ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ବାସଭବନରେ ଅଘୋଷିତ ନଗଦ ଟଙ୍କା ମିଳିବାର ଘଟଣା ଖବରରେ ଅଛି। ଏହି ଘଟଣା ପରେ ବିଚାରପତି ଯଶୱନ୍ତ ବର୍ମାଙ୍କଠାରୁ ନ୍ୟାୟିକ କାର୍ଯ୍ୟ ପ୍ରତ୍ୟାହାର କରାଯାଇଥିଲା। ପରେ ସାମ୍ନାକୁ ଆସିଥିବା ଏକ ଭିଡିଓରେ ଦେଖାଗଲା ଯେ, ୧୪ ମାର୍ଚ୍ଚରେ ନିଆଁ ଲାଗିବା ଘଟଣା ପରେ ତାଙ୍କ ବାସଭବନରୁ ଜଳିଯାଇଥିବା ନୋଟ୍ ବଣ୍ଡଲ ଉଦ୍ଧାର ହୋଇଥିଲା। ଭାରତର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ନଗଦ ଟଙ୍କା ଉଦ୍ଧାର ସହ ଜଡ଼ିତ ଅଭିଯୋଗର ତଦନ୍ତ ପାଇଁ ବରିଷ୍ଠ ବିଚାରପତିଙ୍କ ତିନି ଜଣିଆ କମିଟି ଗଠନ କରିଛନ୍ତି।
ଏହି ଘଟଣା ପରେ ଆପଣଙ୍କ ମନରେ ନିଶ୍ଚିତ ଭାବେ ଏହି ପ୍ରଶ୍ନ ଉଠିଥିବ ଯେ, ଜଣେ ବ୍ୟକ୍ତି ଆଇନଗତ ଭାବେ ଘରେ କେତେ ନଗଦ ଟଙ୍କା ରଖିପାରିବେ? ଏ ସମ୍ପର୍କରେ ଦେଶର ଆଇଟି (ଆୟକର) ଅଧିନିୟମ କ’ଣ କହୁଛି?
ଘରେ କେତେ ବି ଟଙ୍କା ରଖିପାରିବେ
ଫାଇନାନ୍ସିଆଲ୍ ଏକ୍ସପ୍ରେସ୍ ଅନୁସାରେ, କୌଣସି ବ୍ୟକ୍ତି ନିଜ ଘରେ ଯେତେ ଇଚ୍ଛା ଟଙ୍କା ରଖିପାରିବେ, ଏଥିପାଇଁ କୌଣସି ନିଷେଧାଦେଶ ନାହିଁ। ଏହା ସେତେବେଳେ ପର୍ଯ୍ୟନ୍ତ ଲାଗୁ ରହିବ ଯେତେବେଳେ ଆପଣ ପ୍ରମାଣ କରିପାରିବେ ଯେ ଏହା ବୈଧ ଉତ୍ସରୁ ଅର୍ଜିତ ଏବଂ ଆପଣ ଏହାକୁ ନିଜ ଆୟକର ରିଟର୍ଣ୍ଣରେ ଘୋଷଣା କରିଛନ୍ତି। ଯଦି ଆପଣ ଏହା ପ୍ରମାଣ କରିବାରେ ଅସମର୍ଥ ହୁଅନ୍ତି ଯେ ଟଙ୍କା ବୈଧ ଅଟେ, ତେବେ ଆପଣଙ୍କୁ ଗମ୍ଭୀର ଦଣ୍ଡର ସାମ୍ନା କରିବାକୁ ପଡ଼ିପାରେ। ବାସ୍ତବରେ, ଆୟକର ଅଧିକାରୀ କେବଳ ଟଙ୍କା ଜବତ କରିବେ ନାହିଁ, ବରଂ ସେମାନେ ଆପଣଙ୍କ ଉପରେ ୧୩୭ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ମଧ୍ୟ ଲଗାଇପାରନ୍ତି। ରିପବ୍ଲିକ୍ ଟିଭି ଅନୁସାରେ, ବିଶେଷଜ୍ଞ ଉଚିତ ଦଲିଲ ରଖିବାକୁ ପରାମର୍ଶ ଦିଅନ୍ତି – ଯେଉଁଥିରେ ରସିଦ, ଟଙ୍କା ଉଠାଣ ସ୍ଲିପ୍ ଏବଂ ଲେଣଦେଣ ରେକର୍ଡ ଅନ୍ତର୍ଭୁକ୍ତ – ସାଙ୍ଗକୁ ନଗଦରେ ଲେଣଦେଣ କରିବାରୁ ଦୂରେଇ ରହିବାକୁ କୁହନ୍ତି।

କେତେ ରାଶି ଜମା କରିପାରିବେ?
ନ୍ୟୁଜ୍୧୮ ଇଂରାଜୀ ଅନୁସାରେ, କୌଣସି ବ୍ୟକ୍ତି ଋଣ କିମ୍ବା ଜମା ରୂପେ ୨୦,୦୦୦ ଟଙ୍କାରୁ ଅଧିକ ନଗଦ ନେଇପାରିବେ ନାହିଁ। ଏହା ଅଚଳ ସମ୍ପତ୍ତି ହସ୍ତାନ୍ତର ସମ୍ପର୍କରେ ମଧ୍ୟ ସତ୍ୟ। ଯଦି ଆପଣ ନିଜ ଖାତାରେ ୫୦,୦୦୦ ଟଙ୍କାରୁ ଅଧିକ ଜମା କିମ୍ବା ଉଠାନ୍ତି, ତେବେ ଆପଣଙ୍କୁ ପାନ୍ ନମ୍ବର ଦେବାକୁ ପଡ଼ିବ। ଯଦି ଜଣେ ବ୍ୟକ୍ତି ଏକ ବର୍ଷରେ ୨୦ ଲକ୍ଷ ଟଙ୍କା ନଗଦ ଜମା କରନ୍ତି, ତେବେ ତାଙ୍କୁ ପାନ୍ ଓ ଆଧାର ଦୁହେଁ ଉପଲବ୍ଧ କରାଇବାକୁ ପଡ଼ିବ। ୩୦ ଲକ୍ଷ ଟଙ୍କାରୁ ଅଧିକ ନଗଦରେ ସମ୍ପତ୍ତି କିଣା କିମ୍ବା ବିକ୍ରି ମଧ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିପାରେ। ଯଦି କୌଣସି କ୍ରେଡିଟ୍ କାର୍ଡ ଧାରୀ ଏକାଥରକେ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡରୁ ୧ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇପାରେ।
ବିଶେଷଜ୍ଞ କ’ଣ କହୁଛନ୍ତି?
ଟାକ୍ସମ୍ୟାନ୍ର ଉପାଧ୍ୟକ୍ଷ ସିଏ ନବୀନ ବାଧବା ଫାଇନାନ୍ସିଆଲ୍ ଏକ୍ସପ୍ରେସ୍କୁ କହିଛନ୍ତି, “ଆୟକର ଅଧିନିୟମରେ ଏହା ସ୍ପଷ୍ଟ କରାଯାଇ ନାହିଁ ଯେ ଜଣେ ବ୍ୟକ୍ତି ଘରେ କେତେ ନଗଦ ରଖିପାରିବେ। ଜଣେ ବ୍ୟକ୍ତି ନିଜ ଆର୍ଥିକ ରେକର୍ଡରେ ଯଥାଯଥ ଭାବେ ନଥିଭୁକ୍ତ ବୈଧ ଉତ୍ସରୁ ପ୍ରାପ୍ତ ଉଚିତ ପରିମାଣର ନଗଦ ରଖିପାରିବେ। ଏହା ଉଲ୍ଲେଖନୀୟ ଯେ, ଆୟକର ଅଧିନିୟମରେ ଅସ୍ପଷ୍ଟ ଆୟକୁ ସମ୍ବୋଧନ କରିବା ପାଇଁ ସ୍ପଷ୍ଟ ବ୍ୟବସ୍ଥା ରହିଛି, ଯାହା ଧାରା ୬୮ରୁ ୬୯ବିରେ ଉଲ୍ଲେଖ କରାଯାଇଛି। ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ନଗଦ ରହିଛି, ତେବେ ଟାକ୍ସ ଅଧିକାରୀ ଟଙ୍କାର ଉତ୍ସ ଉପରେ ତଦନ୍ତ ଆରମ୍ଭ କରିପାରନ୍ତି, ଯେଉଁଥିପାଇଁ ବ୍ୟକ୍ତିଙ୍କଠାରୁ ବିସ୍ତୃତ ସ୍ପଷ୍ଟୀକରଣ ଆବଶ୍ୟକ ହେବ।” ବାଧବା କହିଛନ୍ତି, “ଏହିପରି ଟଙ୍କାର ପ୍ରକୃତି ଏବଂ ଉତ୍ସ ବିଷୟରେ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇ ନ ପାରିଲେ ଏହା ଅଘୋଷିତ ଆୟ ଭାବେ କରଯୋଗ୍ୟ ହୋଇପାରେ। ଏପରି ମାମଲାରେ ଅଘୋଷିତ ଆୟ ଉପରେ ୭୮ ପ୍ରତିଶତ ହାରରେ ଟାକ୍ସ ଲାଗିପାରେ, ସାଙ୍ଗକୁ ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ।”