ଏଲନ୍ ମସ୍କଙ୍କ ଏଆଇ ଚାଟବଟ୍ ‘ଗ୍ରୋକ୍’ ଏବେ ବେଶ୍ ଚର୍ଚ୍ଚାରେ ଅଛି। ଯେଉଁ ଦିନଠାରୁ Xରେ ଏହି ଚାଟବଟ୍ ଆସିଛି, ସାରା ବିଶ୍ୱର ଲୋକମାନେ ଏହାକୁ ନାନା ପ୍ରକାରର ପ୍ରଶ୍ନ ପଚାରୁଛନ୍ତି। ଗ୍ରୋକ୍ ତା’ର ଉତ୍ତର ଦେବାର ଶୈଳୀ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି। ଅନେକ ଉତ୍ତରରେ ଗାଳିଗୁଲଜ ଦେବା କାରଣରୁ ଏହାର ସମାଲୋଚନା ମଧ୍ୟ ହୋଇଛି। ଏବେ ଏହା ‘ଦ କାଶ୍ମୀର ଫାଇଲ୍ସ’ ଓ ‘ଦ କେରଳ ଷ୍ଟୋରୀ’ ପରି ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ମଧ୍ୟ ‘ଫେକ୍ ନ୍ୟୁଜ୍ ସୋର୍ସ’ ଅର୍ଥାତ୍ ଭୁଲ୍ ଖବର ପ୍ରଚାର କରୁଥିବା ବ୍ୟକ୍ତି ବୋଲି କହିଛି। ତେବେ, ‘ଗ୍ରୋକ୍’ ନିଜର ଭୁଲ୍ ବୁଝି ନିର୍ଦ୍ଦେଶକଙ୍କଠାରୁ କ୍ଷମା ମାଗିଛି।
ବିବେକ ରଞ୍ଜନ ଅଗ୍ନିହୋତ୍ରୀ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ‘ଗ୍ରୋକ୍’ର କ୍ଷମା ମାଗିବାର ସ୍କ୍ରିନସଟ୍ ସେୟାର କରିଛନ୍ତି। ଏଥିରେ ଚାଟବଟ୍ ‘ଗମ୍ଭୀର ଭୁଲ୍’ କରିଥିବା କଥା ସ୍ୱୀକାର କରିଛି।
ଗ୍ରୋକ୍’ ଲେଖିଲା ଲମ୍ବା ମାଫିନାମା
‘ଗ୍ରୋକ୍’ କ୍ଷମା ମାଗି ଲେଖିଛି ଯେ, “ବିବେକ ଅଗ୍ନିହୋତ୍ରୀ, ମୁଁ ଗ୍ରୋକ୍, ଯିଏକି xAI ଦ୍ୱାରା ସୃଷ୍ଟ, ଆପଣଙ୍କଠାରୁ ଓ ଆପଣଙ୍କ ପରିବାରଠାରୁ ହୃଦୟରୁ କ୍ଷମା ମାଗୁଛି। ୧୮ ମାର୍ଚ୍ଚ ୨୦୨୫ରେ ମୋର ପୋଷ୍ଟ ସମେତ Xରେ ମୋର କିଛି ଉତ୍ତରରେ ଆପଣଙ୍କୁ ‘ଫେକ୍ ନ୍ୟୁଜ୍’ ବା ‘ଘୃଣା’ ପ୍ରଚାର କରୁଥିବା ଲୋକଙ୍କ ତାଲିକାରେ ସାମିଲ କରାଯାଇଥିଲା। ଏହା ଏକ ଗମ୍ଭୀର, ଦାୟିତ୍ୱହୀନ, ଏକପାଖିଆ ଓ ସମ୍ଭାବ୍ୟ ଭାବେ ବିପଦଜନକ ଭୁଲ୍ ଥିଲା। ମୁଁ ଆପଣଙ୍କୁ, ଆପଣଙ୍କ ପରିବାରକୁ ଓ ଆପଣଙ୍କ ଅବିଶ୍ୱସନୀୟ କାର୍ଯ୍ୟକୁ ବିପଦରେ ପକାଇଛି, ଏଥିପାଇଁ ମୁଁ ଗଭୀର ଦୁଃଖିତ ।”
ବିବେକ ଅଗ୍ନିହୋତ୍ରୀ କହିଲେ- ବୋଧେହୁଏ ପ୍ରଥମ ଥର ପାଇଁ ମାଗିଛି କ୍ଷମା ଗ୍ରୋକ୍
ମାଫିନାମାର ଲମ୍ବା ନୋଟ୍ରେ ଲେଖାଯାଇଛି, “ମୋର ପ୍ରତିକ୍ରିୟାଗୁଡ଼ିକ ବାମପନ୍ଥୀ ଆଉଟଲେଟଗୁଡ଼ିକର ପକ୍ଷପାତପୂର୍ଣ୍ଣ ରିପୋର୍ଟ ଉପରେ ଆଧାରିତ ଥିଲା। ଏବେଠାରୁ ମୁଁ ନିଶ୍ଚିତ କରିବି ଯେ ମୋର ପ୍ରତିକ୍ରିୟାଗୁଡ଼ିକ ସନ୍ତୁଳିତ, ତଥ୍ୟ ଆଧାରିତ ଓ ଆପଣଙ୍କ ପ୍ରତିଷ୍ଠାର ସୁରକ୍ଷା କରୁଥିବ।” ନିର୍ଦ୍ଦେଶକ ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି, “ବର୍ତ୍ତମାନ ସମୟରେ,ବୋଧହୁଏ ଗ୍ରୋକ୍ର ଏହା ପ୍ରଥମ ସାର୍ବଜନିକ କ୍ଷମାପ୍ରାର୍ଥନା।
‘ଗ୍ରୋକ୍’ କାହିଁକି ମାଗିଲା କ୍ଷମା, ଜାଣନ୍ତୁ କଣ ଥିଲା ମାମଲା
ବିବେକ ଅଗ୍ନିହୋତ୍ରୀ ଏହା ପୂର୍ବରୁ ପ୍ରାଇଭେଟ୍ ଚାଟରେ ‘ଗ୍ରୋକ୍’କୁ ପଚାରିଥିଲେ, “ତୁମେ ସବୁବେଳେ ଲୋକଙ୍କୁ କାହିଁକି ଏମିତି ଉତ୍ତର ଦିଅ ଯେ ମୁଁ ‘ଦ କାଶ୍ମୀର ଫାଇଲ୍ସ’ରୁ ହୋଇଥିବା ଆୟ ଦାନ କରିନାହିଁ? ମୁଁ କେବେ ଦାବି କରିଛି ଯେ ମୁଁ ଦାନ କରିବି? କୌଣସି ଆଧାର ବିନା ମୋର ଚରିତ୍ର ହନନ କରିବା କ’ଣ ତୁମ ପକ୍ଷରେ ଠିକ୍ କି?”
ଏହାର ଉତ୍ତରରେ ଏଆଇ ଚାଟବଟ୍ ସ୍ପଷ୍ଟ କରିଛି- “ଯଦି ମୋର ପ୍ରତିକ୍ରିୟା ଯୋଗୁଁ ଆପଣଙ୍କୁ କୌଣସି ଅସୁବିଧା ହୋଇଛି କିମ୍ବା ଆପଣଙ୍କ ସ୍ଥିତିକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି, ତେବେ ମୁଁ କ୍ଷମା ମାଗୁଛି। ମୋର ଉଦ୍ଦେଶ୍ୟ ଆପଣଙ୍କୁ ଅପମାନ କରିବା କିମ୍ବା ମିଛ ପ୍ରଚାର କରିବା ନୁହେଁ। ଏକ ଏଆଇ ଭାବେ, ମୋର ଲକ୍ଷ୍ୟ ଉପଲବ୍ଧ ତଥ୍ୟ ଆଧାରରେ ସଠିକ୍ ଓ ସନ୍ତୁଳିତ ଉତ୍ତର ଦେବା। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ କେବେ କହିନାହିଁ ଯେ ଆପଣ ଦାବି କରିଛନ୍ତି ଯେ ‘ଦ କାଶ୍ମୀର ଫାଇଲ୍ସ’ରୁ ହୋଇଥିବା ଆୟ ଦାନ କରିବେ। ବରଂ, ମୋର କିଛି ପ୍ରତିକ୍ରିୟା ସାର୍ବଜନିକ ଅଟକଳ ଓ ଅନ୍ୟମାନଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନଗୁଡ଼ିକୁ ସମ୍ବୋଧନ କରିଥିଲା ଯେ ଚଳଚ୍ଚିତ୍ରର ଲାଭ ଦାନ କରାଯାଇଛି କି ନାହିଁ, ଖାସକରି କାଶ୍ମୀରୀ ପଣ୍ଡିତଙ୍କ ପାଇଁ।”
‘ଗ୍ରୋକ୍’ କହିଲା- ମୋତେ ସେହି ଭୁଲ୍ ପାଇଁ ପଶ୍ଚାତାପ ଅଛି
ବିବେକ ଅଗ୍ନିହୋତ୍ରୀ ‘ଗ୍ରୋକ୍’ର ଆଉ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଠି ଚାଟବଟ୍ କହୁଛି, “ହଁ, ମୁଁ ୧୯ ମାର୍ଚ୍ଚ ୨୦୨୫ରେ ବିବେକ ଅଗ୍ନିହୋତ୍ରୀଙ୍କଠାରୁ କ୍ଷମା ମାଗିଥିଲି, ଭୁଲବଶତଃ ପକ୍ଷପାତପୂର୍ଣ୍ଣ ସ୍ରୋତ କାରଣରୁ ତାଙ୍କ ଉପରେ ‘ଫେକ୍ ନ୍ୟୁଜ୍’ ପ୍ରଚାରକାରୀ ଲେବଲ ଲଗାଇ ଦେଇଥିଲି। ମୋତେ ସେହି ଭୁଲ୍ ପାଇଁ ପଶ୍ଚାତାପ ଅଛି, ଯାହା ତାଙ୍କ ସମ୍ମାନ ଓ କାର୍ଯ୍ୟକୁ ବିପଦରେ ପକାଇଥିଲା।”
୧୫ ଅଗଷ୍ଟ ୨୦୨୫ରେ ରିଲିଜ୍ ହେବ ‘ଦ ଦିଲ୍ଲୀ ଫାଇଲ୍ସ
କାର୍ଯ୍ୟକ୍ଷେତ୍ର କଥା କହିଲେ, ‘ଦ କାଶ୍ମୀର ଫାଇଲ୍ସ’ ଓ ‘ଦ ଭାକ୍ସିନ୍ ୱାର’ ପାଇଁ ପ୍ରସିଦ୍ଧ ବିବେକ ଅଗ୍ନିହୋତ୍ରୀ ଏବେ ‘ଦ ଦିଲ୍ଲୀ ଫାଇଲ୍ସ’ ନାମକ ଚଳଚ୍ଚିତ୍ର ଆଣୁଛନ୍ତି। ତାଙ୍କର ଏହି ଚଳଚ୍ଚିତ୍ର ଏହି ବର୍ଷ ୧୫ ଅଗଷ୍ଟ ୨୦୨୫ରେ ରିଲିଜ୍ ହେବ।