ୱାକଫ ସଂଶୋଧନ ବିଧେୟକ ଗତ ଗୁରୁବାର ଲୋକସଭା ଓ ଶୁକ୍ରବାର ରାଜ୍ୟସଭାରେ ପାସ ହୋଇଥିଲା। ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଧେୟକକୁ ନିଜର ଅନୁମୋଦନ ପ୍ରଦାନ କରିଥିଲେ। କେନ୍ଦ୍ର ସରକାର ଏହା ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ ୱାକଫ ଆଇନକୁ ୮ ଏପ୍ରିଲରୁ ଦେଶରେ ପ୍ରଭାବୀ ଭାବେ ଲାଗୁ କରାଯାଇଛି। ୱାକଫ ଆଇନ ଲାଗୁ ହେବାର କିଛି ଦିନ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି।
ମମତା ବାନାର୍ଜୀ କହିଛନ୍ତି ଯେ କେନ୍ଦ୍ରର ୱାକଫ ସଂଶୋଧନ ଆଇନକୁ ପଶ୍ଚିମବଙ୍ଗରେ ଲାଗୁ କରାଯିବ ନାହିଁ। ବୁଧବାର କୋଲକାତାରେ ଜୈନ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ମମତା କହିଛନ୍ତି, “ମୁଁ ଅଲ୍ପସଂଖ୍ୟକ ଲୋକଙ୍କ ଏବଂ ସେମାନଙ୍କ ସମ୍ପତ୍ତିର ସୁରକ୍ଷା କରିବି।” ସେ ଆହୁରି କହିଛନ୍ତି, “ମୁଁ ଜାଣେ ୱାକଫ ଆଇନ ହେବାରୁ ଆପଣମାନେ ନିରାଶ। କିନ୍ତୁ ଭରସା ରଖନ୍ତୁ, ବଙ୍ଗଳରେ ଏପରି କିଛି ହେବ ନାହିଁ, ଯାହା ଦ୍ୱାରା କେହି ବିଭେଦ ସୃଷ୍ଟି କରି ଶାସନ କରିପାରିବ। ବାଂଲାଦେଶର ପରିସ୍ଥିତି ଦେଖନ୍ତୁ। ୱାକଫ ସଂଶୋଧନ ବିଧେୟକକୁ ଏବେ ପାସ କରାଯିବା ଉଚିତ ନଥିଲା।” ଏହା ଏକ ପ୍ରଶ୍ନ ଉଠାଏ ଯେ ମମତା ବାନାର୍ଜୀ କ’ଣ ଏହି ଆଇନକୁ ଲାଗୁ କରିବାକୁ ମନା କରିପାରନ୍ତି? କୌଣସି ରାଜ୍ୟ ସରକାର କ’ଣ କେନ୍ଦ୍ରର କୌଣସି ଆଇନକୁ ନିଜ ରାଜ୍ୟରେ ଲାଗୁ କରିବାକୁ ମନା କରିପାରେ?
ଆସନ୍ତୁ ଜାଣିବା ଏହି ମାମଲାରେ ଭାରତର ସଂବିଧାନ କ’ଣ କହୁଛି? ସଂବିଧାନର ଅନୁଚ୍ଛେଦ ୨୪୫ ଓ ୨୪୬ ଅନୁସାରେ ସଂସଦକୁ ଆଇନ ନିର୍ମାଣ କରିବାର ଅଧିକାର ରହିଛି। ଯଦି ସଂସଦ ଦ୍ୱାରା ନିର୍ମିତ ଆଇନ ସଂଘ ତାଲିକା (Union List) କିମ୍ବା ସମବର୍ତ୍ତୀ ତାଲିକା (Concurrent List) ସହ ସମ୍ପୃକ୍ତ, ତେବେ ରାଜ୍ୟମାନଙ୍କର ଏହାକୁ ଲାଗୁ ନ କରିବାର ଅଧିକାର ସୀମିତ।
ୱାକଫର ନୂଆ ଆଇନ ଏବଂ ରାଜ୍ୟମାନଙ୍କର ଭୂମିକା
ୱାକଫ ଏକ କେନ୍ଦ୍ରୀୟ ବିଷୟ। ୱାକଫକୁ ଭାରତୀୟ ସଂବିଧାନର ସମବର୍ତ୍ତୀ ତାଲିକାରେ (Entry 28, List III) ସାମିଲ କରାଯାଇଛି। ଅର୍ଥାତ୍ କେନ୍ଦ୍ର ଓ ରାଜ୍ୟ ଉଭୟ ଏହା ଉପରେ ଆଇନ ପ୍ରଣୟନ କରିପାରନ୍ତି। ତେବେ, ଯଦି କେନ୍ଦ୍ର ସରକାର କୌଣସି ପ୍ରଣୟନ କରେ , ତେବେ ରାଜ୍ୟମାନଙ୍କର ଏହାକୁ ଚ୍ୟାଲେଞ୍ଜ କରିବା କିମ୍ବା ଅନୁସରଣ ନ କରିବାର ଅଧିକାର ନାହିଁ, ଯଦି ସଂବିଧାନରେ କୌଣସି ବିଶେଷ ବ୍ୟବସ୍ଥା ନ ଥାଏ। ଯଦି ସଂସଦ ୱାକଫ ପରିଚାଳନା କିମ୍ବା ୱାକଫ ସମ୍ପତ୍ତି ସମ୍ପର୍କିତ କୌଣସି ନୂଆ ଆଇନ ପାସ କରିଛି, ତେବେ ରାଜ୍ୟ ସରକାରମାନେ ଏହାକୁ ଲାଗୁ କରିବାକୁ ବାଧ୍ୟ।
ଆଇନ ପାଳନ ରାଜ୍ୟମାନଙ୍କର ଦାୟିତ୍ୱ
କାରଣ ଅନୁଚ୍ଛେଦ ୨୫୪ ଅନୁସାରେ କେନ୍ଦ୍ରୀୟ ଆଇନ ରାଜ୍ୟ ଆଇନମାନଙ୍କ ଉପରେ ପ୍ରାଧାନ୍ୟ ରଖେ। ଅନୁଚ୍ଛେଦ ୨୫୬ ଅନୁସାରେ ରାଜ୍ୟ ସରକାରମାନେ କେନ୍ଦ୍ର ଦ୍ୱାରା ନିର୍ମିତ ଆଇନ ଏବଂ ତାଙ୍କ ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରିବାକୁ ମନା କରିପାରିବେ ନାହିଁ। ବିଶେଷଜ୍ଞମାନେ କହନ୍ତି ଯେ କେନ୍ଦ୍ରର ନିର୍ଦ୍ଦେଶଗୁଡ଼ିକୁ ପାଳନ କରିବା ରାଜ୍ୟମାନଙ୍କର ଦାୟିତ୍ୱ। କେନ୍ଦ୍ରର କୌଣସି ଆଇନକୁ ଅନୁସରଣ ନ କରିବା ସଂବିଧାନର ବିଫଳତା ବୋଲି ଗଣାଯାଏ। ଏପରି ହେଲେ କେଉଁ କାର୍ଯ୍ୟାନୁଷ୍ଠାନ ହୋଇପାରେ, ତାହା ସଂବିଧାନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।
ରାଜ୍ୟମାନଙ୍କର ଭୂମିକା କ’ଣ ହୋଇପାରେ?
ରାଜ୍ୟ ସରକାରମାନେ ୱାକଫ ବୋର୍ଡଗୁଡ଼ିକର ପ୍ରଶାସନିକ କାର୍ଯ୍ୟରେ ଭୂମିକା ନିଭାଇପାରନ୍ତି, କିନ୍ତୁ କେନ୍ଦ୍ର ଦ୍ୱାରା ନିର୍ମିତ ଆଇନକୁ ରଦ୍ଦ କିମ୍ବା ଅମାନ୍ୟ କରିପାରିବେ ନାହିଁ। ଯଦି ରାଜ୍ୟର ନିଜସ୍ୱ କୌଣସି ୱାକଫ ଆଇନ ଥାଏ, ଯାହା କେନ୍ଦ୍ରୀୟ ଆଇନ ସହ ସଂଘର୍ଷ କରେ, ତେବେ କେନ୍ଦ୍ରୀୟ ଆଇନ ହିଁ ପ୍ରଭାବୀ ହେବ। ଯଦି ରାଷ୍ଟ୍ରପତିଙ୍କ ଅନୁମତି ସହ କୌଣସି ରାଜ୍ୟ ଆଇନ ପ୍ରଣୟନ କରେ ତେବା ରାଜ୍ୟ ଆଇନକୁ ପ୍ରାଧାନ୍ୟ ଦିଆଯାଏ। ଯଦି କୌଣସି ରାଜ୍ୟ ପ୍ରମାଣ କରିପାରେ ଯେ କେନ୍ଦ୍ରୀୟ ଆଇନ ସଂବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ କରୁଛି, ତେବେ ସେ କୋର୍ଟର ଦ୍ୱାରସ୍ଥ ହୋଇପାରେ।
ତେବେ, ଏପରି ପ୍ରଥମ ଥର ନୁହେଁ ଯେ କୌଣସି ରାଜ୍ୟ ସରକାର ସଂସଦ ଦ୍ୱାରା ପାସ ହୋଇଥିବା ଆଇନକୁ ନିଜ ରାଜ୍ୟରେ ଲାଗୁ କରିବାକୁ ବାଧା ଦେଉଛି। ଏହା ପୂର୍ବରୁ ଯେତେବେଳେ ନାଗରିକତା ସଂଶୋଧନ ଆଇନ (CAA) ଆସିଥିଲା, ସେତେବେଳେ ମଧ୍ୟ ପଶ୍ଚିମବଙ୍ଗ ଓ କେରଳ ଏହାକୁ ନିଜ ରାଜ୍ୟରେ ଲାଗୁ କରିବା ଉପରେ ବିରୋଧ ପ୍ରକାଶ କରିଥିଲେ।