
ମହାକାଶରେ ଦୀର୍ଘ ଦିନ ରହିବା ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ । ଦୀର୍ଘ ୯ ମାସ ଧରି ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରେ ଫସି ରହିଥିଲେ। ଆଇଏସ୍ଏସ୍ ଛାଡ଼ିବାର ମାତ୍ର କିଛି ଘଣ୍ଟା ପରେ ସେମାନଙ୍କ ସ୍ପେସ୍ ଏକ୍ସ କ୍ୟାପସୁଲ୍ ଫ୍ଲୋରିଡାର ତାଲାହାସି ଉପକୂଳଠାରୁ ଦୂରରେ ମେକ୍ସିକୋ ଉପସାଗରରେ ଅବତରଣ କରିଥିଲା। ସୁନୀତା ୱିଲିୟମ୍ସଙ୍କ ଯାତ୍ରା ବିଷୟରେ ନୁହେଁ ବରଂ ଆଜି ସେହି ମହାକାଶ ଷ୍ଟେସନ ବିଷୟରେ ଜାଣିବା ଯେଉଁଠାରେ ସେ ୯ ମାସ ରହିଥିଲେ । ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ହେଉଛି ମହାକାଶର ଏକ ଗବେଷଣା ପରୀକ୍ଷାଗାର । ୧୯୯୮ରୁ ୨୦୧୧ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ମହାକାଶଚାରୀମାନେ ୨୦୦୦ ନଭେମ୍ବର ୨ ତାରିଖରୁ ଏଥିରେ ରହି ଆସୁଛନ୍ତି।
ଆଇଏସ୍ଏସ୍ ହେଉଛି ବିଶ୍ୱର ସବୁଠାରୁ ବ୍ୟୟବହୁଳ ପ୍ରକଳ୍ପ, ଯାହାର ନିର୍ମାଣ ପାଇଁ ପ୍ରାୟ ୧୫୦ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ଏତେ ବଡ଼ ଖର୍ଚ୍ଚ ଯୋଗୁଁ କୌଣସି ଗୋଟିଏ ଦେଶ ଏହାର ସମ୍ପୂର୍ଣ୍ଣ ମାଲିକ ନୁହଁନ୍ତି। ୟୁରୋପୀୟ ମହାକାଶ ଏଜେନ୍ସି, ଆମେରିକା, ରୁଷିଆ, କାନାଡା ଓ ଜାପାନ ମିଳିତ ଭାବେ ଏହାକୁ ତିଆରି କରିଛନ୍ତି। ମହାକାଶ ଷ୍ଟେସନ ପରିଚାଳନା ରେ ନାସା ପ୍ରତିବର୍ଷ ୩ ବିଲିୟନ ଡଲାର ଖର୍ଚ୍ଚ କରିଥାଏ । ମେ ୨୦୨୨ ସୁଦ୍ଧା ୨୦ଟି ଦେଶର ୨୫୮ ଜଣ ମହାକାଶଚାରୀ ଆଇଏସ୍ଏସ୍ ପରିଦର୍ଶନ କରିଛନ୍ତି। ଆମେରିକା ଓ ରୁଷିଆର ଅଧିକାଂଶ ମହାକାଶଚାରୀ ଏଠାକୁ ଯାଇଛନ୍ତି।
ସ୍ପେସ୍ ଷ୍ଟେସନ୍ କେତେ ବଡ଼?
Space.com ରିପୋର୍ଟ ଅନୁଯାୟୀ ଏହାର ଆକାର ଗୋଟିଏ ପଏଣ୍ଟରୁ ଅନ୍ୟ ପଏଣ୍ଟକୁ ୧୦୯ ମିଟର । ଭ୍ରମଣକାରୀ ଗାଡିକୁ ମିଶାଇ ଓଜନ ୪୧୯୭୨୫ କେଜି ରହିଛି । କେବଳ ସୋଲାର ପ୍ୟାନେଲ ଏକ ଏକର ପରିମିତ ଅଞ୍ଚଳକୁ ବ୍ୟାପିଛି। ଏହି ସ୍ପେସ୍ ଷ୍ଟେସନରେ ୭ଟି ଶୋଇବା ଘର ରହିଛି। ଏଥିରେ ଦୁଇଟି ବାଥରୁମ୍, ଗୋଟିଏ ଜିମ୍ ଏବଂ ପୃଥିବୀକୁ ଦେଖିବା ପାଇଁ ୩୬୦ ଡିଗ୍ରୀ ଭ୍ୟୁ ୱିଣ୍ଡୋ ରହିଛି।
ଏହି ମହାକାଶ କେନ୍ଦ୍ର ପୃଥିବୀଠାରୁ ପ୍ରାୟ ୪୦୨ କିଲୋମିଟର ଉଚ୍ଚତାରେ ପରିକ୍ରମା କରୁଛି। ଏହାର କକ୍ଷପଥ ପଥକୁ ୯୦ ପ୍ରତିଶତ ଲୋକ ଦେଖିପାରିବେ । ଏଥିରେ ସୋଲାର ପ୍ୟାନେଲ ଥିବାରୁ ଟେଲିସ୍କୋପ୍ ଜରିଆରେ ଏହାକୁ ଦେଖିବାକୁ ମିଳୁଛି।
ଆଇଏସ୍ଏସ୍ର ବେଗ କେତେ?
ଆଇଏସ୍ଏସ୍ ପ୍ରତି ୯୦ ମିନିଟରେ ଥରେ ପୃଥିବୀପରିକ୍ରମା କରିଥାଏ। ଏହାର ବେଗ ଘଣ୍ଟା ପ୍ରତି ୨୮,୦୦୦ କିଲୋମିଟର । ଗୋଟିଏ ଦିନରେ ମହାକାଶ ଷ୍ଟେସନ ପୃଥିବୀ ଚାରିପଟେ ଏତେ ପରିକ୍ରମା କରେ, ଯାହା ପୃଥିବୀଠାରୁ ଚନ୍ଦ୍ରକୁ ଯିବା ଓ ଫେରିବାର ଦୂରତା ସହିତ ସମାନ ।
ସ୍ପେସ୍ ଷ୍ଟେସନରେ କ’ଣ ହୁଏ?
ମହାକାଶଚାରୀମାନେ ସାଧାରଣତଃ ମହାକାଶ ଷ୍ଟେସନରେ ପହଞ୍ଚିବା ପରେ ପ୍ରାୟ ୬ ମାସ ରହିଥାନ୍ତି । ଏହି ସମୟରେ ସେମାନେ ଆଇଏସଏସରେ ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ ଓ ରକ୍ଷଣାବେକ୍ଷଣ କରିଥାନ୍ତି। କାମ ବ୍ୟତୀତ ମହାକାଶଚାରୀମାନେ ବ୍ୟାୟାମ ଏବଂ ବ୍ୟକ୍ତିଗତ ଯତ୍ନ ପାଇଁ ଦିନକୁ ଦୁଇ ଘଣ୍ଟା ସମୟ ବିତାନ୍ତି । ବେଳେବେଳେ ସେମାନେ ମହାକାଶ ଷ୍ଟେସନ ବାହାରକୁ ଯାଇ ସ୍ପେସ୍ ୱାକ୍ ମଧ୍ୟ କରନ୍ତି। ଅନ୍ୟ ଗ୍ରହକୁ ଯିବା ମଧ୍ୟ ବୈଜ୍ଞାନିକଙ୍କ ଲକ୍ଷ୍ୟ। ଏଭଳି ସ୍ଥିତିରେ ଆଇଏସ୍ଏସ୍ ହେଉଛି ଏକ ପ୍ଲାଟଫର୍ମ, ଯେଉଁଥିରେ ସେମାନେ ଚନ୍ଦ୍ର କିମ୍ବା ମଙ୍ଗଳ ଗ୍ରହରେ ପୃଥିବୀଠାରୁ ଦୂରରେ କେମିତି ରହିପାରିବେ ତାକୁ ନେଇ ପରୀକ୍ଷଣ କରିପାରିବେ।