରବେସ୍‌ରୁ ପାକିସ୍ତାନୀ ବାୟୁସେନା ଅତି ଶୀଘ୍ର ପ୍ରତିଆକ୍ରମଣ କରିପାରିବ। ଏହି ଅଞ୍ଚଳରେ ଆତଙ୍କବାଦ ମଧ୍ୟ ବହୁତ ବୃଦ୍ଧି ପାଇଛି ଏବଂ ପାକିସ୍ତାନୀ ସେନା ନୂଆ ଏୟାରବେସ୍‌ର ସାହାଯ୍ୟରେ ଶୀଘ୍ର ସୈନ୍ୟ ମୁତୟନ, ନିରୀକ୍ଷଣ ଏବଂ ସମଗ୍ର ଅଞ୍ଚଳରେ ସୁରକ୍ଷାକୁ ମଜବୁତ କରିପାରିବ। ଏହା ଦ୍ୱାରା ପାକିସ୍ତାନୀ ବାୟୁସେନାକୁ ଦୁଇଗୁଣ ଲାଭ ହେବାକୁ ଯାଉଛି। ପାକିସ୍ତାନୀ ସେନା ଆଶା କରୁଛି ଯେ ଏହି ନୂଆ ଏୟାରବେସ୍‌ରୁ ସମଗ୍ର ଅଞ୍ଚଳରେ ସ୍ଥିରତା ଆସିବ। ପାକିସ୍ତାନକୁ ଦୀର୍ଘ ଦିନ ଧରି ଏହି ଭୟ ଡରାଉଛି  ଯେ ଭାରତ ପିଓକେ ଉପରେ କବଜା କରିପାରେ। ଏହି କାରଣରୁ ହଜାର ହଜାର ସୈନିକଙ୍କୁ ପାକିସ୍ତାନ ଏଲଓସିର ଅନ୍ୟ ପାର୍ଶ୍ୱରେ ମୁତୟନ କରି ରଖିଛି। ଭାରତ ପାକିସ୍ତାନକୁ ଜବାବ ଦେବା ପାଇଁ ନିଜର ଏସ-୪୦୦ ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥାକୁ କାଶ୍ମୀର ଆଖପାଖରେ କୌଣସି ସ୍ଥାନରେ ମୁତୟନ କରିଛି।

Leave a Reply

Your email address will not be published. Required fields are marked *