ରଣ୍ୟା ରାଓଙ୍କୁ ନେଇ ବିଧାୟକଙ୍କ ଅଶ୍ଳୀଳ ମନ୍ତବ୍ୟ, କାର୍ଯ୍ୟାନୁଷ୍ଠାନ ଦାବି

କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ରଣ୍ୟା ରାଓଙ୍କ ସୁନା ଚୋରା ଚାଲାଣ ମାମଲାକୁ ନେଇ ସବୁଠି ଚର୍ଚ୍ଚା । ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଉପରେ ଦୁବାଇରୁ ସୁନା ଚୋରା ଚାଲାଣ ଅଭିଯୋଗ ଆସିବା ଖବର ସମସ୍ତଙ୍କୁ ଚକିତ କରିଛି । ଏହି ପ୍ରସଙ୍ଗକୁ ନେଇ କର୍ଣ୍ଣାଟକରେ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ, ସ୍ପଷ୍ଟବାଦୀ ବକ୍ତବ୍ୟ ପାଇଁ ଜଣାଶୁଣା ବିଜେପି ବିଧାୟକ ବାସନାଗୌଡା ପାଟିଲ ଯତନାଲ ରଣ୍ୟା ରାଓଙ୍କ ବିଷୟରେ କିଛି ମନ୍ତବ୍ୟ ରଖିଛନ୍ତି, ଯାହା ହଇଚଇ ସୃଷ୍ଟି କରିଛି ।

ଯତନାଲ କର୍ଣ୍ଣାଟକର ବିଜାପୁର ସହରର ଜଣେ ବିଜେପି ବିଧାୟକ। ସେ ଦାବି କରିଥିଲେ ଯେ ଏହି ମାମଲାରେ ଜଡିତ ମନ୍ତ୍ରୀମାନଙ୍କ ନା ମଧ୍ୟ ସେ ଜାଣନ୍ତି। ସେ କହିଛନ୍ତି ଯେ ଏହି ମାମଲାରେ ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ତଥାପି, ଏସବୁ କହିବା ସମୟରେ ସେ ରଣ୍ୟା ରାଓଙ୍କ ବିଷୟରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। NDTV ରିପୋର୍ଟ ଅସୁଯାୟୀ ସେ କହିଛନ୍ତି ଯେ “ତାଙ୍କ ଶରୀର ସାରା ସୁନା ଥିଲା, ସେ ତାଙ୍କ ଶରୀରର ସମସ୍ତ ଗାତରେ ଲୁଚାଇ ଚୋରା ଚାଲାଣ କରୁଥିଲେ,”  ।

ଦୁଇ ସପ୍ତାହ ପୂର୍ବେ ରଣ୍ୟା ରାଓଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ୧୪ କିଲୋ ସୁନା ସହିତ ଗିରଫ କରାଯାଇଥିଲା, ଯାହାକୁ ସେ ତାଙ୍କ ପୋଷାକରେ ଲୁଚାଇ ରଖିଥିଲେ। ପ୍ରାରମ୍ଭିକ ତଦନ୍ତରେ ବିମାନବନ୍ଦର କର୍ମଚାରୀଙ୍କ ସମ୍ପୃକ୍ତି ମଧ୍ୟ ସୂଚିତ ହୋଇଛି। ଯତନାଲ କଷ୍ଟମ ଅଧିକାରୀଙ୍କ ଅବହେଳା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ଏହା ସହିତ, ଅଭିନେତ୍ରୀଙ୍କ ସାବତ ବାପା ରାମଚନ୍ଦ୍ର ରାଓଙ୍କ ଆଡ଼କୁ ଇଙ୍ଗିତ କରି ସେ କହିଥିଲେ, “କେବଳ ଜଣେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସମ୍ପର୍କୀୟ ହୋଇଥିବାରୁ କେହି ରକ୍ଷା ପାଇବେ କି ?” ରାଓ ଜଣେ ଡିଜିପି ରାଙ୍କ ଅଧିକାରୀ। ସେ ଏହି ମାମଲା ସହିତ ତାଙ୍କର କୌଣସି ସମ୍ପର୍କ ନଥିବା କହିଥିଲେ ।  ତଥାପି, ତାଙ୍କ ଝିଅ ଗିରଫ ହେବାର କିଛି ଦିନ ପରେ, ତାଙ୍କୁ ‘ବାଧ୍ୟତାମୂଳକ ଛୁଟି’ରେ ପଠାଯାଇଛି।

ଯତନାଲଙ୍କ ଏହି ବକ୍ତବ୍ୟକୁ ତୀବ୍ର ନିନ୍ଦା କରାଯାଉଛି ଏବଂ ଏହାକୁ ଏକ ଅଶାଳୀନ ଏବଂ ମହିଳା ବିରୋଧୀ ମନ୍ତବ୍ୟ ଭାବରେ ବର୍ଣ୍ଣନା କରାଯାଉଛି। ବିରୋଧୀ ଦଳ ଏବଂ ମହିଳା ସଂଗଠନଗୁଡ଼ିକ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *