
ଉତ୍ତରପ୍ରଦେଶର ସମ୍ଭାଲ ଜିଲ୍ଲାର ସର୍କଲ ଅଫିସର (ସିଓ) ତଥା ପୂର୍ବତନ ଚାମ୍ପିୟନ କୁସ୍ତିଯୋଦ୍ଧା ଅନୁଜ ଚୌଧୁରୀ ପୁଣି ଥରେ ବିବାଦରେ ଫସିଛନ୍ତି । ଅନୁଜ ଚୌଧୁରୀ ଜଣେ ଦୃଢ଼ ଓ ନିର୍ଭୀକ ପୋଲିସ ଅଧିକାରୀ ଭାବରେ ପରିଚିତ । ଶାନ୍ତିଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ହୋଲି ପର୍ବ ପାଳନ କରିବା ପାଇଁ ଥାନାରେ ଶାନ୍ତି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସିଓ ଅନୁଜ ଚୌଧୁରୀ ବୈଠକରେ ମୁସଲମାନ ସମ୍ପ୍ରଦାୟକୁ ନିବେଦନ କରିଥିଲେ ଯେ ସେମାନେ ହୋଲି ଦିନ ଘରୁ ବାହାରନ୍ତୁ ନାହିଁ । ସେ କହିଥିଲେ ଯେ, ବର୍ଷକୁ ୫୨ଟି ଜୁମା (ଶୁକ୍ରବାର) ଆସିଥାଏ । କିନ୍ତୁ ଥରୁଟିଏ ହୋଲି ଆସେ । ତେଣୁ ହୋଲି ଦିନ ଯେଉଁ ମୁସଲମାନଙ୍କର ରଙ୍ଗକୁ ନେଇ ଆପତ୍ତି ଅଛି ସେମାନେ ବାହାରକୁ ବାହରନ୍ତୁ ନାହିଁ । ରଙ୍ଗ ଖେଳ ସରିଲେ ପଦାକୁ ଆସନ୍ତୁ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ,ନଭେମ୍ବର ୨୪ ରେ ସମ୍ଭାଲରେ ଜାମା ମସଜିଦ ବିବାଦକୁ ନେଇ ହିଂସାକାଣ୍ଡ ଘଟିବା ପରେ ହୋଲି ପର୍ବକୁ ନେଇ ପ୍ରଶାସନ ସଜାଗ ରହିଛି । ଉଲ୍ଲେଖଯୋଗ୍ୟ, ହୋଲି ଶୁକ୍ରବାର ପଡ଼ୁଥିବା ବେଳେ ସେହିଦିନ ମଧ୍ୟ ମୁସଲମାନ ମାନେ ଜୁମା ନମାଜ ପଢିଥାନ୍ତି । ତେଣୁ ଦୁଇ ସମ୍ପ୍ରଦାୟ ମଧ୍ୟରେ କାଳ କୌଣସି ଅପ୍ରୀତିକର ପରିସ୍ଥିତ ଉପୁଜିବ ସେଥିପାଇଁ ପୋଲିସ ଓ ପ୍ରଶାସନ ଆଗୁଆ ପଦକ୍ଷେପ ନେଉଛି । ଅନୁଜଙ୍କ ଏହି ବୟାନକୁ ନେଇ ଏବେ ରାଜ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ତାଙ୍କୁ ବିରୋଧ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମର୍ଥନ କରି କହିଛନ୍ତି ଯେ, ସେ ଜଣେ ପହିଲମାନ ତେଣୁ ତାଙ୍କ କଥା ଟିକେ ରୁକ୍ଷ ଲାଗୁଛି । କିନ୍ତୁ ସେ ଯାହା କହିଛନ୍ତି ତାହା ଠିକ୍ ।
ହିଂସା ସମୟରେ ଗୋଡ଼ରେ ବାଜିଥିଲା ଗୁଳି
ଏହା ପ୍ରଥମ ଥର ନୁହେଁ ଯେ ପୂର୍ବତନ କୁସ୍ତିଯୋଦ୍ଧା ତଥା ଡେପୁଟି ଏସି ଅନୁଜ ଚୌଧୁରୀ ଚର୍ଚ୍ଚାକୁ ଆସିଛନ୍ତି । ସମ୍ଭାଲରେ ଜାମା ମସଜିଦ ସର୍ଭେ ସମୟରେ ଯେତେବେଳେ ହିଂସା କାଣ୍ଡ ଘଟିଥିଲା ସେତେବେଳେ ଦଙ୍ଗାକାରୀଙ୍କ ଗୁଳିରେ ସେ ମଧ୍ୟ ଆହତ ହୋଇଥିଲେ । ଏହି ସମୟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ପୋଲିସର ମଧ୍ୟ ଆତ୍ମରକ୍ଷା ର ଅଧିକାର ଅଛି ଏବଂ ପୋଲିସ ବାହିନୀରେ ସେମାନେ ମରିବା ପାଇଁ ଯୋଗ ଦେଇନାହାନ୍ତି । ଏହି ହିଂସାକାଣ୍ଡରେ ୪ ଜଣ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତେବେ ପୋଲିସର କହିବାର ଥିଲା, ଗୁଳି ଦଙ୍ଗାକାରୀ ଚଳାଇଥଇଲେ ।
ଆଜମ ଖାନଙ୍କ ସହ ଯୁକ୍ତିତର୍କ
ଅନୁଜ ଚୌଧୁରୀ ରାମପୁରରେ ଅବସ୍ଥାପିତ ଥିବା ବେଳେ ସପା ନେତା ଆଜମ ଖାନଙ୍କ ସହ ମଧ୍ୟ ତାଙ୍କର ଝଗଡ଼ା ହୋଇଥିଲା। ଯାବାକୁ ନେଇ ସେ ସମୟରେ ଅନୁଜ ଚୌଧୁରୀ ଚର୍ଚ୍ଚାରେ ଥିଲେ। ଆଜମ ଖାନ ଏସପି ପ୍ରତିନିଧି ଦଳ ସହ ମୋରାଦାବାଦ କମିଶନରଙ୍କୁ ଭେଟିବାକୁ ଯାଉଥିଲେ । ସେତେବେଳେ ସିଓ ସିଟି ଅନୁଜ ଚୌଧୁରୀ ସ୍ପଷ୍ଟ ଭାବେ କହିଥିଲେ ଯେ କେବଳ ୨୭ ଜଣ ଲୋକ ଭିତରକୁ ଯିବେ। ଏହା ଶୁଣି ଆଜମ ଖାନ୍ ଅନୁଜ ଚୌଧୁରୀଙ୍କୁ କହିଥିଲେ ଯେ ସମାଜବାଦୀମାନେ ହିଁ କୁସ୍ତିଯୋଦ୍ଧାଙ୍କୁ ସମ୍ମାନ ଦେବା ଆରମ୍ଭ କରିଥିଲେ। ସିଏମ୍ ଅଖିଳେଶ ଯାଦବ ଆପଣଙ୍କ ପାଇଁ କ’ଣ କରିଥିଲେ ମନେ ରଖନ୍ତୁ । ଏହା ଶୁଣି ଅନୁଜ ଚୌଧୁରୀ କହିଥିଲେ, ତାଙ୍କୁ ଅର୍ଜୁନ ପୁରସ୍କାର କାହା ଦୟାରେ ମିଳିନାହିଁ ।
ରାମ ମନ୍ଦିର ବିବାଦ
ଅନୁଜ ଚୌଧୁରୀ ମଧ୍ୟ ଚର୍ଚ୍ଚାରେ ରାମ ମନ୍ଦିର ପ୍ରତିଷ୍ଠା କାଳରେ ଚର୍ଚ୍ଚାକୁ ଆସିଥିଲେ । ସେହି ସମୟରେ ସେ ସମ୍ଭାଲରେ ଜଣେ ବ୍ୟକ୍ତିଙ୍କୁ ଏହା କହୁଥିବାର ଶୁଣାଯାଇଥିଲା ଯେ, ଲୋକଙ୍କର ଖୁସି ପାଳନ କରିବାର ଅଧିକାର ଅଛି ।ଯିଏ ପସନ୍ଦ କରୁନାହିଁ ସିଏ ଆଡ଼େଇ ଯାଉ । କିନ୍ତୁ ଯଦି ଆଇନବ୍ୟବସ୍ଥା ସହିତ ଖେଳିବାକୁ ଚେଷ୍ଟା କରିବେ ତେବେ କାହାକୁ ଛଡ଼ା ଯିବ ନାହିଁ । ଏହାବ୍ୟତୀତ ଡ୍ୟୁଟିରେ ଥିବା ସମୟରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଭଜନ ଗାଉଥିବାର ତାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ୟୁନିଫର୍ମ ପିନ୍ଧି ଏଭଳି କରିବା ନେଇ ସେତେବେଳେ ଅନେକ ପ୍ରଶ୍ନ ଉଠିଥିଲା। ସେହିଭଳି ଥରେ ସେ ହନୁମାନଙ୍କ ଗଦା ସହ ଖାକି ୟୁନିଫର୍ମ ପିନ୍ଧି ଶୋଭା ଯାତ୍ରାରେ ଯାଇଥିଲେ।
କୁସ୍ତିରେ ଦେଶ ପାଇଁ ପଦକ
ମୁଜାଫରନଗରର ବହେରୀ ଗାଁର ଅନୁଜ ଚୌଧୁରୀ ଅନ୍ତର୍ଜାତୀୟ କୁସ୍ତିରେ ଦେଶକୁ ଗର୍ବିତ କରିଛନ୍ତି। ଅନୁଜ ଚୌଧୁରୀ ୧୯୯୭ରୁ ୨୦୧୪ ପର୍ଯ୍ୟନ୍ତ କୁସ୍ତିରେ ଜାତୀୟ ଚାମ୍ପିୟନ ଥିଲେ। ସେ ଜାତୀୟ କ୍ରୀଡ଼ାରେ ଦୁଇ ଥର ରୌପ୍ୟ ପଦକ ଜିତିଥିବା ବେଳେ ୨୦୦୨ରେ ପ୍ରଥମ ଓ ୨୦୧୦ରେ ଦ୍ବିତୀୟ ଥର ରୌପ୍ୟ ପଦକ ଜିତିଛନ୍ତି । ତାଙ୍କ ପାଖରେ ଏସୀୟ ଚାମ୍ପିୟନଶିପର ଦୁଇଟି କାଂସ୍ୟ ପଦକ ରହିଛି। ୨୦୦୫ରେ ଉହାନ୍ ରେ ଏବଂ ପରେ ଚାରି ବର୍ଷ ପରେ ପଟ୍ଟାୟାରେ ସେ ଏହି ସଫଳତା ହାସଲ କରିଥିଲେ। ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅନୁଜ ଚୌଧୁରୀ ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ। ଅନୁଜ ଚୌଧୁରୀ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେ ୨୦୦୮ ବେଜିଂ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ। ଏହା ବ୍ୟତୀତ ସେ ଶେର-ଏ-ହିନ୍ଦ, ଭରତ କୁମାର, ଉତ୍ତର ପ୍ରଦେଶ କେଶରୀ ଏବଂ ବୀର ଅଭିମନ୍ୟୁ ଟାଇଟଲ ମଧ୍ୟ ଜିତିଛନ୍ତି ।
ଅର୍ଜୁନ ପୁରସ୍କାର ବିଜେତା
ଅନୁଜ ଚୌଧୁରୀଙ୍କୁ ୨୦୦୧ ମସିହାରେ ଲକ୍ଷ୍ମଣ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା । ୨୦୦୫ରେ ଅନୁଜ ଚୌଧୁରୀଙ୍କୁ ଅର୍ଜୁନ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା । ୨୦୧୨ରେ ଚୌଧୁରୀଙ୍କୁ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୁଲିସ (ଡିଏସ୍ପି) ପଦବୀକୁ ପଦୋନ୍ନତି ମିଳିଥିଲା। ଅନୁଜ ଚୌଧୁରୀ ବର୍ତ୍ତମାନ ସମ୍ଭାଲରେ ସିଓ ଭାବରେ କାର୍ଯ୍ୟ କରୁଛନ୍ତି ।