ଭାଗଲପୁରର ନବଗଛିଆରେ କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜାଙ୍କ ମଧ୍ୟରେ ହୋଇଥିବା ଗୁଳିମାଡ଼ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାର ୧୫ ଘଣ୍ଟା ପୂର୍ବରୁ ହତ୍ୟାର ଷଡ଼ଯନ୍ତ୍ର ରଚାଯାଇଥିଲା। ଜମି ବିବାଦ କାରଣରୁ ବିଶ୍ୱଜିତ ଓ ଜୟଜିତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯେଉଁଥିରେ ବିଶ୍ୱଜିତ ଜୟଜିତଙ୍କୁ ଗୁଳି ମାରିଥିଲେ ଏବଂ ପରେ ଜୟଜିତ ମଧ୍ୟ ବିଶ୍ୱଜିତଙ୍କୁ ଗୁଳି ମାରିଥିଲେ। ଏହି ଘଟଣାରେ ବିଶ୍ୱଜିତଙ୍କର ମୃତ୍ୟୁ ହୋଇଯାଇଛି, ଯେତେବେଳେ କି ଜୟଜିତ ଆହତ ଅବସ୍ଥାରେ ଅଛନ୍ତି। ତାଙ୍କ ମା’ ମଧ୍ୟ ଗୁଳି ବାଜି ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ବିବାଦ ଏବଂ ହତ୍ୟାର ଚିତ୍ରନାଟ୍ୟ ଘଟଣାର ୧୫ ଘଣ୍ଟା ପୂର୍ବରୁ ଲେଖାଯାଇଥିଲା। ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସାନ ଭଉଣିଙ୍କ ପୁଅ ବିଶ୍ୱଜିତ ଓ ଜୟଜିତଙ୍କ ମଧ୍ୟରେ କିଛି ବର୍ଷ ଧରି ଜମି ଓ ଘର ବଣ୍ଟନକୁ ନେଇ ବିବାଦ ଚାଲିଆସୁଥିଲା। ବୁଧବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ବିଶ୍ୱଜିତ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ, ‘ମୁଁ ଅସ୍ତ୍ର ଆଣିଛି, ଜୟଜିତକୁ ଗୁଳି ମାରିଦେବି, ନଚେତ୍ ସେ ମୋତେ ମାରିଦେବ।’ ଏହା ଶୁଣି ବିଶ୍ୱଜିତଙ୍କ ପତ୍ନୀ ନିଶା ଦେବୀ ତାଙ୍କୁ ବୁଝାଇଥିଲେ ଯେ ତିନି ମାସ ପରେ ସେମାନେ ଅଲଗା ହୋଇଯିବେ, ତେଣୁ ଗୁଳି ମାରିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ବିଶ୍ୱଜିତ ଗୁଳି ମାରିବାକୁ ନିଜ ଜିଦରେ ଅଟଳ ରହିଥିଲେ। ସେ କହିଥିଲେ, ‘ଠିକ ଅଛି, ମୁଁ ଛାଡ଼ି ଦେଉଛି, କିନ୍ତୁ ଯଦି ସେ ମୋତେ ମାରିଦିଏ, ତୁମେ ପଛରେ ପସ୍ତାଇବ ।’
ନଳରୁ ପାଣି ଭରିବା ଉପରେ ହୋଇଥିଲା ବିବାଦ
ଏହା ମଧ୍ୟ କୁହାଯାଉଛି ଯେ ଗୁରୁବାର ସକାଳେ ବିଶ୍ୱଜିତ ଓ ଜୟଜିତଙ୍କ ପତ୍ନୀଙ୍କ ମଧ୍ୟରେ ନଳରୁ ପାଣି ଭରିବାକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଉଭୟ ଭାଇଙ୍କ ପାଖରେ ପହଞ୍ଚିଥିଲା। ଘଟଣାରେ ପ୍ରଥମେ ବିଶ୍ୱଜିତ ଜୟଜିତଙ୍କ ଚିବୁକକୁ ଗୁଳି ମାରିଥିଲେ, ଏହାପରେ ଜୟଜିତ ବିଶ୍ୱଜିତଙ୍କ ଛାତିକୁ ଗୁଳି ମାରିଥିଲେ। ବିଶ୍ୱଜିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ, ଜୟଜିତ ବର୍ତ୍ତମାନ ପଟନାରେ ଏକ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଘଟଣାରେ ତାଙ୍କ ମା’ ମୀନା ଦେବୀଙ୍କ ହାତରେ ଗୁଳି ଲାଗିଛି, ତାଙ୍କର ମଧ୍ୟ ଭାଗଲପୁରରେ ଏକ ହସ୍ପିଟାଲରେ ଚିକିତ୍ସା ଚାଲିଛି।
ଗଣମାଧ୍ୟମକୁ ଉତ୍ତର ଦେଲେନି ନିତ୍ୟାନନ୍ଦ ରାୟ
ଘଟଣା ପରେ ଶୁକ୍ରବାର ଦିନ କେନ୍ଦ୍ରୀୟ ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ତାଙ୍କ ଭଉଣୀଙ୍କ ଘରେ ପହଞ୍ଚିଥିଲେ। ସେ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏହି ସମୟରେ ସେ ଗଣମାଧ୍ୟମକର୍ମୀଙ୍କଠାରୁ ଦୂରେଇ ରହିଥିଲେ। ସର୍କିଟ ହାଉସରେ କିଛି ସମୟ ଅଟକି ରହିବା ପରେ ସେ ପଛପଟୁ ବାହାରି ଗାଡ଼ିରେ ବସି ଚାଲିଗଲେ। ସେ ଗାଡ଼ିର କାଚ ଲଗାଇ ଦେଇଥିଲେ। ଏହି ସମୟରେ ଗଣମାଧ୍ୟମକର୍ମୀମାନେ ତାଙ୍କୁ ପ୍ରଶ୍ନ ପଚାରୁଥିଲେ, କିନ୍ତୁ ସେ ଗୋଟିଏ ମଧ୍ୟ ପ୍ରଶ୍ନର ଉତ୍ତର ଦେଇ ନଥିଲେ। ତାଙ୍କ ଗାଡ଼ି ଦ୍ରୁତ ଗତିରେ ଆଗକୁ ବଢ଼ିଗଲା। ଗଣମାଧ୍ୟମକର୍ମୀମାନେ ତାଙ୍କୁ ପଚାରିଥିଲେ ଯେ, ଅବୈଧ ଅସ୍ତ୍ର ଆପଣଙ୍କ ଘରେ କେଉଁଠାରୁ ଆସିଲା, ଏହାର ସୂଚନା ପୋଲିସ ଓ ଆପଣଙ୍କୁ କାହିଁକି ନଥିଲା? କିନ୍ତୁ ଏହାର କୌଣସି ଉତ୍ତର ମିଳିଲା ନାହିଁ।