ଜଣା ପଡ଼ିଗଲା କାହିଁକି ମୁମ୍ବାଇ ଛାଡ଼ି ଗୋଆ ପାଇଁ ଖେଳିଲେ ଜଶସ୍ୱୀ ଜଶୱାଲ

yasaswi

ଯଶସ୍ୱୀ ଜୟସ୍ୱାଲ (Yashaswi Jaiswal) ଟିମ୍‌ ଇଣ୍ଡିଆର ଜଣେ ଉଦୀୟମାନ ତାରକା। ଗତ କିଛି ଦିନ ତଳେ ଏକ ଖବର ସାମ୍ନାକୁ ଆସିଥିଲା। ଯଶସ୍ୱୀ ତାଙ୍କ ଘରୋଇ ଦଳ ମୁମ୍ବାଇ (Mumbai) ଛାଡ଼ି ଗୋଆ (Goa) ପାଇଁ ଖେଳିବେ। ଏହାପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଥିଲା ଯେ, ସେ ମୁମ୍ବାଇ ପରି ଏକ ହାଇ-ପ୍ରୋଫାଇଲ୍‌ ଟିମ୍‌କୁ ଛାଡ଼ି କାହିଁକି ଯାଉଛନ୍ତି? ଏବେ ଏହି ପ୍ରଶ୍ନର ଉତ୍ତର ମିଳିଯାଇଛି। ଖବର ଅନୁସାରେ, ଯଶସ୍ୱୀ ଓ ମୁମ୍ବାଇ ଟିମ୍‌ ମ୍ୟାନେଜମେଣ୍ଟ ମଧ୍ୟରେ ସବୁକିଛି ଠିକ୍‌ ଚାଲି ନଥିଲା।

ଇଣ୍ଡିଆ ଟୁଡେ ସହ ଜଡ଼ିତ ନିଖିଲ ନାଜଙ୍କ ରିପୋର୍ଟ ଅନୁସାରେ, ଗତ ଦୁଇ ବର୍ଷ ଧରି ଏହି ମାମଲା ଚାଲିଥିଲା। ଯଶସ୍ୱୀ ମୁମ୍ବାଇର ସେଟଅପ୍‌ରେ ଲଗାତାର ହେଉଥିବା ପରିବର୍ତ୍ତନକୁ ନେଇ ଖୁସି ନଥିଲେ। ତାଙ୍କର ଓ ମୁମ୍ବାଇର ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା।

ରାହାଣେ ଓ ଜୟସ୍ୱାଲଙ୍କ ମଧ୍ୟରେ ତିକ୍ତ ସମ୍ପର୍କ

ରାହାଣେ ଓ ଜୟସ୍ୱାଲଙ୍କ ମଧ୍ୟରେ ତିକ୍ତତାର ଆରମ୍ଭ ସେପ୍ଟେମ୍ବର ୨୦୨୨ରେ ହୋଇଥିଲା। ଯେତେବେଳେ ଉଭୟେ ଦିଲୀପ ଟ୍ରଫିରେ ସାଉଥ ଜୋନ୍‌ ବିପକ୍ଷରେ ୱେଷ୍ଟ ଜୋନ୍‌ ପାଇଁ ଖେଳୁଥିଲେ। ରାହାଣେ ୱେଷ୍ଟ ଜୋନ୍‌ର ନେତୃତ୍ୱ ନେଉଥିଲେ। ସାଉଥ ଜୋନ୍‌ର ବ୍ୟାଟିଂ ସମୟରେ ଯଶସ୍ୱୀ ରବି ତେଜାଙ୍କୁ ସ୍ଲେଜିଂ କରୁଥିଲେ। ଏଥିରେ ରାଗି ଯାଇ ରାହାଣେ ତାଙ୍କୁ ଗ୍ରାଉଣ୍ଡରୁ ବାହାରକୁ ପଠାଇ ଦେଇଥିଲେ।

ଏହା ବ୍ୟତୀତ, ଦୁଇ ସିଜନ ପୂର୍ବେ ଯେତେବେଳେ ଯଶସ୍ୱୀ ସୈୟଦ ମୁଶ୍ତାକ ଅଲି ଟ୍ରଫିରେ ମୁମ୍ବାଇ ପାଇଁ ଖେଳୁଥିଲେ, ସେତେବେଳେ ତାଙ୍କ ଶଟ୍‌ ସିଲେକ୍ସନକୁ ନେଇ ଲଗାତାର ପ୍ରଶ୍ନ ଉଠୁଥିଲା। ଯଶସ୍ୱୀ ଏହାକୁ ଠିକ୍‌ ଭାବେ ଗ୍ରହଣ କରି ନଥିଲେ। ତାଙ୍କୁ ଲାଗିଥିଲା ଯେ ଟିମ୍‌ ମ୍ୟାନେଜମେଣ୍ଟ ଜାଣିଶୁଣି ତାଙ୍କୁ ଟାର୍ଗେଟ କରୁଛି।

ମୁମ୍ବାଇ ଛାଡ଼ିବାର ନିଷ୍ପତ୍ତି

ଏହି ଅଭିଯୋଗ ସତ୍ତ୍ୱେ ଯଶସ୍ୱୀ ମୁମ୍ବାଇ ସହ ଜଡ଼ିତ ରହିଥିଲେ। କିନ୍ତୁ ଗତ ସିଜନରେ ମୁମ୍ବାଇ ଓ ଜମ୍ମୁ-କଶ୍ମୀର ମଧ୍ୟରେ ହୋଇଥିବା ମ୍ୟାଚ୍‌ ପରେ କିଛି ଏପରି ଘଟିଥିଲା, ଯାହାପରେ ଯଶସ୍ୱୀ ଟିମ୍‌ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚ୍‌ରେ ଯଶସ୍ୱୀଙ୍କ ସହ ରୋହିତ ଶର୍ମା ମଧ୍ୟ ମୁମ୍ବାଇ ପାଇଁ ଖେଳିଥିଲେ। ମ୍ୟାଚ୍‌ରେ ଯଶସ୍ୱୀ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଏହାପରେ ଟିମ୍‌ ମ୍ୟାନେଜମେଣ୍ଟ ତରଫରୁ ତାଙ୍କୁ ସମାଲୋଚନା କରାଯାଇଥିଲା। କୋଚ୍‌ ଓମକାର ସାଲ୍‌ଭି ଓ ଅଧିନାୟକ ରାହାଣେ ତାଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଥିଲେ। ଯାହାକୁ ନେଇ ଯଶସ୍ୱୀ ଅସନ୍ତୁଷ୍ଠ ଥିଲେ। ଇଣ୍ଡିଆ ଟୁଡେ ସହ ଜଡ଼ିତ ସୂତ୍ର ଅନୁସାରେ, ସେ ରାଗରେ ରାହାଣେଙ୍କ କିଟ୍‌ବ୍ୟାଗ୍‌କୁ ଲାତ ମାରିଥିଲେ।

ଏହି ମ୍ୟାଚ୍‌ରେ ଜମ୍ମୁ-କଶ୍ମୀର ମୁମ୍ବାଇକୁ ୫ ଉଇକେଟ୍‌ରେ ହରାଇ ଦେଇଥିଲା। ମ୍ୟାଚ୍‌ ପରେ ମୁଖ୍ୟ ଚୟନକର୍ତ୍ତା ସଞ୍ଜୟ ପାଟିଲ ଯଶସ୍ୱୀଙ୍କ ରାଗକୁ ଆହୁରି ବଢ଼ାଇ ଦେଇଥିଲେ। ତାଙ୍କୁ ଲାଗିଥିଲା ଯେ ହାର ପାଇଁ ପରୋକ୍ଷ ଭାବେ ତାଙ୍କୁ ଟାର୍ଗେଟ କରାଯାଉଛି। ଏହାପରେ ସେ ମୁମ୍ବାଇ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଗୋଆ ଟିମ୍‌ ତାଙ୍କ ସହ ଯୋଗାଯୋଗ କରିଥିଲା ଏବଂ ନିଜ ଟିମ୍‌ର ଅଧିନାୟକତ୍ୱ ପ୍ରସ୍ତାବ ଦେଇଥିଲା, ଯାହାକୁ ଯଶସ୍ୱୀ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *