କ‘ଣ ଶେରଶାହ ସୁରୀ ୫ ବର୍ଷରେ ୩୬୫୫ କିଲୋମିଟରର ଜିଟି ରୋଡ଼ ନିର୍ମାଣ କରିଥିଲେ? କାହିଁକି ଭୁଲ ଇତିହାସ ପଢ଼ାଯାଉଛି?

ଦିଲ୍ଲୀରେ ଏକ ସଡ଼କ ଅଛି ଯାହା ଚାରିଟି ଦେଶକୁ ସଂଯୋଗ କରିଥାଏ। ନିଶ୍ଚିତ ଭାବେ ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଥିବେ, କିନ୍ତୁ ଏହାକୁ ଭାରତର ସବୁଠାରୁ ପୁରାତନ ସଡ଼କ ବୋଲି କୁହାଯାଏ। ଏହାର ନାମ ହେଉଛି ଜିଟି ରୋଡ଼, ଅର୍ଥାତ୍ ଗ୍ରାଣ୍ଡ ଟ୍ରଙ୍କ ରୋଡ଼। ଏହି ସଡ଼କ ମହାଭାରତ କାଳରୁ ଆରମ୍ଭ କରି ମୋଗଲ କାଳ ଓ ବ୍ରିଟିଶ କାଳ ପର୍ଯ୍ୟନ୍ତ ଭାରତର ଉତ୍ଥାନ-ପତନ ଦେଖିଛି। ଏହି ସଡ଼କ ବିଷୟରେ କୁହାଯାଏ ଯେ ଏହାର ନିର୍ମାଣ ଶେରଶାହ ସୁରୀ କରାଇଥିଲେ। ଏହା କେତେ ସତ ଓ ଏହି ସଡ଼କର ରୋଚକ ଇତିହାସ କ’ଣ, ଆସନ୍ତୁ ଜାଣିବ ।

ଐତିହାସିକ ବିଶ୍ୱଜିତ କୁମାରଙ୍କ ଅନୁସାରେ ଶେରଶାହ ସୁରୀ ଏହି ସଡ଼କର ନିର୍ମାଣ କରାଇଥିଲେ ବୋଲି କହିବା ସମ୍ପୂର୍ଣ୍ଣ ଭୁଲ, କାରଣ ଶେରଶାହ ସୁରୀ ୧୫୪୦ରେ ଭାରତର ବାଦଶାହ ହୋଇଥିଲେ ଏବଂ ୧୫୪୫ରେ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ମାତ୍ର ୫ ବର୍ଷରେ ୩୬୫୫ କିଲୋମିଟର ଲମ୍ବା ସଡ଼କର ନିର୍ମାଣ କରାଇବା ସମ୍ଭବ ନୁହେଁ। ଜିଟି ରୋଡ଼ର ଲମ୍ବ ୨୬୦୦ କିଲୋମିଟର। ଏହି ସଡ଼କ ଚାରିଟି ଦେଶ ଦେଇ ଯାଇଛି ।  ଏହା ଚାରିଟି ଦେଶର ରାଜଧାନୀକୁ ସଂଯୋଗ କରିଥାଏ। 

ଏହି ସହରଗୁଡ଼ିକ ଦେଇ ଯାଇଛି ଜିଟି ରୋଡ଼

ଆଫଗାନିସ୍ତାନରେ କାବୁଲରୁ ଆରମ୍ଭ ହୋଇ ଜିଟି ରୋଡ଼ ଦୋରଖମ ପର୍ଯ୍ୟନ୍ତ ଆସିଥାଏ। ସେଠାରେ ଏହା ଖୈବର ଗିରିସଂକଟ ଅତିକ୍ରମ କରି ପାକିସ୍ତାନରେ ପ୍ରବେଶ କରିଥାଏ, ଯେଉଁଠାରୁ ଏହା ଜମରୁଦ, ପେଶାୱାର, ନୌଶେରା, ଅଟକ ଦେଇ ଇସଲାମାବାଦ ପହଞ୍ଚିଥାଏ ଏବଂ ସେଠାରୁ ରାୱଲପିଣ୍ଡି, ଗୁଜ୍ରାନୱାଲା, ମୁରିଦକେ ଓ ଲାହୋର ଦେଇ ଏହା ବାଘା ସୀମା ପର୍ଯ୍ୟନ୍ତ ଆସିଥାଏ। ଅଟାରୀ ମାର୍ଗରେ ଅମୃତସର ପହଞ୍ଚିଥାଏ। ତା’ପରେ ଅମୃତସର, କର୍ତାରପୁର, ଜଲନ୍ଧର, ଲୁଧିଆନା, ସରହିନ୍ଦ, ଅମ୍ବାଲା, କୁରୁକ୍ଷେତ୍ର, କର୍ଣ୍ଣାଲ, ପାନିପତ ଓ ସୋନିପତ ଦେଇ ଦିଲ୍ଲୀ ପର୍ଯ୍ୟନ୍ତ ଆସିଥାଏ ଏବଂ ତା’ପରେ ଦିଲ୍ଲୀରୁ ମଥୁରା, ଆଗ୍ରା, କାନପୁର, ପ୍ରୟାଗରାଜ, ବାରାଣସୀ, ସାସାରାମ, ଔରଙ୍ଗାବାଦ, ଧନବାଦ, ଆସାନସୋଲ, ଦୁର୍ଗାପୁର, ବର୍ଦ୍ଧମାନ, କୋଲକାତାର ହାଓଡ଼ା ମାର୍ଗରେ ବଙ୍ଗାଓଁ ଦେଇ ଢାକା ଓ ଚଟଗାଁ ପର୍ଯ୍ୟନ୍ତ ଯାଇଥାଏ। 

ଉତ୍ତରାପଥ କିପରି ଜିଟି ରୋଡ଼ ହେଲା 

ଐତିହାସିକଙ୍କ ଅନୁସାରେ ହିନ୍ଦୁ ରେକର୍ଡ ଅନୁସାରେ ଏହି ସଡ଼କର ପୁରୁଣା ନାମ ଥିଲା ଉତ୍ତରାପଥ। ଏହି ସଡ଼କ ମୌର୍ଯ୍ୟ ଶାସନ କାଳରୁ ତିଆରି ହୋଇଥିଲା । ଯାହା ଆଫଗାନିସ୍ତାନକୁ ବଙ୍ଗଦେଶ ସହ ଯୋଡ଼ୁଥିଲା । ପୂର୍ବରୁ ଏହା ଉତ୍ତର ଦିଗକୁ ଯାଉଥିବାରୁ ଏହାକୁ ଉତ୍ତରାପଥ କୁହାଯାଉଥିଲା । ଶେରଶାହ ସୁରୀଙ୍କ ଶାସନ କାଳରେ ସେ କବଳ ଏହି  ସଡ଼କର ମରାମତି କରିଥିବେ ବୋଲି ଐତିହାସିକଙ୍କ ମତ । ତାଙ୍କ ସମୟରେ ଏହାର ନାମ ‘ସଡ଼କ-ଏ-ଆଜମ’ ରଖାଯାଇଥିଲା। ସେ କହିଛନ୍ତି ଯେ ଶେରଶାହ ସୁରୀ ଏହି ସଡ଼କର ଗୁରୁତ୍ୱ ଦେଖି ଏହାର କଡ଼ରେ ଫଳଦାୟୀ ଗଛ ଲଗାଇଥିଲେ ଏବଂ ସରାୟ (ଚଟିଘର-ଯାତ୍ରୀ ବିଶ୍ରାମଗୃହ) ନିର୍ମାଣ କରାଇଥିଲେ ଯାହାଦ୍ୱାରା ଏହି ସଡ଼କରେ ଯାତାୟାତ କରୁଥିବା ଲୋକମାନଙ୍କୁ କୌଣସି ଅସୁବିଧା ନ ହୁଏ।  ସେ କେବଳ ନିଜ ସାମ୍ରାଜ୍ୟକୁ ଆର୍ଥିକ ଦୃଷ୍ଟିରୁ ମଜବୁତ କରିବାକୁ ଚାହୁଁଥିଲେ, ତେଣୁ ସେ ଏହି ସଡ଼କ ଆଖପାଖରେ ଏତେ ସବୁ କାମ କରାଇଥିଲେ। ଯେତେବେଳେ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ ଥିଲା, ସେତେବେଳେ ସେ ଏହି ସଡ଼କକୁ ବ୍ୟାପାର ଦୃଷ୍ଟିରୁ ଆହୁରି ଉନ୍ନତ କରିଥିଲେ। ଏହି ସଡ଼କକୁ ପକ୍କା କରାଇବାରେ ତାଙ୍କର ଯୋଗଦାନ ଥିଲା। 

ବ୍ରିଟିଶ କାଳରେ ନାମ ହେଲା ଜିଟି ରୋଡ଼ 

ଶେରଶାହ ସୁରୀଙ୍କ ପରେ ମୋଗଲ ଶାସକମାନେ ଆସିଥିଲେ, ଯେଉଁମାନଙ୍କ ମଧ୍ୟରେ ଅକବର, ଜାହାଙ୍ଗୀର ଓ ଶାହଜାହାନ ସାମିଲ ଥିଲେ। ସେମାନେ ଜିଟି ରୋଡ଼ ସହ ସଂଯୁକ୍ତ ଅନ୍ୟ ସଡ଼କଗୁଡ଼ିକର ନିର୍ମାଣ କରାଇଥିଲେ। ସେହି ସମୟରେ ଏହାର ନାମ ‘ବାଦଶାହୀ ସଡ଼କ’ ରଖାଯାଇଥିଲା। ତା’ପରେ ବ୍ରିଟିଶ କାଳ ଆସିଥିଲା, ଯେଉଁଠାରେ କୋଲକାତାରୁ ପେଶାୱାର ପର୍ଯ୍ୟନ୍ତ ଏହି ସଡ଼କର ମରାମତି କରାଯାଇଥିଲା। ବ୍ରିଟିଶ କାଳରେ ହିଁ ଏହାର ନାମ ‘ଜିଟି ରୋଡ଼’ ବା ଗ୍ରାଣ୍ଡ ଟ୍ରଙ୍କ ରୋଡ଼ ରଖାଯାଇଥିଲା, ଯାହା ଆଜି ପର୍ଯ୍ୟନ୍ତ ରହିଛି। ରୁଡ଼ୟାର୍ଡ କିପଲିଙ୍ଗ, ଯିଏ କି ଜଣେ ପ୍ରସିଦ୍ଧ ଲେଖକ ଓ କବି ଥିଲେ, ସେ ମଧ୍ୟ ଜିଟି ରୋଡ଼ ବିଷୟରେ ଲେଖିଛନ୍ତି ଯେ ଏହି ସଡ଼କରେ ଜୀବନର ପ୍ରବାହ ଯେପରି ଦେଖାଯାଏ, ସେପରି ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ।

Leave a Reply

Your email address will not be published. Required fields are marked *