ବୋଧଗୟାର ମହାବୋଧି ମନ୍ଦିର ବାହାରେ ଦୁଇ ମାସ ଧରି କ’ଣ ପାଇଁ ଆନ୍ଦୋଳନରେ ବସିଛନ୍ତି ବୌଦ୍ଧ ଭିକ୍ଷୁ ?

ପ୍ରାୟ ୧୦୦ ବୌଦ୍ଧ ଭିକ୍ଷୁ ଫେବୃଆରୀ ମାସରୁ ବିହାରର ବୋଧଗୟାସ୍ଥିତ ମହାବୋଧି ମନ୍ଦିରରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି ଆନ୍ଦୋଳନ ମହାବୋଧି ମନ୍ଦିରର ନିୟନ୍ତ୍ରଣ ବୌଦ୍ଧମାନଙ୍କୁ ହସ୍ତାନ୍ତର କରିବା ଦାବିରେ ଚାଲିଛି। ଏହି ବିବାଦ ଆଜିର ନୁହେଁ, ବରଂ ଦଶନ୍ଧି ପୁରୁଣା। ସେମାନେ ବୋଧଗୟା ମନ୍ଦିର ଅଧିନିୟମ (ବିଟିଏ), ୧୯୪୯କୁ ରଦ୍ଦ କରିବାକୁ ଦାବି କରୁଛନ୍ତି। ଏହି ଆଇନ ଅନୁଯାୟୀ ମହାବୋଧି ମନ୍ଦିରର ପରିଚାଳନା କରାଯାଏ। ଏହି ଆଇନ ଅଧୀନରେ ଗଠିତ ସମିତିରେ ବୌଦ୍ଧଙ୍କ ସହିତ ହିନ୍ଦୁମାନଙ୍କୁ ମଧ୍ୟ ସାମିଲ କରାଯାଇଛି।

ବୋଧଗୟାକୁ ବୌଦ୍ଧ ଧର୍ମର ଚାରି ପବିତ୍ର ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ଗଣାଯାଏ; ଅନ୍ୟ ତିନୋଟି ହେଉଛି ଲୁମ୍ବିନୀ (ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥଳ), ସାରନାଥ (ଯେଉଁଠାରେ ସେ ପ୍ରଥମ ଉପଦେଶ ଦେଇଥିଲେ), ଓ କୁଶୀନଗର (ଯେଉଁଠାରେ ସେ ନିର୍ବାଣ ଲାଭ କରିଥିଲେ)। ବୌଦ୍ଧ ଧର୍ମାବଲମ୍ବୀମାନେ ଏହି ଆଇନର ବିରୋଧରେ ଏହାକୁ ରଦ୍ଦ କରିବାକୁ ଦାବି କରୁଛନ୍ତି। ଆସନ୍ତୁ ଜାଣିବା ଏହି ଦଶନ୍ଧି ପୁରୁଣା ବିବାଦର କାରଣ କ’ଣ।

କାହିଁକି ବିଟିଏ ୧୯୪୯କୁ ରଦ୍ଦ କରିବାକୁ ଚାହୁଁଛନ୍ତି?

ବିହାର ସରକାର ମହାବୋଧି ମନ୍ଦିର ଉପରେ ନିୟନ୍ତ୍ରଣକୁ ନେଇ ବୌଦ୍ଧ ଓ ହିନ୍ଦୁ ନେତାଙ୍କ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ବିଟିଏ ପାସ୍ କରିଥିଲେ। ଏହି ଆଇନ ଅନୁଯାୟୀ ଚାରି ହିନ୍ଦୁ ଓ ଚାରି ବୌଦ୍ଧ ସଦସ୍ୟଙ୍କୁ ନେଇ ଏକ ସମିତି ଗଠନ କରାଯାଇଥିଲା। ଏହି ଅଧିନିୟମରେ ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସମିତିର ପଦେନ ଅଧ୍ୟକ୍ଷ କରାଯାଇଥିଲା। ଏଥିରେ ଏକ ନିୟମ ମଧ୍ୟ ଥିଲା ଯେ ଯଦି ଗୟାର ଜିଲ୍ଲାଧିକାରୀ ଗୈର-ହିନ୍ଦୁ ହୋଇଥାନ୍ତି, ତେବେ ରାଜ୍ୟ ସରକାର ସେହି ଅବଧି ପାଇଁ ଜଣେ ହିନ୍ଦୁଙ୍କୁ ସମିତିର ଅଧ୍ୟକ୍ଷ ନାମିତ କରିବେ। ଏହି ନିୟମକୁ ନେଇ ବୌଦ୍ଧ ସମୁଦାୟ ନାରାଜ ଥିଲେ। ୨୦୧୩ରେ ରାଜ୍ୟ ସରକାର ଏହି ନିୟମକୁ ପରିବର୍ତ୍ତନ କରି ଏକ ନୂଆ ପ୍ରାବଧାନ ଯୋଡ଼ିଥିଲେ ଯେ ପଦେନ ଅଧ୍ୟକ୍ଷ ଯେ କୌଣସି ଧର୍ମର ହୋଇପାରିବେ।

ବିଟିଏ ବଦଳାଇବାର ପ୍ରୟାସ ବିଫଳ

୧୯୯୦ ଦଶକରେ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବିଟିଏର ସ୍ଥାନରେ ବୋଧଗୟା ମହାବିହାର ବିଧେୟକର ଚିଠା ପ୍ରସ୍ତୁତ କରିଥିଲେ। ଏହି ବିଧେୟକରେ ମନ୍ଦିରର ପରିଚାଳନା ବୌଦ୍ଧମାନଙ୍କୁ ହସ୍ତାନ୍ତର କରିବାର ଅନୁମତି ଦିଆଯାଇଥିଲା। ଏଥିରେ ମନ୍ଦିର ଭିତରେ ମୂର୍ତ୍ତି ବିସର୍ଜନ ଓ ହିନ୍ଦୁ ବିବାହ ଉପରେ ରୋକ ଲଗାଯାଇଥିଲା। କିନ୍ତୁ ଏହି ବିଧେୟକ ଏପର୍ଯ୍ୟନ୍ତ ଶିତଳ ଭଣ୍ଡାରରେ ପଡ଼ି ରହିଛି ।

ବୋଧଗୟା ମଠର ଦେଖାଶୁଣା କରୁଥିବା ସ୍ୱାମୀ ବିବେକାନନ୍ଦ ଗିରି ଏକ ଓ୍ୱେବସାଇଟକୁ କହିଥିଲେ ଯେ ଏହି ଅଧିନିୟମ ଓ ଭାରତର ସ୍ୱାଧୀନତା ପୂର୍ବରୁ ମନ୍ଦିରର ମାଲିକାନା ହିନ୍ଦୁମାନଙ୍କ ପାଖରେ ଥିଲା। ସେ କହିଥିଲେ ଯେ ଏହି ବିରୋଧ ପ୍ରଦର୍ଶନ ‘ରାଜନୀତି ଦ୍ୱାରା ପ୍ରେରିତ’। ସେ ଆହୁରି କହିଥିଲେ ଯେ ଏହା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ହୋଇଛି। ଗିରି କହିଥିଲେ, “ଯେତେବେଳେ ମୁସଲମାନ ଶାସକମାନଙ୍କ ଆକ୍ରମଣ ପରେ ବୌଦ୍ଧମାନେ ଏହାକୁ ଛାଡ଼ି ଦେଇଥିଲେ, ଆମେ ମନ୍ଦିରକୁ ସଂରକ୍ଷିତ ରଖିଥିଲୁ ଓ ଏହାର ଦେଖାଶୁଣା କରିଥିଲୁ। ତଥାପି ଆମେ କେବେ ବୌଦ୍ଧ ଆଗନ୍ତୁକମାନଙ୍କୁ ‘ଅନ୍ୟ’ ମନେ କରି ନାହୁଁ।”

ମହାବୋଧି ମନ୍ଦିରର ଇତିହାସ

ସମ୍ରାଟ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ୨୬୦ ଖ୍ରୀଷ୍ଟପୂର୍ବରେ ମହାବୋଧି ମନ୍ଦିର ନିର୍ମାଣ କରାଇଥିଲେ। ଏବେ ଏହାକୁ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ମିଳିଛି । କୁହାଯାଏ ଯେ ତ୍ରୟୋଦଶ ଶତାବ୍ଦୀରେ ବଡ଼ ରାଜନୈତିକ ପରିବର୍ତ୍ତନ ପର୍ଯ୍ୟନ୍ତ ଏହା ବୌଦ୍ଧ ପରିଚାଳନା ଅଧୀନରେ ଥିଲା। ରାଜା ଅଶୋକ ବୋଧି ବୃକ୍ଷ ତଳେ ପୂଜା କରୁଥିଲେ, ଯେଉଁଠାରେ ଗୌତମ ସିଦ୍ଧାର୍ଥଙ୍କୁ ଜ୍ଞାନ ପ୍ରାପ୍ତି ହୋଇଥିଲା। ବୋଧଗୟାକୁ ସେତେବେଳେ ବୌଦ୍ଧ ଧର୍ମର ମକ୍କା କୁହାଯାଉଥିଲା, ଏବଂ ଏହା ପଶ୍ଚିମ ଜଗତରେ ବୌଦ୍ଧ ଧର୍ମକୁ ଲୋକପ୍ରିୟ କରିବାରେ ସହାୟକ ହୋଇଥିଲା। ଅଶୋକଙ୍କ ସମୟରୁ ପାଳ ବଂଶ ପର୍ଯ୍ୟନ୍ତ ବୋଧି ମନ୍ଦିର ବୌଦ୍ଧ ପୂଜା ସ୍ଥଳ ଓ ତୀର୍ଥସ୍ଥଳୀ ଭାବେ ରହିଥିଲା। ଚୀନୀ ଯାତ୍ରୀ ହ୍ୱେନ ସାଙ୍ଗ ହର୍ଷବର୍ଦ୍ଧନଙ୍କ ଶାସନ ସମୟରେ ୬୨୯ ଖ୍ରୀଷ୍ଟାବ୍ଦରେ ବୋଧଗୟା ଭ୍ରମଣ କରିଥିଲେ। ସଂଯୋଗବଶତଃ, ହ୍ୱେନ ସାଙ୍ଗ ଏହାକୁ ଏକ ବୌଦ୍ଧ ସ୍ଥଳ ବୋଲି କହିଥିଲେ ଏବଂ କେବଳ ଅବଲୋକିତେଶ୍ୱରଙ୍କ ମୂର୍ତ୍ତି ପାଇଁ ବୌଦ୍ଧ ଅବଶେଷ ମିଳିଥିବା କଥା କହିଥିଲେ।

୧୫୯୦ରେ ବୋଧଗୟା ମଠର ସ୍ଥାପନା

ତ୍ରୟୋଦଶ ଶତାବ୍ଦୀରେ ବଖତିୟାର ଖିଲଜୀର ଆକ୍ରମଣ ପରେ ବୌଦ୍ଧ ଧର୍ମର ପତନ ଆରମ୍ଭ ହୋଇଥିଲା।ୟୁନେସ୍କୋ ଅନୁସାରେ, ୧୩ଶରୁ ୧୮ଶ ଶତାବ୍ଦୀ ମଧ୍ୟରେ ଏହି ମନ୍ଦିର ଅଧିକାଂଶ ସମୟ ପାଇଁ ପରିତ୍ୟକ୍ତ ରହିଥିଲା, ଯେପର୍ଯ୍ୟନ୍ତ ଇଂରେଜମାନେ ଏହାର ଜୀର୍ଣ୍ଣୋଦ୍ଧାର ଆରମ୍ଭ ନ କରିଥିଲେ। ଅକବରଙ୍କ ଶାସନ ସମୟରେ, ୧୫୯୦ରେ ଜଣେ ହିନ୍ଦୁ ଭିକ୍ଷୁ ବୋଧଗୟା ମଠର ସ୍ଥାପନା କରିଥିଲେ। ସେ ବୋଧଗୟା ମଠ, ସ୍ଥାପନ କରିଥିଲେ ଏବଂ ମନ୍ଦିରର ନିୟନ୍ତ୍ରଣ ଗିରିଙ୍କ ପୂର୍ବଜଙ୍କ ପାଖରେ ଥିଲା। ୧୯ଶ ଶତାବ୍ଦୀର ଶେଷ ଭାଗରେ ଶ୍ରୀଲଙ୍କା ଓ ଜାପାନର ବୌଦ୍ଧ ଭିକ୍ଷୁମାନେ ଏହି ସ୍ଥାନକୁ ପୁନଃ ପ୍ରାପ୍ତ କରିବା ପାଇଁ ମହାବୋଧି ସୋସାଇଟି ସ୍ଥାପନ କରି ଏକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ତା’ପରେ, ୧୯୦୩ରେ ଲର୍ଡ କର୍ଜନ ହିନ୍ଦୁ ଓ ବୌଦ୍ଧ ପକ୍ଷ ମଧ୍ୟରେ ଏକ ବୁଝାମଣା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ। ଭାରତର ସ୍ୱାଧୀନତାର ଦୁଇ ବର୍ଷ ପରେ, ବିହାର ସରକାର ଏହି ଅଧିନିୟମ ଆଣିଥିଲେ।

କାହିଁକି ଏହି ମାମଲା ସମାଧାନ ହୋଇପାରୁନାହିଁ?

ବୌଦ୍ଧମାନଙ୍କ ଏହି ଦାବି ଆଇନଗତ ଦୃଷ୍ଟିରୁ ବେଶ୍ ଜଟିଳ। ବୌଦ୍ଧମାନଙ୍କ ଏହି ମାମଲା ଉପାସନା ସ୍ଥଳ ଆଇନ, ୧୯୯୧ ଅଧୀନକୁ ଆସୁଛି। ଏହି ଆଇନ କୌଣସି ପୂଜା ସ୍ଥଳର ଧାର୍ମିକ ଚରିତ୍ରକୁ ୧୫ ଅଗଷ୍ଟ ୧୯୪୭ ଅନୁସାରେ ବଜାୟ ରଖିବାର ପ୍ରାବଧାନ ରଖିଛି। କିନ୍ତୁ ଏହି ଆଇନର କିଛି ପ୍ରାବଧାନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହି ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ବୌଦ୍ଧମାନେ ବୋଧଗୟା ମନ୍ଦିର ଆଇନ, ୧୯୪୯କୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ଦୁଇ ବୌଦ୍ଧ ଭିକ୍ଷୁ ସୁପ୍ରିମକୋର୍ଟରେ ବିଜିଟିଏ ରଦ୍ଦ କରିବା ପାଇଁ ଆବେଦନ ଦାଖଲ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ମାମଲା ଶୁଣାଣି ପାଇଁ ରଖାଯାଇ ନାହିଁ।

Leave a Reply

Your email address will not be published. Required fields are marked *