
ମହାଶକ୍ତି ହେବାକୁ ଆବଶ୍ୟକ ହୋଇଥାଏ ସାମରିକ ଶକ୍ତି ଓ ଅର୍ଥ ଶକ୍ତି। କିନ୍ତୁ ଜଣେ ଶକ୍ତିଶାଳୀ ନେତା ହେବା ପାଇଁ ଏସବୁ ଆବଶ୍ୟକ ହୋଇନଥାଏ। ଦରକାର ଥାଏ କେବଳ ବଲିଷ୍ଠ ବ୍ୟକ୍ତିତ୍ୱ ଓ ତାଙ୍କ ନିଜ ଦେଶରେ ତାଙ୍କୁ ମିଳୁଥିବା ଲୋକପ୍ରିୟତା। ଯାହାହେଉ, ଏବେ ସୁପରପାୱାରଗୁଡ଼ିକୁ ସେମାନଙ୍କର ବଜାର ଶକ୍ତି ଦ୍ୱାରା ଚିହ୍ନିତ କରାଯାଉଛି। ଜଣେ ଦୃଢ଼ ଆନ୍ତର୍ଜାତୀୟ ନେତା ହେବା ପାଇଁ, ବ୍ୟକ୍ତିତ୍ୱ ରହିବା ଏବଂ ଆପଣଙ୍କ ଦେଶର ଲୋକଙ୍କ ଭଲ ପାଇବା ଗୁରୁତ୍ୱପୂର୍ଣ୍ଣ। ଆମେରିକା ଆରମ୍ଭରୁ ଏକ ଶକ୍ତିଶାଳୀ ଦେଶ ହୋଇଆସିଛି। ଏହାର ଅର୍ଥ ନୁହେଁ ଯେ ଏହାର ରାଷ୍ଟ୍ରପତି ଅନ୍ୟ କୌଣସି ଦେଶର ନେତାଙ୍କୁ ନିଜଠାରୁ କମ୍ ଶକ୍ତିଶାଳୀ ଭାବିବେ। ଯଦି ଏହା ହୋଇଥାନ୍ତା, ତେବେ ଭେନେଜୁଏଲା, କ୍ୟୁବା ଏବଂ ଇରାନ ଭଳି ଦେଶମାନେ ଆତ୍ମସମର୍ପଣ କରିଥାନ୍ତେ। ଭିଏତନାମ ଯୁଦ୍ଧରେ ଆମେରିକାକୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା। କ୍ରୋଷ୍ଟ୍ରୋଙ୍କ ପରି ଜଣେ ଆମେରିକୀୟ ବିରୋଧୀ ନେତାଙ୍କର ସାରା ବିଶ୍ୱରେ କୌଣସି ପ୍ରଶଂସକ ନଥାନ୍ତେ ଓ ସେ ପାଖାପାଖି ଅର୍ଧ ଶତାବ୍ଦୀ ଧରି ଆମେରିକାକୁ ଆଖି ଦେଖାଉ ନାଥାନ୍ତେ। ଜଣେ ବଳିଷ୍ଠ ନେତାଙ୍କ ପାଖରେ ସାମ୍ନା ବାଲାର ଆଖିରେ ଆଖି ମିଶାଇ କଥା ହେବାର ସାହସ ରହିବା ଉଚିତ। ଆମେରିକାର ରାଷ୍ଟ୍ରପତି ସାମ୍ନାରେ ବସିଛନ୍ତି, ଏହା କୌଣସି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହି ମନୋଭାବ ଯୋଗୁଁ, ଆମର ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ବିଶ୍ୱର କୂଟନୀତିରେ ଏକ ଅନନ୍ୟ ସ୍ଥାନ ହାସଲ କରିଛନ୍ତି। ଆଜି, ଅନ୍ୟ କୌଣସି ବିଶ୍ୱ ନେତାଙ୍କ ପାଖରେ ଆମକୁ ଧମକାଇବାର କ୍ଷମତା ନାହିଁ। ଇନ୍ଦିରା ଗାନ୍ଧୀଙ୍କ ସମୟରେ ଆମେରିକା ଭାରତ ଓ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସେତେବେଳେ ଲୌହ ମହିଳା ଏହାର ଉପଯୁକ୍ତ ଜବାବ ଦେଇଥିଲେ। ତେବେ ହ୍ୱାଇଟ୍ ହାଉସରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲେଦିମୀର ଜେଲେନ୍ସକିଙ୍କ ସହ ଯାହା ଘଟିଲା, ସେଥିପାଇଁ କିଏ ଦାୟୀ?
ଋଷ ଆକ୍ରମଣ ପୂର୍ବର ସମୟ । ନାଟୋ ସଦସ୍ୟ ରାଷ୍ଟ୍ରମାନେ ଜେଲେନସ୍କିଙ୍କୁ କିପରି ଉସକାଉଥିଲେ ନିଶ୍ଚୟ ଆପଣଙ୍କ ମନେ ଥିବ। ଋଷ ଆଗରେ ମୁଣ୍ଡ ନୁଆଁ ନାହିଁ, ଯଦି ରୁଷ ଆକ୍ରମଣ କରେ ତେବେ ଆମେ ଅଛୁ। ଏମିତି ୟୁରୋପ ସହିତ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜୋ ବିଡେନ କହିଥିଲେ। କିନ୍ତୁ ଯେତେବେଳେ ପୁଟିନ ସେନା ପଠାଇଲେ,ସେତେବେଲେ ଏହି ସବୁ ନେତାମାନେ ୟୁକ୍ରେନର ଆକାଶକୁ ନୋ-ଫ୍ଲାଏ ଜୋନ୍ ଘୋଷଣା ମଧ୍ୟ କରିନଥିଲେ। ଆଜି, ବିଡେନଙ୍କ ଉତ୍ତରାଧିକାରୀ, ଡୋନାଲ୍ଡ ଟ୍ରମ୍ପ,ୟୁକ୍ରେନଠାରୁ ମୁହଁ ଫେରାଇ ନେଇଛନ୍ତି। ତେବେ ଏଇଠି ପ୍ରଶ୍ନ ଉଠୁଛି ଜେଲେନସ୍କି ମନରେ କଣ ଚିନ୍ତା କରି ଟ୍ରମ୍ପଙ୍କ ପାଖକୁ ଯାଇଥିଲେ ? ନିର୍ବାଚନ ନକରି ଜେଲେନସ୍କି କ୍ଷମତାରେ ଅଛନ୍ତି, ଏହି କଥାରେ କିଛି ସତ୍ୟତା ନିଶ୍ଚିତ ଭାବରେ ଅଛି। ତାଙ୍କ ପ୍ରତି ୟୁକ୍ରେନର ଲୋକଙ୍କ ସମର୍ଥନ ଅଛି କି ନାହିଁ,ତାହା ମଧ୍ୟ ସନ୍ଦେହ ମଧ୍ୟରେ ରହିଛି ।କିନ୍ତୁ କଥା ହେଉଛି ୟୁରୋପୀୟ ରାଷ୍ଟ୍ର ଅତିକମରେ ଏବେ ଜେଲେନେସ୍କିଙ୍କୁ ସମର୍ଥନ କରୁଛନ୍ତି। ଯଦି ସେମାନଙ୍କ ସମର୍ଥନ ଅଛି ତେବେ ୟୁକ୍ରେନ ରାଷ୍ଟ୍ରପତିଙ୍କର ଟ୍ରମ୍ପଙ୍କୁ ସାହସର ସହିତ ଉତ୍ତର ଦେବାର ଥିଲା ।
ଇନ୍ଦିରାଙ୍କୁ 42 ମିନଟ ଅପେକ୍ଷା କରାଇଥିଲେ ନିକ୍ସନ
ଆମ ଦେଶ ମଧ୍ୟ ୧୯୭୧ ମସିହାରେ ସମାନ ପରିସ୍ଥିତି ଦେଇ ଗତି କରୁଥିଲା। ପୂର୍ବ ପାକିସ୍ତାନରେ ଏକଛତ୍ରବାଦୀ ୟାହ୍ୟା ଖାନଙ୍କ ସେନା ବଙ୍ଗଳା ଭାଷାଭାଷୀ ମୁସଲମାନମାନଙ୍କ ଉପରେ ଅତ୍ୟାଚାର କରୁଥିଲେ। ଇନ୍ଦିରା ଗାନ୍ଧୀ ଏହାକୁ ସହ୍ୟ କରିପାରିଲେ ନାହିଁ। ସେ ନଭେମ୍ବର ମାସରେ ଆମେରିକା ଯାଇଥିଲେ। ଯେତେବେଳେ ସେ ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କୁ ଭେଟିବା ପାଇଁ ହ୍ୱାଇଟ୍ ହାଉସ୍ ପହଞ୍ଚିଲେ, ତାଙ୍କୁ ୪୨ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଲା। ଏହା ପୂର୍ବରୁ, ନିକ୍ସନ ଏବଂ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ହେନରୀ କିସିଞ୍ଜରଙ୍କର ପାକିସ୍ତାନ ପ ପ୍ରେମ ସର୍ବଜନବିଦିତ ଥିଲା। କିସିଞ୍ଜର ପାକିସ୍ତାନ ସହାୟତାରେ ଚୀନରେ ପହଞ୍ଚିଥିଲେ ଏବଂ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ପୁନରୁଦ୍ଧାର ପାଇଁ ମୂଳଦୁଆ ସ୍ଥାପନ କରିଥିଲେ। ନିକଟରେ କିସିଂଜରଙ୍କର ପାଖାପାଖି ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ନିକ୍ସନ ଭାରତ ଓ ଭାରତୀୟ ମହିଳାଙ୍କୁ ପସନ୍ଦ କରୁନଥିଲେ। ସେ ଭାରତୀୟ ମହିଳା ଅସୁନ୍ଦର ଏବଂ ଇନ୍ଦିରାଙ୍କ ପ୍ରତି ଅସଭ୍ୟ ଭାଷା ପ୍ରୟୋଗ କରୁଥିଲେ। ଅବଶ୍ୟ ନିଜ ସହକର୍ମୀଙ୍କ ପାଖରେ। ଦୁଇ ବର୍ଷ ପୂର୍ବେ ଲିକ୍ ହୋଇଥିବା କୂଟନୈତିକ କେବୁଲଗୁଡ଼ିକରୁ ଜଣାପଡ଼ିଛି ଯେ ନିକ୍ସନ ମଧ୍ୟ ଇନ୍ଦିରାଙ୍କୁ ଦୁର୍ବ୍ୟବହାର କରିଥିଲେ। ହ୍ୱାଇଟ୍ ହାଉସରେ ତାଙ୍କୁ ଅପେକ୍ଷା କରାଇବା ପରେ, ଇନ୍ଦିରା ତାଙ୍କୁ କହିଲେ ଯେ ପୂର୍ବ ପାକିସ୍ତାନର ପରିସ୍ଥିତି ଭଲ ନାହିଁ ଏବଂ ଆମେ ଅଧିକ ସମୟ ପାଇଁ ଅତ୍ୟାଚାର ସହ୍ୟ କରିପାରିବୁ ନାହିଁ।
ପ୍ରତିଶୋଧ ନେତେଲ ଇନ୍ଦିରା
ଇନ୍ଦିରା ଜାଣି ପାରିଥିଲେ ଯେ, ଜାଣିଶୁଣି ତାଙ୍କୁ ନିକ୍ସନ ଅପେକ୍ଷା କରାଇଛନ୍ତି। ସେ ଏହି ଅପମାନକୁ ଭାରତର ଅପମାନ ବୋଲି ଭାବିଥିଲେ। ଆଉ ନିକ୍ସନଙ୍କ ଉପରେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିଲେ। ହ୍ୱାଇଟ୍ ହାଉସରେ ତାଙ୍କୁ ଅପେକ୍ଷା କରାଇବାର ଗୋଟିଏ ଦିନ ପରେ ଇନ୍ଦିରା,ନିକ୍ସନଙ୍କୁ ଉତ୍ତର ଦେଇଥିଲେ।
ଇନ୍ଦିରା ହ୍ୱାଇଟ୍ ହାଉସର ଠିକ୍ ବିପରୀତ ଦିଗରେ ବ୍ଲେୟାର ହାଉସରେ ରହୁଥିଲେ। ମୋଦି ମଧ୍ୟ ସମ୍ପ୍ରତି ସେଠାରେ ରହିଥିଲେ। ତା ପରଦିନ ଯେତେବେଳେ ନିକ୍ସନଙ୍କ ପାଳି ଆସିଲା ଏବଂ ସେ ଇନ୍ଦିରାଙ୍କୁ ଭେଟିବା ପାଇଁ ବ୍ଲେୟାର ହାଉସରେ ପହଞ୍ଚିଲେ, ତାଙ୍କୁ କୁହାଗଲା ଯେ ଇନ୍ଦିରା ପ୍ରସ୍ତୁତ ହେଉଛନ୍ତି, ଦୟାକରି ଅପେକ୍ଷା କରନ୍ତୁ। ଏବଂ ଠିକ୍ ୪୨ ମିନିଟ୍ ଅପେକ୍ଷା କରିବାକୁ ବାଧ୍ୟ କରାଯାଇଥିଲା। ସେତେବେଳେ ଆମ ଦେଶର ଶକ୍ତି ଆଜି ଭଳି ନଥିଲା କିନ୍ତୁ ଏହା ଇନ୍ଦିରା ଗାନ୍ଧୀଙ୍କ ଶକ୍ତି ଥିଲା।
ଏବଂ ଯେତେବେଳେ ଡିସେମ୍ବର ୩, ୧୯୭୧ ରେ, ପାକିସ୍ତାନ ଯୁଦ୍ଧ ଆରମ୍ଭ କଲା। ତା’ପରେ ନିକ୍ସନ ଏବଂ କିସିଞ୍ଜର ରକ୍ତ ଚାଉଳ ଚୋବାଇଥିଲେ। ଭାରତକୁ ଡରାଇବା ପାଇଁ ନିଜର ସପ୍ତମ ନୌଭେଳାକୁ ବଙ୍ଗୋପସାଗରକୁ ପଠାଇ ଥିଲା ଆମେରିକା। ସେହିଭଳି ଇଂଲଣ୍ଡକୁ ଏହାର ବିମାନବାହୀ ପୋତ ଇଗଲ୍କୁ ଆରବ ସାଗର ଆଡକୁ ପଠାଇବାକୁ ରାଜି କରାଇଥିଲା। ଏପରିକି କିସିଞ୍ଜର ମଧ୍ୟ ଉତ୍ତର ଦିଗରୁ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚୀନକୁ ନିବେଦନ କରିଥିଲେ। କିନ୍ତୁ ଏହି ସମୟରେ ଭାରତ ମହାସାଗରରେ ପ୍ରକଟ ହୋଇଥିଲା ଋଣ ପରମାଣୁ ବୁଡ଼ା ଯାହାଜ। ଆମେରିକା ଆଡୁଥିବା ବିପଦକୁ ଆଗରୁ ଠଉରାଇ ଇନ୍ଦିରା ଋଷ ସହିତ ମୈତ୍ରୀ ସନ୍ଧି କରିଥିଲେ। ଆଉ ଋଷ ଏହି ଚୁକ୍ତିର ମାନ ରଖି ନିଜ ନୌସେନାକୁ ଭାରତ ମହାସାଗରକୁ ପଠାଇଥିଲା। ଋଷର ଏଣ୍ଟ୍ରି ସହିତ ଆମେରିକାର ଭାରତୀୟ ଜଳସୀମାରୁ ଏଗଜିଟ୍ ହୋଇଥିଲା। ଜେନେରାଲ ନିଆଜି ଆତ୍ମସମର୍ପଣ କରିବା ପରେ ମଧ୍ୟ କିସିଞ୍ଜର ଏବଂ ନିକ୍ସନଙ୍କ ଅହଂକାର କମିନଥିଲା। କିନ୍ତୁ ଏହାର ଇନ୍ଦିରାଙ୍କ ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ। ଯୁଦ୍ଧ ମଧ୍ୟରେ, ଡିସେମ୍ବର ୧୫ ତାରିଖରେ, ଇନ୍ଦିରା ଗାନ୍ଧୀ ନିକ୍ସନଙ୍କୁ ଏକ ଚିଠି ଲେଖିଲେ। ୱାଶିଂଟନରେ ଭାରତର ରାଷ୍ଟ୍ରଦୂତ ଏଲକେ ଝାଙ୍କୁ ଏହି ଚିଠି ଆମେରିକା ରାଷ୍ଟ୍ରପତିଙ୍କୁ ଦେବାକୁ କୁହାଯାଇଥିଲା। ଏହି ଚିଠିରେ, ଇନ୍ଦିରା ଆମେରିକୀୟ ଦୋମୁହାଁ ନୀତିର ପର୍ଦ୍ଦାଫାସ କରିଥିଲେ।
ଇନ୍ଦିରା ଲେଖିଥିଲେ,
ପ୍ରିୟ ଶ୍ରୀମାନ ରାଷ୍ଟ୍ରପତି “ଆମ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ଥିବା ବେଳେ ମୁଁ ଆପଣଙ୍କୁ ଏହି ଚିଠିଟି ଏକ ଅତ୍ୟନ୍ତ ଦୁଃଖଦ ମୁହୂର୍ତ୍ତରେ ଲେଖୁଛି। ମୁଁ ମୋର ସମସ୍ତ ଭାବନାକୁ ପଛରେ ପକାଇ ଏହି ଦୁଃଖଦ ଘଟଣାର ମୂଳ କେଉଁଠି ତାହା ଶାନ୍ତ ଭାବରେ ବୁଝିବାକୁ ଚେଷ୍ଟା କରୁଛି।
ଇତିହାସରେ ଏପରି କିଛି ମୁହୂର୍ତ୍ତ ଅଛି ଯେତେବେଳେ, ଅନ୍ଧାର ଏବଂ ଦୁଃଖଦ ପରିସ୍ଥିତି ମଧ୍ୟରେ, ଆମକୁ ଅତୀତର ମହାନ ଘଟଣାଗୁଡ଼ିକରୁ ପ୍ରେରଣା ନେବାକୁ ପଡିବ। ଆମେରିକୀୟ ସ୍ୱାଧୀନତା ଘୋଷଣାନାମା ସାରା ବିଶ୍ୱର ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରେରଣା ଦେଇଥିଲା। ଏହି ଘୋଷଣାପତ୍ରରେ କୁହାଯାଇଥିଲା ଯେ ଯେତେବେଳେ ଏକ ସରକାର ଲୋକଙ୍କ ଜୀବନ, ସ୍ୱାଧୀନତା ଏବଂ ଖୁସିର ଅଧିକାରକୁ ନଷ୍ଟ କରିବା ଆରମ୍ଭ କରେ, ସେତେବେଳେ ଲୋକଙ୍କର ଏହାକୁ ପରିବର୍ତ୍ତନ କିମ୍ବା ରଦ୍ଦ କରିବାର ଅଧିକାର ଅଛି।
୨୫ ମାର୍ଚ୍ଚ ପରଠାରୁ ବାଂଲାଦେଶରେ ଯାହା ଘଟୁଛି ତାହା ସାରା ବିଶ୍ୱ ଦେଖିସାରିଛି। ୭.୫ କୋଟି ଲୋକ ଅନୁଭବ କଲେ ଯେ ସେମାନଙ୍କ ପାଖରେ ବଞ୍ଚିବାର ସ୍ୱାଧୀନତା ନାହିଁ, କିମ୍ବା ଖୁସି ହେବାର କୌଣସି ସୁଯୋଗ ନାହିଁ। ସାରା ବିଶ୍ୱରେ ଖବରକାଗଜ, ରେଡିଓ ଏବଂ ଟେଲିଭିଜନ ଏହି ଘଟଣାଗୁଡ଼ିକୁ ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ। ଅନେକ ଆମେରିକୀୟ ବିଦ୍ୱାନ ମଧ୍ୟ ଏହି ସଙ୍କଟ ପଛରେ ଥିବା ପ୍ରକୃତ କାରଣଗୁଡ଼ିକୁ ବ୍ୟାଖ୍ୟା କରିଛନ୍ତି।
ଆଜି ଯେଉଁ ଯୁଦ୍ଧ ଚାଲିଛି ତାହାକୁ ବନ୍ଦ କରାଯାଇପାରିଥାନ୍ତା। ଗତ ନଅ ମାସ ମଧ୍ୟରେ, ବିଶ୍ୱର ପ୍ରମୁଖ ନେତାମାନେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିନାହାଁନ୍ତି। ମୁଁ ଅନେକ ଦେଶ ଗସ୍ତ କରି ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଥିଲି, କିନ୍ତୁ କେହି ଏହି ଗମ୍ଭୀର ସମସ୍ୟାର ମୂଳ ସମାଧାନ କରିବାକୁ ଚେଷ୍ଟା କରିନଥିଲେ। ଶରଣାର୍ଥୀଙ୍କ ପ୍ରତି ସହାନୁଭୂତି ଦେଖାଯାଇଥିଲା, କିନ୍ତୁ ସେମାନଙ୍କ ସମସ୍ୟାର ମୂଳ କାରଣ ପ୍ରତି ଧ୍ୟାନ ଦିଆଯାଇ ନଥିଲା।
ଯଦି ବିଶ୍ୱର ପ୍ରମୁଖ ଦେଶଗୁଡ଼ିକ, ବିଶେଷକରି ଆମେରିକା, ପାକିସ୍ତାନର ନେତାମାନଙ୍କ ଉପରେ ଚାପ ପକାଇ ଶେଖ ମୁଜିବୁର ରହମାନଙ୍କୁ ମୁକ୍ତ କରିଥାନ୍ତେ, ତେବେ ଯୁଦ୍ଧକୁ ଏଡାଯାଇ ପାରିଥାନ୍ତା। କିନ୍ତୁ ଏହା କରାଯାଇ ନଥିଲା। ଏହା ବଦଳରେ, ପାକିସ୍ତାନରେ ଏକ ଡମି ସରକାର ଗଠନ କରାଯାଇଥିଲା ଏବଂ ଏକ ନକଲି ନିର୍ବାଚନ କରାଯାଇଥିଲା।
ଆମେରିକା ମଧ୍ୟ ସ୍ୱୀକାର କରିଛି ଯେ ମୁଜିବ ସମଗ୍ର ପ୍ରସଙ୍ଗର କେନ୍ଦ୍ରୀୟ ବିନ୍ଦୁ ଥିଲେ ଏବଂ ଦୀର୍ଘକାଳୀନ ଭାବରେ ପାକିସ୍ତାନକୁ ପୂର୍ବ ପାକିସ୍ତାନ (ବାଂଲାଦେଶ)କୁ ଅଧିକ ସ୍ୱାୟତ୍ତତା ଦେବାକୁ ପଡିବ। କିନ୍ତୁ ପାକିସ୍ତାନ ରାଷ୍ଟ୍ରପତି ୟାହ୍ୟା ଖାନଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କହି କିଛି କରାଯାଇ ନଥିଲା।
ରାଷ୍ଟ୍ରପତି ମହୋଦୟ, ମୁଁ ଆପଣଙ୍କୁ ବହୁତ ଆନ୍ତରିକତାର ସହିତ ପଚାରୁଛି – ଜଣେ ବ୍ୟକ୍ତି, ଶେଖ ମୁଜିବୁର ରହମାନଙ୍କ ମୁକ୍ତି, ନା ତାଙ୍କ ସହ ଗୁପ୍ତ ଆଲୋଚନା, ଯୁଦ୍ଧ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ଥିଲା? ପାକିସ୍ତାନର ଶାସକମାନେ ଅନୁଭବ କଲେ ଯେ ସେମାନେ ଯାହା ଚାହିଁବେ ତାହା କରିପାରିବେ କାରଣ କେହି – ଏପରିକି ଆମେରିକା ମଧ୍ୟ – କହୁ ନଥିଲେ ଯେ ଏହାର ଲୋକଙ୍କ ମାନବାଧିକାର ପାକିସ୍ତାନର ଅଖଣ୍ଡତା ପରି ଗୁରୁତ୍ୱପୂର୍ଣ୍ଣ।
ଆମେ ସମଗ୍ର ନଅ ମାସ ଧରି ଧର୍ଯ୍ୟ ଧରି ରହିଲୁ ଏବଂ ଯୁଦ୍ଧକୁ ଏଡାଇବାକୁ ଚେଷ୍ଟା କଲୁ। କିନ୍ତୁ ଯେତେବେଳେ ଡିସେମ୍ବର ୩ ତାରିଖରେ ପାକିସ୍ତାନ ସ୍ପଷ୍ଟ ଦିବାଲୋକରେ ଆମ ବିମାନବନ୍ଦର ଉପରେ ବୋମା ପକାଇଲା, ଆମ ପାଖରେ ଜବାବ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା।
ଆମ ଉପରେ ଏହି ସଙ୍କଟକୁ ଇନ୍ଧନ ଯୋଗାଇବାର ଅଭିଯୋଗ କରାଯାଉଛି, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ମୁଁ ଆମେରିକା, ୟୁକେ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରିଆ ଏବଂ ବେଲଜିୟମ ଯାତ୍ରା କରିଥିଲି ଏବଂ ସମସ୍ତଙ୍କୁ କହିଥିଲି ଯେ ଏକ ରାଜନୈତିକ ସମାଧାନ ତୁରନ୍ତ ଆବଶ୍ୟକ। ଯେତେବେଳେ ଡକ୍ଟର ହେନରୀ କିସିଞ୍ଜର ଅଗଷ୍ଟ ୧୯୭୧ରେ ଭାରତ ଆସିଥିଲେ, ମୁଁ ତାଙ୍କୁ ସମାନ କଥା କହିଥିଲି। କିନ୍ତୁ ଆଜି ପର୍ଯ୍ୟନ୍ତ, ଆମେ କୌଣସି ପ୍ରକାରର ସମାଧାନର କୌଣସି ସ୍ପଷ୍ଟ ସଙ୍କେତ ଦେଖିନାହୁଁ।
ଶୁଭେଚ୍ଛାର ସହିତ,
ଇନ୍ଦିରା ଗାନ୍ଧୀ’
ନିକ୍ସନଙ୍କ ପ୍ରତି ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ମନୋଭାବ ଏବଂ ଜେଲେନ୍ସକିଙ୍କ ସହ ଟ୍ରମ୍ପଙ୍କ ଆଚରଣ ମଧ୍ୟରେ ତୁଳନା କୂଟନୀତିରେ ଦୃଢ଼ତା, ରଣନୈତିକ ମେଣ୍ଟ ଏବଂ ମର୍ଯ୍ୟାଦା ବଜାୟ ରଖିବାର ଗୁରୁତ୍ୱକୁ ଉଲ୍ଲେଖ କରେ। ଇନ୍ଦିରା ଗାନ୍ଧୀ ଭାରତର ସ୍ୱାର୍ଥ ପ୍ରତି ଦୃଢ଼ ରହିଥିଲେ। ସେହି ସମୟରେ, ଜେଲେନସ୍କିଙ୍କ ପରିସ୍ଥିତି ଦର୍ଶାଉଛି ଯେ ଜଣେ ନେତା ଯେତେବେଳେ ଏକ ଦୁର୍ବଳ ସ୍ଥିତିରେ ଥାଆନ୍ତି ଏବଂ ଏକ ସୁପରପାୱାର ଉପରେ ନିର୍ଭରଶୀଳ ଥାଆନ୍ତି, ସେତେବେଳେ ତାଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା କେତେ କଷ୍ଟକର ହୋଇପାରେ।