ଭାରତ ନିଜର ଅତୀତରେ ଅନେକ ଆକ୍ରମଣକାରୀଙ୍କୁ ଦେଖିଛି। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ପାରସ୍ୟ (ବର୍ତ୍ତମାନ ଇରାନ)ର ନାଦିରଶାହ। ୧୭୩୯ ମାର୍ଚ୍ଚରେ ନାଦିରଶାହ ଭାରତ ଉପରେ ଆକ୍ରମଣ କରିଥିଲା ଏବଂ କର୍ଣ୍ଣାଲରେ ମୋଗଲ ସେନାକୁ ଦୟନୀୟ ଭାବେ ପରାସ୍ତ କରିଥିଲା। ଏହାପରେ ସେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଥିଲା ଏବଂ ୧୭୩୯ ମାର୍ଚ୍ଚ ୨୨ରେ ସେଠାରେ ଗଣହତ୍ୟାର ଆଦେଶ ଦେଇଥିଲା । ଦିଲ୍ଲୀରୁ ବହୁତ ସମ୍ପତ୍ତି ଏବଂ ହୀରା-ମୋତି ଲୁଟି ନିଜ ସହିତ ନେଇ ନାଦିର ଶାହା ଇରାନ ଫେରିଯାଇଥିଲା । ନାଦିର ଶାହାର ଦିଲ୍ଲୀ ବିଜୟ ଓ ଲୁଟ୍ ଥିଲା ମୋଗଲ ସାମ୍ରାଜ୍ୟର କବର ଉପରେ ଶେଷ କଣ୍ଟା । ନାଦିର ଶାହାର ଆକ୍ରମରୁ ମୋଗଲ ଓ ଦିଲ୍ଲୀ କେବେ ଉବୁରି ପାରିନଥିଲା । ମାତ୍ର କେଇ ଦଶନ୍ଧୀ ମଧ୍ୟରେ ମୋଗଲ ସମ୍ରାଟ ମାନେ ଦିଲ୍ଲୀ ସାମ୍ରାଜ୍ୟ ଭାବେ ମାତ୍ର କେଇଖଣ୍ଡ ଗାଁର ଶାସକ ହୋଇ ରହିଗଲେ । ଆସନ୍ତୁ ଜାଣିବା ନାଦିର ଶାହାର ଭାରତ ଆକ୍ରମଣର ପୁରା କାହାଣୀ ।
ମାଇକେଲ ଏକ୍ସୋର୍ଡିଙ୍କ ପୁସ୍ତକ ‘ଇରାନ: ଏମ୍ପାୟାର ଅଫ ଦି ମାଇଣ୍ଡ’ ଏବଂ ‘ଦି ସ୍ୱର୍ଡ ଅଫ ପର୍ସିଆ’ ପାରସ୍ୟ ବାଦଶାହ ନାଦିରଶାହର ଜୀବନ ବିଷୟରେ କୁହେ । ତାଙ୍କର ଜନ୍ମ ୧୬୯୮ ଅଗଷ୍ଟ ୬ରେ ଇରାନୀ ସାମ୍ରାଜ୍ୟର ଖୁରାସାନ ପ୍ରାନ୍ତର ଏକ ଅତ୍ୟନ୍ତ ବିପଜ୍ଜନକ ଅଞ୍ଚଳ ଦାର୍ରା ଗାଜର ଅଲ୍ଲାହୁ ଅକବର ପର୍ବତରେ ଥିବା ଦସ୍ତଗର୍ଦ ନାମକ ଗାଁରେ ହୋଇଥିଲା। ଯଦିଓ ଏକ୍ସୋର୍ଡି ଏହି ତାରିଖ ଉପରେ ପୂର୍ଣ୍ଣ ନିଶ୍ଚିତତା ଦିଅନ୍ତି ନାହିଁ। ନାଦିରଶାହଙ୍କର ମାତୃଭାଷା ତୁର୍କୀ ଥିଲା, କିନ୍ତୁ ସେ ପାର୍ସୀ ମଧ୍ୟ ଶିଖିଥିଲେ। ନାଦିରଶାହଙ୍କ ପିତା ସରଦାର ଇମାମ କଲି ଗୋପାଳକ ଥିଲେ ଏବଂ ନିଜ ଗାଁର ମୁଖିଆ ବୋଲି କୁହାଯାଏ।
୧୦ ବର୍ଷ ବୟସରେ ଶିକାରୀ
ଐତିହାସିକମାନେ କୁହନ୍ତି ଯେ ୧୦ ବର୍ଷ ବୟସ ସୁଦ୍ଧା ନାଦିରଶାହ ଜଣେ ଉତ୍ତମ ଘୋଡ଼ାଚାଳକ ହୋଇଥିଲେ । ତୀରଚାଳନା ଏବଂ ବର୍ଚ୍ଛା ନିକ୍ଷେପରେ ପାରଙ୍ଗମତା ହାସଲ କରିଥିଲେ ଏବଂ ଶିକାରୀ ଭାବେ ପରିଚିତ ହୋଇଥିଲେ। କିନ୍ତୁ ଏହି ସମୟରେ ପିତାଙ୍କ ମୃତ୍ୟୁ ହେତୁ ନାଦିରଶାହଙ୍କ ପରିବାର ଦାରିଦ୍ର୍ୟର ଶିକାର ହୋଇଗଲା। ଏହାପରେ ୧୫ ବର୍ଷ ବୟସରେ ନାଦିରଶାହ ସ୍ଥାନୀୟ ଏବିୟାର୍ଡ ନାମକ ସହରର ଗଭର୍ଣ୍ଣର ବାବା ଅଲି ବେଗଙ୍କ ନିକଟରେ ଜଣେ ବନ୍ଧୁକଚାଳକ ଭାବେ କାମ ଆରମ୍ଭ କଲେ ଏବଂ ଆଉ କେବେ ପଛକୁ ଫେରି ଚାହିଁଲେ ନାହିଁ।
କାନ୍ଦାହାର ଦଖଲ ଚେଷ୍ଟାରେ ଦେବାଳିଆ
୧୭୩୫ ସୁଦ୍ଧା କାନ୍ଦାହାରକୁ ଛାଡ଼ି ନାଦିରଶାହ ଇରାନର ସେତେବେଳେ ଥିବା ସଫାଭିଦ ସାମ୍ରାଜ୍ୟକୁ ତାହାର ସମସ୍ତ ପୁରୁଣା ଅଞ୍ଚଳ ପର୍ଯ୍ୟନ୍ତ ପୁଣି ଥରେ ବିସ୍ତାର କଲେ ଏବଂ ଜନଜାତି ସରଦାର, ଦରବାରୀ ଓ ଇରାନୀ ଉଚ୍ଚ ଅଧିକାରୀମାନଙ୍କ ସହମତିରେ ଏକ ସଭାରେ ନିଜକୁ ନୂଆ ବାଦଶାହ ଭାବେ ଘୋଷଣା କଲେ। ନାଦିରଶାହଙ୍କର ଇରାନ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଥିଲା, କିନ୍ତୁ କାନ୍ଦାହାର ତାଙ୍କ ଅଧୀନକୁ ଆସିନଥିଲା। ତେଣୁ ସେ ସେନା ନେଇ କାନ୍ଦାହାର ଅଭିମୁଖେ ଯାତ୍ରା ଆରମ୍ଭ କଲେ ଏବଂ ବିଜୟ ହାସଲ କଲେ। କିନ୍ତୁ କାନ୍ଦାହାର ସାମରିକ ଅଭିଯାନ ଯୋଗୁଁ ନାଦିରଶାହଙ୍କ ସାମ୍ରାଜ୍ୟର ରାଜକୋଷ ଖାଲି ହୋଇଗଲା ଏବଂ ଅନେକ ଅଞ୍ଚଳରେ ଅର୍ଥନୀତି ଭୁଷୁଡ଼ି ପଡିଲା ।
ସମୃଦ୍ଧ ଦିଲ୍ଲୀ ଉପରେ ବାହାନାରେ ଆକ୍ରମଣ
ବେହାଲ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ନାଦିର ଶାହ ଦିଲ୍ଲୀ ଉପରେ ନଜର ପକାଇଲେ । କାରଣ ସେତେବେଳେ ମୋଗଲଙ୍କ ରାଜଧାନୀ ବେଶ୍ ସମୃଦ୍ଧ ଥିଲା ଏବଂ ଭାରତକୁ ‘ସୁନାର ଚଢ଼େଇ’ କୁହାଯାଉଥିଲା। ଦିଲ୍ଲୀ ଉପରେ ଆକ୍ରମଣ ପାଇଁ ନାଦିରଶାହା, ଇରାନର ବିଦ୍ରୋହୀ ଆଫଗାନ ସରଦାରମାନଙ୍କୁ ମୋଗଲ ଦରବାର ଆଶ୍ରୟ ଦେଇଥିବାର ମିଥ୍ୟା ଅଭିଯୋଗ ଆଣିଥିଲେ। ଏହାକୁ ବାହନା କରି ସେ ପ୍ରଥମେ କାବୁଲ ଉପରେ ଆକ୍ରମଣ କରିଥିଲେ । କାବୁଲ ଅଧିକାର ପରେ ସେ ଦିଲ୍ଲୀ ଅଭିମୁଖେ ଅଗ୍ରସର ହୋଇଥିଲେ । ୧୭୩୯ ମାର୍ଚ୍ଚରେ କର୍ଣ୍ଣାଲରେ ଇରାନ ଓ ମୋଗଲ ସେନା ମୁହାଁମୁହିଁ ହୋଇଥିଲେ । ସେଠାରେ ଦିଲ୍ଲୀର ମୋଗଲ ବାଦଶାହ ମହମ୍ମଦ ଶାହଙ୍କ ସେନାକୁ ଇରାନୀ ସେନା ପରାସ୍ତ କରିଥିଲା । ଏହି ସମୟରେ ମୋଗଲ ବାଦଶାହ ମହମ୍ମଦ ଶାହାଙ୍କୁ ବାହାନାରେ ନାଦିର ଶାହା ନିଜ ଶିବିରକୁ ଡାକି ବନ୍ଦୀ କରିଥିଲେ। ଏହାପରେ ସେ ବାଦଶାହଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲେ।
ମହଙ୍ଗା ଦର ପାଇଁ ଦିଲ୍ଲୀରେ ଦଙ୍ଗା
ମୋଗଲ ବାଦଶାହ ନାଦିରଶାହଙ୍କୁ ନିଜର ବିଶ୍ରାମଗୃହ ଦେଇଥିଲେ ଏବଂ ସେ ଜନାନା ମହଲରେ ରହିବାକୁ ଲାଗିଲେ। ନାଦିରଶାହଙ୍କ ସହ ୪୦ ହଜାର ସୈନିକଙ୍କ ଏକାସାଙ୍ଗରେ ଦିଲ୍ଲୀରେ ପ୍ରବେଶ କରିବା ଯୋଗୁଁ ସ୍ଥିତି ବିଗିଡ଼ିବାକୁ ଲାଗିଲା। ଖାଦ୍ୟ ଶସ୍ୟର ଚାହିଦା ବହୁତ ବଢ଼ିଯିବାରୁ ଦାମ ଆକାଶଛୁଆଁ ହେଲା। ଏହି କାରଣରୁ ଦିନେ ନାଦିରଶାହଙ୍କ ସୈନିକଙ୍କ ସହ ଜଣେ ଦୋକାନୀଙ୍କ ମଧ୍ୟରେ ବଚସା ହୋଇଥିଲା, ଯାହା ଦେଖୁ ଦେଖୁ ଦଙ୍ଗାରେ ପରିଣତ ହେଲା। ସେତେବେଳେ ଗୁଜବ ବ୍ୟାପିଥିଲା ଯେ ନାଦିରଶାହଙ୍କୁ ହତ୍ୟା କରାଯାଇଛି । ଏହାପରେ ଦିଲ୍ଲୀର ଜନତା ନାଦିରଶାହଙ୍କ ସୈନିକଙ୍କ ଉପରେ ଆକ୍ରମଣ କଲେ ଏବଂ ୯୦୦ ଇରାନୀ ସୈନିକଙ୍କୁ ହତ୍ୟା କରିଥିଲେ।
୩୦ ହଜାର ଲୋକଙ୍କ ହତ୍ୟା
ଏହି ପୂରା ଘଟଣାର ଖବର ପାଇବା ମାତ୍ରେ ନାଦିରଶାହ ଦିଲ୍ଲୀରେ ନିର୍ମମ ହତ୍ୟାକାଣ୍ଡର ଆଦେଶ ଦେଇଥିଲେ। ତାରିଖ ଥିଲା ୧୭୩୯ ମାର୍ଚ୍ଚ ୨୨। ଭୋରରେ ନାଦିରଶାହ ଘୋଡ଼ାରେ ଚଢ଼ି ଲାଲକିଲ୍ଲାରୁ ବାହାରିଲେ ଏବଂ ଚାନ୍ଦନୀ ଚୌକଠାରୁ ଅଧା ମାଇଲ ଦୂରରେ ଥିବା ରୌଶନ-ଉଦ-ଦୌଲା ମସଜିଦ ଉପରେ ଠିଆ ହେଲେ। ସକାଳ ୯ଟାରେ ହତ୍ୟାକାଣ୍ଡ ଆରମ୍ଭ ହେଲା ଏବଂ ଦିଲ୍ଲୀର ଦାରିବା, ଚାନ୍ଦନୀ ଚୌକ ଏବଂ ଜାମା ମସଜିଦ ଆଖପାଖର ସମସ୍ତ ଗଳିରେ ରକ୍ତ ବହିବାକୁ ଲାଗିଲା। ଏକ-ଦୁଇ ନୁହେଁ, ପ୍ରାୟ ୫୮ ଦିନ ଧରି ମୋଗଲ ରାଜଧାନୀରେ ହତ୍ୟାର ଧାରା ଚାଲିଥିଲା ଏବଂ ୩୦ ହଜାର ଲୋକଙ୍କୁ ହତ୍ୟା କରାଗଲା।
ବିପୁଳ ପରିମାଣର ସମ୍ପତ୍ତି ଲୁଟ୍
ଏହି ହତ୍ୟାକାଣ୍ଡକୁ ରୋକିବା ପାଇଁ ମୋଗଲ ବାଦଶାହ ନାଦିରଶାହଙ୍କୁ ନିବେଦନ କରିଥିଲେ,ଯାହାକୁ ନାଦିର ଶାହା ଗୋଟିଏ ସର୍ତ୍ତରେ ମାନିଥିଲେ । ସର୍ତ୍ତ ସ୍ୱରୁପ ଦିଲ୍ଲୀବାସୀଙ୍କୁ ବିପୁଳ ପରିମାଣର ସମ୍ପତି ଦେବାକୁ ପଡିଥିଲା । ନାଦିରଶାହ ବିପୁଳ ପରିମାଣରେ ଅଳଙ୍କାର, ସୁନା-ରୂପା ଏବଂ ସିନ୍ଧୁ ନଦୀର ପଶ୍ଚିମ ଅଞ୍ଚଳ ମୋଗଲଙ୍କଠାରୁ ନେଇଥିଲେ । ଲୁଟ ସମ୍ପତ୍ତିରେ ଥିଲା ତଖ୍ତ-ଏ-ତାଉସ ଉପରେ ଲାଗିଥିବା କୋହିନୂର, ତାଜ ମାହ ଏବଂ ଦାରିୟା-ଏ-ନୂର ଭଳି ହୀରା । ନାଦିରଶାହଙ୍କ ଦ୍ୱାରା ଲୁଟି ନିଆଯାଇଥିବା ଏବଂ ଉପହାର ଭାବେ ନିଆଯାଇଥିବା ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୭୦୦ ମିଲିୟନ ଟଙ୍କା ଥିଲା। ନାଦିରଶାହ ମୋଗଲ ବାଦଶାହଙ୍କୁ ସିଂହାସନରେ ରହିବାକୁ ଦେଇଥିଲେ ଏବଂ ନିଜର ଆର୍ଥିକ ଆବଶ୍ୟକତା ପୂରଣ କରି ଫେରିଗଲେ। ଯଦିଓ କାଶ୍ମୀର ଏବଂ ତିବ୍ବତରୁ ସିନ୍ଧର ପଶ୍ଚିମ ଭାଗ ତାଙ୍କୁ ମିଳିସାରିଥିଲା।