ବଙ୍ଗଳାଦେଶରେ ଅନେକ ଆତଙ୍କବାଦୀ ସଂଗଠନ ସରକାରଙ୍କୁ ସେମାନଙ୍କ ଉପରେ ଲାଗିଥିବା ନିଷେଧାଦେଶ ହଟାଇବା ପାଇଁ ଚାପ ପକାଉଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।
ଏହି ଗୋଷ୍ଠୀଗୁଡ଼ିକ, ଯେଉଁମାନେ ବିଶ୍ୱବ୍ୟାପୀ ଏକ ଇସଲାମିକ ରାଷ୍ଟ୍ର ଏବଂ ଖଲିଫାତ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି, ବଙ୍ଗଳାଦେଶରେ ସକ୍ରିୟ ଅଛନ୍ତି ଏବଂ ଭାରତରେ ମଧ୍ୟ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଏବେ ବଙ୍ଗଳାଦେଶରେ ରାସ୍ତାକୁ ଓହ୍ଲାଇ ଖଲିଫାତ ପ୍ରତିଷ୍ଠା ପାଇଁ ବିକ୍ଷୋଭ କରୁଛନ୍ତି। ଗୁଇନ୍ଦା ସୂତ୍ର ଅନୁସାରେ, “ବଙ୍ଗଳାଦେଶର ପରିସ୍ଥିତି ଅସ୍ଥିର ଅଛି, ଏବଂ ସେମାନେ ଏହାର ପୂର୍ଣ୍ଣ ଲାଭ ଉଠାଇବାକୁ ଚାହୁଁଛନ୍ତି।”
ଗୁଇନ୍ଦା ସୂତ୍ରରୁ ମଧ୍ୟ ଜଣାପଡ଼ିଛି ଯେ ଏହି ଗୋଷ୍ଠୀଗୁଡ଼ିକ ବଙ୍ଗଳାଦେଶରେ, ବିଶେଷକରି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧିକ ସକ୍ରିୟ ହୋଇଉଠିଛନ୍ତି। ସେମାନେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କ ବ୍ରେନୱାସ କରି ନିଜର ଉଦ୍ଦେଶ୍ୟ ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, “ସେମାନେ ସେମାନଙ୍କ ଉପରୁ ନିଷେଧାଦେଶ ହଟାଇବାକୁ ଚାହୁଁଛନ୍ତି ଏବଂ ଭାରତରେ ବି ନିଜ କାର୍ଯ୍ୟକଳାପ ଜାରି ରଖି ପାରିବେ। ସେମାନେ ଶିକ୍ଷାନୁଷ୍ଠାନରେ ଛାତ୍ରମାନଙ୍କୁ ଚରମପନ୍ଥୀ ବନାଇବାକୁ ଲକ୍ଷ୍ୟ ରଖିଛନ୍ତି।”
ନିଷିଦ୍ଧ ଆତଙ୍କବାଦୀ ସଂଗଠନଗୁଡ଼ିକ ମଧ୍ୟରୁ ପ୍ରମ୍ମୁଖ ହେଉଛନ୍ତି:
– ହରକତୁଲ ଜିହାଦ ଆଲ ଇସଲାମୀ (ହୁଜି)
– ଜାଗ୍ରତ ମୁସଲିମ ଜନତା ବଙ୍ଗଳାଦେଶ (ଜେଏମଜେବି)
– ଜମାତୁଲ ମୁଜାହିଦ୍ଦିନ ବଙ୍ଗଳାଦେଶ (ଜେଏମବି)
– ପୂର୍ବ ବଙ୍ଗଳା କମ୍ୟୁନିଷ୍ଟ ପାର୍ଟି (ପିବିସିପି)
– ଇସଲାମୀ ଛାତ୍ର ଶିବିର (ଆଇସିଏସ)
– ଆଇଏସଆଇଏସ
– ଅନସାରୁଲ୍ଲାହ ବଙ୍ଗଳା ଟିମ (ଏବିଟି)
– ଅନସାର ଆଲ ଇସଲାମ
– ଲସ୍କର-ଏ-ତୋଇବା (ଏଲଇଟି)
– ହିଜବୁତ ତାହରିର (ଏଚଟି)
– ଆଲ୍ଲାହର ଢାଲ
– ହିଜବୁତ ତୌହିଦ
ଅନ୍ତରୀଣ ସରକାର କ୍ଷମତାକୁ ଆସିବା ପରେ ଇସଲାମୀ ଛାତ୍ର ଶିବିର (ଆଇସିଏସ) ଉପରୁ ନିଷେଧାଦେଶ ହଟାଇ ଦେଇଛନ୍ତି। ଯଦିଓ ହିଜବୁତ ତାହରିର (ଏଚଟି), ଅନସାର ଆଲ ଇସଲାମ, ଅନସାରୁଲ୍ଲାହ ବଙ୍ଗଳା ଟିମ (ଏବିଟି), ଏବଂ ହୁଜି-ପ୍ରେରିତ ହେଫାଜୋତେ ଇସଲାମ (ଏଚଇ) ଉପରେ ନିଷେଧାଦେଶ ବଳବତ୍ତର ରହିଛି ତଥାପି ଏହି ସଂଗଠନ ଗୁଡ଼ିକ ସରକାରଙ୍କ ପୃଷ୍ଠପୋଷଣରେ ଖୋଲାଖୋଲି ଏବଂ ସକ୍ରିୟ ଭାବେ ଚରମପନ୍ଥୀ ଏଜେଣ୍ଡା ପ୍ରଚାର କରୁଛନ୍ତି।
ଏହି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ କଣ କରୁଛନ୍ତି:
– ୧୦୦ରୁ ଅଧିକ ମନ୍ଦିର ଭାଙ୍ଗିବା
– ଧାର୍ମିକ ଏବଂ ଜାତିଗତ ସଂଖ୍ୟାଲଘୁମାନଙ୍କୁ ନିର୍ଯାତନା
– ଏକ ତଥାକଥିତ ଖଲିଫାତ ଗଠନ ପାଇଁ ଖୋଲା ଶୋଭାଯାତ୍ରା
– “ଗଜୱା-ଏ-ହିନ୍ଦ” ପ୍ରତିଷ୍ଠା
– ନୈତିକ ପୋଲିସିଂ
– ୨୦୦ରୁ ଅଧିକ ଦୋଷୀ ସାବ୍ୟସ୍ତ ଆତଙ୍କବାଦୀଙ୍କୁ ଜେଲରୁ ମୁକ୍ତ କରାଇବା
– ଆତଙ୍କବାଦ ବିରୋଧୀ ସାମର୍ଥ୍ୟକୁ ଦୁର୍ବଳ କରିବା ଏବଂ ଅକାର୍ଯ୍ୟକାରୀ କରିବା
ସୂତ୍ର ଅନୁସାରେ, କର୍ତ୍ତୃପକ୍ଷଙ୍କ ସମର୍ଥନ ଏବଂ ମିଳିମିଶା ବିନା ଏପରି ଖୋଲା ଅଭିଯାନ ଏବଂ କାର୍ଯ୍ୟକଳାପ ପ୍ରାୟତଃ ଅସମ୍ଭବ । ଯଦିଓ ଢାକା ଦାବି କରୁଛି ଯେ ଏହି ଗୋଷ୍ଠୀଗୁଡ଼ିକ ଉପରୁ ନିଷେଧାଦେଶ ହଟାଇବାର କୌଣସି ଉଦ୍ଦେଶ୍ୟ ନାହିଁ, ବିଶେଷଜ୍ଞମାନଙ୍କ କହିବା ହେଉଛି ଯେ, ଅନସାରୁଲ୍ଲାହ ବଙ୍ଗଳା ଟିମର ସଦସ୍ୟ ଜସିମୁଦ୍ଦିନ ରାହେମାନିଙ୍କ ମୁକ୍ତି ସରକାର ଓ ମୌଳବାଦୀଙ୍କ ମେଣ୍ଟର ଶକ୍ତିଶାଳୀ ସଙ୍କେତ ଦେଉଛି।