
୧୮୫୭ ବିପ୍ଳବ ସହିତ ଆରମ୍ଭ ହୋଇଥିବା ଭାରତର ସ୍ୱାଧୀନତା ପାଇଁ ଦୀର୍ଘ ଅଭିଯାନ ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୩୯-୧୯୪୫) ପରେ ତୀବ୍ର ହୋଇଥିଲା। ଯୁଦ୍ଧ ସମୟରେ ଭାରତୀୟମାନେ ସେମାନଙ୍କର ଅବଦାନ ପାଇଁ ସ୍ୱାଧିନତା ଆଶା କରୁଥିଲେ। ୧୯୪୫ ମସିହାରେ ନିର୍ବାଚିତ ନୂତନ ବ୍ରିଟିଶ ସରକାର ଶେଷରେ ସ୍ୱାଧୀନତା ପ୍ରଦାନ କରିବାକୁ ବାଧ୍ୟ ହୋଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଦ୍ୱାରା ତଳିତଳାନ୍ତ ବ୍ରିଟିଶ ସାମ୍ରାଜ୍ୟ ପାଖରେ ଭାରତରେ ସାମ୍ରାଜ୍ୟ ବଜାୟ ରଖିବା ପାଇଁ ଆବଶ୍ୟକ ଅର୍ଥ ନଥିଲା । ତେଣୁ ସେମାନେ ତୁରନ୍ତ ଭାରତ ଛାଡ଼ି ପଳାୟନ କରିବା ଅଭିସନ୍ଧିରେ ଥିଲେ । ତେବେ ଭାରତୀୟ ଉପମହାଦେଶକୁ ଗୋଟିଏ ଦେଶ ଭାବେ ସ୍ୱାଧିନତା ଦେବା ପାଇଁ ବ୍ରିଟିଶ ଶାସକଙ୍କ ଉଦ୍ୟମ ବିଫଳ ହୋଇଥିଲା । ବାରମ୍ବାର ଆଲୋଚନା ସତ୍ତ୍ୱେ, ଭାରତୀୟ ଜାତୀୟ କଂଗ୍ରେସ ଏବଂ ମୁସଲିମ ଲିଗ୍ ଏକ ଅଖଣ୍ଡ ଭାରତକୁ ନେଇ ସହମତିରେ ପହଞ୍ଚିପାରିନଥିଲେ । ୧୯୪୬ ମସିହାରେ ଆଉ ଏକ ବିଫଳ ସମ୍ମିଳନୀ ପରେ, ମୁସଲିମ ଲିଗ୍ ନେତା ମହମ୍ମଦ ଅଲ୍ଲୀ ଜିନ୍ନା ଏକ ମୁସଲିମ ରାଷ୍ଟ୍ର ଗଠନ ପାଇଁ ସିଧାସଳଖ ଅଭିଯାନ ଆରମ୍ଭ କରିଥିଲେ।
ଶେଷରେ ବ୍ରିଟିଶ ସରକାର ବିଭାଜନ ହିଁ ଏକମାତ୍ର ସମାଧାନ ସୂତ୍ର ବୋଲି ସିଦ୍ଧାନ୍ତରେ ଉପନୀତ ହେଲେ। ଭାରତର ଶେଷ ଭାଇସରୟ ଆଡମିରାଲ ଲର୍ଡ ଲୁଇସ୍ ମାଉଣ୍ଟବ୍ୟାଟେନ ୨ ଜୁନ୍ରେ ଘୋଷଣା କରିଥିଲେ ଯେ, ବ୍ରିଟେନ ଭାରତୀୟ ଉପମହାଦେଶକୁ ହିନ୍ଦୁ ଭାରତ ଏବଂ ମୁସଲିମ ପାକିସ୍ତାନରେ ବିଭକ୍ତ କରିବ । ଯେଉଁଥିରେ ପଶ୍ଚିମ ପାକିସ୍ତାନ (ବର୍ତ୍ତମାନ ପାକିସ୍ତାନ) ଏବଂ ପୂର୍ବ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ)ର ଭୌଗୋଳିକ ଭାବରେ ପୃଥକ ଅଞ୍ଚଳ ଅନ୍ତର୍ଭୁକ୍ତ ହେବ। ଯେତେବେଳେ ଦେଶ ବିଭାଜିତ ହେଲା,ସେତେବେଳେ ସେନା ମଧ୍ୟ ବିଭାଜିତ ହେଲା। ତଥାପି, ଭାଇସରୟ ଲର୍ଡ ମାଉଣ୍ଟବ୍ୟାଟେନ ସେନା ବିଭାଜନର ବିରୋଧୀ ଥିଲେ। ସେ ମହମ୍ମଦ ଅଲ୍ଲୀ ଜିନ୍ନାକୁ ପରାମର୍ଶ ଦେଇଥିଲେ ଯେ ଭାରତୀୟ ସେନାକୁ ଜଣେ ଇଂରେଜ କମାଣ୍ଡର (ଯେଉଁମାନେ ସେନା ମୁଖ୍ୟ ହେବେ)ଙ୍କ ଅଧୀନରେ ଯେପରି ଥିଲା ସେହିପରି ରହିବାକୁ ଦିଆଯିବା ଉଚିତ। ଏହି ବ୍ରିଟିଶ ଅଧିକାରୀ ଭାରତ ଏବଂ ପାକିସ୍ତାନ ଉଭୟ ପାଇଁ ଦାୟୀ ରହିବେ ଏବଂ ସୁରକ୍ଷା ପାଇଁ ଦାୟୀ ରହିବେ। କିନ୍ତୁ ମହମ୍ମଦ ଅଲ୍ଲୀ ଜିନ୍ନା ଏହି ପ୍ରସ୍ତାବରେ ରାଜି ହେଲେ ନାହିଁ। ସେ ତୁରନ୍ତ ଏହାକୁ ପ୍ରତ୍ୟାଖ୍ୟାନ କଲେ ଏବଂ ସେନାକୁ ବିଭାଜିତ କରିବାକୁ ଜିଦ୍ ଧରିଲେ।
ବ୍ରିଟିଶ ସୈନିକ ବ୍ୟାରେକକୁ ଫେରିଥିଲେ
ମାଉଣ୍ଟବ୍ୟାଟେନ ସ୍ୱାଧୀନତାର ତାରିଖ ୧୫ ଅଗଷ୍ଟ ୧୯୪୭ ସ୍ଥିର କରିଥିଲେ। ଏହା ଘୋଷଣା ହେବା ମାତ୍ରେ, ବ୍ରିଟିଶ ସୈନିକମାନଙ୍କୁ ସେମାନଙ୍କ ବାରାକକୁ ଫେରାଇ ନିଆଗଲା। ବ୍ରିଟିଶମାନଙ୍କର ବିଦାୟ ଏବଂ ଭାରତ ଓ ପାକିସ୍ତାନର ବିଭାଜନ ନିଶ୍ଚିତ ଥିଲା। ତା’ପରେ ବ୍ରିଟିଶ ଓକିଲ ସାର୍ ସିରିଲ୍ ରୈଡିକ୍ଲିଫଙ୍କୁ ସୀମା ଅଙ୍କନ କରିବାର ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ଦ୍ୱାରା ଅଙ୍କିତ ସୀମାରେଖ ଭାରତୀୟ ଉପମହାଦେଶକୁ ଦୁଇଖଣ୍ଡରେ ବିଭକ୍ତ କରିଥିଲା । ଯାହାର ଗୋଟିଏ ପାର୍ଶ୍ୱ ପାକିସ୍ତାନ ଏବଂ ଅପର ପାର୍ଶ୍ୱ ଭାରତ ହୋଇଥିଲା । ରେଡକ୍ଲିଫ୍ ମ୍ୟାପ ସହିତ ଭୌଗୋଳିକ ବିଭାଜନ ସମ୍ପୂର୍ଣ୍ଣ ହୋଇଥିଲା। ଏବେ ପ୍ରଶ୍ନ ଉଠିଲା ଯେ ସେନାକୁ କିପରି ବିଭକ୍ତ କରାଯିବ। ୧୪ ଅଗଷ୍ଟ, ୧୯୪୭ରେ, ପୁରୁଣା ଭାରତୀୟ ସେନାକୁ ଭାଙ୍ଗିବା ପାଇଁ ଆଦେଶ ଆସିଥିଲା। ଏହି ଆଦେଶରେ ଫିଲ୍ଡ ମାର୍ଶାଲ ସାର୍ କ୍ଲାଉଡ୍ ଅଚିନଲେକ୍ ଏବଂ ମେଜର ଜେନେରାଲ ରେଜିନାଲ୍ଡ ସାଭୋରି ସ୍ୱାକ୍ଷର କରିଥିଲେ। ଏହା ଥିଲା ବ୍ରିଟିଶ ଭାରତୀୟ ସେନାର ଶେଷ ନିର୍ଦ୍ଦେଶ।
ଭାରତୀୟ ସେନାର ବିଭାଜନ
ଭାରତରେ ବ୍ରିଟିଶ ଶାସନର ଅନ୍ତ ସହିତ, ବିଦ୍ୟମାନ ଭାରତୀୟ ସେନା ଏବଂ ଏହାର ପ୍ରଶାସନର ମଧ୍ୟ ଅନ୍ତ ଘଟିଲା। ସୈନିକମାନଙ୍କୁ କୁହାଯାଇଥିଲା ଯେ ସେମାନେ ନିଜ ଇଚ୍ଛା ଅନୁସାରେ ଭାରତ କିମ୍ବା ନବଗଠିତ ପାକିସ୍ତାନ ଦେଶ ମଧ୍ୟରୁ ଗୋଟିଏକୁ ବାଛିପାରିବେ। କିନ୍ତୁ ତାଙ୍କ ଆଗରେ ଏକ ସର୍ତ୍ତ ରଖାଯାଇଥିଲା। ଏଚ୍.ଏମ୍. ପଟେଲଙ୍କ ପୁସ୍ତକ ‘ରାଇଟ୍ସ ଅଫ୍ ପାସେଜ୍’ ଅନୁଯାୟୀ, ସର୍ତ୍ତ ଥିଲା ଯେ ପାକିସ୍ତାନର କୌଣସି ମୁସଲମାନ ଭାରତୀୟ ରାଜ୍ୟରେ ଯୋଗ ଦେଇପାରିବେ ନାହିଁ ଏବଂ ଭାରତର କୌଣସି ଅଣମୁସଲମାନ ପାକିସ୍ତାନର ସଶସ୍ତ୍ର ସେନାରେ ଯୋଗ ଦେଇପାରିବେ ନାହିଁ। ବ୍ରିଟେନର ନ୍ୟାସନାଲ ଆର୍ମି ମ୍ୟୁଜିୟମ୍ ରିପୋର୍ଟ ଅନୁଯାୟୀ, ବିଭାଜନ ପରେ ଦୁଇ ତୃତୀୟାଂଶ ସୈନିକ ଭାରତ ଏବଂ ଏକ ତୃତୀୟାଂଶ ପାକିସ୍ତାନ ଯାଇଥିଲେ। ଏହିପରି, ୨,୬୦,୦୦୦ ସୈନିକ ଭାରତୀୟ ସେନାକୁ ବାଛିଲେ ଏବଂ ୧,୩୧,୦୦୦ ପାକିସ୍ତାନକୁ ବାଛିଲେ। ଯେଉଁମାନେ ପାକିସ୍ତାନକୁ ବାଛିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ ଥିଲେ। ନେପାଳରେ ନିଯୁକ୍ତି ପାଇଥିବା ଗୁର୍ଖା ବ୍ରିଗେଡକୁ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିଭକ୍ତ କରାଯାଇଥିଲା। ସେନାର ବିଭାଜନ ଫିଲ୍ଡ ମାର୍ଶାଲ ଅଚିନଲେକଙ୍କ ତତ୍ତ୍ୱାବଧାନରେ ହୋଇଥିଲା।
ବାୟୁସେନା ଏବଂ ନୌସେନା ମଧ୍ୟ ବିଭକ୍ତ ହୋଇଥିଲା
ବ୍ରିଟିଶ ଭାରତୀୟ ସେନା ଅଧୀନରେ ବାୟୁସେନାର ସଂଖ୍ୟା ୧୩,୦୦୦ ଥିଲା। ଏଥିରେ ଭାରତକୁ ୧୦,୦୦୦ ବାୟୁସେନା ସୈନିକ ଏବଂ ପାକିସ୍ତାନକୁ ୩୦୦୦ ସୈନିକ ମିଳିଥିଲା। ନୌସେନାରେ ୮୭୦୦ ସୈନିକ ଥିଲେ। ଏଥିରେ, ବିଭାଜନ ପରେ ଭାରତକୁ ୫୭୦୦ ସୈନିକ ମିଳିଥିଲା ଏବଂ ୩୦୦୦ ସୈନିକ ପାକିସ୍ତାନ ଯାଇଥିଲେ। ଏହି ପରିବର୍ତ୍ତନରେ ସହାୟତା କରିବା ପାଇଁ ଅନେକ ବ୍ରିଟିଶ ଅଧିକାରୀ ଭାରତରେ ରହିଥିଲେ। ଏଥିରେ ଭାରତର ପ୍ରଥମ ସେନା ମୁଖ୍ୟ ଜେନେରାଲ୍ ସାର୍ ରବର୍ଟ ଲକହାର୍ଟ ଏବଂ ପାକିସ୍ତାନର ପ୍ରଥମ ସେନା ମୁଖ୍ୟ ଜେନେରାଲ୍ ସାର୍ ଫ୍ରାଙ୍କ୍ ମେସର୍ଭି ଅନ୍ତର୍ଭୁକ୍ତ ଥିଲେ।
୨ ପ୍ରତିଶତ ମୁସଲିମ ସୈନିକ ଭାରତକୁ ବାଛିଥିଲେ
ରିପୋର୍ଟ ଅନୁଯାୟୀ, ୯୮ ପ୍ରତିଶତ ମୁସଲିମ ସୈନିକ ପାକିସ୍ତାନକୁ ନିଜର ଦେଶ ଭାବରେ ବାଛିଥିଲେ, ଯେତେବେଳେ ମାତ୍ର ୫୫୪ ଜଣ ମୁସଲିମ ଅଧିକାରୀ ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ବିଭାଜନ ପୂର୍ବରୁ, ଭାରତୀୟ ସେନାରେ ପ୍ରାୟ ୩୬ ପ୍ରତିଶତ ମୁସଲମାନ ଥିଲେ, ଯାହାକୁ ହ୍ରାସ କରି ୨ ପ୍ରତିଶତ କରାଯାଇଥିଲା। ଏଥିରେ ବ୍ରିଗେଡିୟର ମହମ୍ମଦ ଉସମାନ, ବ୍ରିଗେଡିୟର ମହମ୍ମଦ ଅନୀସ ଅହମ୍ମଦ ଖାନ ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ଇନାୟତ ହବିବୁଲ୍ଲାଙ୍କ ଭଳି କିଛି ଅଧିକାରୀ ସାମିଲ ଥିଲେ, ଯେଉଁମାନେ ଭାରତକୁ ନିଜର ମାତୃଭୂମି ଭାବରେ ବାଛିଥିଲେ।
ବ୍ରିଟିଶ ରେଜିମେଣ୍ଟକୁ ବିଦାୟ
ସ୍ୱାଧୀନତା ପରେ, ଉପମହାଦେଶରୁ ବ୍ରିଟିଶ ସେନା ରେଜିମେଣ୍ଟଗୁଡ଼ିକୁ ଧୀରେ ଧୀରେ ପ୍ରତ୍ୟାହାର କରାଯାଇଥିଲା। ଏଥିରେ ୱାଜିରିସ୍ତାନ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତର ଅନ୍ୟାନ୍ୟ ଆଦିବାସୀ ଅଞ୍ଚଳରୁ ଯୋଜନାବଦ୍ଧ ଏବଂ ପଦ୍ଧତିଗତ ପ୍ରତ୍ୟାହାର ଅନ୍ତର୍ଭୁକ୍ତ ଥିଲା। ଭାରତ ଛାଡିଥିବା ଶେଷ ୟୁନିଟ୍ ଥିଲା ପ୍ରଥମ ବାଟାଲିୟନ, ସମରସେଟ୍ ଲାଇଟ୍ ଇନଫ୍ୟାଣ୍ଟ୍ରି (ପ୍ରିନ୍ସ ଆଲବର୍ଟସ୍), ଯାହା ୨୮ ଫେବୃଆରୀ ୧୯୪୮ରେ ବମ୍ବେରେ ପହଞ୍ଚିଥିଲା। ଯଦିଓ ଏହି ୟୁନିଟଗୁଡ଼ିକ ବର୍ତ୍ତମାନ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଉପଲବ୍ଧ ଥିଲା, ବ୍ରିଟେନର ବିଶ୍ୱ ସାମରିକ କ୍ଷମତା ପ୍ରକୃତରେ ହ୍ରାସ ପାଇଥିଲା, କାରଣ ଏଥିରେ ଆଉ ଭାରତୀୟ ସେନା ନଥିଲା। ଅନେକ ବ୍ରିଟିଶ ଅଧିକାରୀ ଭାରତ ଏବଂ ସେମାନଙ୍କର ଭାରତୀୟ ସୈନିକମାନଙ୍କୁ ଛାଡିବାକୁ ନେଇ ଦୁଃଖିତ ଥିଲେ।