ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ସତର୍କତା ଜାରି ହୋଇଛି। ବିଶେଷ କରି ଜମ୍ମୁ-କଶ୍ମୀରର ସୀମା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଉଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସୀମା ନିକଟସ୍ଥ ଗାଁମାନଙ୍କରେ ନିର୍ମିତ ପୁରୁଣା ବଙ୍କରଗୁଡ଼ିକର ଲୋକେ ସଫେଇ ଆରମ୍ଭ କରିଛନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସରକାର ଦ୍ୱାରା ନିର୍ମିତ ଏହି ବଙ୍କରଗୁଡ଼ିକରେ ପାକିସ୍ତାନ ପକ୍ଷରୁ ଗୁଳିବିନିମୟ ସମୟରେ ଆଶ୍ରୟ ନିଆଯାଉଥିଲା। ଏବେ ପୁଣି ପହଲଗାମ ଆକ୍ରମଣ ପରେ ଏହାକୁ ପ୍ରସ୍ତୁତ କରାଯାଉଛି। ଆସନ୍ତୁ ଜାଣିବା ବଙ୍କର କିପରି ସୁରକ୍ଷା କବଚ ଭଳି କାମ କରେ, ଏହା କେତେ ପ୍ରକାରର ହୋଇଥାଏ ଏବଂ କେତେ ପ୍ରକାରର ଆକ୍ରମଣ ସହିପାରେ।
ଆକ୍ରମଣରୁ ରକ୍ଷା କରିବା ପାଇଁ ନିର୍ମାଣ ହୁଏ ବଙ୍କର
ସେନା ଦ୍ୱାରା ଲୁଚିବା ଏବଂ ବିଭିନ୍ନ ପ୍ରକାରର ଆକ୍ରମଣରୁ ରକ୍ଷା ପାଇଁ ନିର୍ମିତ ଢାଞ୍ଚାକୁ ବଙ୍କର କୁହାଯାଏ। ସାଧାରଣତଃ ବଙ୍କରଗୁଡ଼ିକ ସୀମା ଅଞ୍ଚଳ ଏବଂ ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିର୍ମାଣ କରାଯାଏ। କେତେକ ସମୟରେ ଗୁରୁତ୍ୱପୂର୍ଣ୍ଣ ନେତା କିମ୍ବା ରାଷ୍ଟ୍ରପ୍ରମୁଖଙ୍କ ବାସସ୍ଥାନରେ ମଧ୍ୟ ବଙ୍କର ଭଳି ବ୍ୟବସ୍ଥା କରାଯାଏ। ଏହି ବଙ୍କରଗୁଡ଼ିକ ଶତ୍ରୁଙ୍କ ଯେକୌଣସି ଆକ୍ରମଣରୁ ଦେଶର ଲୋକ ଏବଂ ସୈନିକମାନଙ୍କୁ ସୁରକ୍ଷା ଦେବା ଏବଂ ମୋର୍ଚା ସ୍ଥାପନ ପାଇଁ କାମ କରେ।
ସରକାର କରିଥିଲେ ୧୪ ହଜାର ବଙ୍କର ନିର୍ମାଣ ଘୋଷଣା
ପାକିସ୍ତାନ ପକ୍ଷରୁ ବାରମ୍ବାର ହେଉଥିବା ଗୁଳିବିନିମୟରୁ ଲୋକଙ୍କୁ ରକ୍ଷା କରିବା ପାଇଁ କିଛି ବର୍ଷ ପୂର୍ବେ ଜମ୍ମୁ-କଶ୍ମୀରରେ ସରକାର ସୀମା ନିକଟସ୍ଥ ଲୋକଙ୍କ ପାଇଁ ବଙ୍କର ନିର୍ମାଣ ଘୋଷଣା କରିଥିଲେ। ସେହି ସମୟରେ ସାଧାରଣ ଲୋକଙ୍କ ପାଇଁ ୧୪ ହଜାର ବଙ୍କର ନିର୍ମାଣ ପାଇଁ ପ୍ରସ୍ତୁତି କରାଯାଇଥିଲା। ଛୋଟଛୋଟ ଭାବେ ମଧ୍ୟ ଭାରତ କଶ୍ମୀରର ସୀମା ଅଞ୍ଚଳରେ ବଙ୍କର ନିର୍ମାଣ କରିଛି, ଯାହା ଦ୍ୱାରା ଯେକୌଣସି ଆକ୍ରମଣ ସମୟରେ ସାଧାରଣ ଲୋକ ଏବଂ ସୈନିକମାନେ ରକ୍ଷା ପାଇପାରିବେ ଏବଂ ଆକ୍ରମଣର ପ୍ରତିରୋଧ କରିପାରିବେ।
ପ୍ରାକୃତିକ ବିପର୍ଯ୍ୟୟରୁ ମଧ୍ୟ ରକ୍ଷା କରେ
ସୈନ୍ୟ ଓ ଲୋକଙ୍କ ସୁରକ୍ଷା ପାଇଁ ବଙ୍କର କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ଦେଶମାନେ ନିର୍ମାଣ କରନ୍ତି। ଏକ ପ୍ରକାରେ ଏହା ସୀମାରେ ତୈନାତ ଏବଂ ଯୁଦ୍ଧ କରୁଥିବା ସୈନିକଙ୍କ ପାଇଁ ଅସ୍ଥାୟୀ ଘର ଭଳି। ପ୍ରକୃତରେ ପ୍ରତ୍ୟେକ ଦେଶରେ ବଙ୍କର ନିର୍ମାଣ କରାଯାଏ, ଯାହା ଆକ୍ରମଣ ସମୟରେ କାମ ଆସେ। ବଙ୍କର କେବଳ ଯୁଦ୍ଧ ସମୟରେ ନୁହେଁ, ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବାରେ ମଧ୍ୟ ସହାୟକ। ରାସାୟନିକ ଏବଂ ରେଡିଏସନ ଭଳି ବିପଦରୁ ମୁକାବିଲା କରିବାରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ବିଭିନ୍ନ ପ୍ରକାରର ବଙ୍କର
ତେବେ ପ୍ରଶ୍ନ ଉଠେ ବଙ୍କର କିପରି ନିର୍ମାଣ କରାଯାଏ? ପ୍ରକୃତରେ ବଙ୍କର ହେଉଛି ଭୂମି ତଳେ ନିର୍ମିତ ଏକ ଘର। ଏହାର କାନ୍ଥଗୁଡ଼ିକ ଅନେକ ଫୁଟ ମୋଟା କଂକ୍ରିଟ କିମ୍ବା ଅନେକ ଇଞ୍ଚ ମୋଟା ଲୁହା ପରତରେ ନିର୍ମିତ ହୋଇଥାଏ। ବଙ୍କର ଅନେକ ପ୍ରକାରର ହୋଇଥାଏ। ବଡ଼ ନେତା କିମ୍ବା ରାଷ୍ଟ୍ରପ୍ରମୁଖଙ୍କ ପାଇଁ ନିର୍ମିତ ବଙ୍କରରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହୋଇଥାଏ। ଏଥିରେ ରହିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ଥାଏ। କିନ୍ତୁ ଜଣେ କିମ୍ବା ଦୁଇଜଣଙ୍କ ରହିବା ପାଇଁ ନିର୍ମିତ ବଙ୍କରଗୁଡ଼ିକୁ ‘କ୍ୟୁଜ୍ଡ’ ନାମରେ ଜଣାଯାଏ।
ଭାରତରେ କିପରି ହୁଏ ନିର୍ମାଣ
ବଙ୍କର ନିର୍ମାଣ ପାଇଁ ସାଧାରଣତଃ ପ୍ରି-କାଷ୍ଟ କନଷ୍ଟ୍ରକସନ ମେଥଡୋଲୋଜିର ବ୍ୟବହାର କରାଯାଏ। ପ୍ରି-କାଷ୍ଟ ଟେକ୍ନିକରେ ଭୂମି ଉପରେ ଲୁହା ସାଞ୍ଚାରେ କଂକ୍ରିଟ ଭର୍ତ୍ତି କରାଯାଏ। ଏହିପରି କାରଖାନାରେ ବଙ୍କରର କାନ୍ଥ ଏବଂ ଛାତ ପ୍ରସ୍ତୁତ କରାଯାଏ। ତା’ପରେ ଏହାକୁ ଭୂମି ତଳେ ନିର୍ମିତ ଢାଞ୍ଚାରେ ଫିଟ କରାଯାଏ।
ବଙ୍କର ନିର୍ମାଣ ସମୟରେ ମଜବୁତ ଏବଂ ସୁରକ୍ଷାର ବିଶେଷ ଧ୍ୟାନ ରଖାଯାଏ। ତେଣୁ ଏହା ଜରୁରୀ ହୋଇଥାଏ ଯେ ଭୂମି ତଳେ ନିର୍ମିତ ଢାଞ୍ଚାରେ ଫିଟ କରାଯାଇଥିବା କାନ୍ଥ ଏବଂ ଛାତ ଉପରିସ୍ଥ ଚାପ ସହିବା ସହ ପାଣି, କୀଟପତଙ୍ଗ ଏବଂ ଗୁପ୍ତଚରଙ୍କଠାରୁ ମଧ୍ୟ ସୁରକ୍ଷିତ ରଖିପାରେ। ପ୍ରି-କାଷ୍ଟ କନଷ୍ଟ୍ରକସନ ମେଥଡୋଲୋଜିର ଅନେକ ଫାଇଦା ରହିଛି। ଏହା ଦ୍ୱାରା ବଙ୍କର ଦ୍ରୁତ ଗତିରେ ନିର୍ମାଣ ହୋଇପାରେ। ଏହି ପଦ୍ଧତିରେ ଗୋଟିଏ ବଙ୍କର ନିର୍ମାଣ ପାଇଁ ମାତ୍ର ଦୁଇରୁ ତିନି ଦିନ ଲାଗେ।
ଘର ଭଳି ସୁବିଧା ପ୍ରଦାନର ଚେଷ୍ଟା
ଭୂମି ତଳେ ବଙ୍କରରେ ଘର ଭଳି ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରାଯାଏ, ଯାହା ଦ୍ୱାରା ଏଥିରେ ରହି ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବଙ୍କରର ହାଓ୍ୱାଦାର ହେବା। ଏଥିରେ ଆଲୋକ, ହାଓ୍ୱା, ବିଦ୍ୟୁତ, ପାଣି ଏବଂ ଖାଦ୍ୟ ସୁବିଧା ମଧ୍ୟ ରହିଥାଏ। ସୈନିକମାନେ ରହିବା ସମୟ ଅନୁଯାୟୀ ଖାଦ୍ୟ ନେଇ ବଙ୍କରକୁ ଯାଆନ୍ତି।
ହାଓ୍ୱା ପାଇଁ ଅଧିକାଂଶ ବଙ୍କରରେ ବ୍ଲାଷ୍ଟ ଭାଲ୍ଭ ଲଗାଯାଇଥାଏ। ଏହି ଭାଲ୍ଭଗୁଡ଼ିକ ଝରକା ଭଳି କାମ କରେ। ଆଖପାଖରେ କୌଣସି ବିସ୍ଫୋରଣ ହେଲେ ଏହି ବ୍ଲାଷ୍ଟ ଭାଲ୍ଭ ଆପେ ବନ୍ଦ ହୋଇଯାଏ। ବଙ୍କରରେ ପାଣି ଗରମ କରିବା ପାଇଁ ଷ୍ଟୋଭ ମଧ୍ୟ ରହିଥାଏ। ଯେହେତୁ ଜମ୍ମୁ-କଶ୍ମୀରରେ ବଙ୍କର ଜରୁରୀ ସ୍ଥିତି ପାଇଁ ନିର୍ମାଣ କରାଯାଇଛି, ତେଣୁ ଏଥିରେ ସୈନିକ ଓ ସାଧାରଣ ଲୋକଙ୍କ ସୁରକ୍ଷା ସହ ମୌଳିକ ସୁବିଧାର ମଧ୍ୟ ଧ୍ୟାନ ରଖାଯାଇଛି।

ସୀମାରେ ବଙ୍କରର ଅବସ୍ଥାନ
ବଙ୍କର ସାଧାରଣତଃ ସୀମାରୁ ଏକରୁ ତିନି କିଲୋମିଟର ଦୂରତା ମଧ୍ୟରେ ନିର୍ମାଣ କରାଯାଇଥାଏ। ଜରୁରୀ ସ୍ଥିତିରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏଥିରେ ରହିବାକୁ ପଡ଼ିପାରେ। ତେଣୁ ଏହାକୁ ଦୀର୍ଘ ସମୟ ପାଇଁ ସୁରକ୍ଷିତ ରହିବା ପାଇଁ ଏହାକୁ ନିର୍ମାଣ କରାଯାଏ ।