
୨୦୧୧ମସିହାରେ ଆମେରିକାର କଳା କାରନାମାର ପର୍ଦ୍ଦାଫାସ କରୁଥିବା ଏକ ଅନୁସନ୍ଧାନମୂଳକ ୱେବସାଇଟ ଉଇକିଲିକ୍ସ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ ଏକଛତ୍ରବାଦୀ ଓ ଦୁର୍ନୀତିଗ୍ରସ୍ତ ବୋଲି ବର୍ଣ୍ଣନା କରିଥିଲା। ଅକ୍ଟୋବର ୨୩, ୨୦୦୮ରେ ଆମେରିକୀୟ ଦୂତାବାସର ଏକ କେବୁଲରେ ମାୟାବତୀଙ୍କ ବାବଦରେ କୁହାଯାଇଥିଲା ଯେ, ମାୟାବାତୀଙ୍କ ପସନ୍ଦର ସାଣ୍ଡେଲ ଆଣିବା ପାଇଁ ସରକାରୀ ଖର୍ଚ୍ଚରେ ଖାଲି ବିମାନ ମୁମ୍ବାଇ ଯାଉଥିଲା । ବିଏସପି ସୁପ୍ରିମୋ ମାୟାବତୀଙ୍କ ସୁରକ୍ଷା ଯାଞ୍ଚ ପାଇଁ ନ୍ୟାସନାଲ ସିକ୍ୟୁରିଟି ଗାର୍ଡସ (ଏନଏସଜି) ମଙ୍ଗଳବାର ଦିନ ମକ୍ ଡ୍ରିଲ୍ କରିଥିଲା। ଏଥିପାଇଁ ଆଗୁଆ ପ୍ରସ୍ତୁତି କରାଯାଇଥିଲା। ମାୟାବତୀଙ୍କୁ ଏନେଇ ସୂଚନା ଦିଆଯାଇଥିବା କୁହାଯାଉଛି। ଅଭ୍ୟାସ ପୂର୍ବରୁ ମାୟାବତୀଙ୍କ ବାସଭବନର ଗେଟ୍ ସବୁଦିନ ଭଳି ବନ୍ଦ ରହିଥିଲା। ହଠାତ୍ ଗେଟ୍ ଖୋଲି ଏନଏସଜି କମାଣ୍ଡୋମାନେ ବାସଭବନ ଭିତରକୁ ପ୍ରବେଶ କରିଥିଲେ। ପଛପଟୁ ଏକ ଆମ୍ବୁଲାନ୍ସ ମଧ୍ୟ ଭିତରକୁ ପଶିଥିଲା। ଏହି ଘଟଣା ପରେ ମାୟାବତୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ଭାରତର ରାଜନୀତିରେ ମାୟାବତୀଙ୍କ କାହାଣ ଚମକାଇ ଦେଲା ଭଳି । ସେ ଭାରତୀୟ ରାଜନୀତିକୁ ଧୂମକେତୁ ଭଳି ଧସେଇ ପସିଥିଲେ । ଦଳିତଙ୍କ କ୍ଷମତା ଓ ଶକ୍ତିର ପ୍ରତୀକ ହୋଇଥିଲେ । କିନ୍ତୁ ୨୦୧୪ ପରଠାରୁ ରାଜନୀତିରେ ତାଙ୍କ ସୂର୍ଯ୍ୟ ଅସ୍ତମାନ ଥିବା ଭଳି ପ୍ରତୀତ ହେଉଛି । ଏମିତିରେ ଆସନ୍ତୁ ଜାଣିବା ମାୟାବତୀଙ୍କ ଜୀବନର ଏମିତି କିଛି ଅଳ୍ପଜ୍ଞାତ ଘଟଣା ବାବଦରେ,ଯାହା ମାୟାବତୀ କ’ଣ କହିଥାଏ. ।
ଖାଦ୍ୟ ଚାଖିବା ପାଇଁ ଥିଲେ କର୍ମଚାରୀ
ରାଜାମହାରାଜାମାନଙ୍କୁ ସବୁବେଳେ ରାଜନୈତିକ ହତ୍ୟାର ଭୟ ଡରାଉଥିଲା । ସବୁଠାରୁ ଅଧିକ ଭୟ ଥିଲା ଖାଦ୍ୟକୁ ନେଇ । କାଳେ ଖାଦ୍ୟରେ କିଏ ବିଷ ଦେବ ସେଇ ଭୟରେ ଅତୀତରେ ରାଜା ମହାରାଜା ଖାଦ୍ୟ ଖାଇବା ପୂର୍ବରୁ ଜଣେ କର୍ମଚାରୀ ଖାଉଥିଲେ । ଉଇକିଲିକ୍ସ କେବୁଲ ଅନୁଯାୟୀ, ମାୟାବତୀଙ୍କର ମଧ୍ୟ ସମାନ ଭୟ ଥିଲା । କେହି ତାଙ୍କ ଖାଦ୍ୟରେ ବିଷ ଦେଇପାରେ,ଏହି ଭୟ ପାଇଁ ସେ ଖାଦ୍ୟ ଚଖାଳି ନିଯୁକ୍ତ କରିଥିଲେ । ଯାହାଙ୍କ କାମ ଥିଲା,ମାୟାବତୀ ଖାଇବା ଆଗରୁ ଖାଦ୍ୟ ଚାଖିବା । କେବଳ ଏତିକି ନୁହେଁ ମାୟାବତୀଙ୍କ ରୋଷେଇ ଘରେ ରୋଷେଇ କରୁଥିବା ରୋଷେୟାଙ୍କ ଉପରେ ମଧ୍ୟ ନଜର ରଖାଯାଉଥିଲା । ମାୟାବାତୀଙ୍କ ଘରେ ଥିବା ୯ ଜଣ ରୋଷେୟାଙ୍କ ଉପରେ ପୋଲିସର ନଜର ସବୁବେଳେ ରହୁଥିଲା ।
ଘରୁ ଅଫିସ ଯିବା ପୂର୍ବରୁ ଧୁଆ ହେଉଥିଲା ରାସ୍ତା
ଉଇକିଲିକ୍ସ ଅନୁସାରେ ମାୟାବତୀ ମୁଖ୍ୟମନ୍ତ୍ରୀ ଅଫିସ ଯିବା ପୂର୍ବରୁ ରାସ୍ତାକୁ ଧୁଆ ହେଉଥିଲା । ଏକଦା ମାୟାବତୀଙ୍କ ଡାହଣ ହାତ ଥିବା ସତୀଶ ମିଶ୍ର ଆମେରିକା ଦୂତାବାସ ଅଧିକାରୀଙ୍କୁ ଅନୌପଚାରିକ ଭାବେ କହିଥିଲେ ଯେ ମାୟାବତୀ ବ୍ୟକ୍ତିଗତ ଭାବେ ଦୁର୍ନୀତି ପ୍ରତି ଆଗ୍ରହୀ। ସେ ଏକଛତ୍ରବାଦୀ ଭଳି ଆଚରଣ କରନ୍ତି।
ଆସାଞ୍ଜଙ୍କୁ ଆଗ୍ରା ପାଗଳଖାନକୁ ପଠାଇବାକୁ କହିଥିଲେ
ମାୟାବତୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି ଉଇକିଲିକ୍ସ ରିପୋର୍ଟରେ ସେତେବେଳେ କୁହାଯାଇଥିଲା। ସେହି ସମୟରେ ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଉଇକିଲିକ୍ସର ମାଲିକ ପାଗଳ ହୋଇଯାଇଛନ୍ତି। ତାଙ୍କୁ ପାଗଳଖାନକୁ ପଠାଯାଉ। ଯଦି ଆମେରିକା ସରକାର ପାଗଳଖାନା ପଠାଇବାକୁ ଅକ୍ଷମ, ତେବେ ତାଙ୍କୁ ଆଗ୍ରାସ୍ଥିତ ଆମର ମାନସିକ ଆଶ୍ରୟସ୍ଥଳକୁ ପଠାଇ ଦିଅନ୍ତୁ।
କିଏ ହେବ ବିଏସପିର ଭବିଷ୍ୟତ ?
ବିଏସପିର ହ୍ରାସ ପାଉଥିବା ସମର୍ଥନ ଭିତ୍ତିଭୂମି ମଧ୍ୟରେ ଏହାର ଭବିଷ୍ୟତକୁ ନେଇ ବର୍ଷ ବର୍ଷ ଧରି ଗମ୍ଭୀର ପ୍ରଶ୍ନ ଉଠୁଛି। ନିଜର ସମର୍ଥନ ଭିତ୍ତି ଭୂମି କୁ ଫେରାଇ ଆଣିବା ପାଇଁ ଦଳ କ’ଣ କରିବ? ମାୟାବତୀ ଯଦି ରାଜରାସ୍ତାକୁ ଓହ୍ଲାଇବେ ନାହିଁ, ତେବେ ବିଏସପିରେ ଭବିଷ୍ୟତ ନେତୃତ୍ୱ କ’ଣ ହେବ? ଏଭଳି ଅନେକ ପ୍ରଶ୍ନ ଉଠୁଛି। ଉତ୍ତରପ୍ରଦେଶରେ ଦଳିତ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟସ୍ରୋତର ଦଳଗୁଡ଼ିକ ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ନଗିନା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଚନ୍ଦ୍ରଶେଖର ମଧ୍ୟ ନିଜକୁ ଦଳିତଙ୍କ ନୂଆ ନେତା ଭାବେ ପେସ୍ କରୁଛନ୍ତି । ଲୋକସଭା ନିର୍ବାଚନରେ ୟୁପିରେ ବିଏସପିକୁ ଗୋଟିଏ ବି ଆସନ ମିଳିନଥିବା ବେଳେ ରାବଣ ଓରଫ ଚନ୍ଦ୍ରଶେଖର ଗୋଟିଏ ଆସନ ଜିତି ମାୟାବତୀଙ୍କ ପାଇଁ ଆହ୍ୱାନ ପାଲଟିଛନ୍ତି ।
କାହାକୁ ବିଶ୍ୱାସ ନାହିଁ
ନିକଟରେ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ରାଷ୍ଟ୍ରୀୟ ସଂଯୋଜକ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇ ଦେଇଛନ୍ତି। ମାୟାବତୀ କହିଛନ୍ତି ଯେ ସେ ନିଜେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ମାୟାବତୀ ଆହୁରି ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସେ ବଞ୍ଚିରହିବେ, ତାଙ୍କର କୌଣସି ଉତ୍ତରାଧିକାରୀ ରହିବେ ନାହିଁ। ବିଏସପି ସୁପ୍ରିମୋ କହିଛନ୍ତି ଯେ ତାଙ୍କ ପାଇଁ ଦଳ ପ୍ରଥମେ ଆସେ ଏବଂ ବାକି ସମ୍ପର୍କ ପରେ ଆସିଥାଏ ।
ମାୟାବତୀଙ୍କ ବିରୋଧରେ ପରିବାରବାଦ ଅଭିଯୋଗ ଆସିଥିଲା
୨୦୧୯ରେ ମାୟାବତୀ ଆକାଶଙ୍କୁ ଦଳର ରାଷ୍ଟ୍ରୀୟ ସଂଯୋଜକ ଏବଂ ଆକାଶଙ୍କ ବାପା ତଥା ସାନଭାଇ ଆନନ୍ଦ କୁମାରଙ୍କୁ ବିଏସପିର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ସେବେଠାରୁ ମାୟାବତୀଙ୍କ ବିରୋଧରେ ପରିବାରବାଦ ଅଭିଯୋଗ ଆସିଥିଲା ।
ରାଣୀଙ୍କ ଗର୍ଭରୁ ରାଜା ଜନ୍ମ ନେବେ ନାହିଁ
ମାୟାବତୀଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ଚନ୍ଦ୍ରଶେଖର କହିଛନ୍ତି, ମୋର ବାବା ସାହେବ ଆମ୍ବେଦକରଙ୍କ ଏହି କଥା ମନେ ପଡୁଛି ଯେତେବେଳେ ସେ କହିଥିଲେ, ଏବେ ଆଉ ରାଣୀଙ୍କ ଗର୍ଭରୁ ରାଜା ଜନ୍ମ ହେବ ନାହିଁ। ହେଲେ ମାୟାବତୀ ଏହାକୁ ଅଣଦେଖା କରିଥିଲେ। ଏହା ବହୁଜନମାନଙ୍କୁ ଏକ ଭୁଲ ବାର୍ତ୍ତା ଦେଇଛି। ଏବେ ଆମର ଦାୟିତ୍ୱ ବଢିଯାଇଛି ।
ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ,ମାୟାବତୀ ଗଣତନ୍ତ୍ରର ଚମତ୍କାର
ମାୟାବତୀ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଶୁନ୍ୟରୁ ମାୟାବତୀଙ୍କ ଆରମ୍ଭକୁ ଗଣତନ୍ତ୍ରର ଚମତ୍କାର ବୋଲି ବର୍ଣ୍ଣନା କରିଥିଲେ। ୧୯୯୩ରେ ବିଏସ୍ ପି ପ୍ରତିଷ୍ଠାତା କଂଶୀରାମ ସମାଜବାଦୀ ପାର୍ଟି ସହ ମେଣ୍ଟ କରିଥିଲେ ଏବଂ ମାୟାବତୀ ୧୯୯୫ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ଭାରତର ଅନୁସୂଚିତ ଜାତିର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ । ୧୯୯୭ ଓ ୨୦୦୨ରେ ସେ ବିଜେପିର ବାହ୍ୟ ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଯିଏ କଲେକ୍ଟର ହେବାକୁ ଚାହୁଁଥିଲେ,ତାଙ୍କ ଘର ଆଗରେ ଲାଗିଲା କଲେକ୍ଟରଙ୍କ ଧାଡ଼ି
ମାୟାବତୀ ୧୯୭୫ ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କାଲିନ୍ଦୀ କଲେଜରୁ ବିଏ ଶେଷ କରିଥିଲେ ଏବଂ ୧୯୮୩ ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସମ୍ମାନଜନକ ଆଇନ ବିଭାଗରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ୧୯୭୬ମସିହାରେ ସେ ବିଏଡ୍ କରିଥିଲେ। ସେ ଦିଲ୍ଲୀର ଇନ୍ଦ୍ରପୁରୀ ଜେଜେ କଲୋନୀରେ ଜଣେ ଶିକ୍ଷୟିତ୍ରୀ ଥିଲେ। ସେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ ୧୯୭୭ ମସିହାରେ ଅନୁସୂଚିତ ଜାତି ଓ ଜନଜାତି ଓ ଅନ୍ୟାନ୍ୟ ପଛୁଆ ଜାତିର ରାଜନେତା କଂଶୀରାମ ତାଙ୍କ ଘରକୁ ଆସିଥିଲେ। ମାୟାବତୀଙ୍କ ଜୀବନୀକାର ଅଜୟ ବୋଷଙ୍କ କହିବା ଅନୁଯାୟୀ, କଂଶୀରାମ ମାୟାବତୀଙ୍କ ଦ୍ୱାରା ପ୍ରଭାବିତ ହୋଇ କହିଥିଲେ, ମୁଁ ଦିନେ ଆପଣଙ୍କୁ ଏତେ ବଡ଼ ନେତା କରିପାରିବି ଯେ ଜଣେ ନୁହେଁ ବରଂ ଆଇଏଏସ୍ ଅଫିସରଙ୍କ ପୂରା ଧାଡ଼ି ଆପଣଙ୍କ ଆଦେଶ ମାନିବା ପାଇଁ ଧାଡ଼ିରେ ଠିଆ ହେବ। ସେଠାରୁ ହିଁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା।
ଦଳିତଙ୍କ ଭଉଣୀ
ଲକ୍ଷ ଲକ୍ଷ ଦଳିତ ସମର୍ଥକ ମାୟାବତୀଙ୍କୁ ‘ବେହେନଜି’ ବୋଲି ଡାକନ୍ତି। ତାଙ୍କ ଜନସଭାରେ ବହୁ ସଂଖ୍ୟାରେ ଦର୍ଶକ ଯୋଗ ଦେଇ ‘କଂଶୀରାମଙ୍କ ମିଶନ ଅଧୁରା, ବେହେନ ମାୟାବତୀ କରିବେ ପୂରା’ ଏବଂ ‘ବେହେନଜି ତୁମ୍ ସଂଘର୍ଷ କର, ହମ୍ ତୁମ୍ହାରେ ସାଥ ହୈ’ ଭଳି ସ୍ଲୋଗାନ ଦେଇଥାଆନ୍ତି।
ମାୟାବତୀ ଏବେ କାହିଁକି ଅନ୍ୟ ଦଳଠାରୁ ପଛରେ ପଡ଼ିଛନ୍ତି
ରାଜନୈତିକ ବିଶ୍ଳେଷକଙ୍କ ମତରେ ମାୟାବତୀ ଗତ କିଛି ବର୍ଷ ଧରି ତୃଣମୂଳ ସ୍ତରର ରାଜନୀତି କରୁନାହାନ୍ତି। ସେ କ୍ଷେତକୁ ଯାଆନ୍ତି ନାହିଁ କି ଗାଁ ଗାଁ ବୁଲି ଶ୍ରମିକଙ୍କ ମନୋବଳ ବଢ଼ାଉନାହାନ୍ତି। ଏସି ଘରେ ବସି ସେ ରାଜନୀତି କରୁଛନ୍ତି। ଏହାବ୍ୟତୀତ କଂଶୀରାମଙ୍କ ସମୟରେ ଯେଉଁମାନେ ଦଳ ଗଠନ କରିଥିଲେ ସେମାନଙ୍କୁ ମାୟାବତୀ ଦଳରୁ ବିଦା କରିଦେଇଛନ୍ତି । ସେମାନଙ୍କ ମଧ୍ୟରେ ରାମସମୁ ପାସି ଏବଂ ଆରକେ ଚୌଧୁରୀଙ୍କ ଭଳି ବଡ଼ ନେତା ମଧ୍ୟ ଥିଲେ। ଜଣକ ପରେ ଜଣେ ତୃଣମୁଳ ସ୍ତରରେ କାମ କରୁଥିବା ଏହି ନେତାମାନଙ୍କୁ କୌଣସି ନା କୌଣସି କାରଣରୁ ମାୟାବତୀ ଦଳରୁ ବିଦା କରିବା ହାତୀକୁ ଦୁର୍ବଳ କରିଦେଇଛି ।