ଚିକେନ୍ ଖାଇବା ଦ୍ୱାରା କ୍ୟାନ୍ସର ହୋଇପାରେ କି? ଏହି ଗବେଷଣାରୁ ଜାଣନ୍ତୁ 

ଯଦି ଆପଣ ମଧ୍ୟ ଚିକେନ୍ ଖାଇବାକୁ ପସନ୍ଦ କରନ୍ତି, ତେବେ ଆମେରିକାରେ ହୋଇଥିବା ଏକ ଗବେଷଣା ଆପଣଙ୍କୁ ନିଶ୍ଚିତ ଭାବେ ପଢ଼ିବା ଉଚିତ୍। ୧୯ ବର୍ଷ ଧରି ଚାଲିଥିବା ଏହି ଗବେଷଣାରେ ୪ହଜାର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଗବେଷଣାର ଫଳାଫଳ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ। ଯଦି ଆପଣ ଚିକେନ୍ ଖାଇବାର ଶୌଖିନ, ତେବେ ଏହି ଶୌକ ଉପରେ ଆପଣଙ୍କୁ ପୁନର୍ବାର ଚିନ୍ତା କରିବାକୁ ପଡ଼ିପାରେ। ଗବେଷକମାନେ ସପ୍ତାହରେ ମାତ୍ର ୩୦୦ ଗ୍ରାମ୍ ଚିକେନ୍ ଖାଇବା ଉପରେ ଗବେଷଣା କରିଥିଲେ। ସପ୍ତାହେ ମାତ୍ର ୩୦୦ ଗ୍ରାମ୍ ଚିକେନ୍ ଖାଇବା ଦ୍ୱାରା ମୃତ୍ୟୁର ଆଶଙ୍କା ୨୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଏ। ଯେଉଁମାନେ ସପ୍ତାହେ ୩୦୦ ଗ୍ରାମ୍ରୁ ଅଧିକ ଚିକେନ୍ ଖାଆନ୍ତି, ସେମାନଙ୍କ ପାଇଁ ଏହି ଆଶଙ୍କା ଦ୍ୱିଗୁଣିତ ହୋଇପାରେ। 

ଆମ ଦେଶରେ ମାଂସାହାରୀ ଖାଦ୍ୟ ଭାବେ ଚିକେନର ବ୍ୟବହାର ବହୁତ ଅଧିକ। ସାଧାରଣତଃ ମନେ କରାଯାଏ ଯେ ଚିକେନ୍ ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ଏହାଦ୍ୱାରା ଭିଟାମିନ୍ ବି-12 ଏବଂ କୋଲିନ୍ ମିଳେ, ଯାହା ମସ୍ତିଷ୍କ ପାଇଁ ଭଲ। ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ପ୍ରତିଦିନ ଚିକେନ ଖାଇଥାନ୍ତି. ଆମେରିକାରେ ହୋଇଥିବା ଗବେଷଣା ପଢ଼ିବା ପରେ ଆପଣଙ୍କୁ ଏହି ଅଭ୍ୟାସ ବଦଳାଇବାକୁ ପଡ଼ିପାରେ। ଗବେଷଣା ଅନୁସାରେ, ସପ୍ତାହେ ୩୦୦ ଗ୍ରାମ୍ ଚିକେନ୍ ଖାଇବା ଦ୍ୱାରା ଗ୍ୟାସ୍ଟ୍ରୋଇଣ୍ଟେଷ୍ଟାଇନାଲ୍ କ୍ୟାନ୍ସର ହେବାର ଆଶଙ୍କା ୨୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଏ। 

ଗବେଷଣାରେ ଆଉ କ’ଣ ଜଣାପଡ଼ିଲା 

୧୯ ବର୍ଷ ଧରି ୪୦୦୦ ଲୋକଙ୍କ ଉପରେ କରାଯାଇଥିବା ଗବେଷଣାରେ ଏହା ମଧ୍ୟ ଜଣାପଡ଼ିଲା ଯେ ମହିଳାମାନଙ୍କ ତୁଳନାରେ ପୁରୁଷମାନଙ୍କୁ ଏହି କ୍ୟାନ୍ସରର ବିପଦ ଅଧିକ। ନ୍ୟୁଟ୍ରିଏଣ୍ଟ୍ସରେ ପ୍ରକାଶିତ ଏହି ଗବେଷଣା ଅନୁସାରେ, ଗ୍ୟାସ୍ଟ୍ରୋଇଣ୍ଟେଷ୍ଟାଇନାଲ୍ କ୍ୟାନ୍ସର ଯୋଗୁଁ ହେଉଥିବା ମୃତ୍ୟୁର ଅଧିକ ସଂଖ୍ୟାକୁ ନେଇ ଏହି ଗବେଷଣା କରାଯାଇଥିଲା। ଗବେଷଣାରେ ୨୦୨୦-୨୦୨୫ ଆହାର ସମ୍ବନ୍ଧୀୟ ନିର୍ଦ୍ଦେଶିକା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। 

ଗବେଷଣାରେ ଏହା ମଧ୍ୟ କୁହାଯାଇଛି ଯେ ଲାଲ ମାଂସ ଏବଂ ପ୍ରୋସେସ୍ଡ ମାଂସ ସମ୍ବନ୍ଧରେ ପୂର୍ବରୁ ହିଁ ଚିନ୍ତା ରହିଛି। ଲାଲ ମାଂସ ତୁଳନାରେ ଧଳା ମାଂସକୁ ନିରାପଦ ମନେ କରାଯାଉଥିଲା, କିନ୍ତୁ ଗବେଷଣା ପରେ ଧଳା ମାଂସର ସେବନ ମଧ୍ୟ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି। 

ଏବେ ଅଧିକ ଭୟ କରିବାର ଆବଶ୍ୟକତା ନାହିଁ 

ଗବେଷଣାରେ କୁହାଯାଇଛି ଯେ ସପ୍ତାହେ ୧୦୦ ଗ୍ରାମ୍ ଚିକେନ୍ ଖାଇବା ବେଶ୍ ନିରାପଦ, କିନ୍ତୁ ଯେଉଁମାନେ ସପ୍ତାହରେ ୩୦୦ ଗ୍ରାମ୍ କିମ୍ବା ତା’ଠାରୁ ଅଧିକ ଚିକେନ୍ ଖାଆନ୍ତି, ସେମାନଙ୍କ ସମ୍ବନ୍ଧରେ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଗବେଷଣାରେ ବ୍ୟାୟାମ ଏବଂ ଜୀବନଶୈଳୀକୁ ଅନ୍ତର୍ଭୁକ୍ତ କରାଯାଇ ନଥିଲା। ଗବେଷଣାରେ କୁହାଯାଇଛି ଯେ ପ୍ରୋସେସ୍ଡ ଚିକେନ୍, ବ୍ୟାୟାମ ଏବଂ ଜୀବନଶୈଳୀ ସମ୍ବନ୍ଧରେ ମଧ୍ୟ ଗବେଷଣାର ଆବଶ୍ୟକତା ରହିଛି। ବର୍ତ୍ତମାନ ପାଇଁ ଗବେଷକମାନେ ଚିକେନ୍ ସେବନ କମ୍ କରିବାକୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *