ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ,ତଥାପି ସେମିଫାଇନାଲ ଶେଷରେ କ’ଣ ପାଇଁ ‘ଗମ୍ଭୀର’ ହେଲେ ଗମ୍ଭୀର ?

ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲ୍ ପାଇଁ ଟିକେଟ୍ କାଟିଛି ଟିମ୍ ଇଣ୍ଡିଆ। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ମାର୍ଚ୍ଚ ୯ ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ। ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିଛି। ଏଭଳି ପରିସ୍ଥିତିରେ ସେମିଫାଇନାଲ ବିଜୟ ପରେ ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ଗୋଟିଏ ପ୍ରଶ୍ନକୁ ନେଇ କିଛି ବ୍ୟକ୍ତିଙ୍କ ଉପରେ ବର୍ଷିଛନ୍ତି । ଗୋଟିଏ ସ୍ଥାନରେ ଖେଳିବାର ଫାଇଦା ଟିମ୍ ଇଣ୍ଡିଆକୁ ମିଳୁଛି କି? ଦୁବାଇର ପିଚ୍ ଏବଂ ପରିସ୍ଥିତିରୁ ତାଙ୍କ ଟିମ୍ ଉପକୃତ ହେଉଛି କି? ଏବଂ, ଏତେ ସଂଖ୍ୟକ ସ୍ପିନରଙ୍କୁ ଖେଳାଇବା ମଧ୍ୟ ଦୁବାଇ ଷ୍ଟାଡିୟମ କାରଣରୁ ବୋଲି କିଛି ବ୍ୟକ୍ତି ଲଗାତର କହି ଆସୁଛନ୍ତି । ଯାହାକୁ ନେଇ ଗମ୍ଭୀର ତାଙ୍କ ଅନ୍ଦାଜରେ ସମାଲୋଚକଙ୍କ ଉପରେ ବର୍ଷିଛନ୍ତି ।

ଦୁବାଇ ଆମ ପାଇଁ ଯେତିକି ନିରପେକ୍ଷ, ବାକି ଦଳ ପାଇଁ ସେତିକି ନିରପେକ୍ଷ

ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଦୁବାଇର ଭେନ୍ୟୁ ଆମ ପାଇଁ ଅନ୍ୟ ଦଳ ଭଳି ନିରପେକ୍ଷ। ଦୁବାଇରେ ଆମେ ବହୁତ ଦିନତଳେ ଖେଳିଥିଲୁ। ଗତଥର ଆମେ ଏଠାରେ କେଉଁ ଟୁର୍ଣ୍ଣାମେଣ୍ଟ ଖେଳିଥିଲୁ ତାହା ମୋର ମନେନାହିଁ ।ଏପରିକି ଆମକୁ ଏକ ସ୍ପିନ୍ ୱେବ୍ ବୁଣିବାକୁ ପଡ଼ିବ ବୋଲି  ମଧ୍ୟ ଆମ ମନକୁ ଆସିନଥିଲା।  ଆମେ ଯଦି ପାକିସ୍ତାନରେ ଖେଳିଥାନ୍ତୁ ତେବେ ବି ୨ ଜଣ ସ୍ପିନରଙ୍କୁ ନେଇ ଖେଳିଥାନ୍ତୁ । କାରଣ ଭାରତୀୟ ଉପମହାଦେଶର ପିଚ୍ ରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ସମାଲୋଚକଙ୍କୁ ଶୁଣାଇଲେ ଗମ୍ଭୀର

ଗମ୍ଭୀର ଏତିକିରେ ଅଟକି ନଥିଲେ, ଏହା ପରେ ସେ ସମସ୍ତ ସମାଲୋଚକଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ ଯେଉଁମାନେ ଭାରତକୁ ପ୍ରାରମ୍ଭିକ ଫାଇଦା ମିଳୁଛି ବୋଲି ଅଭିଯୋଗ କରୁଛନ୍ତି ।ଏହାର ପ୍ରାରମ୍ଭିକ ଫାଇଦା କ’ଣ ବୋଲି ଗମ୍ଭୀର ପ୍ରଶ୍ନ କହିଛନ୍ତି। ଏପରିକି ଆମେ ଅଭ୍ୟାସ ପାଇଁ ଆଇସିସି କ୍ରିକେଟ ଏକାଡେମୀକୁ ଯାଇଥାଉ, ଯେଉଁଠାରେ ପରିସ୍ଥିତି ଏଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଉଭୟ ସ୍ଥାନର ଓ୍ଵିକେଟରେ ବ୍ୟାପକ ପାର୍ଥକ୍ୟ ରହିଛି। କିଛି ଲୋକଙ୍କର କାନ୍ଦିବାର ଅଭ୍ୟାସ ଥାଏ। ସେମାନେ ବଡ଼ ହୋଇ ପରିପକ୍ୱ ହେବା ଦରକାର। ଏଠାରେ ଖେଳିବାର ଫାଇଦା ଆମକୁ ମିଳୁଛି ବୋଲି କିଛି ନାହିଁ।

ଟୁର୍ଣ୍ଣାମେଣ୍ଟର ୪ଟି ଯାକ ମ୍ୟାଚରେ ଭାରତ ବିଜୟୀ ହୋଇଛି

ଦୁବାଇରେ ଚାଲିଥିବା ଚାମ୍ପିୟନ୍ସ ଟ୍ରଫି୨୦୨୫ରେ ଭାରତ ତା’ର ସମସ୍ତ ମ୍ୟାଚ୍ ଖେଳିଛି। ପ୍ରଥମ ମ୍ୟାଚ୍ ରେ ସେ ବାଂଲାଦେଶକୁ ପରାସ୍ତ କରିଥିଲେ। ଏହାପରେ ସେମାନେ ପାକିସ୍ତାନକୁ ଦମନ କରିଥିଲେ। ସେହିପରି ତୃତୀୟ ଗ୍ରୁପ୍ ମ୍ୟାଚ୍ ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହାପରେ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଦୁବାଇରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ସମସ୍ତ ୪ଟି ମ୍ୟାଚ୍ ରୁ ଭାରତ ପ୍ରଥମେ ବ୍ୟାଟିଂ କରି ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ବାକି ୩ଟି ମ୍ୟାଚ୍ ରନ୍ଚେଜ୍ ରେ ବିଜୟୀ ହୋଇଥିଲା।

Leave a Reply

Your email address will not be published. Required fields are marked *