ପାକିସ୍ତାନ ଭଳି ଭାରତରେ କେବେ ହୋଇଥିଲା କି ଟ୍ରେନ୍ ଅପହରଣ ? ଜାଣନ୍ତୁ 2009ର ସେହି କାଳରାତିର କାହାଣୀ….

train highjack

ପାକିସ୍ତାନର ବେଲୁଚିସ୍ତାନରେ ଥିବା ଜଫର ଏକ୍ସପ୍ରେସକୁ ବିଦ୍ରୋହୀମାନେ ଅପହରଣ କରିନେଇଛନ୍ତି। ସମଗ୍ର ବିଶ୍ୱ ପାଇଁ ଏହା ଏକ ବଡ ଖବର । ପୁରା ବିଶ୍ୱ ନିଶ୍ୱାସ ବନ୍ଦ କରି ବଲୁଚିସ୍ତାନର ସେହି ରେଳଟ୍ରାକ୍ ଉପରେ ନଜର ରଖିଛି । ଟ୍ରେନ ଅପହରଣ କାଣ୍ଡର ଅନ୍ତ କ’ଣ ହେବ ତାକୁ ନେଇ ଚାଲିଛି ଚର୍ଚ୍ଚା । ଏହାଭିତରେ ପାକିସ୍ତାନ ଏହି ଘଟଣାକୁ ନେଇ ଭାରତକୁ ଦାୟୀ କରିସାରିଲାଣି । ପାକିସ୍ତାନର କହିବା ହେଉଛି ଭାରତ ବଲୁଚ ବିଦ୍ରୋହୀଙ୍କୁ ସମର୍ଥନ କରୁଛି । ଭାରତୀୟ ଅର୍ଥରେ ଆଫଗାନିସ୍ତାନରେ ବଲୁଚ ବିଦ୍ରୋହୀଙ୍କ ତାଲିମ ଶିବିର ଚାଲିଛି । ଭାରତ ଏହାକୁ ବକୱାସ କହି ଖାରଜ କରିଛି ।
ଏହାରି ଭିତରେ ହୁଏତ ଅନେକ ଭୁଲି ଯିବେଣି ଯେ, ୨୦୦୯ ମସିହାରେ ଭାରତରେ ଏହିଭଳି ଏକ ଘଟଣା ଘଟିଥିଲା । ସେତେବେଳେ ରାଜଧାନୀ ଏକ୍ସପ୍ରେସକୁ ନକ୍ସଲ ଅପହରଣ କରିନେଇଥିଲେ । ଆଉ ସେମାନଙ୍କ କବଜାରେ ଥିଲା ଏକ ହଜାର ଯାତ୍ରୀଙ୍କ ଜୀବନ । ଏହା ସେହି ସମୟ ଥିଲା ଯେତେବେଳେ ଦେଶରେ ନକ୍ସଲ ହିଂସା ଚରମ ସୀମାରେ ଥିଲା । ଟ୍ରେନକୁ ଅପହରଣ କରିବା ପରେ ନକ୍ସଲମାନେ ଏହାକୁ ଚାରିଆଡ଼ୁ ଘେରି ଯାଇଥିଲେ।
ଯେତେବେଳେ ଭାରତର ହୋଇଥିଲା ଟ୍ରେନ୍ ଅପହରଣ…
୨୦୦୯ ମସିହା ଅକ୍ଟୋବର ୨୨ ତାରିଖରେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ମାଓବାଦୀମାନେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ ଅପହରଣ କରି ନେଇଥିଲେ। ଟ୍ରେନରେ ପାଖାପାଖି ୧୦୦୦ ଯାତ୍ରୀ ଥିଲେ।
ଏହି ଟ୍ରେନ୍ ଭୁବନେଶ୍ୱରରୁ ବାହାରିଥିଲା। ରାତିରେ ଝାଡ଼ଖଣ୍ଡ ଓ ବିହାର ଦେଇ ଟ୍ରେନକୁ ଯାତ୍ରା କରିବାର ଥିଲା । ରାତିରେ ଟ୍ରେନ୍ ଝାଡ଼ଖଣ୍ଡରେ ପ୍ରବେଶ କରିଥିଲା । ସେତେବେଳେ ଟ୍ରେନ୍ ସହ କ’ଣ ହେବାକୁ ଯାଉଛି ତାହା କାହାକୁ ଜଣା ନଥିଲା। ରାତି ୧୨ଟା ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍ ଥିଲା । ଟ୍ରେନ୍ ପଶ୍ଚିମ ସିଂହଭୂମ ଜିଲ୍ଲାରେ ପ୍ରବେଶ କରିବା ମାତ୍ରେ କିଛି ଲୋକ ବାଣ ଫୁଟାଇବା ସହ ଟ୍ରାକ୍ ର ପ୍ରାୟ ଦୁଇ କିଲୋମିଟର ପୂର୍ବରୁ ରେଳ ଧାରଣା ଚାରିପଟେ ଲାଲ ପତାକା ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ।
ଟ୍ରାକ୍ ଉପରେ ରଖାଯାଇଥିଲା କାଠ ଗଦା
ରାତି ପ୍ରାୟ ସାଢ଼େ ୨ଟା ବେଳେ ଲୋକମାନେ ରେଳଧାରଣାର ଉଭୟ ପାର୍ଶ୍ବରେ ଲଣ୍ଠନ ଓ ଲାଲ ପତାକା ଧରି ଠିଆ ହେବା ଆଶ୍ଚର୍ଯ୍ୟଜନକ ଥିଲା। ଟ୍ରାକ୍ ର ଉଭୟ ପାର୍ଶ୍ୱରେ ଠିଆ ହୋଇଥିବା ଲୋକମାନେ ଟ୍ରେନ୍କୁ ଅଟକିବାକୁ ସଙ୍କେତ ଦେଉଥିଲେ। ଘଟଣା କ’ଣ ଜାଣିବା ପାଇଁ ଡ୍ରାଇଭର ପଶ୍ଚିମ ସିଂହଭୂମ ଜିଲ୍ଲାର ବାନୋ ଏବଂ ରାଇକେରା ଷ୍ଟେସନ ମଧ୍ୟରେ ଥିବା ଜଙ୍ଗଲରେ ଟ୍ରେନର ଗତି କମାଇଥଇଲେ । ସେହି ସମୟରେ ସେ ଟ୍ରାକ୍ ଆଗରେ କାଠଗଦା ଦେଖିବାକୁ ପାଇଥିଲେ। ଡ୍ରାଇଭରଙ୍କୁ ଟ୍ରେନ୍ ଅଟକାଇବାକୁ ପଡ଼ିଥିଲା। ଘଂଚ ଜଙ୍ଗଲରେ ଟ୍ରେନ ଅଟକି ରହିଥିଲା ।
ଟ୍ରେନକୁ ଘେରିଗଲେ ୨୫୦ ନକ୍ସଲ
ପ୍ରାୟ ୨୦୦ରୁ ୨୫୦ ସଶସ୍ତ୍ର ନକ୍ସଲ ଟ୍ରେନ୍ କୁ ଘେରାଉ କରିଥିଲେ। ସେମାନେ ଏହାକୁ ନିଜ ଅକ୍ତିଆରକୁ ନେଇଥିଲେ। ନକ୍ସଲ ପ୍ରଭାବିତ ଅଂଚଳ ମଧ୍ୟରୁ ଏହି ଅଂଚଳ ଅନ୍ୟତମ ଥିଲା, ଯେଉଁଠି ମାଓସଂଗଠନ ନିଜର ଉପସ୍ଥିତି ଓ ପ୍ରଭାବ ବଜାୟ ରଖିବା ପାଇଁ ଲଗାତାର ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିଥିଲେ ।
ଗାର୍ଡ ଓ ଡ୍ରାଇଭରଙ୍କୁ ବନ୍ଧୁକ ମୁନରେ ଦିଆଗଲା ଧମକ
ନକ୍ସଲମାନେ ଯୋଜନାବଦ୍ଧ ଭାବେ ଏହି ଅପହରଣ କରିଥିଲେ। ପ୍ରଥମେ ସେମାନେ ରେଳ ଧାରଣାରେ ବାଧା ସୃଷ୍ଟି କରି ଟ୍ରେନ୍ କୁ ଅଟକାଇଥିଲେ। ନକ୍ସଲମାନେ ରେଳ ଧାରଣା ଉପରେ କାଠ ଓ ପଥର ରଖି ଟ୍ରେନ୍ ଚାଳକଙ୍କୁ ଗାଡି ଅଟକାଇବା ପାଇଁ ବାଧ୍ୟ କରିଥିଲେ । ଟ୍ରେନ୍ ଅଟକିବାପରେ ବହୁସଂଖ୍ୟାରେ ନକ୍ସଲ ଜଙ୍ଗଲରୁ ବାହାରି ଟ୍ରେନ୍ ଚାରିପଟେ ବ୍ୟାପି ଯାଇଥିଲେ। ସେମାନେ ବନ୍ଧୁକ ଦେଖାଇ ଟ୍ରେନର ଡ୍ରାଇଭର ଓ ଗାର୍ଡଙ୍କୁ ଧରିଥିଲେ। ସେମାନେ ଟ୍ରେନକୁ ଆଗକୁ ବଢ଼ିବାରୁ ଅଟକାଇଥିଲେ।

ଯାତ୍ରୀମାନଙ୍କୁ ଦେଲେ ଅଭୟବାଣୀ
ଯାତ୍ରୀମାନଙ୍କୁ ଭୟଭୀତ କରିବା ପାଇଁ ନକ୍ସଲମାନେ ଫାଙ୍କ ଗୁଳି ଚଳାଇଥିଲେ। ସେମାନେ ଟ୍ରେନ୍ ବଗି ଭିତରକୁ ପଶିବା ଆରମ୍ଭ କରିଥିଲେ । ଟ୍ରେନ୍ ର ଇଞ୍ଜିନ୍ ଏବଂ କିଛି କୋଚ୍ ଉପରେ ସେମାନେ ନିଜର ନିୟନ୍ତ୍ରଣ ସ୍ଥାପନ କରିଥିଲେ। ଏହି ସମୟରେ ସେମାନେ ଯାତ୍ରୀମାନଙ୍କୁ ଭୟ ନକରିବାକୁ କହିଥିଲେ । ସେମାନଙ୍କ ସହ ସହଯୋଗ କରିବାକୁ ଅପିଲ କରିଥିଲେ । ସରକାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବା ପାଇଁ ସେମାନେ ଟ୍ରେନ ଅପହରଣ କରିଥିବା କଥା କହିଥିଲେ । ଯୋଗାଯୋଗ ଓ ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ମାଓବାଦୀମାନେ ଟ୍ରେନର ବିଦ୍ୟୁତ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଥିଲେ।
ଅପହରଣ କାଣ୍ଡ କେତେ ଦିନ ଧରି ଚାଲିଲା?
ଏହି ଅପହରଣ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ଏହା ରାତି ସାଢ଼େ ୨ଟାରୁ ଆରମ୍ଭ ହୋଇଥିଲା। ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ନକ୍ସଲମାନେ ହଠାତ୍ ଜଙ୍ଗଲକୁ ଫେରିବା ପର୍ଯ୍ୟନ୍ତ ଏହି ଘଟଣା ଜାରି ରହିଥିଲା। ଏହି ସମୟରେ ନକ୍ସଲମାନେ ଟ୍ରେନ୍କୁ ନିଜ କବ୍ଜାରେ ରଖି ଯାତ୍ରୀମାନଙ୍କୁ ବାହାରକୁ ଯିବାକୁ ବାରଣ କରିଥିଲେ। ସେମାନଙ୍କ ଉଦ୍ଦେଶ୍ୟ ହିଂସା କିମ୍ବା ଯାତ୍ରୀଙ୍କୁ କ୍ଷତି ପହଞ୍ଚାଇବା ନୁହେଁ ବରଂ ସରକାର ଓ ସୁରକ୍ଷା ବାହିନୀ ଉପରେ ଚାପ ପକାଇବା ବୋଲି ନକ୍ସଲ କହିଥିଲେ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ନକ୍ସଲମାନେ ଏହି ଅପହରଣ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ।
ଏହି ଅପହରଣ କାହିଁକି ହୋଇଥିଲା?
ନକ୍ସଲମାନେ ମଧ୍ୟ ଏହି ଘଟଣାକୁ ପ୍ରଚାର ଅସ୍ତ୍ର ଭାବେ ବ୍ୟବହାର କରିଥିଲେ। ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ସ୍ୱାର୍ଥକୁ ଅଣଦେଖା କରୁଥିବା ନୀତି ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ସରକାରଙ୍କ ନୀତି ବିରୋଧରେ ପ୍ରତିବାଦ ବୋଲି ସେମାନେ ଦାବି କରିଥିଲେ। ଅପହରଣ ଜରିଆରେ ସେମାନେ ଗଣମାଧ୍ୟମ ଓ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ପୋଲିସ ଆସିଲା ବେଳକୁ ନକ୍ସଲ ଉଭାନ !
ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ପୁଲିସ ଓ ରେଳ ସୁରକ୍ଷା ବଳ (ଆରପିଏଫ୍) ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଘଞ୍ଚ ଜଙ୍ଗଲ ଓ ନକ୍ସଲଙ୍କ ପ୍ରବଳ ଉପସ୍ଥିତି ଯୋଗୁଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହୋଇଥିଲା। ଭୋର ପ୍ରାୟ ୪ଟା ବେଳେ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍) ଓ ଝାଡ଼ଖଣ୍ଡ ପୁଲିସ ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ନକ୍ସଲମାନେ ନିଜର ରଣନୀତି ପ୍ରସ୍ତୁତ କରିସାରିଥିଲେ। ସୁରକ୍ଷାବାହିନୀ ପହଞ୍ଚିବା ପୂର୍ବରୁ ସେମାନେ ଜଙ୍ଗଲରେ ନିଖୋଜ ହୋଇଯାଇଥିଲେ। ସୁରକ୍ଷା ବାହିନୀ ଟ୍ରେନ୍ ଯାଞ୍ଚ କରି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ। ଏହାପରେ ଟ୍ରେନ୍ କୁ ପଠାଯାଇଥିଲା।
ଏହାପରେ ବଢ଼ିଥିଲା ଟ୍ରେନ୍ ଗୁଡ଼ିକର ସୁରକ୍ଷା
ଏହି ଘଟଣା ପରେ ସରକାର ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଥିଲେ। ନକ୍ସଲ ଗତିବିଧି କୁ ହ୍ରାସ କରିବା ଉଦ୍ଦେଶ୍ୟରେ ଅପରେସନ୍ ଗ୍ରୀନ୍ ହଣ୍ଟ ଭଳି ଅପରେସନକୁ ଆହୁରି ସୁଦୃଢ଼ କରାଯାଇଥିଲା। ବିଶେଷ କରି ନକ୍ସଲ ପ୍ରଭାବିତ ଅଞ୍ଚଳରୁ ଆସିଥିବା ଲୋକଙ୍କ ମଧ୍ୟରେ ଏହି ଘଟଣା ଭୟର ବାତାବରଣ ସୃଷ୍ଟି କରିଥିଲା। ଏହାପରେ ରେଳବାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ରାତି ସମୟରେ ଟ୍ରେନ୍ ଉପରେ ନଜର ରଖିବା ସହ ନକ୍ସଲ ଅଞ୍ଚଳରେ ଅତିରିକ୍ତ ଫୋର୍ସ ମୁତୟନ କରିଥିଲା।
୨୦୦୯ମସିହାରେ ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ଭାରତର ଅନେକ ରାଜ୍ୟରେ ନକ୍ସଲ ଆନ୍ଦୋଳନ ବ୍ୟାପିଥିଲା। ହେଲେ ଆଜି ବି ନକ୍ସଲ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇପାରିନାହିଁ।

୨୦୦୬ରେ ଝାଡ଼ଖଣ୍ଡରେ ଏହି ଅପହରଣ ଘଟିଥିଲା
୧୩ ମାର୍ଚ୍ଚ ୨୦୦୬ – ବରୱାଡି-ମୋଗଲସରାଇ ଟ୍ରେନ୍ ଅପହରଣ (ଝାଡ଼ଖଣ୍ଡ):
ଝାଡ଼ଖଣ୍ଡର ଲାତେହାର ଜିଲ୍ଲାରେ ନକ୍ସଲମାନେ ବରୱାଡି-ମୋଗଲସରାଇ ପାସେଞ୍ଜର ଟ୍ରେନକୁ ଅପହରଣ କରି ନେଇଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏହି ଅପହରଣ ଘଟିଥିଲା। ଟ୍ରେନକୁ ଜଙ୍ଗଲରେ ଅଟକାଇ ଦିଆଯାଇଥିଲା। ନକ୍ସଲମାନେ ଏହାକୁ କିଛି ଘଣ୍ଟା ଧରି ନିଜ କବଜାରେ ରଖିଥିଲେ। ତା’ପରେ ଟ୍ରେନକୁ ଛାଡ଼ି ଚାଲିଯାଇଥିଲେ ।
ତେବେ ୨୦୦୯ ପରଠାରୁ କୌଣସି ବଡ଼ ଧରଣର ଟ୍ରେନ୍ ଅପହରଣ ହୋଇନାହିଁ, ଯେଉଁଥିପାଇଁ ଉନ୍ନତ ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲଙ୍କ ପ୍ରଭାବ ହ୍ରାସକୁ କାରଣ ଭାବେ ନିଆଯାଏ ।
ଟ୍ରେନ୍ ଅପରହଣର କିଛି ଚର୍ଚ୍ଚିତ ଘଟଣା
ନେତାଙ୍କ ପାଇଁ ଟ୍ରେନ୍ ଅପହରଣ
୧୯୯୪: ବମ୍ବେ-ମଡଗାଓଁ ଏକ୍ସପ୍ରେସ ଅପହରଣ: ଜେଲରେ ଥିବା ଜଣେ ରାଜନେତାଙ୍କ ମୁକ୍ତି ଦାବିରେ ଭାରତରେ କିଛି ସଶସ୍ତ୍ର ବ୍ୟକ୍ତି ଟ୍ରେନ୍ ଅପହରଣ କରିଥିଲେ।
୨୦ ଦିନ ଧରି ଆତଙ୍କବାଦୀଙ୍କ କବଜାରେ ଟ୍ରେନ୍
୧୯୭୫ ମସିହା ଡିସେମ୍ବର ୨ ତାରିଖରେ ନେଦରଲାଣ୍ଡର ୱିଜଷ୍ଟର ନିକଟରେ ୭ ଜଣ ଦକ୍ଷିଣ ମୋଲୁକାନ ଆତଙ୍କବାଦୀ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍ ଅପହରଣ କରିଥିଲେ। ଏହି ଅପହରଣ ୨୦ ଦିନ ଧରି ଚାଲିଥିଲା, ଯେଉଁଥିରେ ତିନି ଜଣ ବନ୍ଧକଙ୍କର ମୃତ୍ୟୁ ଘଟିଥିଲା। ଅପହରଣକାରୀମାନେ ଦକ୍ଷିଣ ମୋଲୁକାନ ସ୍ୱାଧୀନତା ଦାବି କରୁଥିଲେ, ଯାହାକୁ ଡଚ୍ ସରକାର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ପୂରଣ ହୋଇନଥିଲା।
୧୯୭୭ ମସିହା ମେ ୨୩ ତାରିଖରେ ନେଦରଲ୍ୟାଣ୍ଡର ଡି ପୁଣ୍ଟ ନିକଟରେ ୯ ଜଣ ସଶସ୍ତ୍ର ମୋଲୁକାନ ଜାତୀୟତାବାଦୀ ଏକ ଟ୍ରେନ୍ ଅପହରଣ କରି ୫୦ ଜଣ ଯାତ୍ରୀଙ୍କୁ ବନ୍ଧକ ରଖିଥିଲେ। ଏହି ଅପହରଣ ୨୦ ଦିନ ଧରି ଚାଲିଥିଲା ଏବଂ ଶେଷରେ ଡଚ୍ ସ୍ପେଶାଲ ଫୋର୍ସ ଟ୍ରେନ୍ ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ୬ ଜଣ ଅପହରଣକାରୀ ଏବଂ ଦୁଇ ଜଣ ବନ୍ଧକ ନିହତ ହୋଇଥିଲେ।
ଚାଇନାରେ ଲିଞ୍ଚେଙ୍ଗ ଟ୍ରେନ୍ ଅପହରଣ (୧୯୨୩)
୧୯୨୩ ମସିହା ମେ ୫ ତାରିଖରେ ଚୀନର ତିଆନଜିନ-ପୁକୁ ରେଳପଥରେ ୧୨୦୦ ଡକାୟତ (ଅଧିକାଂଶ ପୂର୍ବତନ ସୈନିକ) “ବ୍ଲୁ ଏକ୍ସପ୍ରେସ” ନାମକ ଏକ ଟ୍ରେନକୁ ଅପହରଣ କରିଥିଲେ । ଲିଞ୍ଚେଙ୍ଗ ନିକଟରେ ଏହି ଘଟଣା ଘଟିଛି। ଡକାୟତମାନେ ଟ୍ରେନ୍ ଲୁଟି ନେଇଥିଲେ, ଅନେକ ଚୀନ୍ ଯାତ୍ରୀ ଓ ଜଣେ ବ୍ରିଟିଶ ନାଗରିକଙ୍କୁ ହତ୍ୟା କରିଥିଲେ ଏବଂ ୩୦୦ ଯାତ୍ରୀଙ୍କୁ ପଣବନ୍ଦୀ ଭାବେ ୧୦ ଦିନ ପର୍ଯ୍ୟନ୍ତ ପାହାଡ଼ିଆ ଅଞ୍ଚଳକୁ ନେଇଯାଇଥିଲେ।
ଅନ୍ୟ ଟ୍ରେନ୍ ଅପହରଣ
୧୯୭୫: ଦକ୍ଷିଣ ଡାକୋଟାରେ ଆମେରିକୀୟ ମୁଳବାସିନ୍ଦା ଆନ୍ଦୋଳନର କର୍ମକର୍ତ୍ତାମାନେ ମୂଳ ଆମେରିକୀୟ ଅଧିକାରକୁ ସମର୍ଥନରେଇଁ ଏକ ଟ୍ରେନ୍ ଅପହରଣ କରିଥିଲେ।
୧୯୭୮ – ସିଡନୀ ଟ୍ରେନ୍ ଅପହରଣ: ଅଷ୍ଟ୍ରେଲିଆର ସିଡନୀରେ ଜଣେ ବ୍ୟକ୍ତି ଟ୍ରେନ୍ ଅପହରଣ କରି ଅନେକ ଘଣ୍ଟା ଧରି ଯାତ୍ରୀମାନଙ୍କୁ ବନ୍ଧକ ରଖିଥିଲେ।

Leave a Reply

Your email address will not be published. Required fields are marked *