
ଆତଙ୍କବାଦର ଅନ୍ତୁଡ଼ିଶାଳ ପାକିସ୍ତାନର ଆତଙ୍କ ପୃଷ୍ଠପୋଷକ ମାନେ ଏବେ ଅତ୍ୟନ୍ତ ବ୍ୟଥିତ । କାରଣ ହେଉଛି ଦାରିଦ୍ର୍ୟ, ଅନାହାର ଓ ଘରୋଇ ଆତଙ୍କବାଦ ପାକିସ୍ତାନକୁ ବିଭାଜନ ଆଡ଼କୁ ନେଉଥିବା ବେଳେ ଏବେ ପାକିସ୍ତାନୀ ତାଲିବାନ ପାକିସ୍ତାନକୁ ରକ୍ତାକ୍ତ କ୍ଷତ ଦେଉଛି । ପୁଣି କେତେବେଳେ ବେଲୁଚିସ୍ତାନର ବିଦ୍ରୋହୀ ଯୋଦ୍ଧା ପୁରା ଟ୍ରେନ୍ ଅପହରଣ କରିନେଇ ପାକ୍ ସେନାର ଦୁର୍ବଳତାକୁ ପଦାରେ ପକାଇ ଦେଉଛନ୍ତି । ଏହା ସମସ୍ତେ ଜାଣନ୍ତି ଯେ ଟିଟିପି ଏବଂ ବଲୁଚ ବିଦ୍ରୋହୀ ପାକିସ୍ତାନ ରୂପକ ଲଙ୍କାପୋଡ଼ିରେ ନିୟୋଜିତ ଅଛନ୍ତି । ଏହି ଦୁଇ ଫ୍ରଣ୍ଟରୁ ଯଦି ପାକିସ୍ତାନକୁ କିଛି କିଛି ଆଶ୍ୱସ୍ତି ମିଳେ ତେବେ ଅନ୍ଧାର ରାତିରେ ଆସେ ଅଜଣା ଆତତାୟୀ ଏବଂ ଶାହାବାଦ ସରକାରଙ୍କ ନିଦ ହଜାଇ ଦିଏ । ଠିକ୍ ଶୁଣିଲେ ,ପାକିସ୍ତାନ ଏବେ ମୁଖାଧାରୀ ଅଜଣା ଆତତାୟୀଙ୍କୁ ନେଇ ବ୍ୟସ୍ତ ଓ ବିବ୍ରତ । ସେମାନଙ୍କ ମୁହଁ କେହି ଦେଖିନି । ସେମାନେ ବାଇକରେ ଆସନ୍ତି ,ଗୁଳି ମାରନ୍ତି ଓ ଚାଲି ଯାଆନ୍ତି । ସେମାନେ ବାଛିବାଛି ପାକ୍ ସେନା ଏବଂ ଆଇଏସଆଇର ‘ଆସେଟ୍’ ମାନଙ୍କୁ ଶିକାର କରୁଛନ୍ତି । ସେମାନଙ୍କ ଟାର୍ଗେଟରେ ସେହି ଆତଙ୍କବାଦୀ ସବୁ ଅଛନ୍ତି,ଯେଉଁମାନେ ଭାରତ ବିରୋଧରେ କେବେନାକେବେ ଆକ୍ରମଣରେ ସାମିଲ ଥିଲେ ।
ଏଥର ମଧ୍ୟ ଅଜଣା ହତ୍ୟାକାରୀ ପାକିସ୍ତାନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଶନିବାର ଦିନ ଜଣେ ଅଜ୍ଞାତ ବନ୍ଧୁକଧାରୀ ଭାରତର ଆଉ ଜଣେ ଶତ୍ରୁକୁ ନିପାତ କରିଛନ୍ତି। ସେହି ଆତଙ୍କବାଦୀଙ୍କ ନାମ ଫୈଜଲ ନଦୀମ ଓରଫ ଅବୁ କାତଲ ସିନ୍ଧି । ସେ ଲସ୍କର-ଇ-ତୋଏବାର ଆତଙ୍କବାଦୀ। ଏହା ମଧ୍ୟ ଦାବି କରାଯାଉଛି ଯେ ଅବୁ କାତାଲ ଆତଙ୍କବାଦୀ ହାଫିଜ ସୟିଦଙ୍କ ପୁତୁରା । ଅବୁ କାତାଲ ସେହି ଆତଙ୍କବାଦୀ ଯିଏ କି ଜୁନ୍ ୯ ତାରିଖରେ ରିଆସିର ଶିବ ଖୋରି ମନ୍ଦିରରୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆକ୍ରମଣ କରିଥିଲା। ସେ ଭାରତର ମୋଷ୍ଟ ୱାଣ୍ଟେଡ୍ । ଏଥର ମଧ୍ୟ ଆକ୍ରମଣ ସମାନ ଧରଣର ଥିଲା । ଶନିବାର ରାତି ୮ଟାରେ ଝେଲମ ଜିଲ୍ଲାରେ ଅଜଣା ମୁଖାପିନ୍ଧା ବନ୍ଧୁକଧାରୀମାନେ ତାକୁ ଗୁଳି କରି ହତ୍ୟା କରିଛନ୍ତି। ହାଫିଜ୍ ସୟିଦ୍ ନିହତ ହୋଇଥିବା ମଧ୍ୟ ଦାବି ହେଉଛି। ଏହା ମଧ୍ୟ କୁହାଯାଉଛି ଯେ, ହାଫିଜ୍ ସଇଦ୍ ମରିନାହିଁ,ହସ୍ପିଟାଲ ବେଡରେ ମୃତ୍ୟୁକୁ ଅପେକ୍ଷା କରିଛି ।
ଅଜ୍ଞାତର ହତ୍ୟାକାରୀ ସବୁ କିଏ ?
ତେବେ ବର୍ତ୍ତମାନ ପାକିସ୍ତାନରେ ଯଦି କେହି ଆତଙ୍କର ପର୍ଯ୍ୟାୟ ତେବେ ସେମାନେ ହେଉଛନ୍ତି ଅଜଣା ବନ୍ଧୁକଧାରୀ । ପାକିସ୍ତାନରେ ଏହି ବନ୍ଧୁକଧାରୀମାନେ ଗୋଟିଏ ପରେ ଗୋଟିଏ ସମସ୍ତ ଆତଙ୍କବାଦୀଙ୍କୁ ନିପାତ କରୁଛନ୍ତି। ଗତ କିଛି ବର୍ଷ ହେବ ପାକିସ୍ତାନରେ ଭାରତର ଶତ୍ରୁମାନେ ରହସ୍ୟମୟ ଭାବେ ନିହତ ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ସେହି ଆତଙ୍କବାଦୀମାନେ ମଧ୍ୟ ସାମିଲ ଅଛନ୍ତି ଯେଉଁମାନଙ୍କୁ ଭାରତ ମୋଷ୍ଟ ୱାଣ୍ଟେଡ ତାଲିକାରେ ରଖିଛି । ଏହି ସବୁ ହତ୍ୟାକାଣ୍ଡର ଏକ ସମାନ ଢାଞ୍ଚା ରହିଛି- ରାତି ଅନ୍ଧାରରେ ଅଜଣା ବନ୍ଧୁକଧାରୀମାନେ ବାଇକ୍ ରେ ଆସନ୍ତି। ସେମାନେ ଟାର୍ଗେଟକୁ ଗୁଳି କରି ଭୂତ ପରି ଅଦୃଶ୍ୟ ହୋଇଯାଆନ୍ତି । ପାକିସ୍ତାନରେ ଭାରତର ଶତ୍ରୁମାନଙ୍କୁ ମାରିବା ପାଇଁ ଏହା ହେଉଛି ସମାନ ପ୍ୟାଟର୍ଣ୍ଣ।
କେବେଠାରୁ ଆରମ୍ଭ ହେଲା ପ୍ରକ୍ରିୟା ?
ଗତ ୨-୩ ବର୍ଷ ମଧ୍ୟରେ ପାକିସ୍ତାନରେ ଭାରତର ଶତ୍ରୁମାନଙ୍କୁ ଟାର୍ଗେଟ କରି ହତ୍ୟା କରିବା ଆରମ୍ଭ ହୋଇଛି। ୨୦୨୧ରେ ଆତଙ୍କବାଦୀ ହାଫିଜ ସୟିଦ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ତେବେ ହାଫିଜ ସୟିଦ ଏହି ଆକ୍ରମଣରୁ ବର୍ତ୍ତି ଯାଇଥିଲା। କେହି କେହି କହନ୍ତି, ଏହି ଘଟଣା ପରଠାରୁ ହିଁ ଅଜଣା ବନ୍ଧୁକଧାରୀଙ୍କ ଆତଙ୍କ ଆରମ୍ଭ ହୋଇଥିଲା। ଏହାପରେ ଅଜଣା ବନ୍ଧୁକଧାରୀମାନେ ଅଧିକ ସକ୍ରୀୟ ହୋଇ ଭାରତର ଶତ୍ରୁକୁ ହତ୍ୟା କରୁଛନ୍ତି। ପାକିସ୍ତାନରେ ଭାରତର ଅନେକ ଶତ୍ରୁଙ୍କୁ ଅଜଣା ବନ୍ଧୁକଧାରୀମାନେ ହତ୍ୟା କରିଛନ୍ତି। ତେବେ ଏହି ମୃତ୍ୟୁ କୁ ନେଇ ପାକିସ୍ତାନ ସବୁବେଳେ ନୀରବ ରହିଛି ।ପାକିସ୍ତାନ ହତ୍ୟାର ଶିକାରଙ୍କ ନାମ କହି ନିଜକୁ ବେଇଜତ କରିବାକୁ ଚାହୁଁନି । ତେଣୁ ଚୁପ ରହୁଛି କିନ୍ତୁ କିଛି ନାମ ସାର୍ବଜନୀନ ହୋଇଛି।
ଅଜ୍ଞାତ ଆତତାୟୀର ଶିକାର କିଏ କିଏ ହୋଇଥିଲେ ?
ଲସ୍କର ଆତଙ୍କବାଦୀ ଫୈସଲ ନଦୀମ ଓରଫ ଅବୁ କାତଲ ସିନ୍ଧି
ଲସ୍କର-ଇ-ତୋଏବାର ରାଜନୈତିକ ଶାଖାର ମୁଖ୍ୟ ହେବେ ମୌଲାନା କାଶିଫ୍ ଅଲ୍ଲୀ
ଆଇଏସଆଇର ଗୁପ୍ତଚର ଏଜେଣ୍ଟ ମୁଫତି ଶାହ ମୀର
ମାସୁଦ ଆଝାରର ଘନିଷ୍ଠ ସହଯୋଗୀ ରହିମ ଉଲ୍ଲା ତାରିକ୍
ଲସ୍କର ଆତଙ୍କବାଦୀ ଆକ୍ରମ ଗାଜି
ଖୱାଜା ସାହିଦ
ଜିଆଉର ରହମାନ
ହିଜବୁଲ ଆତଙ୍କବାଦୀ ବଶିର ଅହମ୍ମଦ ପୀର
ଜୈଶ ଆତଙ୍କବାଦୀ ଜହୁର ଇବ୍ରାହିମ
ଆଇଏସ୍ ପିଆର୍ ଅଧିକାରୀ ମେଜର ଡାନିଆଲ
ଏମାନଙ୍କ ବିଷୟରେ ପାକିସ୍ତାନ କିଛି ଜାଣିନାହିଁ!
ଏମିତି ଅନେକ ନାମ ଅଛି ଯେଉଁମାନଙ୍କୁ ଅଜଣା ବନ୍ଧୁକଧାରୀମାନେ ନିପାତ କରିଛନ୍ତି । କେତେକଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଛି। ଏହି ସବୁ ଆକ୍ରମଣରେ ନିହତଙ୍କ ମଧ୍ୟରେ ଅଛନ୍ତି ଆଇଏସଆଇ ଏଜେଣ୍ଟ ଓ ବିଭିନ୍ନ ସଂଗଠନର ଆତଙ୍କବାଦୀ । ଅଜଣା ବନ୍ଧୁକଧାରୀଙ୍କ ହତ୍ୟା ପରେ ପାକିସ୍ତାନ ସେନା ଓ ସରକାର ଗତକିଛିଦିନ ଧରି ଚିନ୍ତାରେ ଅଛନ୍ତି । ପାକିସ୍ତାନ ସରକାର ଏଭଳି ମାମଲାର ତଦନ୍ତ କରୁଛନ୍ତି, କିନ୍ତୁ ଏହି ଅଜ୍ଞାତ ଆତତାୟୀଙ୍କ ବିଷୟରେ କୌଣସି ପ୍ରମାଣ କିମ୍ବା ସୂଚନା ନାହିଁ। ବର୍ଷ ବର୍ଷ ଧରି ପାକିସ୍ତାନ ଏହି ଅଜଣା ବନ୍ଧୁକଧାରୀମାନେ କିଏ, ସେମାନଙ୍କୁ କିଏ ପଠାଉଛି ଏବଂ କାହିଁକି ଭାରତର ୱାଣ୍ଟେଡ୍ ଲିଷ୍ଟରେ ଥିବା ଲୋକଙ୍କୁ ହତ୍ୟା କରୁଛି ତାହା ଜାଣିବାକୁ ଚେଷ୍ଟା କରୁଛି।