ପାଣି ଟାଙ୍କିରେ ବିଷ,ମୁର୍ଶିଦାବାଦରେ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାରର କାହାଣୀ ଶୁଣିଲେ ଦେହରେ ଲାଗିବ ନିଆଁ

murshidabad violence

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଓ୍ଵାକଫ ଆଇନ ବିରୋଧରେ ସୃଷ୍ଟି ହୋଇଥିବା ହିଂସା ଶହ ଶହ ପରିବାରର ଜୀବନରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଶୁକ୍ରବାର ଓ ଶନିବାର ପ୍ରଦର୍ଶନ ନାମରେ ହିଂସା, ଅଗ୍ନିସଂଯୋଗ ଓ ଲୁଟପାଟର ଏଭଳି ତାଣ୍ଡବ ହେଲା ଯେ ଲୋକେ ଜୀବନ ବଞ୍ଚାଇବା ପାଇଁ ଗାଁ ଛାଡ଼ି ପଳାଇବାକୁ ବାଧ୍ୟ ହେଲେ। ଏହି ହିଂସାରେ ଏଯାଏଁ ତିନି ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଶମଶେରଗଞ୍ଜ ଓ ଧୁଲିୟାନ ଭଳି ହିଂସା ପ୍ରଭାବିତ ଅଞ୍ଚଳରୁ ପଳାଇଥିବା ପ୍ରାୟ ୫୦୦ ପରିବାର ମାଲଦା ଜିଲ୍ଲାର ବୈଷ୍ଣବନଗର ପରଲାଲ ହାଇସ୍କୁଲରେ ଆଶ୍ରୟ ନେଇଛନ୍ତି। ଯାହାଙ୍କ ଆଖିରେ ଏବେ ମଧ୍ୟ ଭୟ ଓ ଅସୁରକ୍ଷାର ଝଲକ ସ୍ପଷ୍ଟ ଦେଖାଯାଉଛି। ପୀଡ଼ିତମାନଙ୍କ କହିବା ଅନୁସାରେ, ସେମାନଙ୍କୁ ନିଜ ଘରକୁ ଜଳୁଥିବା ଅବସ୍ଥାରେ ଛାଡ଼ି ନୌକା ସାହାଯ୍ୟରେ ନଦୀ ପାର କରିବାକୁ ପଡ଼ିଥିଲା। ଏବେ ସେମାନେ ଏକ ସ୍କୁଲର ଛୋଟ ଛୋଟ କୋଠରୀରେ ଦିନହୀନ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି।

‘ଆମ ପାଖରେ ଘର ନାହିଁ, ଠିକଣା ନାହିଁ’ 

ଜଣେ ମହିଳା କାନ୍ଦି କାନ୍ଦି କହିଛନ୍ତି, ‘ଆମ ପାଖରେ ଯାହା କିଛି ଥିଲା, ସବୁ ଜଳାଇ ଦିଆଗଲା। ସେମାନେ ପେଟ୍ରୋଲ ଛିଞ୍ଚି ଘରେ ନିଆଁ ଲଗାଇଦେଲେ। ପାଣି ଟାଙ୍କିରେ ବିଷ ମିଶାଇ ଦେଲେ। ପିଲାମାନେ ସକାଳୁ କିଛି ଖାଇ ନାହାଁନ୍ତି। ଆମେ ପିଇବା ପାଣି ପର୍ଯ୍ୟନ୍ତ ପାଉନାହୁଁ। ଆମେ ନୌକାରେ ଜୀବନ ବଞ୍ଚାଇ ପଳାଇଛୁ। ଯଦି ବିଏସଏଫ ଓ ପୋଲିସ ନଥାନ୍ତେ, ତେବେ ବୋଧହୁଏ ଆମେ ବଞ୍ଚି ନଥାନ୍ତୁ।’

ମହିଳାମାନଙ୍କ ସହ ଅସଦାଚରଣ, ଗ୍ୟାସ ସିଲିଣ୍ଡରରେ ନିଆଁ 

ପୀଡ଼ିତମାନେ ଅଭିଯୋଗ କରିଛନ୍ତି ଯେ ହିଂସା ସମୟରେ ଅସ୍ତ୍ରଶସ୍ତ୍ରଧାରୀ ଉପଦ୍ରବୀମାନେ ମହିଳା ଓ ଝିଅମାନଙ୍କ ସହ ଅସଦାଚରଣ କରିଛନ୍ତି। ଜଣେ ମହିଳା କହିଛନ୍ତି, ‘ସେମାନେ ବୋମା, ବନ୍ଧୁକ ଓ ଛୁରୀ ଧରି ଆସିଥିଲେ। ସେମାନେ ଘରେ ଲୁଟପାଟ କଲେ, ଗ୍ୟାସ ସିଲିଣ୍ଡରରେ ନିଆଁ ଲଗାଇ ଦେଲେ।’ କେହି କେହି କହିଛନ୍ତି ଯେ ମହିଳାମାନଙ୍କୁ ଧମକ ଦେଇ ଦୁର୍ବ୍ୟବହାର କରାଯାଇଛି ଏବଂ ଘରେ ରଖାଯାଇଥିବା ଅଳଙ୍କାର, ଆସବାବପତ୍ର ଏବଂ ଏପରିକି ପଶୁମାନଙ୍କୁ ମଧ୍ୟ ଛାଡ଼ି ଦିଆଯାଇ ନଥିଲା।

ହିଂସା ଉପରେ ରାଜନୀତି ଗରମ, କେନ୍ଦ୍ରୀୟ ବାହିନୀ ମୁତୟନ

ହିଂସା ପରେ କଲିକତା ହାଇକୋର୍ଟର ଆଦେଶରେ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ମୁର୍ଶିଦାବାଦରେ ୧୭ଟି କେନ୍ଦ୍ରୀୟ ବାହିନୀ କମ୍ପାନୀ ମୁତୟନ କରାଯାଇଛି। ରାଜ୍ୟ ପୋଲିସ ଓ ଅର୍ଦ୍ଧସୈନିକ ବାହିନୀ ମିଳିତ ଭାବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଗୁଜବ କାରଣରୁ ମୁର୍ଶିଦାବାଦ, ମାଲଦା ଓ ବୀରଭୂମର କିଛି ଅଞ୍ଚଳରେ ଇଣ୍ଟରନେଟ ସେବା ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି।

ହିଂସା ପୀଡ଼ିତମାନଙ୍କୁ ଭେଟିଲେ ବିଜେପି ନେତା

ରବିବାର ଦିନ ବିଜେପିର ପାଞ୍ଚ ବିଧାୟକଙ୍କ ଏକ ପ୍ରତିନିଧି ଦଳ ପୀଡ଼ିତମାନଙ୍କୁ ଭେଟିବା ପାଇଁ ମାଲଦା ପହଞ୍ଚିଥିଲେ। ଏହା ବ୍ୟତୀତ ବିଜେପି ରାଜ୍ୟ ସଭାପତି ତଥା କେନ୍ଦ୍ରୀୟ ମନ୍ତ୍ରୀ ସୁକାନ୍ତ ମଜୁମଦାର ପୀଡ଼ିତମାନଙ୍କୁ ଭେଟି କହିଛନ୍ତି, ‘ବଙ୍ଗଳାର ହିନ୍ଦୁମାନେ ଏବେ ବୁଝିପାରିଛନ୍ତି ଯେ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ବାଂଲାଦେଶ କରିବାରେ ସଫଳ ହୋଇଛନ୍ତି। ଆମେ ପ୍ରତିଶ୍ରୁତି ଦେଉଛୁ ଯେ ବିଜେପି ସରକାର ଗଠନ ହେବା ପରେ ଏପରି ଆକ୍ରମଣକାରୀମାନଙ୍କୁ ସିଧା ବାହାର କରିବାର ଦାୟିତ୍ୱ ଆମର ହେବ।’

ଅନ୍ୟପକ୍ଷେ, ବିରୋଧୀ ଦଳର ନେତା ସୁଭେନ୍ଦୁ ଅଧିକାରୀ ମମତା ସରକାରଙ୍କ ଉପରେ ସିଧାସଳଖ ଆକ୍ରମଣ କରି କହିଛନ୍ତି, ‘ହିନ୍ଦୁମାନଙ୍କ ହତ୍ୟା, ଦୋକାନ ଲୁଟିବା ଓ ମନ୍ଦିର ଭାଙ୍ଗିବା – ଏହା ହିଁ ତୁଷ୍ଟିକରଣର ରାଜନୀତି। ନିର୍ବାଚନ ପୂର୍ବରୁ ଏଠାରେ ରାଷ୍ଟ୍ରପତି ଶାସନର ଆବଶ୍ୟକତା ରହିଛି।’

ଯଦିଓ ପ୍ରଶାସନର ଦାବି ଅଛି ଯେ ପରିସ୍ଥିତି ଏବେ ସାଧାରଣ ହେଉଛି, କିନ୍ତୁ ସ୍କୁଲଗୁଡ଼ିକରେ ଆଶ୍ରୟ ନେଇଥିବା ଲୋକଙ୍କ ଆଖିରେ ଭୟ, ଅସହାୟତା ସ୍ପଷ୍ଟ ଦେଖାଯାଉଛି। ପ୍ରଶାସନ ଅନୁସାରେ, ୧୫ ଏପ୍ରିଲ ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରହିବ ଏବଂ ସୁରକ୍ଷା ବାହିନୀ ସତର୍କ ଅଛନ୍ତି। କିନ୍ତୁ ଯେଉଁମାନଙ୍କର ସବୁକିଛି ଲୁଟି ହୋଇଛି, ସେମାନଙ୍କ ପାଇଁ ଏହି ଭୟଙ୍କର ଦୃଶ୍ୟ ଏକ ସ୍ୱପ୍ନ ପରି ଯାହା କେବେ ଶେଷ ହେଉନାହିଁ।

Leave a Reply

Your email address will not be published. Required fields are marked *