ଆତଙ୍କବାଦୀମାନେ ଯେତେବେଳେ କୌଣସି ମିଶନରେ ବାହାରନ୍ତି, ସେମାନେ କେବଳ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନଥାନ୍ତି, ବରଂ ସେମାନଙ୍କର ମାନସିକ ଅବସ୍ଥା ମଧ୍ୟ ବେଶ୍ ଭିନ୍ନ ହୋଇଥାଏ। ଆକ୍ରମଣ ସମୟରେ ସେମାନଙ୍କ ମଧ୍ୟରେ ଭୟ, ଯନ୍ତ୍ରଣା କିମ୍ବା ଅନୁତାପର କୌଣସି ଚିହ୍ନ ଦେଖାଯାଏ ନାହିଁ। ଏହା କେବଳ କଠୋର ତାଲିମର ଫଳ ନୁହେଁ, ବରଂ ଏହା ପଛରେ ଏକ ବିପଜ୍ଜନକ ନିଶା ମଧ୍ୟ ରହିଛି। ଏହି ନିଶା ଏକ ଟାବଲେଟ୍ରୁ ଆସିଥାଏ, ଯାହା ଆତଙ୍କବାଦୀମାନଙ୍କୁ ଭୋକ, କ୍ଳାନ୍ତି, ନିଦ୍ରା ଓ ଯନ୍ତ୍ରଣାଠାରୁ ମୁକ୍ତ ରଖିଥାଏ। ଏହି ଟାବଲେଟ୍ର ନାମ ହେଉଛି- କ୍ୟାପ୍ଟାଗନ୍ ।
୭ ଅକ୍ଟୋବର ୨୦୨୩ରେ ଯେତେବେଳେ ହମାସ୍ର ଯୋଦ୍ଧାମାନେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ କରିଥିଲେ, ସେତେବେଳେ କ୍ୟାପ୍ଟାଗନ୍ ପୁନର୍ବାର ଚର୍ଚ୍ଚାକୁ ଆସିଥିଲା। ରିପୋର୍ଟ ଅନୁସାରେ, ହମାସ୍ର ଆତଙ୍କବାଦୀମାନେ ଆକ୍ରମଣ ପୂର୍ବରୁ ଏହି ଟାବଲେଟ୍ ସେବନ କରିଥିଲେ। ଇସ୍ରାଏଲରେ ଏହାକୁ ଏବେ ‘ନୁକବା ଡ୍ରଗ୍’ କୁହାଯାଉଛି। ଏହି ‘ନୁକବା’ ହେଉଛି ହମାସ୍ର ଏକ ବିଶେଷ ଆତଙ୍କବାଦୀ ୟୁନିଟ୍, ଯିଏ ୭ ଅକ୍ଟୋବରରେ ଇଜରାଇଲୀ ନାଗରିକଙ୍କ ଉପରେ ଆକ୍ରମଣ କରିଥିଲା।
କ୍ୟାପ୍ଟାଗନ୍ କ’ଣ?
କ୍ୟାପ୍ଟାଗନ୍ କୌଣସି ନୂଆ ଔଷଧ ନୁହେଁ। ଏହାର ରାସାୟନିକ ନାମ ହେଉଛି ଫେନେଥାଇଲିନ୍। ୧୯୬୦ ଦଶକରେ ଏହା ପିଲାମାନଙ୍କର ଧ୍ୟାନ ବିକୃତି ରୋଗ (ଅଟେନସନ୍ ଡିସଅର୍ଡର) ଚିକିତ୍ସା ପାଇଁ ତିଆରି ହୋଇଥିଲା। ଏହା କ୍ଳାନ୍ତି କମାଇଥାଏ, ଭୋକ ମାରିଥାଏ, ଆତ୍ମବିଶ୍ୱାସ ବଢ଼ାଇଥାଏ ଓ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିଥାଏ। ଏହି କାରଣରୁ ୧୯୯୦ ଦଶକରେ କିଛି ଓଲମ୍ପିକ୍ ଖେଳାଳି ଏହାର ଅପବ୍ୟବହାର କରିଥିଲେ। କିନ୍ତୁ ଏହାର ନିଶା ଲାଗିବା (ଏଡିକ୍ଟିଭ) ପ୍ରଭାବ ଯୋଗୁଁ ୧୯୮୦ ଦଶକର ମଝିରେ ଏହାକୁ ନିଷିଦ୍ଧ କରାଯାଇଥିଲା।
ଏହା ପରେ ଏହି ଔଷଧ ଅବୈଧ ଭାବେ ବ୍ଲାକ୍ ମାର୍କେଟରେ ଉପଲବ୍ଧ ହେବାକୁ ଲାଗିଲା। ଏହାକୁ ‘ଗରିବଙ୍କ କୋକେନ୍’ କୁହାଗଲା କାରଣ ଏହା କୋକେନ୍ଠାରୁ ବହୁତ ଶସ୍ତା ଓ ଲ୍ୟାବରେ ତିଆରି ହୋଇଥାଏ। ଏହାର ମୂଲ୍ୟ ଅଧାରୁ ମଧ୍ୟ କମ୍ ହୋଇଥାଏ, କିନ୍ତୁ କ୍ଷତି ଅଧିକ। ଏହାକୁ ଚିହ୍ନିବାର ଏକ ଉପାୟ ହେଉଛି, ବଟିକୈ ଉପରେ ଦୁଇଟି ଅର୍ଧଚନ୍ଦ୍ର ଚିହ୍ନ ଓ ଅନ୍ୟ ପାର୍ଶ୍ୱରେ ଏକ ସ୍କୋର ଲାଇନ୍ ଥାଏ।
ସିରିୟା: କ୍ୟାପ୍ଟାଗନ୍ର ବିଶ୍ୱବ୍ୟାପୀ କେନ୍ଦ୍ର
ଆଜିର ସମୟରେ ଏହି ଔଷଧର ଉତ୍ପାଦନ ସବୁଠାରୁ ଅଧିକ ସିରିୟା ଓ ଲେବାନନ୍ରେ ହୋଇଥାଏ। ସିରିୟାର ଏକଛତ୍ରବାଦୀ ଶାସକ ବଶାର ଅଲ୍ ଅସାଦଙ୍କ ଭାଇ ମହର ଅଲ୍ ଅସାଦଙ୍କ ନେତୃତ୍ୱରେ ସିରିୟା ଗୋଟିଏ ସମୟରେ କ୍ୟାପ୍ଟାଗନ୍ ପାୱାରହାଉସ୍ ହୋଇଥିଲା। ରିପୋର୍ଟ ଅନୁସାରେ, ପ୍ରତିବର୍ଷ ୫ ବିଲିୟନ୍ ଡଲାର ପର୍ଯ୍ୟନ୍ତ ଆୟ କେବଳ ଏହି ଡ୍ରଗ୍ ମାଧ୍ୟମରେ ହୋଇଥାଏ। ଏହା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଯୋଗାଣ କରାଯାଇଥାଏ। କାରଣ ଏହି ଔଷଧ ଭୋକ, ନିଦ୍ରା ଓ ଭୟକୁ ଦମନ କରିଥାଏ। ଏହା ଦ୍ୱାରା ଯୋଦ୍ଧାମାନେ ଦୀର୍ଘ ସମୟ ଯୁଦ୍ଧ କରିପାରନ୍ତି ଓ ଯନ୍ତ୍ରଣା କମ୍ ଅନୁଭବ କରନ୍ତି।
ଆଇଏସ୍ଆଇଏସ୍ର ଆତଙ୍କବାଦୀମାନଙ୍କ ପାଖରେ ମଧ୍ୟ ଏହି ଔଷଧ ମିଳିଥିଲା, ଯେଉଁମାନେ ୨୦୧୫ର ପ୍ୟାରିସ୍ ଆକ୍ରମଣରେ ସାମିଲ ଥିଲେ। ୭ ଅକ୍ଟୋବର ୨୦୨୩ର ଆକ୍ରମଣରେ ମଧ୍ୟ ଆତଙ୍କବାଦୀମାନଙ୍କ ପାଖରୁ ଏହି ଟାବଲେଟ୍ ଜବତ ହୋଇଥିଲା। ଯଦିଓ ଇସ୍ରାଏଲୀ ଅଧିକାରୀମାନେ କହିଛନ୍ତି ଯେ ଏହି ଔଷଧ ଆକ୍ରମଣ ପୂର୍ବରୁ ଇସ୍ରାଏଲ ରେ ଉପସ୍ଥିତ ଥିଲା। ଏହାକୁ ଗାଜାକୁ ମଧ୍ୟ ଚୋରାଚାଲଣ କରାଯାଇଥିଲା, ଯେଉଁଠାରେ ସୁଡ଼ଙ୍ଗ ଖୋଳୁଥିବା ଆତଙ୍କବାଦୀ ଓ ଆକ୍ରମଣକାରୀମାନଙ୍କୁ ଏହା ଦିଆଯାଉଥିଲା।

କେବେ-କେବେ ଏହି ଔଷଧ ଧରାପଡ଼ିଛି?
-ଡିସେମ୍ବର ୨୦୨୩: ଦେହିଶେହ ଶରଣାର୍ଥୀ ଶିବିରର ଦୁଇ ମହିଳା ଏଲନବି ବ୍ରିଜ୍ରେ ୪ କିଲୋ କ୍ୟାପ୍ଟାଗନ୍ ସହିତ ଧରାପଡ଼ିଥିଲେ।
– ଡିସେମ୍ବର ୨୦୨୦: ନିତ୍ଜାନା ସୀମାରେ ୭୫,୦୦୦ ଟାବଲେଟ୍ ଓ ୧,୦୦୦ କିଲୋ ତମାଖୁ ଜବତ ହୋଇଥିଲା, କ୍ୟାପ୍ଟାଗନ୍ ପାଇପ୍ରେ ଲୁଚାଯାଇଥିଲା।
– କେରମ୍ ଶାଲୋମ୍: ତୁର୍କୀରୁ ଆସିଥିବା କାର୍ଗୋରେ ମହିଳାଙ୍କ ସ୍ୟାଣ୍ଡାଲ୍ର ହିଲ୍ରେ ଲୁଚାଯାଇଥିବା କ୍ୟାପ୍ଟାଗନ୍ ମିଳିଥିଲା।
– ୨୦୨୦: ପ୍ରାୟ ୪ ଲକ୍ଷ ଟାବଲେଟ୍ ଏକ ନକଲି ଶିପମେଣ୍ଟରେ ଲୁଚାଇ ଗାଜାକୁ ପଠାଯାଉଥିଲା।
ଏହି ଡ୍ରଗ୍ର ସବୁଠାରୁ ବିପଜ୍ଜନକ ଦିଗ ହେଉଛି ଯେ ଏହାର ଉପଭୋକ୍ତାମାନେ ଅନେକ ସମୟରେ ଜାଣି ନଥାନ୍ତି ଯେ ସେମାନେ କ’ଣ ନେଉଛନ୍ତି। କେହି କେହି ଏହାକୁ ପାର୍ଟି ଡ୍ରଗ୍ ଭାବି ସେବନ କରନ୍ତି, କିନ୍ତୁ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇପାରେ। ଯେପରିକି ଆକ୍ରମଣାତ୍ମକତା, ଭାବନାତ୍ମକ ବିଚ୍ଛିନ୍ନତା ଓ ମାନସିକ ଅସ୍ଥିରତା।