ଔରଙ୍ଗଜେବ ଓ ସମ୍ଭାଜୀ ମହାରାଜଙ୍କ ମଧ୍ୟରେ ଶତ୍ରୁତାର ସମ୍ପୂର୍ଣ୍ଣ କାହାଣୀ କ’ଣ ଜାଣନ୍ତୁ

ଭିକି କୌଶଲଙ୍କ ଫିଲ୍ମ “ଛାଭା” ବିଷୟରେ ବହୁତ ଚର୍ଚ୍ଚା ହେଉଛି। ଏହା ଜଣେ ସାହସୀ ଯୋଦ୍ଧାଙ୍କ କାହାଣୀ ଯିଏ ମାତ୍ର ୨୨ ବର୍ଷ ବୟସରେ ତାଙ୍କର ପ୍ରଥମ ଯୁଦ୍ଧ ଏବଂ ୩୨ ବର୍ଷ ବୟସରେ ତାଙ୍କ ଜୀବନର ଶେଷ ଯୁଦ୍ଧ ଲଢ଼ିଥିଲେ। ଏତେ କମ୍ ସମୟ ମଧ୍ୟରେ, ସେ ମୋଟ ୧୨୦ଟି ଯୁଦ୍ଧ ଲଢ଼ିଥିଲେ ଏବଂ ଜିତିଥିଲେ। ମୋଗଲ ଶାସକ ଔରଙ୍ଗଜେବ ତାଙ୍କୁ ପରାସ୍ତ କରିବାର ସ୍ୱପ୍ନ ଦେଖୁଥିଲେ। ଏହା ମରାଠା ସାମ୍ରାଜ୍ୟର ମୁଖ୍ୟ ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ କାହାଣୀ, ଯାହାକୁ ଶିବାଜୀ ସ୍ନେହରେ ଛାଭା ବୋଲି ଡାକୁଥିଲେ। ଆସନ୍ତୁ ଜାଣିବା ଔରଙ୍ଗଜେବ ଏବଂ ସମ୍ଭାଜୀ ମହାରାଜଙ୍କ ମଧ୍ୟରେ ଯୁଦ୍ଧ ଏବଂ ଶତ୍ରୁତାର କାହାଣୀ କ’ଣ ଥିଲା ?

୧୪ ମଇ ୧୬୫୭ରେ, ଛତ୍ରପତି ଶିବାଜୀଙ୍କ ବଡ଼ ପୁଅ ସମ୍ଭାଜୀ ରାଜେ ମହାରାଷ୍ଟ୍ରର ପୁଣେରୁ ପ୍ରାୟ ୫୦ କିଲୋମିଟର ଦୂର ପୁରନ୍ଦର ଦୁର୍ଗରେ ଜନ୍ମଗ୍ରହଣ କରିଥିଲେ। ସେ ଶିବାଜୀ ମହାରାଜଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ। ସେ ମାତ୍ର ଦୁଇ ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ମାଆଙ୍କ ଦେହାନ୍ତ ହୋଇଗଲା। ତେଣୁ, ତାଙ୍କୁ ଶିବାଜୀ ମହାରାଜଙ୍କ ମାତା ଜିଜାବାଈ ଲାଳନପାଳନ କରିଥିଲେ। ଛତ୍ରପତି ଶିବାଜୀ ମହାରାଜ ସ୍ନେହରେ ସମ୍ଭାଜୀ ମହାରାଜଙ୍କୁ ଛାଭା ବୋଲି ଡାକୁଥିଲେ, ଯାହାର ଅର୍ଥ ସିଂହ ଛୁଆ।

୨୨ ବର୍ଷ ବୟସରେ ସିଂହାସନ ଆରୋହଣ

୩ ଏପ୍ରିଲ ୧୬୮୦ରେ ଛତ୍ରପତି ଶିବାଜୀ ମହାରାଜଙ୍କ ମୃତ୍ୟୁ ପରେ, ତାଙ୍କ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ମରାଠା ରାଜ୍ୟରେ ସଂଶୟ ଉତ୍ପନ ହେଲା । କାରଣ ଛତ୍ରପତୀ ଶିବାଜୀ ନିଜ ପଛରେ କୌଣସି ଇଛାପତ୍ର ଛାଡ଼ିନଥିଲେ । କିନ୍ତୁ ହିନ୍ଦୁ ରାଜପରିବାରର ଜ୍ୟେଷ୍ଠ ସନ୍ତାନ ହୋଇଥିବାରୁ ସିଂହାସନ ଉପରେ ତାଙ୍କର ଦାବି ସମସ୍ତଙ୍କଠାରୁ ଅଧିକ ଥିଲା । ସମ୍ଭାଜୀଙ୍କର ନିଜ ପିତାଙ୍କ ସହିତ ମନୋମଲିନ୍ୟ କାରଣରୁ ଅଲଗା ରହୁଥିଲେ । ସେ ଦୁରରେ ଥିବା ବେଳେ ଶିବାଜୀଙ୍କ ମୃତ୍ୟୁର ସୁଯୋଗ ନେଇ ତାଙ୍କ ସାବତ ମାତା ସୋୟରାବାଇ ତାଙ୍କ ପୁଅ ରାଜାରାମଙ୍କୁ ଉତ୍ତରାଧିକାରୀ କରିବାକୁ ଚାହୁଁଥିଲେ। ୨୧ ଏପ୍ରିଲ ୧୬୮୦ରେ ରାଜାରାମଙ୍କୁ ଛତ୍ରପତି ଘୋଷଣା କରାଯାଇଥଇଲା ।  କିନ୍ତୁ, ସମ୍ଭାଜୀ ମହାରାଜ ଏହା ଜାଣିବା ପରେ ମାତ୍ର ୨୨ ବର୍ଷରେ ମରାଠା ସାମ୍ରାଜ୍ୟର ଦୁର୍ଗଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଦଖଲ କଲେ ଏବଂ ଶେଷରେ ୨୦ ଜୁଲାଇ ୧୬୮୦ରେ ଛତ୍ରପତି ଭାବରେ ସିଂହାସନ ଆରୋହଣ କଲେ। ସେତେବେଳେ ରାଜାରାମଙ୍କ ବୟସ ମାତ୍ର ୧୦ ବର୍ଷ ଥିଲା। ସମ୍ଭାଜୀ ରାଜାରାମ, ତାଙ୍କ ସ୍ତ୍ରୀ ଜାନକୀ ବାଇ ଏବଂ ରାଜାରାମଙ୍କ ମାତା ସୋୟରାବାଇଙ୍କୁ ବନ୍ଦୀ କରି ରଖିଥିଲେ।

ପିତାଙ୍କ ପରି ମୋଗଲମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା

ଯେତେବେଳେ ସମ୍ଭାଜୀ ମହାରାଜ ଛତ୍ରପତି ହେଲେ, ସେ ତାଙ୍କ ପିତା ଶିବାଜୀ ମହାରାଜଙ୍କ ପରି ମୋଗଲମାନଙ୍କ ବିରୁଦ୍ଧରେ ଯୁଦ୍ଧ ଜାରି ରଖିଲେ। ୧୬୮୨ ମସିହାରେ, ଔରଙ୍ଗଜେବ ଦକ୍ଷିଣ ଭାରତ ଉପରେ କବଜା କରିବା ପାଇଁ ଦ୍ରୁତ ଗତିରେ ଅଗ୍ରସର ହେଲେ ଏବଂ ମରାଠା ସାମ୍ରାଜ୍ୟକୁ ଚାରିପାଖରୁ ଘେରିଯିବା ପାଇଁ ପ୍ରସ୍ତୁତି କଲେ, କିନ୍ତୁ ସେ ସମ୍ଭାଜୀଙ୍କ ସମ୍ମୁଖରେ କିଛି କରିପାରିଲେ ନାହିଁ। ଗରିଲା ଯୁଦ୍ଧ ମାଧ୍ୟମରେ, ସମ୍ଭାଜୀ ତାଙ୍କଠାରୁ ବହୁ ଗୁଣ ବଡ଼ ମୋଗଲ ସେନାକୁ ପରାସ୍ତ କରିଥିଲେ। ମୋଗଲମାନେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଚାଲିଲେ କିନ୍ତୁ ୧୬୮୫ ମସିହା ପର୍ଯ୍ୟନ୍ତ ମରାଠା ସାମ୍ରାଜ୍ୟର କୌଣସି ଅଂଶ ଦଖଲ କରିପାରିଲେ ନାହିଁ। ତଥାପି, ଔରଙ୍ଗଜେବଙ୍କ ପ୍ରୟାସ ଜାରି ରହିଲା।

ସେନାପତିଙ୍କ ମୃତ୍ୟୁରେ ମରାଠା ସେନା  ଦୁର୍ବଳ ହେଲା

ଏହା ପ୍ରାୟ ୧୬୮୭ ମସିହାର କଥା। ଯେତେବେଳେ ମୋଗଲମାନେ ଭୟଙ୍କର ଆକ୍ରମଣ ଆରମ୍ଭ କଲେ, ମରାଠା ସେନା ଏହାର ଉପଯୁକ୍ତ ଜବାବ ଦେଲେ। ତଥାପି, ଏହି ଯୁଦ୍ଧରେ ସମ୍ଭାଜୀଙ୍କ ସବୁଠାରୁ ବିଶ୍ୱସ୍ତ ସେନାପତି ହମ୍ବିରରାଓ ମୋହିତେ ସହିଦ ହୋଇଥିଲେ। ଏହି କାରଣରୁ ମରାଠା ସେନା ଦୁର୍ବଳ ହୋଇପଡ଼ିଥିଲା । ଏହା ସହିତ ମରାଠା ସାମ୍ରାଜ୍ୟ ଭିତରେ ସମ୍ଭାଜୀଙ୍କ ଶତ୍ରୁମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା ଆରମ୍ଭ କଲେ। ୧୬୮୯ ମସିହାରେ, ଯେତେବେଳେ ସମ୍ଭାଜୀ ମରାଠାମାନଙ୍କ ଏକ ସଭା ପାଇଁ ସଙ୍ଗମେଶ୍ୱର ଯାଇଥିଲେ, ମୋଗଲ ସେନା ତାଙ୍କ ଉପରେ ଆକ୍ରମଣ କରିଥିଲା ।  ଏହି ଆକ୍ରମଣ ପଛରେ ମରାଠା ସାମ୍ରାଜ୍ୟର ବିଶ୍ୱାସଘାତକମାନଙ୍କର ବଡ଼ ହାତ ଥିଲା। ମୋଗଲ ସମ୍ଭାଜୀ ମହାରାଜଙ୍କୁ ବନ୍ଦୀ କରିବାରେ ସଫଳ ହୋଇଥିଲେ।

ନଜର ତଳକୁ ନକରିବାକୁ ଆଖି ତାଡି଼ ଦେଇଥିଲା ଔରଙ୍ଗଜେବ

ବନ୍ଦୀ ସମ୍ଭାଜୀଙ୍କୁ  ମୋଗଲମାନେ ବାହାଦୁରଗଡ଼କୁ ନେଇଥିଲେ । ସେଠାରେ  ଔରଙ୍ଗଜେବ ସମ୍ଭାଜୀଙ୍କୁ ଇସଲାମ ଗ୍ରହଣ କରିବାକୁ କହିଥିଲା । କିନ୍ତୁ ସମ୍ଭାଜୀ ରାଜି ହୋଇ ନଥିଲେ। ଏହା ପରେ, ତାଙ୍କ ହାତ ଏବଂ ବେକକୁ ଏକ କାଠ ପଟାରେ ଫସାଇ ଶିକୁଳିରେ ରଖାଯାଇଥିଲା। ଏହି ସମୟରେ, ଥରେ ଔରଙ୍ଗଜେବ ସମ୍ଭାଜୀଙ୍କୁ ତାଙ୍କର ନଜର ତଳକୁ କରିବାକୁ କହିଥିଲା କିନ୍ତୁ  ସମ୍ଭାଜୀ ଓଲଟା ଔରଙ୍ଗଜେବକୁ ତରାଟି ଚାହିଁଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଔରଙ୍ଗଜେବ,ସମ୍ଭାଜୀଙ୍କ ଆଖି ତାଡ଼ି ଦେବାକୁ ଆଦେଶ ଦେଇଥିଲା ।

ଐତିହାସିକ ଡେନିସ୍ କିନକେଡ୍ ଲେଖିଛନ୍ତି ଯେ ଯେତେବେଳେ ସମ୍ଭାଜୀ ଇସଲାମ ଧର୍ମ ଗ୍ରହଣ କରିବାର ବାରମ୍ବାର ପ୍ରସ୍ତାବ ଗ୍ରହଣ କରିବାକୁ ମନା କରିଥିଲେ, ସେତେବେଳେ ଔରଙ୍ଗଜେବ ତାଙ୍କର ଜିଭ କାଟି ଦେଇଥିଲେ। ଏହା ବ୍ୟତୀତ ତାଙ୍କ ଉପରେ ଆହୁରି ଅତ୍ୟାଚାର କରାଯାଇଥିଲା। ଗୋଟିଏ ପରେ ଗୋଟିଏ ତାଙ୍କ ଶରୀରର ସମସ୍ତ ଅଂଶ କାଟି ଦିଆଯାଇଥିଲା ଏବଂ ଶେଷରେ ୧୧ ମାର୍ଚ୍ଚ ୧୬୮୯ରେ ତାଙ୍କ ମୁଣ୍ଡକାଟ କରାଯାଇଥିଲା । ସେତେବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା ।

ଆତଙ୍କ ସୃଷ୍ଟି କରିବା ପାଇଁ ସମ୍ଭାଜୀଙ୍କ କଟା ମୁଣ୍ଡର ହୋଇଥିଲା ପ୍ରଦର୍ଶନ

ମରାଠା ସାମ୍ରାଜ୍ୟରେ ଆତଙ୍କ ସୃଷ୍ଟି କରିବାକୁ ଔରଙ୍ଗଜେବ ଆଦେଶରେ  ଦକ୍ଷିଣର ଅନେକ ସହରରେ ସମ୍ଭାଜୀଙ୍କ ଛିନ୍ନ ମସ୍ତକକୁ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ ଫଳ ଓଲଟା ହୋଇଥିଲା । ଏହା ମରାଠାଙ୍କୁ ଏକତ୍ର କରିଥିଲା । ସେମାନେ ଏକାଠି ହୋଇ ମୋଗଲ ସାମ୍ରାଜ୍ୟ ବିରୋଧରେ ଭୟଙ୍କର ଯୁଦ୍ଧ ଆରମ୍ଭ କରିଥିଲେ । ଯାହାର ଫଳାଫଳ ଥିଲା ଔରଙ୍ଗଜେବର ମୃତ୍ୟୁର ମାତ୍ର କେଇ ବର୍ଷ ଭିତରେ ଶକ୍ତିଶାଳୀ ମୋଗଲ ସାମ୍ରାଜ୍ୟର ପତନ  ।

Leave a Reply

Your email address will not be published. Required fields are marked *