ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ଏବଂ ପରେ ଭାରତଠାରୁ ହାରିବା ପରେ, ପାକିସ୍ତାନ ସେମାନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି। ଭାରତଠାରୁ ପରାଜୟ ପରେ, ପାକିସ୍ତାନୀ ଦଳର ଅଧିନାୟକ ମହମ୍ମଦ ରିଜୱାନ ସ୍ୱୀକାର କରିଥିଲେ ଯେ ଆମ କାହାଣୀ ଏଇଠି ଶେଷ ହେଲା । ଟୁର୍ଣ୍ଣାମେଣ୍ଟରୁ ଲଜ୍ଜାଜନକ ବିଦାୟ ପରେ, କେବଳ ଦଳର କାହାଣୀ ଶେଷ ହୋଇନାହିଁ, ଏହା ମଧ୍ୟ କୁହାଯାଉଛି ଯେ,ମହମ୍ମଦ ରିଜୱାନଙ୍କ କ୍ୟାପ୍ଟେନ ପଦରୁ ବିଦା ହେବା ପକ୍କା ।

ଏମିତିରେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ନେଇ କିଛି ମଧ୍ୟ କହିବା ସମ୍ଭବ ନୁହେଁ । ପାକ୍ କ୍ରିକେଟ୍ ବୋର୍ଡ୍ ତା’ର ଅବିଶ୍ୱସନୀୟ ନିଷ୍ପତ୍ତି ପାଇଁ ଜଣାଶୁଣା । ଭାରତକୁ ଚାମ୍ପିଅନ୍ କରିଥିବା ଗ୍ୟାରି କର୍ଷ୍ଟେନଙ୍କୁ ଅନେକ ଅନୁରୋଧ କରି ପାକିସ୍ତାନ ନିଜ କୋଚ୍ କରିଥିଲା । କିନ୍ତୁ ଦିନେ ହଠାତ ତାଙ୍କୁ ବିଦା କରିଦିଆଗଲା । ୨୦୨୩ ଦିନିକିଆ ବିଶ୍ୱକପ୍ ପରେ ବାବର ଆଜମଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା,ଯେତେବେଳେ କି ଶାହିନ ଆଫ୍ରିଦି T20 ବିଶ୍ୱକପ୍ ପୂର୍ବରୁ ଦଳର ଅଧିନାୟକ ଥିଲେ କିନ୍ତୁ ତାଙ୍କୁ ICC ଟୁର୍ଣ୍ଣାମେଣ୍ଟ ପୂର୍ବରୁ ହଟାଇ ବାବରଙ୍କୁ ଫେରାଇ ଅଣାଯାଇଥିଲା କିନ୍ତୁ ଟୁର୍ଣ୍ଣାମେଣ୍ଟ ଶେଷ ହେବା ମାତ୍ର ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଆସନ୍ତୁ ବୁଝିବା କାହିଁକି ମହମ୍ମଦ ରିଜୱାନଙ୍କ ଅଧିନାୟକତ୍ୱ ଏବେ ବିପଦରେ…
ମହମ୍ମଦ ରିଜୱାନ ଡ୍ରାମାବାଜ
ମହମ୍ମଦ ରିଜୱାନଙ୍କ ଭାବମୂର୍ତ୍ତି ଜଣେ ବୁଦ୍ଧିମାନ ବ୍ୟକ୍ତିଙ୍କର ନୁହେଁ। କ୍ରିକେଟ ଜଗତରେ ବୟାନର ବହୁତ ଗୁରୁତ୍ୱ ରହିଛି। ବିଶେଷକରି ବ୍ୟାଟିଂ ସମୟରେ ଆଘାତ ପାଇଁ ଡାକ୍ତରୀ ଦଳକୁ ଡାକିବା ଏବଂ ପରେ ଏହାକୁ ଅଭିନୟ ବୋଲି କହିବା ରିଜୱାନଙ୍କ ଭାବମୂର୍ତ୍ତି ପାଇଁ ଭଲ ନଥିଲା। କ୍ରିକେଟ ବିଶେଷଜ୍ଞ, ପ୍ରଶଂସକ ଏବଂ ବିପକ୍ଷ ଖେଳାଳିମାନେ ଆଉ ତାଙ୍କର ଆଘାତ କିମ୍ବା କୌଣସି କାର୍ଯ୍ୟକଳାପକୁ ଗମ୍ଭୀରତାର ସହ ନେଉନାହାଁନ୍ତି। ପ୍ରତ୍ୟେକ ଦଳ ଜଣେ ପରିପକ୍ୱ ଅଧିନାୟକ ଚାହେଁ,ରିଜୱାନଙ୍କ ଭଳି ମିଛୁଆ,ଡ୍ରାମାବାଜ ନୁହେଁ ।
ପଡ଼ିଆରେ ନେତୃତ୍ୱ ଆବଶ୍ୟକ,ଧର୍ମକୁ ନେଇ ଡ୍ରାମା ନୁହେଁ
ଭାରତ ବିପକ୍ଷରେ ବିଜୟ ପରେ ପଡ଼ିଆରେ ନମାଜ ପାଠ କରିବା ତାଙ୍କୁ ମହଙ୍ଗା ପଡ଼ିଥିଲା । ଏବେ ଭାରତ ବିପକ୍ଷରେ ଆସୁଥିବା ପରାଜୟ ଦେଖି ପାଭିୟନରେ ବସି ସେ ଯେମିତି ତସବିହ ପାଠ କରୁଥିଲେ ତାହାକୁ ଜୋକର କରିଛି । କ୍ରିକେଟ ବିଶେଷଜ୍ଞ ଏବଂ ସମୀକ୍ଷକମାନେ କହୁଛନ୍ତି ଯେ ଅଧିନାୟକଙ୍କ କାମ କଠିନ ପରିଶ୍ରମ କରିବା ଏବଂ ଖେଳର ନେତୃତ୍ୱ ନେବା, ସେ କେତେ ଧାର୍ମିକ ତାହା ଦେଖାଇ ହେବା ନୁହଂ । ପାକିସ୍ତାନକୁ ଏପରି ଜଣେ ଅଧିନାୟକ ଦରକାର ଯିଏ ଆଗ ପାଦରୁ ଦଳକୁ ନେତୃତ୍ୱ ଦେବେ ଏବଂ ନିଜ ଧର୍ମର ପ୍ରଦର୍ଶନ ନ କରିବେ।
ସାମ୍ନାରୁ ନେତୃତ୍ୱ ନେବାରେ ବିଫଳ
ଯେତେବେଳେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶାହିନଙ୍କ ଉପରେ ରନ୍ ପଡ଼ିବା ଆରମ୍ଭ ହେଲା, ମହମ୍ମଦ ରିଜୱାନ ତାଙ୍କ ଖେଳାଳିଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ଲଢ଼ିବା ଆରମ୍ଭ କଲେ। ସେ ଏପରି କିଛି କହିଲେ ଯାହା ଶାହିନଙ୍କୁ ଆହୁରି ନିରାଶ କଲା। ପରିଣାମ ସ୍ୱରୂପ ଭାରତ ବିପକ୍ଷ ମ୍ୟାଚ୍ରେ ସେମାନେ ୮ ଓଭରରେ ୭୪ ରନ୍ ଦେଇଥିଲେ। ଶୁଭମନ ଗିଲ ତାଙ୍କୁ ବିଶେଷ ଭାବରେ ମାଡ଼ ମାରିଥିଲେ। ଯେତେବେଳେ ତୁମେ ତୁମର ପ୍ରମୁଖ ବୋଲରଙ୍କୁ ଆତ୍ମବିଶ୍ୱାସ ଦେଇ ପାରୁନାହଁ, ସେତେବେଳେ ତୁମେ ଜଣେ ଅଧିନାୟକ ଭାବରେ ହାରିଯିବ। ଅନ୍ୟ ଖେଳାଳିଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ବହୁତ ଭଲ ନୁହେଁ।
ନିଜେ ଫର୍ମରେ ନାହାନ୍ତି,ସେ ଖେଳାଳୀଙ୍କୁ କ’ଣ ଶିଖାଇବେ ?
ଜଣେ ବ୍ୟାଟସମ୍ୟାନ୍ ଭାବରେ ମହମ୍ମଦ ରିଜୱାନଙ୍କ ନିଜର ଫର୍ମ ମଧ୍ୟ ବହୁତ ଭଲ ନୁହେଁ। ଯେତେବେଳେ ଅଧିନାୟକ ନିଜେ ପ୍ରଦର୍ଶନ କରୁନାହାଁନ୍ତି, ସେତେବେଳେ ତାଙ୍କ ସାଥୀ ଖେଳାଳିମାନେ ତାଙ୍କଠାରୁ କ’ଣ ପ୍ରେରଣା ନେବେ ? ଯେତେବେଳେ ଅଧିନାୟକ ଭଲ କରନ୍ତି, ଖେଳାଳିମାନେ ତାଙ୍କୁ ଗମ୍ଭୀରତାର ସହ ନିଅନ୍ତି। ରିଜୱାନ ବହୁତ କଥା କୁହନ୍ତି, କିନ୍ତୁ ତାହାକୁ ପ୍ରଦର୍ଶନରେ ପରିଣତ କରିପାରନ୍ତି ନାହିଁ।
ମହମ୍ମଦ ରିଜୱାନ ସିନିୟରଙ୍କୁ ଡରନ୍ତି
ଅଧିନାୟକଙ୍କୁ ଅନେକ ଥର ବଡ଼ ନିଷ୍ପତ୍ତି ନେବାକୁ ପଡ଼ିଥାଏ, କିନ୍ତୁ ପାକିସ୍ତାନରେ ଏହା ହୁଏ ନାହିଁ। ସେଠାରେ, ପାକିସ୍ତାନ କ୍ରିକେଟ୍ ବୋର୍ଡରେ କ୍ଷମତା ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ବଡ଼ ଖେଳାଳିମାନଙ୍କୁ ବାହାର କରାଯାଏ ନାହିଁ। ମହମ୍ମଦ ରିଜୱାନ ମଧ୍ୟ ଜଣେ ଶଖିକଣ୍ଢେଇ ଅଧିନାୟକ ଭଳି। ଏହି କାରଣରୁ ଦାନିଶ କାନେରିଆ ତାଙ୍କୁ ଜଣେ କାପୁରୁଷ ଅଧିନାୟକ ବୋଲି କହିଥିଲେ, ଯେତେବେଳେ କି ସୋଏବ ଅଖତର ତାଙ୍କୁ ଜଣେ ଠକ ବୋଲି କହିଥିଲେ। ବାବର ଏବଂ ଶାହିନଙ୍କ ଭଳି ଖେଳାଳିଙ୍କୁ ପ୍ରଶ୍ନ କରିବାର ସାହସ ତାଙ୍କ ପାଖରେ ନାହିଁ। ବାବର ଏକଦିବସୀୟରେ ଟେଷ୍ଟ ବ୍ୟାଟସମ୍ୟାନଙ୍କ ପରି ବ୍ୟାଟିଂ କରୁଥିବା ବେଳେ, ଶାହିନଙ୍କ ବୋଲିଂରେ ଧାର ନାହିଁ।