ଆଜିକାଲି ଫିଟନେସ ଏବଂ ସୁସ୍ଥ ଜୀବନଶୈଳୀ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଲୋକମାନେ ଫିଟ୍ ରହିବା ପାଇଁ ଯୋଗ ଠାରୁ ଆରମ୍ଭ କରି ଚାଲିବା ଏବଂ ଜିମ୍ ମଧ୍ୟ ଯାଉଛନ୍ତି। ଓଜନ କମାଇବା ପାଇଁ ମଧ୍ୟ ଅନେକେ ଖୁବ୍ ବ୍ୟାୟାମ କରୁଛନ୍ତି। କିନ୍ତୁ କିଛି ଲୋକ ଏହାକୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି ଯେ ଯୋଗ ଏବଂ ଚାଲିବା ମଧ୍ୟରୁ ଓଜନ କମାଇବା ପାଇଁ କେଉଁଟି ଅଧିକ ଉତ୍ତମ ଏବଂ କାହାର ପ୍ରଭାବ ଶୀଘ୍ର ଦେଖାଯାଏ। କେହି ଯୋଗକୁ ଗ୍ରହଣ କରନ୍ତି, ତ କେହି ଚାଲିବାକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରନ୍ତି।
ଉଭୟ ବିକଳ୍ପ ଉତ୍ତମ ହେଲେ ମଧ୍ୟ, ଯେତେବେଳେ କ୍ୟାଲୋରୀ କମାଇବାର କଥା ଆସେ, ତେବେ ଆମକୁ ସେତେବଳେ ବୁଝିବାକୁ ହେବ ଯେ କେଉଁଟି ଅଧିକ ଫଳପ୍ରଦ । ଆସନ୍ତୁ ଆଜି ଜାଣିବା ଯେ ଆପଣଙ୍କ ପାଇଁ ଯୋଗ ଠିକ୍ ନା ଚାଲିବା?
ଯୋଗର ଲାଭ ଓ ପ୍ରଭାବ
ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ଏହା ଆପଣଙ୍କ ଶରୀର ଓ ମନକୁ ମଧ୍ୟ ଶାନ୍ତ ରଖେ। ଏଥିରେ ଶ୍ୱାସ ନିୟନ୍ତ୍ରଣ, ଆସନ ଏବଂ ଧ୍ୟାନ ସାମିଲ ରହିଛି। ଯୋଗ ଧୀରେ ଧୀରେ କ୍ୟାଲୋରୀ କମାଏ। ଯୋଗର ଲାଭ କେବଳ ଓଜନ କମାଇବା ପର୍ଯ୍ୟନ୍ତ ସୀମିତ ନୁହେଁ। ଏହା ଚାପ ଓ ଚିନ୍ତାକୁ କମାଇଥାଏ, ମାନସିକ ଶାନ୍ତି ଦେଇଥାଏ ଏବଂ ନିଦ ବଢ଼ାଇଥାଏ । ଏହା ସହିତ ଶରୀରକୁ ନମନୀୟ କରିଥାଏ, ହରମୋନାଲ ସନ୍ତୁଳନକୁ ସୁଧାରିଥାଏ ଏବଂ ଦୀର୍ଘ ସମୟ ଧରି ଆପଣଙ୍କୁ ରୋଗରୁ ଦୂରେଇ ରଖିଥାଏ। ଯେଉଁମାନଙ୍କୁ ଅଣ୍ଟା ଯନ୍ତ୍ରଣା, ପିଠି ଯନ୍ତ୍ରଣା କିମ୍ବା ଥାଇରଏଡ୍ ସମସ୍ୟା ଅଛି, ସେମାନଙ୍କ ପାଇଁ ଯୋଗ ଏକ ଉତ୍ତମ ଚିକିତ୍ସା ଭଳି କାମ କରେ।

ଚାଲିବାର ଲାଭ ଓ ପ୍ରଭାବ
ଚାଲିବା ଅର୍ଥାତ୍ ପାଦରେ ଚାଲିବା ସବୁଠାରୁ ସହଜ, ପ୍ରାକୃତିକ ଏବଂ ପ୍ରଭାବଶାଳୀ ବ୍ୟାୟାମ ମଧ୍ୟରୁ ଗୋଟିଏ। ଏହା ସବୁ ବୟସର ବ୍ୟକ୍ତିଙ୍କ ପାଇଁ ନିରାପଦ ଏବଂ ପ୍ରଭାବଶାଳୀ। ଚାଲିବା ଖାସକରି କ୍ୟାଲୋରୀ କମାଇବା ପାଇଁ ଏକ ଉତ୍ତମ ବିକଳ୍ପ ବୋଲି ବିବେଚନା କରାଯାଏ। ତୀବ୍ର ଗତିରେ ଚାଲିଲେ ଆପଣ ସର୍ବାଧିକ କ୍ୟାଲୋରୀ କମାଇ ପାରିବେ। ଚାଲିବାର ସବୁଠାରୁ ବଡ଼ ଲାଭ ହେଉଛି ଏହା ଆପଣଙ୍କ ହୃଦୟ ଓ ଫୁସଫୁସକୁ ମଜବୁତ କରେ। ଏହା ସହିତ ରକ୍ତଚାପ ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ, ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ ରଖେ । ଏହା ବ୍ୟତୀତ, ଚାଲିଲେ ମନ ଭଲ ରହେ, ଅବସାଦ ଓ ଉଦ୍ବେଗରୁ ମୁକ୍ତି ମିଳେ, ଏବଂ ଆପଣ ଦିନସାରା ଅଧିକ ଶକ୍ତିବାନ୍ ଅନୁଭବ କରନ୍ତି। ଖାସ କଥା ହେଉଛି ଏହା କରିବା ପାଇଁ କୌଣସି ତାଲିମ କିମ୍ବା ବିଶେଷ ସମୟର ଆବଶ୍ୟକତା ନାହିଁ।
କେଉଁଟି ଉତ୍ତମ?
ଯଦି ସିଧାସଳଖ କ୍ୟାଲୋରୀ କମାଇବାର କଥା କହିବା, ତେବେ ଚାଲିବା ଦ୍ବାରା ଯୋଗ ତୁଳନାରେ ତୀବ୍ର ଗତିରେ କ୍ୟାଲୋରୀ କମ୍ କରେ, ଖାସକରି ଯେତେବେଳେ ଆପଣ ତୀବ୍ର ଗତିରେ ଚାଲନ୍ତି। କିନ୍ତୁ ଯଦି ଆପଣଙ୍କର ଲକ୍ଷ୍ୟ କେବଳ ଓଜନ କମାଇବା ନୁହେଁ, ବରଂ ମାନସିକ ଶାନ୍ତି, ନମନୀୟତା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ, ତେବେ ଯୋଗ ଅଧିକ ଗଭୀର ଭାବେ ପ୍ରଭାବ ପକାଇଥାଏ। ଯଦି ଆପଣ ଉଭୟକୁ ମିଶାଇ ନିଜ ଦୈନିକ ଜୀବନରେ ସାମିଲ କରନ୍ତି, ତେବେ ଆପଣ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଉଭୟ ପ୍ରକାରେ ସୁସ୍ଥ ରହିବେ।