
ପାକିସ୍ତାନ ଅତ୍ୟାଚାର ବିରୋଧରେ ଲଢେଇ କରି ବଙ୍ଗାଳୀ ମୁସଲମାନଙ୍କ ପାଇଁ ନୁଆ ରାଷ୍ଟ୍ର ତିଆରି କରିଥିବା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ ଯେ,ସେଇ ଦେଶର ସେନା ତାଙ୍କ ହତ୍ୟା କରିବ ,ଯାହା ପାଇଁ ସେ ପାକିସ୍ତାନୀ ସେନା ବିରୋଧରେ ଛିଡ଼ା ହୋଇଥିଲେ । ଦେଶ ସ୍ୱାଧିନ ହେବାର ମାତ୍ର ୫ ବର୍ଷରୁ କମ ସମୟରେ ମୁଜିବୁରଙ୍କୁ ତାଙ୍କରି ସୈନିକ ହତ୍ୟା କରିଥିଲେ । ଆସନ୍ତୁ ତାଙ୍କ ଜୟନ୍ତୀ ଅବସରରେ ଜାଣିବା ତାଙ୍କ ହତ୍ୟାକାଣ୍ଡର ପୁରା କାହାଣୀ ।
ବାଂଲାଦେଶର ସ୍ୱାଧୀନତା ପାଇଁ ଲଢୁଥିବା ଶେଖ ମୁଜିବୁର ରେହମାନ ୧୯୭୧ ମାର୍ଚ୍ଚ ୨୫ ତାରିଖ ମଧ୍ୟରାତ୍ରିରେ ସ୍ୱାଧୀନତା ଘୋଷଣା କରିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇ ପାକିସ୍ତାନର ମିଆଁୱାଲି ଜେଲରେ ରଖାଯାଇଥିଲା। ପାଖାପାଖି ୯ ମାସ ଧରି ସେ ଜେଲରେ ଥିଲେ। ଅନ୍ୟପକ୍ଷରେ ବାଂଲାଦେଶ ମୁକ୍ତି ବାହିନୀ ସହାୟତାରେ ଭାରତ ୧୯୭୧ ଡିସେମ୍ବରରେ ପାକିସ୍ତାନକୁ ପରାସ୍ତ କରିଥିଲା।
୧୯୭୨ ମସିହା ଜାନୁଆରି ୭ ତାରିଖ ରାତିରେ ଶେଖ୍ ମୁଜିବୁର୍ ରେହମାନଙ୍କୁ ପାକିସ୍ତାନ ମୁକ୍ତ କରିଥିଲା । ମୁଜିବୁର ପାକିସ୍ତାନରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲା। ସେଠାରେ ଦୁଇ ଦିନ ରହିବା ପରେ ଜାନୁଆରୀ ୯ ତାରିଖ ସନ୍ଧ୍ୟାରେ ସେ ଢାକାରୁ ନୂଆଦିଲ୍ଲୀରେ ପହଞ୍ଚିଥିଲେ ଏବଂ ସେଠାରେ କିଛି ଘଣ୍ଟା ରହିବା ପରେ ସେ ବାଂଲାଦେଶ ଅଭିମୁଖେ ଯାତ୍ରା କରିଥିଲେ।
ବାଂଲାଦେଶର ପୁନଃନିର୍ମାଣ
ବାଂଲାଦେଶରେ ପହଞ୍ଚି ଶେଖ୍ ମୁଜିବ ତାଙ୍କ ଯୁଦ୍ଧ ବିପନ୍ନ ଦେଶର ପୁନଃନିର୍ମାଣ ଆରମ୍ଭ କରିଥିଲେ। ଗୋଟିଏ ପଟେ ରାଷ୍ଟ୍ରପତି ଭାବେ ସେ ଦେଶର ପ୍ରଗତିରେ ନିୟୋଜିତ ଥିବା ବେଳେ ଅନ୍ୟପଟେ ତାଙ୍କ ହାତରୁ ଅନେକ କିଛି ଖସିବାକୁ ଲାଗିଥିଲା । ୧୯୭୫ ବେଳକୁ ବାଂଲାଦେଶରେ ଦୁର୍ନୀତି ବଢ଼ିବାରେ ଲାଗିଲା। ଉଚ୍ଚ ପଦପଦବୀରେ ଥିବା ଲୋକମାନେ ପରିବାରବାଦକୁ ପ୍ରୋତ୍ସାହିତ କରିବା ଆରମ୍ଭ କଲେ । ଏହା କେବଳ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇନଥିଲା ବରଂ ସେନାରେ ମଧ୍ୟ ଅଶାନ୍ତି ସୃଷ୍ଟି କରିଥିଲା।
ରାଷ୍ଟ୍ରପତି ଭବନ ଉପରେ ସେନା ର ଆକ୍ରମଣ
ସେନାରେ ଅସନ୍ତୋଷର ପରିଣାମ ହେଲା ଯେ ୧୯୭୫ ଅଗଷ୍ଟ ୧୫ ତାରିଖ ରାତିରେ କିଛି କନିଷ୍ଠ ଅଧିକାରୀ ୩୨ ଧାନମଣ୍ଡିଠାରେ ବାଂଲାଦେଶ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଉପରେ ଆକ୍ରମଣ କରିଥିଲେ। ଗୁଳି ଶବ୍ଦ ଶୁଣିବା ପରେ ଶେଖ୍ ମୁଜିବ ବାଂଲାଦେଶର ତତ୍କାଳୀନ ସେନାମୁଖ୍ୟ ଜେନେରାଲ ଶଫିଉଲ୍ଲାଙ୍କୁ ଫୋନ୍ କରିଥିଲେ।
ଜେନେରାଲ ଶଫିଉଲ୍ଲା ବିବିସିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଶେଖ୍ ମୁଜିବ ସେତେବେଳେ ବହୁତ ରାଗିଯାଇଥିଲେ। ସେ ସେନା ମୁଖ୍ୟଙ୍କୁ ଫୋନ କରି କହିଥିଲେ ଯେ ସୈନିକମାନେ ମୋ ବାସଭବନ ଉପରେ ଆକ୍ରମଣ କରିଛନ୍ତି। ସେମାନଙ୍କୁ ଫେରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଏହା ଉପରେ ସେନା ମୁଖ୍ୟ ତାଙ୍କୁ ପଚାରିଥିଲେ, ଆପଣ ଘରୁ ବାହାରକୁ ଆସିପାରିବେ କି?
ପୁରା ପରିବାର ନିପାତ
ତେବେ ସେତେବେଳକୁ ସୈନିକମାନେ ରାଷ୍ଟ୍ରପତି ଭବନ ଭିତରକୁ ପ୍ରବେଶ କରି ସାରିଥିଲେ ଏବଂ ତଳେ ଗୁଳି ବିନିମୟ ଆରମ୍ଭ ହୋଇ ସାରିଥିଲା । ଗୁଳି ଶବ୍ଦ ଶୁଣି ଶେଖ ମୁଜିବ ସିଡି ତଳକୁ ତଳକୁ ଆସୁଥିଲେ। ଏହି ସମୟରେ ତାଙ୍କୁ ଗୁଳି କରାଯାଇଥିଲା। ଶେଖ ମୁଜିବ ସିଡ଼ି ତଳକୁ ତଳକୁ ଖସି ପଡ଼ିଥିଲେ। ଏହାପରେ ତାଙ୍କ ପତ୍ନୀଙ୍କୁ ଗୁଳି କରାଯାଇଥିଲା। ତା’ପରେ ଜଣକ ପରେ ଜଣେ ପରିବାର ସଦସ୍ୟଙ୍କୁ ହତ୍ୟା କରାଗଲା। ସେତେବେଳେ ଶେଖଙ୍କ ସାନ ପୁଅ ରସେଲଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା, ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ।
ଘଟଣା ସମୟରେ ମୁଜିବଙ୍କ ଝିଅ ଶେଖ ହସିନା ଓ ରେହାନା ଜର୍ମାନୀରେ ଥିଲେ। ସେମାନଙ୍କ ବାଂଲାଦେଶ ଫେରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହାପରେ ତାଙ୍କୁ ରାଜନୈତିକ ଆଶ୍ରୟ ଦିଆଯାଇଥିଲା।
ଗୋଟିଏ କବରରେ ସମାଧି
ବରିଷ୍ଠ ସାମ୍ବାଦିକ ସୁଭାଷ ଚକ୍ରବର୍ତ୍ତୀ ବିବିସିରେ ଲେଖିଛନ୍ତି ଯେ ଶେଖ୍ ମୁଜିବଙ୍କୁ କେବଳ ହତ୍ୟା କରାଯାଇନଥିଲା, ବରଂ ତାଙ୍କୁ ଅତି ନିର୍ମମ ଭାବେ ଘରୁ ଟାଣି ନିଆଯାଇଥିଲା। ତାଙ୍କ ମୃତଦେହକୁ ଏକ ଟ୍ରକ ଉପରକୁ ଫିଙ୍ଗି ଦିଆଯାଇଥିଲା। ପରଦିନ ଅର୍ଥାତ୍ ଅଗଷ୍ଟ ୧୬ ତାରିଖ ସକାଳେ ବାଂଲାଦେଶୀ ସୈନିକମାନେ ଶେଖ୍ ମୁଜିବଙ୍କ ପରିବାରର ମୃତଦେହ ସଂଗ୍ରହ କରିଥିଲେ। ଶେଖ ମୁଜିବୁରଙ୍କ ବ୍ୟତୀତ ଅନ୍ୟ ସମସ୍ତ ମୃତଦେହକୁ ବେନାନି କବରସ୍ଥାନର ଏକ ବଡ଼ ଗାତରେ ପୋତି ଦିଆଯାଇଥିଲା। ଶେଖ୍ ମୁଜିବଙ୍କ ମୃତଦେହକୁ ହେଲିକପ୍ଟର ଯୋଗେ ତାଙ୍କ ଗାଁ ଟାଙ୍ଗୀପଡ଼ାକୁ ନିଆଯାଇଥିଲା।
ଲୁଗା ସଫା ସାବୁନରେ ଗାଧୁଆ
ସମଗ୍ର ଗାଁକୁ ବାଂଲାଦେଶୀ ସୈନିକମାନେ ଘେରି ରହିଥିଲେ, ଯେମିତିକି ଲୋକମାନେ ଶେଖଙ୍କ ନମାଜ-ଏ-ଜନାଜାରେ ଯୋଗ ଦେଇପାରିବେ ନାହିଁ। ଯଥାଶୀଘ୍ର ମୃତଦେହକୁ ପୋତି ଦିଆଯାଉ ବୋଲି ସୈନିକମାନେ ଜିଦ୍ ଧରିଥିଲେ। ତେବେ ବିନା ଗାଧୋଇ ମୃତଦେହକୁ ପୋତା ଯାଇପାରିବ ନାହିଁ ବୋଲି ଗାଁର ଜଣେ ମୌଲାନା ଜିଦ୍ ଧରିଥିଲେ। ସେହି ସମୟରେ ଗାଧୋଇବା ପାଇଁ ସାବୁନ ନଥିଲା। ତେଣୁ ଶେଖଙ୍କୁ ଲୁଗାଧୁଆ ସାବୁନରେ ଗାଧୋଇ ତାଙ୍କ ବାପାଙ୍କ ପାଖରେ କବର ଦିଆଯାଇଥିଲା।
ଇନ୍ଦିରା ଗାନ୍ଧି ପୂର୍ବରୁ ଆଶଙ୍କା ପ୍ରକାଶ କରିଥିଲେ
ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶେଖ ମୁଜିବଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହେବ ବୋଲି ପୂର୍ବରୁ ଆଶଙ୍କା କରିଥିଲେ। କୁହାଯାଏ ଯେ ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀ ଜାମାଇକାରେ ଶେଖ୍ ମୁଜିବୁର୍ ରେହମାନଙ୍କୁ ଭେଟିଥିଲେ। ଏହାପରେ ସେ ଶେଖ ମୁଜିବଙ୍କ ସୁରକ୍ଷା କୁ ନେଇ ଚିନ୍ତା ପ୍ରକଟ କରିଥିଲେ। ତେବେ ଶେଖ୍ ମୁଜିବ ଭାବି ନଥିଲେ ଯେ କୌଣସି ବଙ୍ଗାଳୀ ତାଙ୍କୁ ହତ୍ୟା କରିପାରିବ।