ଚନ୍ଦ୍ରଶେଖର ଆଜାଦ କିଏ ? ଯିଏ ଇଂରେଜଙ୍କ ଜେଲକୁ ଯିବା ଅପେକ୍ଷା ନିଜକୁ ଗୁଳି କରିବାକୁ ପସନ୍ଦ କରିଥିଲେ

୧୯୨୫ ମସିହାରେ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ନେତୃତ୍ୱରେ ବିପ୍ଳବୀମାନେ ଲକ୍ଷ୍ନୌ ନିକଟସ୍ଥ କାକୋରିଠାରେ ଡାଉନ୍ ପାସେଞ୍ଜର ଟ୍ରେନ୍ ରୁ ବ୍ରିଟିଶ ରାଜକୋଷ ଲୁଟି ନେଇଥିଲେ। ଯାହା ପରେ କାକୋରି ଷଡ଼ଯନ୍ତ୍ର ନାମରେ ପରିଚିତ ହେଲା । କାକୋରି କାଣ୍ଡ  ବ୍ରିଟିଶ କ୍ଷମତାକେନ୍ଦ୍ରକୁ ଥରାଇ ଦେଇଥିଲା । ଇଂରେଜଙ୍କ ପାଇଁ କାକୋରି  ଷଡ଼ଯନ୍ତ୍ରକାରୀଙ୍କୁ ଧରିବା ସମ୍ମାନର ପ୍ରଶ୍ନ ହୋଇ ପଡିଥିଲା । ଜଣକ ପରେ ଜଣେ  ବିପ୍ଳବୀ ଧରାପଡ଼ିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମୃତ୍ୟୁଦଣ୍ଡ ଓ କଳାପାଣି ଦଣ୍ଡାଦେଶ ଦିଆଯାଇଥିଲା, କିନ୍ତୁ ସେହି ସମୟରେ ପାଞ୍ଚ ହଜାର ଟଙ୍କାର ପୁରସ୍କାର ରଖିବା ସତ୍ତ୍ୱେ ଇଂରେଜମାନେ ଆଜାଦଙ୍କୁ ଜୀବିତ ଧରି ପାରିନଥିଲେ। ଆସନ୍ତୁ ଜାଣିବା କେମିତି ସହିଦ ହେଲେ ଚନ୍ଦ୍ରଶେଖର ଆଜାଦ ?

କାକୋରି ଘଟଣାରେ ଅଶଫାକୁଲ୍ଲା, ଶତିଦ୍ରନାଥ ବକ୍ସି, ରାଜେନ୍ଦ୍ର ଲାହିରୀ, ରାମପ୍ରସାଦ ବିସ୍ମିଲ୍, କେଶବ ଚକ୍ରବର୍ତ୍ତୀ, ମୁରାରି ଲାଲ, ମୁକୁନ୍ଦୀ ଲାଲ, ବନୱାରୀ ଲାଲ, ମନ୍ମଥ ନାଥ ଗୁପ୍ତା ଓ ଚନ୍ଦ୍ରଶେଖର ଆଜାଦଙ୍କ ସମେତ ବହୁ ବିପ୍ଳବୀ ସାମିଲ ଥିଲେ। ଏହି ଘଟଣାର ୪୭ ଦିନ ପରେ ଇଂରେଜମାନେ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ଚଢ଼ାଉ କରି ବିପ୍ଳବୀମାନଙ୍କୁ ଗିରଫ କରିଥିଲେ। କଳାପାଣିରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଫାଶୀ ଦିଆଯାଇଥିବା ବେଳେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୧୭ ଜଣ ବିପ୍ଳବୀଙ୍କୁ ଲମ୍ବା କାରାଦଣ୍ଡ ରେ ଦଣ୍ଡିତ କରାଯାଇଥିଲା କିନ୍ତୁ ଚନ୍ଦ୍ରଶେଖର ଆଜାଦ ଏବଂ କୁନ୍ଦନ ଲାଲଙ୍କୁ ବ୍ରିଟିଶ ପୋଲିସ ଧରି ପାରିନଥିଲା ।

ଆଲଫ୍ରେଡ୍ ପାର୍କରେ ଆଜାଦ

ଏହା ଥିଲା ୧୯୩୧ ମସିହା ଫେବ୍ରୁଆରି ୨୭ ତାରିଖ। ଚନ୍ଦ୍ରଶେଖର ଆଜାଦ ତାଙ୍କର ଜଣେ ସାଥୀ ସୁଖଦେବ ରାଜଙ୍କ ସହ ଆହ୍ଲାବାଦ (ବର୍ତ୍ତମାନ ପ୍ରୟାଗରାଜ)ର ଆଲଫ୍ରେଡ୍ ପାର୍କରେ ବସିଥିଲେ। ଏହି ସମୟରେ ପାର୍କ ସମ୍ମୁଖ ରାସ୍ତାରେ ଏକ ମୋଟର ଅଟକି ଯାଇଥିଲା। ସେଥିରୁ ବ୍ରିଟିଶ ଅଫିସର ନୋଟ୍ ବାଉର ଓ ଦୁଇ ଜଣ ସୈନିକ ସାଦା ପୋଷାକ ପିନ୍ଧି ଓହ୍ଲାଇଥିଲେ।

ସୁଖଦେବରାଜ ଲେଖିଛନ୍ତି ଯେ କାର ଅଟକିବା ସହିତ ଆମ ମନରେ ସନ୍ଦେହ ହୋଇଥିଲା । ବ୍ରିଟିଶ ଅଫିସର ହାତରେ ପିସ୍ତଲ ଧରି ସିଧା ଆମ ଆଡ଼କୁ ଆସି ଇଂରାଜୀରେ ପଚାରିଲେ, “ତୁମେମାନେ କିଏ?” ଏଠାରେ କଣ କରୁଛ? ଆମେ (ଆଜାଦ ଓ ସୁଖଦେବରାଜ) ତାଙ୍କ ପ୍ରଶ୍ନର ଉତ୍ତର ଗୁଳିରେ ଦେଇଥିଲୁ। ତେବେ ସେତେବେଳକୁ ବ୍ରିଟିଶ ଅଧିକାରୀ ଗୁଳି ଚଳାଇ ସାରିଥିଲେ । ଆଉ ଗୁଳି ସିଧା ଆଜାଦଙ୍କ ଜଂଘରେ ବାଜିଥିଲା । ଏଣେ ଆଜାଦଙ୍କ ଗୁଳି ବ୍ରିଟିଶ ଅଧିକାରୀଙ୍କ କାନ୍ଧରେ ବାଜିଥିଲା।

ଆଜାଦ,ସୁଖଦେବଙ୍କୁ ପଳାଇ ଯିବାକୁ କହିଥିଲେ

ଏହାପରେ ଉଭୟ ପଟୁ ଗୁଳି ମାଡ଼ ଆରମ୍ଭ ହୋଇଥିଲା। ବ୍ରିଟିଶ ଅଫିସର ପାର୍କରେ ଥିବା ଗଛ ପଛରେ ଲୁଚି ଗୁଳି ମାରିଥିଲେ । ତାଙ୍କ ସାଥୀ ସୈନିକମାନେ ନାଳରେ ଲୁଚି ରହିଥିଲେ। ଆଜାଦ ଓ ସୁଖଦେବରାଜ ଜାମୁ କୋଳି ଗଛ ପଛରେ ଲୁଚି ଯାଇଥିଲେ । ଏହି ସମୟରେ ଆଜାଦ ,ତାଙ୍କୁ ଚାଲିଯିବାକୁ କହିଥିଲେ ବୋଲି ସୁଖଦେବ ପରେ ଲେଖିଥିଲେ । ଆଜାଦଙ୍କ ଆଦେଶରେ ସୁଖଦେବ ସେହି ସ୍ଥାନ ଛାଡ଼ି ବାହାରକୁ ଆସିଥିଲେ । ବାହାରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ତାଙ୍କ ସାଇକେଲ ଛଡ଼ାଇ ନେଇଥିଲେ । ସେହି ସାଇକେଲ ନେଇ ସେ ଚାନ୍ଦ୍ ପ୍ରେସରେ ପଂହଚିଥିଲେ ।

ଡେପୁଟି ସୁପରିଟେଣ୍ଡେଣ୍ଟ ଆଜାଦଙ୍କୁ ଦେଖିଥିଲେ

ବିଶ୍ୱନାଥ ବୈଶାମ୍ପାୟନଙ୍କ ପୁସ୍ତକ ହେଉଛି ଅମର ସହିଦ ଚନ୍ଦ୍ରଶେଖର ଆଜାଦ । ଏଥିରେ ସେ ଲେଖିଛନ୍ତି ଯେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ବିଶ୍ୱେଶ୍ୱର ସିଂହ ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ଦେଖିଥିଲେ ଏବଂ ସେହି ବ୍ୟକ୍ତି କାକୋରୀ ଘଟଣାରୁ ଫେରାର ଥିବା ବ୍ୟକ୍ତି ବୋଲି  ସନ୍ଦେହ କରିଥିଲେ ଏବଂ ତାଙ୍କ ମୁଣ୍ଡରେ ପାଞ୍ଚ ହଜାର ପୁରସ୍କାର ଥିଲା। ବିଶ୍ୱେଶ୍ୱର ସିଂହ ସିଆଇଡିର ଆଇନ ପରାମର୍ଶଦାତା ଦଳଚାନ୍ଦଙ୍କୁ ଏ ବିଷୟରେ ଜଣାଇଥିଲେ। ସକାଳ ୮ଟାରେ ଦଳଚାନ୍ଦ ତାଙ୍କ ଅର୍ଦ୍ଦଳି ସରନାମ ସିଂହଙ୍କ ସହ ପାର୍କକୁ ଯାଇ ବିଶ୍ୱେଶ୍ୱର ସିଂହଙ୍କୁ ଦେଖିଥିବା ବ୍ୟକ୍ତି ଜଣକ ପ୍ରକୃତରେ ଆଜାଦ କି ନୁହେଁ ତାହା ଯାଂଚ କରିଥିଲେ। ଯେତେବେଳେ ସେ ନିଶ୍ଚିତ ହେଲେ ଯେ ପାର୍କରେ ବସିଥିବା ବ୍ୟକ୍ତି ହିଁ ଆଜାଦ,ସେତେବେଳେ ସେ  ସରନାମ ସିଂହଙ୍କୁ ବ୍ରିଟିଶ ଅଫିସର ନୋଟ୍ ବାୱାରଙ୍କୁ ଡାକିବାକୁ ପଠାଇଲେ ।

ନୋଟ୍ ବାୱାର କ’ଣ କହିଥିଲେ ?

ଏକ ପ୍ରେସ୍ ବିବୃତିରେ ବାୱର ସେତେବେଳେ ଏନକାଉଣ୍ଟରର ପୁରା ବିବରଣୀ ଦେଇ କହିଥିଲେ ଯେ, ମୁଁ କନଷ୍ଟେବଳ ମହମ୍ମଦ ଜମାନ ଓ ଗୋବିନ୍ଦ ସିଂହଙ୍କୁ ସାଙ୍ଗରେ ନେଇ ସେଠାକୁ ଯାଇଥିଲି। ଆଲଫ୍ରେଡ୍ ପାର୍କରେ କାର୍ ପାର୍କିଂ କରି ପାର୍କରେ ଥିବା ଲୋକଙ୍କ ଆଡ଼କୁ ଚାଲିଚାଲି ଯାଉଥିଲି । ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ  ମାତ୍ର ଦଶ ଗଜ ଦୂରରୁ ସେମାନେ କିଏ ବୋଲି ପ୍ରଶ୍ନ ପଚାରିବା ସହିତ ଗୁଳି ମାଡ଼ କରିଥିଲେ ମୁଁ ମଧ୍ୟ ଜବାବରେ ଗୁଳି ଚଳାଇ ମାଗାଜିନ୍ ଲୋଡ୍ କରୁଥିଲି । ଏହି ସମୟରେ ଆଜାଦଙ୍କ ଗୁଳି ମୋତେ ଲାଗିଥିଲା । ଫଳରେ ମାଗାଜିନ୍ ତଳେ ପଡ଼ିଯାଇଥିଲା । ମୁଁ ଏକ ଗଛ ଆଢୁଆଳରେ ଲୁଚିଯାଇଥିଲି । ସେତେବେଳକୁ ବିଶ୍ୱେଶ୍ୱର ସିଂହ ମଧ୍ୟ ବୁଦା ଭିତରୁ  ଆଜାଦଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ଆଜାଦ ମଧ୍ୟ ଗୁଳିମାଡ଼ କରିଥିଲେ ।ଗୋଟିଏ ଗୁଳି  ବିଶ୍ୱେଶ୍ୱର ସିଂହଙ୍କ ଥୋଡ଼ିରେ ବାଜିଥିଲା ।

ପାଖକୁ ଯିବାକୁ ମୋର ସାହସ ନଥିଲା

ଆଜାଦଙ୍କୁ ଇଂରେଜମାନଙ୍କ ଭୟ ଏତେ ଥିଲା ଯେ, ତାଙ୍କ ମୃତଦେହ ପାଖକୁ ମଧ୍ୟ ଯିବାକୁ ସେମାନଙ୍କର ଭୟ ଥିଲା । ଜଣେ କନେଷ୍ଟବଲ ଆଜାଦଙ୍କ ଗୋଡ଼କୁ ଲକ୍ଷ୍ୟ କରି ଗୁଳି ମାଡ଼ କରିଥିଲେ । ଏହାଭିତରେ ଏନକାଉଣ୍ଟର ଖବର ପୋଲିସ ପାଖରେ ପହଂଚି ସାରିଥିଲା । ବ୍ୟାକଅପ୍ ଫୋର୍ସ ପାର୍କକୁ ଆସିସାରିଥିଲା । ଆଜାଦଙ୍କ ପକେଟରୁ ନଗଦ ୪୪୮ ଟଙ୍କା ଓ ୧୬ଟି ଗୁଳି ମିଳିଥିଲା ।

ଗଛ ଓ କାର୍ ଉପରକୁ ଗୁଳି ମାଡ଼ ହୋଇଥିଲା

ଆଜାଦ ଏବଂ ନୋଟ୍ ବାୱର ଯେଉଁ ଗଛ ଆଢୁଆଳରେ  ଥିଲେ,ସେହି ଗଛ ଉପରେ ମଧ୍ୟ ଗୁଳି ବାଜିଥିଲା । ନଟ୍ ବାଉରଙ୍କ କାରରେ ତିନୋଟି ଗୁଳି ବାଜିଥିଲା । ସିଭିଲ ସର୍ଜନ ଲେଫ୍ଟନାଣ୍ଟ କର୍ଣ୍ଣେଲ ଟାଉନସେଣ୍ଡଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ କରାଯାଇଥିଲା। ଆଜାଦଙ୍କ ଡାହାଣ ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା। ଗୁଳି ବାଜିବାରୁ ତାଙ୍କର ଟିବିଆ ହାଡ଼ ମଧ୍ୟ ଭାଙ୍ଗିଯାଇଥିଲା। ଏକ ଗୁଳି ଆଜାଦଙ୍କ ଡାହାଣ ଜଙ୍ଘକୁ ଭେଦିଥିଲା ।  ମୁଣ୍ଡର ଡାହାଣ ପାର୍ଶ୍ୱରୁ ଏକ ଗୁଳି ମସ୍ତିଷ୍କ ସହ ମାଡ଼ ହୋଇଥିଲା । ଅନ୍ୟ ଏକ ଗୁଳି ଡାହାଣ କାନ୍ଧ ଅତିକ୍ରମ କରି ଡାହାଣ ଫୁସଫୁସରେ ଫସି ଯାଇଥିଲା। ରସୁଲାବାଦ ଘାଟିରେ ଆଜାଦଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

Leave a Reply

Your email address will not be published. Required fields are marked *