
ହ୍ଵାଇଟ୍ ହାଉସ୍ ନିକଟରେ ଜଣେ ସଶସ୍ତ୍ର ବ୍ୟକ୍ତିଙ୍କୁ ଗୁଳି କରିଛି ୟୁଏସ୍ ସିକ୍ରେଟ୍ ସର୍ଭିସ୍। ସିକ୍ରେଟ୍ ସର୍ଭିସ୍ ଏକ ବିବୃତ୍ତିରେ କହିଛି ଯେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ଅସ୍ତ୍ରଶସ୍ତ୍ର ସହ ହ୍ଵାଇଟ୍ ହାଉସ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟଙ୍କ ସହ ମୁହାଁମୁହିଁ ହେବା ପରେ ଉକ୍ତ ବ୍ୟକ୍ତିଙ୍କୁ ଗୁଳି କରାଯାଇଥିଲା। ଗୁଳିକାଣ୍ଡ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ନଥିଲେ।
ପୁଲିସ ଦେଇଥିଲା ଟିପ୍
ଏଜେନ୍ସି ର ରିପୋର୍ଟ ଅନୁଯାୟୀ, ଇଣ୍ଡିଆନାରୁ ୱାଶିଂଟନ ଡିସିକୁ ଜଣେ ଆତ୍ମଘାତୀ ଆକ୍ରମଣକାରୀ ଯାଉଥିବା ବାବଦରେ ପୋଲିସ ସିକ୍ରେଟ ସର୍ଭିସେସକୁ ସୂଚନା ଦେଇଥିଲା । ସିକ୍ରେଟ ସର୍ଭିସ ଏଜେଣ୍ଟମାନେ ଏନଡବ୍ଲ୍ୟୁର ୧୭ ତମ ଏବଂ ଏଫ ଷ୍ଟ୍ରିଟ ନିକଟରେ ପାର୍କିଂ ହୋଇଥିବା ଗୋଟିଏ ଗାଡିକୁ ଦେଖିଥିଲେ । ଯେଉଁଥିରେ ସନ୍ଦିଗ୍ଧ ଜଣକ ଆସିଥିଲେ । କାର ନିକଟରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ଚେହେରା ସନ୍ଦିଗ୍ଧଙ୍କ ସହ ମେଳ ଖାଉଥିଲା । ସିକ୍ରେଟ ସର୍ଭିସ ଏଜେଣ୍ଟମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ଅସ୍ତ୍ର ବାହାର କରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଏଜେଣ୍ଟ ଆକ୍ରମଣକାରୀ ଉପରକୁ ପାଲଟା ଗୁଳି ମାଡ଼ କରିଥିଲେ ।
କ’ଣ କହିଲା ସିକ୍ରେଟ୍ ସର୍ଭିସ୍ ?
ସିକ୍ରେଟ୍ ସର୍ଭିସ୍ କହିଛି ଯେ ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଛି କିନ୍ତୁ ତାଙ୍କ ଅବସ୍ଥା ବାବଦରେ ତୁରନ୍ତ ଜଣାପଡ଼ିନାହିଁ। ସିକ୍ରେଟ୍ ସର୍ଭିସ୍ ମୁଖପାତ୍ର ଆନ୍ଥୋନି ଗୁଇଗିଲ୍ମି କହିଛନ୍ତି, ଅଧିକାରୀମାନେ ପହଞ୍ଚିବା ମାତ୍ରେ ବ୍ୟକ୍ତି ଜଣକ ବନ୍ଧୁକ ଦେଖାଇଥିଲେ ଏବଂ ସଶସ୍ତ୍ର ସଂଘର୍ଷ ଆରମ୍ଭ ହୋଇଥିଲା, ଏହି ସମୟରେ ଆମ କର୍ମଚାରୀମାନେ ଗୁଳି ଚଳାଇଥିଲେ। ଏହି ଘଟଣାରେ କୌଣସି ସିକ୍ରେଟ୍ ସର୍ଭିସ୍ କର୍ମଚାରୀ ଆହତ ହୋଇନଥିବା ବେଳେ ଏବେ ମହାନଗର ପୁଲିସ ବିଭାଗ ଏହାର ତଦନ୍ତ କରୁଛି।