ଦିନେ ବିଧାନସଭାରୁ ତଡ଼ା ଖାଇଥିଲେ, ଆଉ ଏବେ ବାଚସ୍ପତି

ପ୍ରାୟ ୨୭ ବର୍ଷ ପରେ ଭାରତୀୟ ଜନତା ପାର୍ଟି ଜାତୀୟ ରାଜଧାନୀରେ କ୍ଷମତାକୁ ଫେରିଛି। ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ତଥା ରୋହିଣୀ ବିଧାୟକ ବିଜେନ୍ଦର ଗୁପ୍ତା ବାଚସ୍ପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ମନ୍ତ୍ରୀ ରବୀନ୍ଦ୍ର ଇନ୍ଦ୍ରାଜ ସିଂହ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ପରବେଶ ବର୍ମା ଏବଂ ମନଜିନ୍ଦର ସିଂ ସିରସା ସମର୍ଥନ କରିଥିଲେ। ଏହାପରେ ବିଜେନ୍ଦର ଗୁପ୍ତା ସର୍ବସମ୍ମତିକ୍ରମେ ବିଧାନସଭାର ବାଚସ୍ପତି ପଦକୁ ନିର୍ବାଚିତ ହୋଇଥିଲେ। ଏହା ସେହି ବିଜେନ୍ଦର ଗୁପ୍ତା, ଯାହାଙ୍କୁ ଏକଦା ମାର୍ଶାଲ ଉଠାଇ ବିଧାନସଭାରୁ ବାହାର କରି ଦେଇଥିଲେ, ଏବେ ସେ ଏହି ବିଧାନସଭାର ବାଚସ୍ପତି ଭାବେ ଫେରିଛନ୍ତି।

ଏକଦା ତାଙ୍କୁ ମାର୍ଶାଲ ଉଠାଇ ନେଇଥିଲେ ….

କୁହାଯାଏ ଯେ ସମୟ କେବେ ବି ସମାନ ନୁହେଁ, ସମସ୍ତଙ୍କ ସମୟ ଆସିଥାଏ । ବିଜେପିର ବରିଷ୍ଠ ନେତା ବିଜେନ୍ଦର ଗୁପ୍ତାଙ୍କ କାହାଣୀ ମଧ୍ୟ ସମାନ। ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି କ୍ଷମତାରେ ଥିବା ବେଳେ ଅନେକ ଥର ବିଜେପି ନେତାଙ୍କୁ ବିଧାନସଭାରୁ ବାହାର କରି ଦିଆଯାଇଥିଲା। ଏପରିକି ବିଧାନସଭା ଅଧିବେଶନ ସମୟରେ ତାଙ୍କୁ ବାହାର କରି ଦିଆଯାଇଥିଲା। ଏବେ ପରିସ୍ଥିତି ବଦଳିଯାଇଛି, ସେହି ବିଧାନସଭାର ବାଚସ୍ପତି ଭାବେ ଫେରିଛନ୍ତି ବିଜେନ୍ଦର ଗୁପ୍ତା ।

ବିଜେନ୍ଦର ଗୁପ୍ତାଙ୍କ କାହାଣୀ ଅତ୍ୟନ୍ତ ରୋଚକ

ବିଜେନ୍ଦର ଗୁପ୍ତା ଗତ ୧୦ ବର୍ଷ ମଧ୍ୟରେ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଆପ୍ ସରକାରକୁ ବିରୋଧ କରିଥିଲେ। ୨୦୧୫ରେ ତାଙ୍କୁ ଗୃହରୁ ଟାଣିଟାଣି ବାହାର କରି ଦିଆଯାଇଥିଲା । ଅକ୍ଟୋବର ୨୦୧୬ରେ ଏକ ଅଧିବେଶନ ସମୟରେ ସେ ଟେବୁଲରେ ଠିଆ ପ୍ରତିବାଦ କରୁଥିବା ମଧ୍ୟ ଦେଖାଯାଇଥିଲା । ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ କହିଥିଲେ ଯେ ସେ ୧୪ ସିଏଜି ରିପୋର୍ଟ ଉପସ୍ଥାପନ କରିବେ, ଯାହାକୁ ପୂର୍ବ ଆମ୍ ଆଦମୀ ପାର୍ଟି ସରକାର ଅଟକାଇ ରଖିଥିଲେ। ଦିଲ୍ଲୀ ବିଧାନସଭାର ବାଚସ୍ପତି ଭାବେ ମୋତେ ଏହି ଦାୟିତ୍ୱ ଦେଇଥିବାରୁ ମୁଁ ଦଳକୁ ଅତ୍ୟନ୍ତ କୃତଜ୍ଞ। ମୁଁ ଏହି ଦାୟିତ୍ୱକୁ ପ୍ରଭାବଶାଳୀ ଭାବରେ ଗ୍ରହଣ କରିବି ।

ବାଚସ୍ପତି ହେବା ପରେ କ’ଣ କହିଲେ ବିଜେନ୍ଦର ଗୁପ୍ତା?

ନବଗଠିତ ଅଷ୍ଟମ ଦିଲ୍ଲୀ ବିଧାନସଭାରେ ବିଜେପିର ୪୮ ବିଧାୟକ ଥିବା ବେଳେ ବିରୋଧୀ ଆମ୍ ଆଦମୀ ପାର୍ଟିର ୨୨ ବିଧାୟକ ଅଛନ୍ତି। ଆପ୍ କୁ ଟାର୍ଗେଟ କରି ବିଜେନ୍ଦର ଗୁପ୍ତା କହିଛନ୍ତି ଯେ ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର, ଯାହାର ପବିତ୍ରତା ସମସ୍ତେ ବଜାୟ ରଖିବା ଉଚିତ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଗତବର୍ଷ ଯେଉଁମାନେ ନିୟମ ଉଲ୍ଲଂଘନ କରି ଅରାଜକ ଢଙ୍ଗରେ ବିଧାନସଭା ପରିଚାଳନା କରିଥିଲେ ସେମାନଙ୍କ ମଧ୍ୟରେ ସଦ୍ ଭାବନା ବଜାୟ ରହୁ। ବିରୋଧୀ ଆମ୍ ଆଦମୀ ପାର୍ଟି ଗୃହରେ ଏକ ସୁସ୍ଥ ବିତର୍କରେ ସାମିଲ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ରୋହିଣୀରୁ ୩ ଥର ବିଧାୟକ

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ବିରୋଧୀ ଦଳ ନେତା ଆତିଶୀ ବିଜେନ୍ଦର ଗୁପ୍ତାଙ୍କୁ ବିଧାନସଭାର ବାଚସ୍ପତି କରାଯିବା ପରେ ଅଭିନନ୍ଦନ ଜଣାଇଛନ୍ତି। ବିଜେନ୍ଦର ଗୁପ୍ତା ହେଉଛନ୍ତି ରୋହିଣୀରୁ ବିଜେପି ବିଧାୟକ। ୨୦୧୫ ବିଧାନସଭା ନିର୍ବାଚନରେ ସେ ରୋହିଣୀରୁ ବିଜୟୀ ହୋଇଥିଲେ। ଏହାପରେ ୨୦୨୦ ଓ ଏବେ ୨୦୨୫ ନିର୍ବାଚନରେ ମଧ୍ୟ ସେ ଏହି ଆସନରେ ରହିଥିଲେ। ଛାତ୍ର ରାଜନୀତିରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ଉପାଧ୍ୟକ୍ଷ ମଧ୍ୟ ଥିଲେ । ସେ ମହାନଗର ନିଗମରେ ଜଣେ କାଉନସିଲର ଏବଂ ବିରୋଧୀ ଦଳ ନେତା ମଧ୍ୟ ଥିଲେ । ସୋମବାରଠାରୁ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ କ୍ୟାବିନେଟ୍ ସହ ବିଧାନସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି।

ଦିଲ୍ଲୀ ବିଧାନସଭାର ତିନି ଦିନିଆ ଅଧିବେଶନ ୩ ଦିନ ଧରି ଚାଲିବ ।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ମନ୍ତ୍ରୀ ପରବେଶ ବର୍ମା, ଆଶିଷ ସୁଦ, କପିଲ ମିଶ୍ର, ରବୀନ୍ଦ୍ର ସିଂହ ଇନ୍ଦ୍ରାଜ, ପଙ୍କଜ କୁମାର ସିଂହ ଓ ମନଜିନ୍ଦର ସିଂହ ସିରସା ମଧ୍ୟ ଶପଥ ନେଇଛନ୍ତି। ପ୍ରଥମ ଅଧିବେଶନରେ ବିଧାନସଭାରେ ବିରୋଧୀ ଦଳ ନେତା ଆତିଶୀଙ୍କ ସମେତ ଆମ୍ ଆଦମୀ ପାର୍ଟି (ଆପ୍)ର ୨୨ ଜଣ ବିଧାୟକ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏହା ପୂର୍ବରୁ ବିଜେପି ବିଧାୟକ ଅରବିନ୍ଦର ସିଂ ଲଭଲି ଦିଲ୍ଲୀ ବିଧାନସଭାର ପ୍ରୋଟେମ୍ ବାଚସ୍ପତି ଭାବେ ଶପଥ ନେଇଥିଲେ। ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ତିନି ଦିନ ଧରି ଚାଲିବ ।

Leave a Reply

Your email address will not be published. Required fields are marked *